'ମୁଁ ଜିତିବା ପାଇଁ କନଫିଡେଣ୍ଟ':- ଦିଲୀପ ରାୟ
ଚତୁର୍ଥ ଆସନ ପାଇଁ ଦିଲୀପ ରାୟ ଓ ଦତ୍ତେଶ୍ବର ହୋତାଙ୍କ ମଧ୍ୟରେ ମୁକାବିଲା ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି ।

Published : March 3, 2026 at 5:37 PM IST
ରିପୋର୍ଟ- ମନୋରଞ୍ଜନ ସଙ୍ଖୁଆ
ଭୁବନେଶ୍ୱର: ଓଡ଼ିଶାରେ ରାଜ୍ୟସଭା ନିର୍ବାଚନକୁ ନେଇ ରାଜନୈତିକ ରୋମାଞ୍ଚ ବଢ଼ିଛି । ଚତୁର୍ଥ ଆସନ ପାଇଁ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ବରିଷ୍ଠ ନେତା ଦିଲୀପ ରାୟଙ୍କ ନାମ ଘୋଷଣା ହୋଇଛି । ଏହା ସହିତ ବିଜେଡି ଓ କଂଗ୍ରେସ ମିଳିତ ଭାବେ ସାଧାରଣ ପ୍ରାର୍ଥୀ ଭାବେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଘୋଷଣା କରିଛନ୍ତି । ଫଳରେ ଚତୁର୍ଥ ଆସନକୁ ନେଇ ରାଜ୍ୟରେ ମୁକାବିଲା ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି ।
"ମୁଁ ଜିତିବା ପାଇଁ କନଫିଡେଣ୍ଟ" ବୋଲି କହିଛନ୍ତି ଦିଲୀପ ରାୟ । "କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛି l ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ ଆଲୋଚନା କରିଥିଲି l କଂଗ୍ରେସ ବିଜେଡି ସଦସ୍ୟଙ୍କ ସହିତ ଆଲୋଚନା କରିବି, ସମସ୍ତଙ୍କ ସହଯୋଗ ମାଗିବି," ବୋଲି କହିଛନ୍ତି ଦିଲୀପ l
ଆଉ ଆବଶ୍ୟକ 8ଟି ଭୋଟ କେମିତି ସମର୍ଥନ ଆଣିବେ ପ୍ରଶ୍ନରେ ଦିଲୀପ ରାୟଙ୍କ ପ୍ରତିକ୍ରିୟା ଥିଲା, "ପୂର୍ବରୁ 2002ରେ 30ଟି ଭୋଟ ଆବଶ୍ୟକ ପଡୁଥିଲା | ସେତେବେଳେ ଯୋଗାଡ଼ କରିଥିଲି, ଆଉ ଏବେ ଆଠଟି ଆବଶ୍ୟକ ରହିଛି l ମୋର ସମ୍ପର୍କ ସମସ୍ତଙ୍କ ସହିତ ଭଲ ଅଛି ସମସ୍ତଙ୍କୁ ଭେଟି ଭୋଟ ଭିକ୍ଷା କରିବି l"
ଯଦି ଦିଲୀପ ରାୟ ଚତୁର୍ଥ ଆସନ ପାଇଁ ନାମାଙ୍କନ ଭରନ୍ତି ତେବେ ବିଜେଡି-କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ସହିତ ତାଙ୍କର ସିଧାସଳଖ ମୁକାବିଲା ହେବ । ଦତ୍ତେଶ୍ୱର ହୋତା ଜିତିବା ସୁନିଶ୍ଚିତ । କିନ୍ତୁ ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଏବଂ ସୁଜିତ କୁମାରଙ୍କ ସପକ୍ଷରେ ଭୋଟ୍ ପଡ଼ିବା ପରେ ମଧ୍ୟ ବଳକା ରହୁଛି 22ଟି ଭୋଟ୍ । ଏହା ଉପରେ ବିଜେପିର ରଣନୈତିକ ଯୋଜନା କ'ଣ ରହିବ ତାହା ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି ।
