ETV Bharat / state

ଓୟୋ ହୋଟେଲରେ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ମୃତ ଯୁବକ ହେଲେ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳର ବୁବୁନା ପ୍ରଧାନ (୨୮) । ପ୍ରେମ ଜନିତ କାରଣରୁ ହତ୍ୟା ହୋଇଥିବା ଅଭିଯୋଗ ଆଣିଲେ ପରିବାର ସଦସ୍ୟ ।

ଓୟୋ ହୋଟେଲରେ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
ଓୟୋ ହୋଟେଲରେ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ (ETV BHARAT ODISHA)
author img

By ETV Bharat Odisha Team

Published : February 20, 2026 at 6:31 PM IST

2 Min Read
Choose ETV Bharat

ଭୁବନେଶ୍ୱର: ଏୟାରପୋର୍ଟ ଥାନା ଅନ୍ତର୍ଗତ ପୋଖରୀପୁଟ ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲରେ ଜଣେ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳର ବୁବୁନା ପ୍ରଧାନ (୨୮)। କ୍ୟାପିଟାଲ ହସ୍ପିଟାଲରେ ଆଜି (ଶୁକ୍ରବାର) ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୬/୨୦୨୬) ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷରେ ପରିବାର ଲୋକ ବୁବୁନାଙ୍କ ପ୍ରେମିକାଙ୍କ ଉପରେ ସନ୍ଦେହ ପ୍ରକଟ କରିଛନ୍ତି । ପ୍ରେମିକା ଓ ତାଙ୍କ ସହଯୋଗୀମାନେ ବୁବୁନାଙ୍କୁ ମଦ ପିଆଇ ହତ୍ୟା କରିଥିବା ବାପା ମାଟିଆ ପ୍ରଧାନ ଗଣମାଧ୍ୟମ ଜରିଆରେ ଅଭିଯୋଗ ଆଣିଛନ୍ତି । ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ହୋଟେଲ ରେଜିଷ୍ଟର ଆଦି ଯାଞ୍ଚ କରି ଅଧିକ ତଦନ୍ତ ଚଳାଇଛି ।

ଓୟୋ ହୋଟେଲରେ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ (ETV BHARAT ODISHA)


"ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିବ ମୃତ୍ୟୁର କାରଣ"
ଏନେଇ ଏୟାରପୋର୍ଟ ଥାନାଧିକାରୀ ରବୀନ୍ଦ୍ରନାଥ ମେହେର କହିଛନ୍ତି,"ବୁବୁନାଙ୍କ ପରିବାର ସହ ପ୍ରେମିକା ପ୍ରାୟ ୪ ବର୍ଷ ଧରି ଯୋଗାଯୋଗରେ ଥିଲେ । ପ୍ରେମିକା ଓ ପରିବାର ଲୋକମାନେ ବୁବୁନାଙ୍କ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ନେବା ପରେ ଆମେ ଖବର ପାଇଥିଲୁ । ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ," ବୋଲି ସେ କହିଛନ୍ତି ।

ଓୟୋ ହୋଟେଲରେ ଜଣେ ଇଞ୍ଜିନିୟର ବୁବୁନା ପ୍ରଧାନଙ୍କ ସନ୍ଦେହଜନକ ମୃତ୍ୟୁ
ଓୟୋ ହୋଟେଲରେ ଜଣେ ଇଞ୍ଜିନିୟର ବୁବୁନା ପ୍ରଧାନଙ୍କ ସନ୍ଦେହଜନକ ମୃତ୍ୟୁ (ETV BHARAT ODISHA)

ଚାକିରି ସନ୍ଧାନରେ ୨ ମାସ ତଳେ ବେଙ୍ଗାଲୁରୁ ଯାଇଥିଲେ ବୁବୁନା
ବୁବୁନାଙ୍କ ପରିବାର ଲୋକ ପୁରୁଣା ଭୁବନେଶ୍ୱରରେ ଦୀର୍ଘ ବର୍ଷ ହେବ ରହୁଛନ୍ତି । ବୁବୁନାଙ୍କ ଜଣେ ସାନ ଭାଇ ଅଛନ୍ତି । ବାପା ମାଟିଆ, ରଙ୍ଗ କାମ କରି ପରିବାର ଚଳାଉଛନ୍ତି । ବୁବୁନା ଭୁବନେଶ୍ୱରର ଏକ ଘରୋଇ କଲେଜରେ ୬ ବର୍ଷ ତଳେ ମେକାନିକାଲ ଇଞ୍ଜିନିୟରିଂରେ ବିଟେକ୍ ଶେଷ କରିଥିଲେ । ଏହାପରେ ସେ ସଫ୍ଟୱେୟାର କୋର୍ସ କରି ଚାକିରି କରୁଥିଲେ । ମଝିରେ ଚାକିରି ଛାଡି ଏମବିଏ କରିବେ ବୋଲି ମଧ୍ୟ ଚିନ୍ତା କରୁଥିଲେ । ତେବେ ୨ ମାସ ହେଲା ବେଙ୍ଗାଲୁରୁ ଯାଇଥିଲେ । ଜାନୁଆରୀ ତୃତୀୟ ସପ୍ତାହରେ ସମ୍ପର୍କୀୟ ଭାଇଙ୍କ ବାହାଘର ପାଇଁ ଓଡ଼ିଶା ଆସି ପୁଣି ବେଙ୍ଗାଲୁରୁ ଯାଇଥିଲେ ।

