ଏଣିକି ସରକାରୀ କାମରେ ଗଡିବ EV; ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି
ବିଭିନ୍ନ ବିଭାଗରେ ଏବେ ସରକାର ପ୍ରାୟ ସାଢେ ତିନି ହଜାର ଡିଜେଲ ଏବଂ ପେଟ୍ରୋଲ ଗାଡି ଭଡାରେ ବ୍ୟବହାର କରୁଛନ୍ତି । ରିପୋର୍ଟ- ସଞ୍ଜୀବ ରାୟ


Published : May 28, 2026 at 10:06 AM IST
ଭୁବନେଶ୍ୱର: ପଞ୍ଚାୟତରୁ ବ୍ଲକ ଏବଂ ତହସିଲରୁ ଜିଲ୍ଲା, ସବୁ ସ୍ତରରେ ସରକାରୀ କ୍ଷେତ୍ରରେ ଆଗାମୀ ଦିନରେ ବ୍ୟବହାର ହେବ ଇଭି (ଇଲେକ୍ଟ୍ରିକ୍ ଯାନ) । କୌଣସି ନୂଆ ଡିଜେଲ, ପେଟ୍ରୋଲ ଭଡା ଗାଡି ଆଉ ସରକାରୀ ସ୍ତରରେ ବ୍ୟବହାର ହେବନାହିଁ । ପେଟ୍ରୋଲ ଗାଡି ବ୍ୟହହାର ନେଇ ଯଦି ନିହାତି ଆବଶ୍ୟକ ପଡେ ତାହେଲେ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ନିଷ୍ପତ୍ତି ନେବେ । ରାଜ୍ୟ ବାଣିଜ୍ୟ ପରିବହନ ବିଭାଗ ପକ୍ଷରୁ ପରିବହନ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଏକ ବୈଷୟିକ କମିଟି ଗଠନ କରାଯାଇଛି । ଏହି କମିଟି ୨୪ ପ୍ରକାର ଗାଡି ନିମନ୍ତେ ମାସିକ ଭଡା ଅନୁମୋଦନ କରିଛନ୍ତି ।
ଏଣିକି ସରକାର ଇଭି ବ୍ୟବହାର କରିବେ । ସରକାରୀ କାର୍ଯ୍ୟରେ ଭଡ଼ାରେ କୌଣସି ଡିଜେଲ, ପେଟ୍ରୋଲ ଚାଳିତ ଗାଡି ବ୍ୟବହାର ହେବନାହିଁ । ଆବଶ୍ୟକ ସ୍ଥଳେ ସରକାର ନିଷ୍ପତ୍ତିକୁ କୋହଳ କରିପାରିବେ । ସବୁ ସ୍ଥାନରେ ଇଭି ବ୍ୟବହାରକୁ ବାଧ୍ୟତାମୂଳକ କରାଯାଉଛି । ଯେଉଁ ସ୍ଥାନରେ ଇଭିର ଭିତ୍ତିଭୂମି ନାହିଁ କିମ୍ବା ପେଟ୍ରୋଲ ଡିଜେଲ ବ୍ୟବହାର ବାଧ୍ୟ, ସେ କ୍ଷେତ୍ରରେ ସରକାର ଉଚ୍ଚସ୍ତରୀୟ କମିଟି ଦ୍ୱାରା ଅନୁମତି ପ୍ରଦାନ କରିବେ । ସରକାର ଇଭି ଗାଡି ଉପରେ ଗୁରୁତ୍ୱ ଦେଲେ, ଘରୋଇ କ୍ଷେତ୍ରରେ ବିଶେଷକରି ଟ୍ରାଭେଲସ, ଟୁର ଅପରେଟରମାନେ ମଧ୍ୟ ଇଭି ଗାଡି ବ୍ୟବହାର କରିବାକୁ ଉତ୍ସାହିତ ହେବେ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।
ପୂର୍ବରୁ ମୁଖ୍ୟମନ୍ତ୍ରୀ 8ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି । ତନ୍ମଧ୍ୟରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଭଡ଼ାରେ ବ୍ୟବହାର ହେଉଥିବା ଡିଜେଲ ଏବଂ ପେଟ୍ରୋଲ ଗାଡି ଆଉ ଚାଲିବ ନାହିଁ । ଏହି ସ୍ଥାନରେ ଇଭି ଗାଡି ଚାଲିବ । ପାରିବହନ ବିଭାଗ ପକ୍ଷରୁ ଏନେଇ ବୈଷୟିକ କମିଟି ୨୪ଟି ମଡେଲ ପାଇଁ ଏକ ମାସିକିଆ ଭଡା ଧାର୍ଯ୍ୟ କରିଛନ୍ତି । ଯାହା ବିଭାଗୀୟ ଅନୁମୋଦନ ଲାଭ କରିଛି ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଥାଉ କି ବିଭିନ୍ନ ବିଭାଗରେ ଏବେ ସରକାର ପ୍ରାୟ ସାଢ଼େ ତିନି ହଜାର ଡିଜେଲ ପେଟ୍ରୋଲ ଗାଡି ଭଡ଼ାରେ ବ୍ୟବହାର କରୁଛନ୍ତି । ସେହି ଗାଡିର ପଞ୍ଜିକରଣ ଅବଧି ଶେଷ ହେବା ପରେ ସେହି ସ୍ଥାନରେ ଇଭି ଗାଡି ବ୍ୟବହାର ହେବ । ଫଳରେ ସରକାର ଡିଜେଲ ପେଟ୍ରୋଲ ବାବଦରେ କରୁଥିବା ଖର୍ଚ୍ଚ ହ୍ରାସ ପାଇବ । ପରିବେଶ ପ୍ରଦ୍ୟୁଷଣ ଉପରେ କମ ପ୍ରଭାବ ପଡିବ ।
ଇଟିଭି ଭାରତ, ଭୁବନେଶ୍ୱର

