ଦାମୀ ଗାଡ଼ିରେ ଧଳା ଜହର ବେପାର ! ଭୁବନେଶ୍ବରରୁ ବାପ-ପୁଅଙ୍କ ସମେତ ୪ଜଣଙ୍କୁ ବାନ୍ଧିଲା ଅବକାରୀ ଟିମ୍
ବଡ଼ଗଡ଼ ଥାନା ଅନ୍ତର୍ଗତ ମଇଁଷିଖାଲ ବସ୍ତି ଅଞ୍ଚଳରେ ଅବକାରୀ ଟିମ୍ ଚଢ଼ାଉ କରି ବ୍ରାଉନସୁଗର ଓ ଏକ ଦାମୀ (ହୋଣ୍ଡା ସିଟି) କାରକୁ ଜବତ କରିଛି । ରିପୋର୍ଟ: ସତ୍ୟଜିତ୍ ରାଉତ

Published : July 7, 2026 at 8:22 PM IST
ଭୁବନେଶ୍ୱର: ଅବକାରୀ ବିଭାଗ ହାତରେ ଲାଗିଲା ବଡ଼ ସଫଳତା । ରାଜଧାନୀରେ ଦାମୀ କାରରେ ବ୍ରାଉନସୁଗର କାରବାରର ପର୍ଦ୍ଦାଫାସ କରିଛି ଅବକାରୀ ବିଭାଗ । ବଡ଼ଗଡ଼ ଥାନା ଅନ୍ତର୍ଗତ ମଇଁଷିଖାଲ ବସ୍ତି ଅଞ୍ଚଳରେ ଆଜି (ମଙ୍ଗଳବାର) ଭୁବନେଶ୍ୱର ଅବକାରୀ ଜିଲ୍ଲା ଟିମ୍ ରେଡ୍ କରି ଏକ ଦାମୀ (ହୋଣ୍ଡା ସିଟି) କାରକୁ ଜବତ କରିଛି । ଏହି କାର ଭିତରୁ ୨୬୨ ଗ୍ରାମ ଓଜନର ବ୍ରାଉନସୁଗର ଜବତ କରାଯାଇଛି । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ ବୋଲି ଭୁବନେଶ୍ୱର ଅବକାରୀ ଜିଲ୍ଲା ଅଧୀକ୍ଷକ ସୂଚନା ଦେଇଛନ୍ତି । ଏହି ଘଟଣାରେ ବାପ-ପୁଅଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ଜେଲ ଗଲେ ସମସ୍ତ ଅଭିଯୁକ୍ତ:
ଗିରଫ ଅଭିଯୁକ୍ତମାନେ ହେଲେ ବାପା ବିଜୟ ମହାନ୍ତି, ପୁଅ ଓମ୍ ପ୍ରକାଶ ମହାନ୍ତି (୨୨) । ଅନ୍ୟ ଅଭିଯୁକ୍ତଦ୍ୱୟ ହେଲେ ସେହି ବସ୍ତିର ସୁଧୀର ନାୟକ ଓରଫ ଛବିନା ଓ କିଶୋର ଲେଙ୍କା । ଏନେଇ ଭୁବନେଶ୍ୱର ଅବକାରୀ ରେଞ୍ଜ-୧ ପକ୍ଷରୁ ମାମଲା ପଞ୍ଜୀକୃତ କରାଯାଇଛି । ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ପରେ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି ।

କବାଟ ଭାଙ୍ଗି ବାପ-ପୁଅଙ୍କୁ କାବୁ କଲା ଅବକାରୀ ଟିମ୍:
ଆଜି ବସ୍ତି ଅଞ୍ଚଳରେ ଅବକାରୀ ଟିମ୍ ହଠାତ୍ ଚଢ଼ାଉ ଆରମ୍ଭ କରିଥିଲା । ବିଜୟ ଅବକାରୀ ଟିମକୁ ଦେଖି ଘରେ ପଶିଯାଇଥିଲେ । ଦୀର୍ଘ ସମୟ ଧରି ସେ ଘର କବାଟ ଖୋଲୁ ନଥିବାରୁ ଅବକାରୀ ଟିମ୍ ସନ୍ଦେହ କରିଥିଲା । ପରେ କବାଟ ଭାଙ୍ଗି ଘରେ ପ୍ରବେଶ କରିଥିଲା ଅବକାରୀ ବିଭାଗ । ଧଳା ଜହରରେ ଜଡିତ ଏହି ବାପ ଓ ପୁଅଙ୍କୁ କାବୁ କରିଥିଲା ଅବକାରୀ ଟିମ୍ । ବିଜୟଙ୍କ ଘର ଆଗରେ ଥିବା କାରକୁ ମଧ୍ୟ ଜବତ କରାଯାଇଥିଲା ।
ଖସିଯାଇଥିବା ଅଭିଯୁକ୍ତ ନିଶା କାରବାରରେ ଥିଲେ ସାମିଲ:
ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଅବକାରୀ ଜିଲ୍ଲା ଅଧୀକ୍ଷକ ଦେବାଶିଷ ପଟେଲ କହିଛନ୍ତି, "ଆଜି ଅବକାରୀ DSP ରାଜକିଶୋର ସ୍ୱାଇଁଙ୍କ ନେତୃତ୍ୱରେ ମଇଁଷିଖାଲ ବସ୍ତି ଅଞ୍ଚଳରେ ଚଢ଼ାଉ କରାଯାଇଥିଲା । ଏକ କଳା ହୋଣ୍ଡା ସିଟି କାରକୁ ଜବତ କରାଯାଇଥିଲା । ବିଜୟ ଓ ଛବିନାଙ୍କ ନାମରେ ପୂର୍ବରୁ ବ୍ରାଉନସୁଗର ମାମଲା ରହିଛି । ଅଭିଯୁକ୍ତମାନେ ଅଭ୍ୟାସଗତ ଭାବେ ବ୍ରାଉନସୁଗର କାରବାର କରନ୍ତି । କିଛିଦିନ ହେବ ଅବକାରୀ ଟିମ୍ ମଇଁଷିଖାଲ ବସ୍ତି ଅଞ୍ଚଳରେ ଚଢ଼ାଉ କରି ବ୍ରାଉନସୁଗର କାରବାର ଅଭିଯୋଗରେ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେମାନେ ଏବେ ମଧ୍ୟ ଜେଲରେ ଅଛନ୍ତି । ତେବେ ସେହି ଚଢ଼ାଉ ବେଳେ ଖସିଯାଇଥିବା କିଛି ଲୋକ ପୁଣି ବ୍ରାଉନସୁଗର କାରବାର ଆରମ୍ଭ କରିଥିଲେ । ଏନେଇ ଆମ ପାଖକୁ ଖବର ଆସିଥିଲା । ଏହାପରେ ବସ୍ତିରେ ଆମେ ରେଡ୍ କରି ସଫଳ ହୋଇଛୁ ।"
ଇଟିଭି ଭାରତ, ଭୁବନେଶ୍ୱର