ମୃତ ଯୁବକ ହେଲେ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳର ବୁବୁନା ପ୍ରଧାନ (୨୮)।
ମୃତ ଯୁବକ ହେଲେ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳର ବୁବୁନା ପ୍ରଧାନ (୨୮)। (ETV BHARAT ODISHA)


ପରିବାରକୁ ନ ଜଣାଇ ବେଙ୍ଗାଲୁରୁରୁ ଆସିଥିଲେ
ବୁବୁନା ବେଙ୍ଗାଲୁରୁରୁ ଭୁବନେଶ୍ୱର ଆସିଥିବା ପରିବାର ଲୋକଙ୍କୁ ଜଣାଇ ନଥିଲେ । ସେ ଓ ତାଙ୍କ ପ୍ରେମିକା ଗତକାଲି (ଗୁରୁବାର) ପୋଖରୀପୁଟର ଡିଏଭି ପବ୍ଲିକ ସ୍କୁଲ ନିକଟରେ ଓୟୋ ହୋଟେଲରେ ରୁମ୍ ନେଇ ରହିଥିଲେ । ତେବେ ରାତି ପ୍ରାୟ ୩ଟା ବେଳେ ପ୍ରେମିକା ପରିବାର ଲୋକଙ୍କୁ କଲ୍ କରିଥିଲେ । ବୁବୁନା କପଡ଼ା ଲଗାଇ ଫ୍ୟାନରେ ଆତ୍ମହତ୍ୟା କରିଥିବା ଜଣାଇଥିଲେ । ଏପରିକି ବୁବୁନାଙ୍କୁ ସେ ବେଡ୍ କୁ ନେଇ ଆସିଥିଲେ ।

କ୍ୟାପିଟାଲ ହସ୍ପିଟାଲ ପରିସରରେ ମା' ଲଳିତା ଓ ସମ୍ପର୍କୀୟମାନେ
କ୍ୟାପିଟାଲ ହସ୍ପିଟାଲ ପରିସରରେ ମା' ଲଳିତା ଓ ସମ୍ପର୍କୀୟମାନେ (ETV BHARAT ODISHA)

ପ୍ରେମିକାଙ୍କୁ ଦୋଷ ଦେଲେ ମା'
ବୁବୁନାଙ୍କ ମା' ଲଳିତା ପ୍ରଧାନ କହିଛନ୍ତି,"ମୋ ପୁଅକୁ ଛାଡି ବ୍ୟାଙ୍କରେ କାମ କରୁଥିବା ଅନ୍ୟ ଜଣଙ୍କୁ ଭଲ ପାଉଛି । ମୋ ପୁଅକୁ ରାତିରେ ଡାକି ତାକୁ ସେମାନେ ହତ୍ୟା କରିଛନ୍ତି । ବେଙ୍ଗାଲୁରୁରୁ ମୋ ପୁଅକୁ ଡକାଇ ଆଣି ମାରିଛନ୍ତି । ମୋ ପୁଅକୁ ମାରିସାରିଲାଣି, ଆଉ କଣ ମୋ ପୁଅ ଆସିବ । ମୋ ପୁଅକୁ ତା ସହ ବାହା କରିବାକୁ ମୁଁ ରାଜି ଥିଲି । ଅଲଗା ପୁଅ ପାଇଁ ସେ ମୋ ପୁଅକୁ ଛାଡ଼ିଦେଲା । ମୋ ପୁଅକୁ ମାରିକି ଆଣି ବାରଣ୍ଡାରେ ଶୁଆଇ ଦେଇଥିଲେ," ବୋଲି ବୁବୁନାଙ୍କ ମା' ଅଭିଯୋଗ ଆଣିବା ସହ ବୁବୁନାଙ୍କ ପ୍ରେମିକ ଓ ତାଙ୍କ ସହ ଥିବା ଅନ୍ୟମାନଙ୍କୁ ଗିରଫ୍ କରାଯାଉ ବୋଲି ସେ ଦାବି କରିଛନ୍ତି ।


ଏହା ମଧ୍ୟ ପଢ଼ନ୍ତୁ- କମିଶନରେଟ ପୋଲିସ କନଷ୍ଟେବଳଙ୍କ ସନ୍ଦେହଜନକ ମୃତ୍ୟୁ; ବାଥରୁମରୁ ମିଳିଲା ମୃତଦେହ

ଏହା ମଧ୍ୟ ପଢ଼ନ୍ତୁ- ପରିବା ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୋକାନ ଭିତରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ

ଇଟିଭି ଭାରତ, ଭୁବନେଶ୍ବର