ହାତୀ ବନିଗଲା ଏବେ ମଣିଷର ସାଥୀ ! ରାସ୍ତାରେ ବୁଲୁଛି ଗଜରାଜ, ଲୋକଙ୍କ ନାହିଁ ହାତୀ ପ୍ରତି ଡର
ମଣିଷର ନିକଟତର ହୋଇଯାଇଛି ହାତୀ 'ରାଜୁ' । ଦେବଗଡ଼ ଜଙ୍ଗଲ ଛାଡ଼ି ଏବେ ଅନୁଗୋଳ ବନଖଣ୍ଡର ଛେଣ୍ଡିପଦା ରେଞ୍ଜରେ ବୁଲୁଛି । ରିପୋର୍ଟ- ସଂଗ୍ରାମ ରଞ୍ଜନ ନାଥ


Published : July 1, 2026 at 10:57 PM IST
ଅନୁଗୋଳ: ମଣିଷର କଥା ମାନୁଛି ଜଙ୍ଗଲି ଦନ୍ତା ହାତୀ । ଏବେ 'ରାଜୁ' ନାଁରେ ପରିଚିତ ଜଙ୍ଗଲି ହାତୀ । ଦେବଗଡ଼ ଜଙ୍ଗଲ ଛାଡ଼ି ଅନୁଗୋଳ ବନ ଖଣ୍ଡରେ ପ୍ରବେଶ କରିଛି । ବେଶ୍ କିଛି ଦିନ ହେବ 'ରାଜୁ' ହାତୀର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁ ଥିବା ବେଳେ ଏହି ଜଙ୍ଗଲି ହାତୀ ଯେ ଏବେ ମଣିଷର ନିକଟତର ହୋଇଛି ତାକୁ ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ ।
ଜିଲ୍ଲାର ଛେଣ୍ଡିପଦା ବନଞ୍ଚଳର ଗୋଲାଗଡିଆରେ 'ରାଜୁ'କୁ ଦେଖିବାକୁ ବହୁ ଭିଡ ହୋଇଥିଲା । ଯେଉଁ ଜିଲ୍ଲାରେ ହାତୀ ମଣିଷ ଲଢେଇ ସବୁଠାରୁ ଅଧିକ ଥିବା ବେଳେ ସେଠାରେ 'ରାଜୁ' ହାତୀ ହୋଇଯାଇଛି ମଣିଷର ସାଥୀ । 'ରାଜୁ'କୁ ଦେଖି ଆସୁଥିବା ଲୋକେ ସାଙ୍ଗରେ ଧାନ ଠାରୁ ଆରମ୍ଭ କରି କଦଳୀ ଓ ଅନ୍ୟାନ୍ୟ ଫଳ ଧରି ଆସୁଛନ୍ତି।
'ରାଜୁ' ସେ ସବୁକୁ ଖାଉଛି । ବନ ବିଭାଗର କର୍ମଚାରୀ ପୁରା ଘଟଣା ଉପରେ ନଜର ରଖିଛନ୍ତି । ସବୁ ଠାରୁ ବଡ କଥା ହେଉଛି ଏକ ଜଙ୍ଗଲି ହାତୀ ଯେ କି ମଣିଷ ଦେଖିଲେ ଆକ୍ରମଣ କରିବା କଥା ସେ ଏବେ ବନିଯାଇଛି ମନୀଷର ସାଥୀ ।
ଯେଉଁ ରାସ୍ତାରେ ହାତୀ ବୁଲୁଛି ସେଇ ରାସ୍ତାରେ ଲୋକେ ମଧ୍ୟ ନିଜ ଯାନବାହନ ଧରି ଅନାୟସରେ ଯିବା ଆସିବା କରୁଛନ୍ତି । ଘଟଣା ନେଇ ଆମେ ଅନୁଗୋଳ DFO ନୀତିଶ କୁମାରଙ୍କ ସହ ଯୋଗା ଯୋଗ କରିଥିଲୁ । ତାଙ୍କ କହିବା କଥା, "କିଛି ମାସ ତଳେ ଏହି ହାତୀ ଦେହରେ ଗୁଳି ବାଜିଥିଲା । ଚିକିତ୍ସା କରାଯାଇ ସଫଳତାର ସହ ତାର ଗୁଳି ବାହାର କରାଯାଇଥିଲା । ସେ ଏବେ ସୁସ୍ଥ ହୋଇ ବୁଲୁଛି । ତାକୁ ଚିକିତ୍ସା କରାଯିବା ଓ ସେ ଭଲ ହେଇ ଯିବା ପରେ ବୋଧେ ତାର ମଣିଷ ପ୍ରତି ଥିବା ସାଧାରଣ ବ୍ୟବହାରରେ ପରିବର୍ତ୍ତନ ହୋଇଛି । ସବୁ ପରେ ବି ବନ ଵିଭାଗ ତା ଉପରେ ନଜର ରଖିଛି ।"
ଯେଉଁଠି ସବୁବେଳେ ଏକୁଟିଆ ରହୁଥିବା ଦନ୍ତା ହାତୀକୁ ବିପଦ ଥାଏ ଏବେ ସେଇଠି ଦନ୍ତା 'ରାଜୁ' ବନିଯାଇଛି ମଣିଷର ସାଥୀ ।
ଇଟିଭି ଭାରତ, ଅନୁଗୋଳ

