ETV Bharat / state

ଘାରୁଛି କି ଚିନ୍ତା ? ଟେଲିମାନସକୁ ଆସିଛି 135 କଲ୍‌, ଚାପମୁକ୍ତ ପରୀକ୍ଷା ପାଇଁ ମାନନ୍ତୁ ଏହି ଟିପ୍ସ

ପରୀକ୍ଷାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ । ଚାପ ମୁକ୍ତ ହୋଇ ପରୀକ୍ଷା ଦେବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ । ଟେଲି-ମାନସକୁ ଆସୁଛି କଲ୍‌ । କାଉନସେଲିଂ କରୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

Exam Tips For Student
ଟେଲି-ମାନସ ପରାମର୍ଶ କେନ୍ଦ୍ର (ETV Bharat Odisha)
author img

By ETV Bharat Odisha Team

Published : February 24, 2026 at 6:21 PM IST

4 Min Read
Choose ETV Bharat

ରିପୋର୍ଟ: ବିକାଶ କୁମାର ଦାସ

Exam Tips For Student ଭୁବନେଶ୍ବର: ଚାଲିଛି ପରୀକ୍ଷା ଋତୁ । ପରୀକ୍ଷା ଆସିଲେ ସାଧାରଣତଃ ଛାତ୍ରଛାତ୍ରୀ ଚିନ୍ତିତ ହୋଇପଡନ୍ତି । କିପରି ପ୍ରଶ୍ନ ଆସିବ ? ଭଲ ମାର୍କ ଆସିବା ନା ନାହିଁ । ଏପରି ଅନେକ ପ୍ରଶ୍ନ ସେମାନଙ୍କ ମନକୁ ଆନ୍ଦୋଳିତ କରୁଥାଏ । ଏପରିକି କିଛି ଛାତ୍ରଛାତ୍ରୀ ପରୀକ୍ଷାକୁ ଏକ ଚାପ ବୋଲି ମାନିନିଅନ୍ତି । ପରୀକ୍ଷା ଭଲ ନହେଲେ ଚରମ ନିଷ୍ପତ୍ତି ନେବାକୁ ମଧ୍ୟ ପଛାନ୍ତି ନାହିଁ । ଗତ ଶନିବାର ବୋର୍ଡ ପରୀକ୍ଷାରେ ଖରାପ ପ୍ରଦର୍ଶନ ପରେ ଜୀବନ ହାରିଛନ୍ତି ଜଣେ ଛାତ୍ରୀ । ଏହି ଘଟଣା ତାର ଜ୍ବଳନ୍ତ ଉଦାହରଣ । ପିଲା କିପରି ଚାପମୁକ୍ତ ରହିବେ । ଏଥିପାଇଁ ରାଜ୍ୟ ସରକାର ସଚେତନତା କରୁଥିବା ବେଳେ ରହିଛି ଟେଲି-ମାନସ ପରାମର୍ଶ କେନ୍ଦ୍ର । ଆସନ୍ତୁ ଜାଣିବା ପିଲାଙ୍କ ଚିନ୍ତା କମ କରିବା ପାଇଁ କଣ କଣ ପଦକ୍ଷେପ ନେବା ଆବଶ୍ୟକ ।

ଟେଲିମାନସକୁ ଆସିଛି 135 କଲ୍‌, ଚାପମୁକ୍ତ ପରୀକ୍ଷା ପାଇଁ ମାନନ୍ତୁ ଏହି ଟିପ୍ସ (ETV Bharat Odisha)

ଆରମ୍ଭ ହୋଇଛି ପରୀକ୍ଷା ଋତୁ:

ରାଜ୍ୟରେ ଆରମ୍ଭ ହୋଇଛି ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା । ପରୀକ୍ଷା ପୂର୍ବରୁ ପିଲାଙ୍କ ମଧ୍ୟରେ ଚାପମୁକ୍ତ ପାଇଁ ସ୍କୁଲ ଓ କଲେଜରେ ରାଜ୍ୟ ସରକାରଙ୍କ ସ୍ତରରେ ମଧ୍ୟ ସଚେତନତା କରାଯାଇଛି । ପରୀକ୍ଷା ସମୟରେ ଚାପ ମୁକ୍ତ ରହିବ ପାଇଁ ଶ୍ରେଣୀଗୃହରେ ଶିକ୍ଷକମାନେ ବାରମ୍ବାର ସଚେତନତା କରୁଛନ୍ତି । ତଥାପି ଚାପମୁକ୍ତ ହୋଇପାରୁ ନାହାନ୍ତି ଛାତ୍ରଛାତ୍ରୀ । ମାନସିକ ସ୍ବାସ୍ଥ୍ୟ ବିଭାଗର ତଥ୍ୟ କହୁଛି ଗତ 5 ଦିନ ମଧ୍ୟରେ 135 ଜଣ ପିଲା ପରୀକ୍ଷା ଚାପକୁ ନେଇ ଟେଲିମାନସକୁ କଲ କରିଛନ୍ତି ।


