ETV Bharat / state

ଖର୍ଚ୍ଚ କାଟ ବନାମ ଜିଲ୍ଲା ଗସ୍ତ; ସରକାରଙ୍କ ନିର୍ଦ୍ଦେଶ, ଦ୍ଵନ୍ଦରେ ପ୍ରଶାସକ

ମେ’ ମାସଠାରୁ ଜୁଲାଇ ପର୍ଯ୍ୟନ୍ତ ସରକାରଙ୍କ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ଏବଂ ବରିଷ୍ଠ ଅଧିକାରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରିବେ । ରିପୋର୍ଟ- ଭବାନୀ ଶଙ୍କର ଦାସ

OIL CRISIS
ଖର୍ଚ୍ଚ କାଟ ବନାମ ଜିଲ୍ଲା ଗସ୍ତ; ସରକାରଙ୍କ ନିର୍ଦ୍ଦେଶ, ଦ୍ଵନ୍ଦରେ ପ୍ରଶାସକ (File pic)
author img

By ETV Bharat Odisha Team

Published : May 27, 2026 at 8:21 AM IST

2 Min Read
Choose ETV Bharat

ଭୁବନେଶ୍ୱର: ମଧ୍ୟ ପ୍ରାଚ୍ୟ ଦେଶରେ ଯୁଦ୍ଧ ଯୋଗୁଁ ଦେଶ ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରୁଛି । ପେଟ୍ରୋଲ ଓ ଡିଜେଲ ଅପଚୟ ରୋକିବା ସହ ଖର୍ଚ୍ଚ କାଟ କରିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଖର୍ଚ୍ଚ କାଟ ପରାମର୍ଶକୁ ଆଧାର କରି ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ୮ - ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି ହୋଇଛି । ଆଉ ଏହି ସମାନ ସମୟରେ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ଗସ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉନ୍ନୟନ କମିଶନର ବିଜ୍ଞପ୍ତି ଜାରି କରିଛନ୍ତି । ଯାହାକୁ ନେଇ ଅଧିକାରୀଙ୍କ ମହଲରେ ଦ୍ବନ୍ଦ୍ୱ ସୃଷ୍ଟି ହୋଇଛି । ଉଭୟ ସରକାରୀ ନିର୍ଦ୍ଦେଶରୁ କାହାକୁ ଅଧିକାରୀ ମାନେ ଗୁରୁତ୍ୱ ଦେବେ ସେନେଇ ପାୱାର କରିଡ଼ରରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ସାମ୍ପ୍ରତିକ ପରିସ୍ଥିତିରେ ପ୍ରଶାସନିକ ଅଧିକାରୀଙ୍କୁ ଖର୍ଚ୍ଚ କାଟ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଶାସନ ପାଇଁ ୮ - ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । କାର ପୁଲିଂ ସହ ଭର୍ଚୁଆଲ ମୋଡରେ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯାଇଛି । ଜୁନ ପହିଲାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ବୈଦ୍ୟୁତିକ ଯାନ ବାଧ୍ୟତାମୂଳକ ହୋଇଛି । ସେହିପରି ଦୂରସ୍ଥାନକୁ ପରିଦର୍ଶନରେ ଗଲା ବେଳେ ଅଧିକାରୀ ଓ କର୍ମଚାରୀ ବସ କିମ୍ୱା ରେଳଯାତ୍ରା କରିବେ । ସରକାରୀ ସ୍ତରର ବିଭିନ୍ନ ବୈଠକ, ସମୀକ୍ଷା, ପ୍ରଶିକ୍ଷଣ, କର୍ମଶାଳା ଅତି ଆବଶ୍ୟକ ନହେଲେ ଭିସିରେ କରାଯିବ । ତୃଣମୂଳରୁ ଆରମ୍ଭ କରି ବିଭାଗୀୟ ସଚିବଙ୍କ କ୍ଷେତ୍ରରେ ଏହା ଲାଗୁ କରାଯାଇଛି । ଏହାର ତଦାରଖ ମୁଖ୍ୟ ଶାସନ ସଚିବ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି ।