ଦିଲୀପ ରାୟ ଚତୁର୍ଥ ଆସନ ପାଇଁ ସ୍ବାଧୀନ ଭାବେ ଲଢ଼ିବାକୁ ଘୋଷଣା କରିଛନ୍ତି । ଦଳ ମଧ୍ୟ ତାଙ୍କୁ ସମର୍ଥନ ଦେବାକୁ ଘୋଷଣା କରିସାରିଛି । ଦିଲୀପ ରାୟ ଜଣେ ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ରାଜନେତା । ତାଙ୍କର ଅଭିଜ୍ଞତା ଅନେକ । ନିଜସ୍ବ ଶକ୍ତିରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସ୍ପଷ୍ଟ ବହୁମତ ଚତୁର୍ଥ ଆସନ ପାଇଁ ନାହିଁ । ଆମ ଦଳ ସହ ମୁଁ ନିଜେ ମଧ୍ୟ ସହମତ ଅଛି । ସେ ନିଶ୍ଚୟ ବିଜୟ ଲାଭ କରିବେ ଏ ବିଶ୍ବାସ ମଧ୍ୟ ଅଛି ।
ଦିଲୀପ ରାୟ ଓଡ଼ିଶା ରାଜନୀତିରେ ଜଣେ ପ୍ରଭାବଶାଳୀ ନେତା ଭାବେ ପରିଚିତ । ଏକ ସମୟରେ ସେ ରାଜ୍ୟର ସବୁଠାରୁ ପ୍ରଭାବଶାଳୀ ନେତାମାନଙ୍କ ମଧ୍ୟରେ ଗଣନୀୟ ଥିଲେ । ରାଜନୀତିରେ ସେ ସମସ୍ତ ଦଳ ସହ ସମ୍ପର୍କ ରଖିପାରୁଥିବା ନେତା ଭାବେ ଗଣା ହୁଅନ୍ତି ।
ଦଳ ଭିତରେ ହେଉ କି ବିପକ୍ଷ ଶିବିରରେ, ପ୍ରାୟ ସମସ୍ତ ରାଜନୈତିକ ଶିବିରରେ ତାଙ୍କର ସଂପର୍କ ଓ ମିତ୍ରତା ରହିଆସିଛି । ଯାହା ପରସ୍ପର ସ୍ୱାର୍ଥ ଓ ରାଜନୈତିକ ସମୀକରଣ ଉପରେ ଆଧାରିତ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହୁଏ ।
ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରୁ ବହୁଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଦିଲୀପ ରାୟ, ରାଜ୍ୟରେ ଖାଦ୍ୟ ଓ ନାଗରିକ ଯୋଗାଣ ମନ୍ତ୍ରୀ ଭାବେ କାମ କରିଥିଲେ । କେନ୍ଦ୍ର ସରକାରରେ ସେ କୋଇଲା ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ (ସ୍ୱତନ୍ତ୍ର) ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ପଶ୍ଚିମ ଓଡ଼ିଶାର ଶିଳ୍ପ ଓ ଭିତ୍ତିଭୂମି ଉନ୍ନତି ପ୍ରସଙ୍ଗରେ ସେ ସକ୍ରିୟ ଭୂମିକା ନେଇଆସିଛନ୍ତି ।
ଦିଲୀପ ରାୟ
1985–1990- ବିଧାୟକ
1990–1995- ବିଧାୟକ
1996–2002- ରାଜ୍ୟସଭା ସଦସ୍ୟ
2002–2008- ଦ୍ବିତୀୟ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ
2014–2019- ବିଧାୟକ
ଏହା ମଧ୍ୟ ପଢ଼ନ୍ତୁ- ଓଡ଼ିଶା ପାଇଁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା; ମନମୋହନ ସାମଲ, ସୁଜିତ କୁମାରଙ୍କୁ ଟିକେଟ୍
ଏହା ମଧ୍ୟ ପଢ଼ନ୍ତୁ- କଂଗ୍ରେସର ସମର୍ଥନ ଲୋଡ଼ିଲେ ଦତ୍ତେଶ୍ବର; ପିସିସି ଦେଲା ଗ୍ରୀନ୍ ସିଗନାଲ, ବୈଠକକୁ ଆସିଲେନି ଦୁଇ ବିଧାୟକ
ଇଟିଭି ଭାରତ, ଭୁବନେଶ୍ବର