ଟେଲି-ମାନସକୁ ଆସିଲାଣି 135 କଲ୍‌:

ଏନେଇ ସ୍ୱାସ୍ଥ୍ୟ ବିଭାଗର ମାନସିକ ସ୍ବାସ୍ଥ୍ୟର ଅତିରିକ୍ତ ନିର୍ଦ୍ଦେଶକ ରେଖା ଭଗତ କହିଛନ୍ତି, ‘ଗତ 19ତାରିଖରୁ ପିଲାଙ୍କର ପରୀକ୍ଷା ଆରମ୍ଭ ହୋଇଛି ଅନେକ ପିଲାମାନେ ଚାପରେ ରହିଛନ୍ତି । ତେବେ ଏହାରି ମଧ୍ୟରେ 135 ଜଣ ଛାତ୍ରଛାତ୍ରୀ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାମାନେ ଟେଲିମାନସର ଥିବା ଟୋଲ ଫ୍ରି 14416 କଲ କରିଛନ୍ତି । ପିଲାମାନେ କଲ୍‌ କରିବା ପରେ ସେମାନଙ୍କୁ ସ୍ୱତନ୍ତ୍ର ଭାବରେ କାଉନସେଲିଂ କରାଯାଉଛି । କିଭଳି ଭାବରେ ପରୀକ୍ଷା ସମୟରେ ଚାପ ମୁକ୍ତ ରହିବେ ସେନେଇ ପିଲାମାନଙ୍କୁ ବୁଝା ଯାଉଛି ।’

ଚାପରେ ରହୁଛନ୍ତି କି ଟୋଲ ଫ୍ରି ନମ୍ବରକୁ କଲ୍‌ କରନ୍ତୁ:

ଯଦି ପରୀକ୍ଷା ସମୟରେ କୌଣସି ପିଲା କୌଣସି ପ୍ରକାରର ଚାପରେ ରହୁଛନ୍ତି ତେବେ ସେମାନେ ସିଧାସଳଖ ଭାବରେ ଟୋଲ ଫ୍ରି 14416 ମାଧ୍ୟମରେ କାଉନ୍ସେଲିଂ ନେଇପାରିବେ । ପରୀକ୍ଷା ପାଇଁ ସ୍ୱତନ୍ତ୍ର ଭାବରେ ଛାତ୍ରଛାତ୍ରୀମାନଙ୍କୁ କାଉନସେଲିଂ ଦିଆଯାଉଛି । କଟକ ଓ ବ୍ରହ୍ମପୁରରୁ ସିଧାସଳଖ କାଉନସେଲିଂ କରାଯାଉଛି । ଏହାଦ୍ବାରା ପିଲାଙ୍କ ଚାପ କମିବ ବୋଲି ରେଖା ଭଗତ କହିଛନ୍ତି ।

TELE MANAS CALL EXAM STRESS
ଟେଲି-ମାନସ ପରାମର୍ଶ କେନ୍ଦ୍ର (ETV Bharat Odisha)



ସ୍କୁଲ ସ୍ତରରେ ଆସିବ ନୂଆ ଗାଇଡ ଲାଇନ:
ଗତ ସପ୍ତାହ ତଳେ ସ୍ୱାସ୍ଥ୍ୟ, ଶିକ୍ଷା ଓ ଅନ୍ୟ ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଠାରେ କି ସ୍କୁଲରେ ପିଲାମାନେ କିଭଳି ସୁସ୍ଥ ବାତାବରଣରେ ସମୟ ବିତାଇବେ, ସ୍କୁଲ ପିଲାଙ୍କୁ ଯେଭଳି ଭାବରେ କୌଣସି ବ୍ୟବହାରରେ ଖରାପ ନକରିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯିବ ନେଇ ଆଲୋଚନା ହୋଇଥିଲା ।


ବୈଠକରେ କେଉଁ କେଉଁ ବିଷୟ ଆଲୋଚନା ?