ଠିକ ସେହିପରି ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାରଙ୍କ ପକ୍ଷରୁ ସମସ୍ତ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ଗସ୍ତ ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ରାଜ୍ୟରେ ଚାଲିଥିବା ବିଭିନ୍ନ କଲ୍ୟାଣମୂଳକ ଓ ଲୋକାଭିମୁଖୀ ଯୋଜନାର ସଫଳ କାର୍ଯ୍ୟକାରିତା ଓ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା ପାଇଁ ମେ’ ମାସଠାରୁ ଜୁଲାଇ ପର୍ଯ୍ୟନ୍ତ ସରକାରଙ୍କ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରିବେ । ଅଧିକାରୀ ୨ରୁ ୩ ଦିନିଆ ଜିଲ୍ଲା ଗସ୍ତ କରିବେ । ଜନସାଧାରଣଙ୍କ ସହ ଆଲୋଚନା କରି ସରକାରୀ ଯୋଜନାର କାର୍ଯ୍ୟକାରୀତାକୁ ପରଖିବେ । ସେଥିପାଇଁ ସଚିବଙ୍କୁ ଜିଲ୍ଲା ବଣ୍ଟା ଯାଇଛି ।


ଅର୍ଥ ସଚିବ ସଂଜୀବ କୁମାର ମିଶ୍ରଙ୍କୁ କଟକ, ଯୋଗାଣ ସଞ୍ଜୟ କୁମାର ସିଂଙ୍କୁ ଖୋର୍ଦ୍ଧା, ସାଧାରଣ ପ୍ରଶାସନ ବିଭାଗର ସଚିବ ସୁରେଶ କୁମାର ବଶିଷ୍ଠଙ୍କୁ କେନ୍ଦୁଝର, ଜଳସମ୍ପଦ ସଚିବ ଶୁଭା ଶର୍ମାଙ୍କୁ ସମ୍ବଲପୁର, ଏନ.ବି.ଏସ ରାଜପୁତଙ୍କୁ ଅନୁଗୁଳ, ଭାସ୍କର ଜ୍ୟୋତି ଶର୍ମାଙ୍କୁ ଯାଜପୁର ଜିଲ୍ଲା ଦାୟିତ୍ବ ଦିଆଯାଇଛି । ସେହିପରି ତେମଜେନପଙ୍ଗ ଆଓଙ୍କୁ ନୟାଗଡ, ଆର.ଏସ. ଗୋପାଳନଙ୍କୁ କୋରାପୁଟ, ଗିରୀଶ ଏସ. ଏନ.ଙ୍କୁ ଜଗତସିଂହପୁର, ଡଃ ମୃଣାଳିନୀ ଦର୍ଶାଲଙ୍କୁ ରାୟଗଡା, ଅଶ୍ବତୀ ଏସ୍.ଙ୍କୁ ଢେଙ୍କାନାଳ, ରାଜେଶ ପ୍ରଭାକର ପାଟିଲଙ୍କୁ କେନ୍ଦ୍ରାପଡା, ଅରବିନ୍ଦ ଅଗ୍ରୱାଲଙ୍କୁ ବାଲେଶ୍ଵର, ବଲବନ୍ତ ସିଂହଙ୍କୁ ପୁରୀ, ସଚିନ ରାମଚନ୍ଦ୍ର ଜାଧବଙ୍କୁ କଳାହାଣ୍ଡି, ଭୂପେନ୍ଦ୍ର ସିଂ ପୁନିଆଙ୍କୁ ଦେବଗଡ, ଯାମିନି ଷଡଙ୍ଗୀଙ୍କୁ ଭଦ୍ରକ ।



ସେହିପରି ବି.ପରମେଶ୍ୱରନଙ୍କୁ ବୌଦ୍ଧ, ଗୁହା ପୁନମ ତାପସ କୁମାରଙ୍କୁ ସୋନପୁର, ଡ. ବିଜୟ କେତନ ଉପାଧ୍ୟାୟଙ୍କୁ ବରଗଡ, ଡି. ପ୍ରଶାନ୍ତ କୁମାର ରେଡୀଙ୍କୁ ଗଜପତି, ଡା. ଏନ୍. ତିରୁମାଲା ନାଏକ ଙ୍କୁ ମାଲକାନଗିରି, ରଶ୍ମିତା ପଣ୍ଡାଙ୍କୁ କନ୍ଧମାଳ, ଡଃ ବୃନ୍ଦା ଡିଙ୍କୁ ଝାରସୁଗୁଡା, ମହମ୍ମଦ ସାଦିକ ଆଲମଙ୍କୁ ବଲାଙ୍ଗୀର, ମାନସୀ ନିୟାଲଙ୍କୁ ମୟୂରଭଞ୍ଜ, ପ୍ରେମ ଚନ୍ଦ୍ର ଚୌଧୁରୀଙ୍କୁ ନୂଆପଡା, ଅରିନ୍ଦମ ଡାକୁଆଙ୍କୁ ଗଞ୍ଜାମ, କେ.ସୁଦର୍ଶନ ଚକ୍ରବର୍ତିଙ୍କୁ ନବରଙ୍ଗପୁର, ଭିନୀଥ ଭାରଦ୍ଵାଜଙ୍କୁ ସୁନ୍ଦରଗଡ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଖର୍ଚ୍ଚ କାଟ ନିର୍ଦ୍ଦେଶ ସହ ଜିଲ୍ଲା ଗସ୍ତ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଅଧିକାରୀଙ୍କ ମହଲରେ ଚିନ୍ତା ସହ ଦ୍ବନ୍ଦ୍ୱ ବଢ଼େଇଛି ।



ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା, ଜିଲ୍ଲା ଗସ୍ତ ପାଇଁ ଇଭି ଗାଡି ବ୍ୟବହାର ସହ ଟ୍ରେନ ଓ ବସ ବ୍ୟବହାର ପାଇଁ ନିର୍ଦ୍ଦେଶ ରହିଛି । ଭୁବନେଶ୍ୱର ଆଖପାଖ ଜିଲ୍ଲା ଦାୟିତ୍ୱରେ ଥିବା ଅଧିକାରୀ ଇଭି ଗାଡିର ବ୍ୟବହାର କରିବେ । ଇଭି ଗାଡି ଥରେ ଚାର୍ଜ କଲେ ସର୍ବାଧିକ ୨୦୦ରୁ ୨୫୦ କିଲୋମିଟର ଯାଇ ଆସିପାରିବ । କିନ୍ତୁ ଭୁବନେଶ୍ୱର ଆଖପାଖ ଜିଲ୍ଲାରେ ଇଭି ଗାଡି ଚାର୍ଜ କରିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇନାହିଁ । ଚାର୍ଜର ସମସ୍ୟା ସୃଷ୍ଟି ହେବ । ସେହିପରି ଅଧିକ ଉତ୍ତାପ ଯୋଗୁଁ ବିଭିନ୍ନ ସମୟରେ ଇଭି ଗାଡି ଜଳିଯିବାର ସମସ୍ୟା ରହିଛି । ସେହିପରି ଦୂରିଆ ଜିଲ୍ଲା ଦାୟିତ୍ୱରେ ଥିବା ଅଧିକାରୀ ଟ୍ରେନ କିମ୍ବା ବସର ବ୍ୟବହାର କରିବାକୁ ନିର୍ଦ୍ଦେଶ ରହିଛି । ଟ୍ରେନ ଓ ବସ ବ୍ୟବହାର ଦ୍ୱାରା ସମୟ ଅପଚୟ ହେବାର ଆଶଙ୍କା ମଧ୍ୟ ରହିଛି ।

ଏହି ବି ପଢନ୍ତୁ- ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ୮-ସୂତ୍ରୀ ନିର୍ଦ୍ଦେଶାବଳୀ, ସରକାରୀ କାର୍ଯ୍ୟାଳୟରେ ବୈଦ୍ୟୁତିକ ଯାନ ବାଧ୍ୟତାମୂଳକ

ଇଟିଭି ଭାରତ, ଭୁବନେଶ୍ୱର