  • ଛାତ୍ରଛାତ୍ରୀମାନେ ପରୀକ୍ଷା ସମୟରେ କିଭଳି ଭାବରେ ଭୟ ନକରିବେ
  • ବାପା ମାଆ ଯେଭଳି ଭାବରେ ଅଧିକ ଚାପ ପକାଇବେ ନାହିଁ
  • ଶ୍ରେଣୀ ଗୃହରେ ଶିକ୍ଷକମାନେ ସମସ୍ତ ବର୍ଗର ପିଲାଙ୍କୁ ସହଯୋଗ କରିବେ
  • ସ୍କୁଲରେ ପିଲାଙ୍କୁ ଭଲ ବ୍ୟବହାର କରିବେ
  • ଯାହା ଫଳରେ ପିଲାମାନେ ନିଜକୁ ହାଲୁକା ଅନୁଭବ କରିବେ
  • ପିଲାମାନେ ଅଧିକ ଚାପରେ ରହୁଥିଲେ ଜାଣିଲେ ଶିକ୍ଷକମାନେ ବୁଝାଇବା ସହିତ ପିଲାମାନଙ୍କୁ ସଚେତନତା କରାଇବେ
  • ସ୍କୁଲରେ ପିଲାଙ୍କୁ ଶିକ୍ଷକ ମାନେ ଅପମାନ କରିବେ ନାହିଁ
  • ଭଲ ବ୍ୟବହାର କରି ପାଠ ପଢ଼ାଇବେ
  • ବିଶେଷ କରି ଛାତ୍ରୀଙ୍କ ପାଇଁ ସୁବିଧା ଅସୁବିଧା ବୁଝିବା ସହ ଭଲ ବ୍ୟବହାର ପ୍ରଦର୍ଶନ କରିବେ

ମାନସିକ ସ୍ୱାସ୍ଥ୍ୟ ପାଇଁ କଣ ନିଆଯାଉଛି ନୂଆ ପଦକ୍ଷେପ:

ରାଜ୍ୟରେ କେବଳ ସ୍କୁଲ ପିଲା ନୁହନ୍ତି ଏପରିକି ଅନେକ ଲୋକ ରହିଛନ୍ତି ଯାହା ମାନସିକ ସ୍ତରରେ ଚାପଗ୍ରସ୍ତ ରହୁଛନ୍ତି । ସେମାନଙ୍କ ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଏହାକୁ ଅଧିକ ଦୃଢ଼ୀଭୂତ କରିବା ପାଇଁ ରାଜ୍ୟ ସରକାର ଆଉ ଏକ ପାଦେ ଆଗକୁ ବଢ଼ିଛନ୍ତି । ଯେପରି...

  • ଆଶାକର୍ମୀମାନେ ଘରକୁ ଘର ବୁଲି ମାନସିକ ରୋଗୀଙ୍କୁ ଚିହ୍ନଟ କରିବେ
  • ଉକ୍ତ ବ୍ୟକ୍ତିଙ୍କର କଣ ଅସୁବିଧା ରହିଛି ତାହା ମଧ୍ୟ ପଚାରି ବୁଝିବେ
  • ଆଶାକର୍ମୀଙ୍କୁ ଏକ ବୁକଲେଟ ଦିଆଯିବାର ବ୍ୟବସ୍ଥା ରହିଛି
  • ଯାହା ସି-ବ୍ୟାକ ଫର୍ମରେ ଫିଲଅପ୍‌ କରିବେ

ଗର୍ଭବତୀ ଓ ଅବିବାହିତ ଝିଅଙ୍କ ପ୍ରତି ଧ୍ୟାନ:

ଏହା ସହିତ ମଧ୍ୟ ଗର୍ଭବତୀ ମହିଳା ଓ ଅବିବାହିତ ଝିଅ ମାନେ ରହୁଥିବା ଚାପର କିଭଳି ସମସ୍ୟାର ସମାଧାନ ହୋଇପାରିବ ସେନେଇ ଆଶାକର୍ମୀ ମାନେ ଧ୍ୟାନ ଦେବେ । ତେବେ ସି-ବ୍ୟାକ ଫର୍ମ ପୂରଣ ପାଇଁ ଆଶାକର୍ମୀ ମାନଙ୍କୁ ଜଣେ ବ୍ୟକ୍ତିଙ୍କ ପିଛା ୧୦ ଟଙ୍କା ମୂଲ୍ୟ ଦିଆଯିବ ବୋଲି କହିଛନ୍ତି ମାନସିକ ସ୍ବାସ୍ଥ୍ୟର ଅତିରିକ୍ତ ନିର୍ଦ୍ଦେଶକ ରେଖା ଭଗତ ।

ସ୍ବାଭଲମ୍ବନ ପୋର୍ଟାଲ ବିଷୟରେ ଜାଣନ୍ତୁ...

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମାନସିକ ରୋଗୀଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ ମଧ୍ୟ ପାଇବେ । ପାଖାପାଖି ୪ ପ୍ରତିଶତ ଲାଭ ରହିଛି । ସ୍ୱାଭଲମ୍ବନ (୨୦୧୬) ପୋର୍ଟାଲ ରହିଛି । ଲୋକଙ୍କୁ ସଚେତନ କରାଯାଇଛି, ସେମାନେ ଏଥିରେ ଆବେଦନ କରନ୍ତୁ । ଏଥିରେ ରେଜିଷ୍ଟର କଲେ ୟୁଡ଼ିଆଡି କାର୍ଡ ମିଳିବ । ଏହା ବିଷୟରେ ଲୋକମାନେ ଅଧିକ ଜାଣିନାହାନ୍ତି ତେଣୁ ଲୋକ ସଚେତନା ଅଧିକରୁ ଅଧିକ କରାଯାଉଛି ।

ଚାପରେ ଛାତ୍ରଛାତ୍ରୀ !

ଏନେଇ ମନସ୍ତତ୍ବବିତ ଉମାପ୍ରସାଦ ବିଶ୍ୱାଳ କହିଛନ୍ତି, ‘ପୂର୍ବ ଭଳି ବର୍ତ୍ତମାନ ସମୟରେ ଅଧିକ ପିଲାଙ୍କର ପରୀକ୍ଷା ଚାପ ରହୁଥିବାର ଦେଖାଯାଉଛି । ବିଶେଷକରି ପରିବାରର ସଦସ୍ୟମାନେ ଅଧିକ ଚାପ ଦେବା ସହିତ ବର୍ତ୍ତମାନ ପିଲାଙ୍କ ପାଖରେ ଖାଲି ସମୟ ନାହିଁ । ସ୍କୁଲରେ ପାଠ ପଢ଼ା, ଘରେ ପାଠ ପଢ଼ା ଓ ଅଧିକ ଭଲ ପାଠ ପଢିବା ଉଦ୍ଦେଶ୍ୟରେ ଘରୋଇ କୋଚିଂ ସେଣ୍ଟରକୁ ପିଲାଙ୍କୁ ଛାଡ଼ୁଛନ୍ତି ପରିବାର । ଏହା ଏକ ଶୁଭ ଖବର ସମସ୍ତ ପିଲାଙ୍କ ବିଶ୍ୱାସ ଆସିଲା ଯେ ଟେଲିମାନସକୁ କଲ କରିଲେ କିଛି ସମାଧାନ ହୋଇପାରିବ । ତେବେ ଯେଉଁ ଉଦ୍ଦେଶ୍ୟରେ କରାଯାଇଥିଲା ତାହା ସଫଳ ହେବାକୁ ଯାଉଛି ।’


ପିଲାଙ୍କ ସମସ୍ୟା ନେଇ କାଉନସେଲିଂ ହେଉଛି:

ଏପଟେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଶିକ୍ଷକ ନିରଞ୍ଜନ ତରସ କହିଛନ୍ତି, ‘କୌଣସି ପ୍ରକାରର ଚାପ ମୁକ୍ତ ହୋଇ ସମ୍ପୂର୍ଣ୍ଣ ପାଠ ପଢିବା ପାଇଁ କୁହାଯାଇଛି । ପିଲାଙ୍କ ପାଠ ପଢ଼ା କିଭଳି କରୁଛନ୍ତି ତାହାକୁ ମନିଟରିଂ କରାଯାଉଛି । ଯଦି କୌଣସି ପିଲା କୌଣସି ସମସ୍ୟାରେ ପଡେ ତାହାକୁ କାଉନସେଲିଂ କରାଯାଉଛି ।’

ଶିକ୍ଷକ-ଅଭିଭାବକ ଧ୍ୟାନ ଦେବା ଆବଶ୍ୟକ:

ଅଭିଭାବକ ବାସୁଦେବ ଭଟ୍ଟ କହିଛନ୍ତି, ‘ପରୀକ୍ଷା ଚାପ ଅଧିକ ନେବା ଆବଶ୍ୟକ ନାହିଁ । କେବଳ କିଛି ଘରୋଇ କୋଚିଂ ସେଣ୍ଟର ଆଦି ଭଲ ମାର୍କ ଆସିବା ନେଇ ଅନେକ ପାଠ୍ୟକ୍ରମ ପିଲାଙ୍କୁ ପଢ଼ାଇଥାନ୍ତି । ଯାହା ପିଲାଟି ଆରମ୍ଭରୁ ଚାପରେ ରହିଥାଏ । ପରୀକ୍ଷା ସମୟରେ ଭଲ ପ୍ରଦର୍ଶନ କରିଥାଏ ନଚେତ ଖରାପ ପ୍ରଦର୍ଶନ କରିଥାଏ । ଯାହା ପାଇଁ ଉଭୟ ଶିକ୍ଷକ ଓ ପରିବାର ସଦସ୍ୟ ପିଲାଙ୍କ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।’

କେଉଁ ଜିଲ୍ଲାରୁ ଅଧିକ କଲ୍‌ ଆସୁଛି ?

ସାଧାରଣ ଭାବରେ ଗଞ୍ଜାମ, ପୁରୀ ଓ ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ କଲ୍ ଆସୁଛି । ବିଶେଷକରି ପୁରୁଷ କଲର ୬୮.୮୮% ହୋଇଥିବା ବେଳେ ମହିଳାଙ୍କ ୩୯.୦୪ ପ୍ରତିଶତ ରହିଛନ୍ତି । ମାନସିକ ସ୍ବାସ୍ଥ୍ୟ ବିଭାଗ 2025ର ତଥ୍ୟ ଅନୁସାରେ,

କେଉଁ ଜିଲ୍ଲା କେତେ କଲ୍‌
ଗଞ୍ଜାମ୧୧୦୦୦
ବାଲେଶ୍ୱର୮୦୦୦
ପୁରୀ୮୫୦୦
ଖୋର୍ଦ୍ଧା, କଟକ, ବଲାଙ୍ଗୀର୬୦୦୦
ଯାଜପୁର୫୦୦୦
ସୁନ୍ଦରଗଡ, ଅନୁଗୋଳ,ଭଦ୍ରକ୪୦୦୦
କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝର୨୦୦୦ ରୁ ୨୫୦୦


କେଉଁ କେଉଁ ବୟସ ବର୍ଗରେ ଅଧିକ ଦେଖାଯାଉଛି:

ଓଡି଼ଶାରେ ବିଶେଷ କରି ଦୁଇଟି ସ୍ଥାନରେ ଟେଲିମାନସ ସେବା ଉପଲବ୍ଧ । ଗୋଟିଏ କଟକର ଏସିବି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଦ୍ୱିତୀୟଟି ହେଉଛି ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ । ଯଦି ଆମେ ବୟସ ଅନୁସାରେ ଦେଖିବା ତେବେ ୧୮-୪୫ ବର୍ଷ ମଧ୍ୟରେ ୬୦ ପ୍ରତିଶତ କଲ କରୁଥିବା ବେଳେ ୪୬ -୬୪ ବର୍ଷ ବୟସର ୨୦ ପ୍ରତିଶତଓ ୧୩ -୧୭ ବର୍ଷ ବୟସର ୧୦ ପ୍ରତିଶତ କଲ କରୁଛନ୍ତି।

ଆତ୍ମହତ୍ୟା ସମାଧାନ ନୁହେଁ:

ଆପଣ ଯଦି ଚାପରେ ରହୁଛନ୍ତି ମନେ ରଖନ୍ତୁ ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ । ନିଜ ଭାବନା କାହାକୁ ବାଣ୍ଟିବାକୁ ଚାହୁଁଥିଲେ ସ୍ନେହା ଫାଉଣ୍ଡେସନ 04424640050 ଏହି ନମ୍ବରରେ ଯୋଗାଯୋଗ କରିପାରିବେ । ଯାହାକି 24 ଘଣ୍ଟା, ସାତ ଦିନ ଖୋଲାରୁହେ । ନହେଲେ ଟାଟା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସର ହେଲ୍ପଲାଇନ ନମ୍ବର 9152987821ରେ ମଧ୍ୟ ଯୋଗାଯୋଗ କରିପାରିବେ । ଯାହାକି ସୋମବାରରୁ ଶନିବାର ସକାଳ 8ଟାରୁ ରାତି 10ଟା ପର୍ଯ୍ୟନ୍ତ ଖୋଲା ରୁହେ ।

ଇଟିଭି ଭାରତ, ଭୁବନେଶ୍ବର