ପରିବା ବାଡିରେ ବୃଦ୍ଧଙ୍କ ଜୀବନ ନେଲା ହାତୀ, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
ମୟୂରଭଞ୍ଜ ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ । କ୍ଷତିପୂରଣ ଦାବିରେ ପ୍ରାୟ ୪ ଘଣ୍ଟା ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ ।

Published : March 4, 2026 at 2:48 PM IST
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଅଞ୍ଚଳରେ ପୁଣି ଥରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ପରିବା ବାଡ଼ିକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ କୁଳିଅଣା ଥାନା ଦିଗରୀ ଅସ୍ତିଆ ଗ୍ରାମର ୬୦ ବର୍ଷୀୟ ବଂଶୀଧର ଗିରି । କ୍ଷତିପୂରଣ ଦାବିରେ ପ୍ରାୟ ୪ ଘଣ୍ଟା ଜାତୀୟ ରାଜପଥ ଅବରୋଧ କିଛନ୍ତି ଗ୍ରାମବାସୀ ।
ହାତୀ ଆକ୍ରମଣ:
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବଂଶୀଧର ଗିରି ଗତକାଲି (ମଙ୍ଗଳବାର) ସକାଳେ ନିଜ ବାଡ଼ିକୁ ପରିବା ତୋଳିବାକୁ ଯାଇଥିଲେ । ସେଠାରେ ଏକ ହାତୀ ପରିବା ଖାଇବା ସହ ଦଳି ଚକଟି ନଷ୍ଟ କରୁଥିଲା । ବଂଶୀଧର ହଠାତ୍ ହାତୀ ହାବୁଡରେ ପଡି ଯାଇଥିଲେ । ହାତୀଟି ବଂଶୀଧରଙ୍କୁ କଚାଡ଼ି ମାରି ଦେଇଥିଲା । ବହୁ ସମୟ ଧରି ବଂଶୀଧର ନ ଫେରିବାରୁ ତାଙ୍କ ବଡ଼ ଭାଇ ବାଡ଼ିକୁ ଯାଇ ହାତୀଟି ବଂଶୀଧରଙ୍କୁ ମାରି ମୃତଦେହ ପାଖରେ ଜଗି ରହିଥିବା ଦେଖିବାକୁ ପାଇଥିଲେ ।

ସେପଟେ ଏପରି ଅଘଟଣ ଘଟିବା ପରେ ୧୮ ନମ୍ବର ଜାତୀୟ ରାଜପଥରେ ବୃଦ୍ଧ ବଂଶୀଧରଙ୍କ ମୃତଦେହ ରଖି ନିଆଁ ଜାଳି ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ । ବନ ବିଭାଗକୁ ବାରମ୍ବାର ଗୁହାରି କଲେ ମଧ୍ୟ ହାତୀ ଘଉଡ଼ାଇବାରେ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ ।

ଗ୍ରାମବାସୀଙ୍କ ଅଭିଯୋଗ:
ସ୍ଥାନୀୟବାସୀ ସୁଦର୍ଶନ ଗିରି କହିଛନ୍ତି, "ବଂଶୀଧର ଗିରି ପରିବା ବାଡ଼ିକୁ ଯାଇଥିଲେ । ସେଠାରେ ହାତୀ ହାବୁଡରେ ପଡ଼ିଯାଇଥିଲେ । ଫଳରେ ହାତୀ ତାଙ୍କୁ ମାରିଦେଇଛି । ଏହି ଅଞ୍ଚଳରେ ପାଖାପାଖି 6 ମାସ ହେବ ହାତୀ ଅଛନ୍ତି । ବନ ବିଭାଗ ହାତୀ ଘଉଡାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ।"

ମୃତକଙ୍କ ସମ୍ପର୍କିୟ ଅଜିତ କୁମାର ଗିରି କହିଛନ୍ତି, "ଆମେ ଦାବି କରୁଛୁ ଯେ, ଆମ ଅଞ୍ଚଳରୁ ହାତୀଙ୍କୁ ଘଉଡାଯାଉ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉ ।"

କ୍ଷତିପୂରଣ ପ୍ରତିଶ୍ତୁତି:
ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । କ୍ଷତିପୂରଣ ଓ ହାତୀ ଘଉଡ଼ାଇବା ଦାବିରେ ଅଟଳ ରହିଥିଲେ ସ୍ଥାନୀୟ ଲୋକ । ପ୍ରାୟ 4 ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ ରହିବା ପରେ ବନବିଭାଗ ଅଧିକାରୀମାନେ ପହଞ୍ଚି କ୍ଷତିପୂରଣ ରାଶି ପ୍ରଦାନ କରାଯିବା ସହିତ ହାତୀକୁ ନିକଟସ୍ଥ ଜଙ୍ଗଲକୁ ଘଉଡାଇବେ ବୋଲି ପ୍ରତିଶ୍ରୁତି ଦେବାରୁ ରାସ୍ତା ଅବରୋଧ ହଟିଥିଲା ।

ବାରିପଦା ଡିଏଫଓ ଗୋବିନ୍ଦ ଚନ୍ଦ୍ର ବିଶ୍ବାଳ କହିଛନ୍ତି, "ସରକାରଙ୍କ ତରଫରୁ ଯାହା କ୍ଷତିପୂରଣ ରାଶି 10 ଲକ୍ଷ ଟଙ୍କା ଦିଆଯିବ । ସେମାନଙ୍କ ଦାବି ଅନୁସାରେ, ଗୋଟିଏ ପିଲାକୁ ସ୍କ୍ବାର୍ଡ ହିସାବରେ ଚାକିରି ଦିଆଯିବ । ହାତୀ ଘଉଡାଇବା ପାଇଁ ଆମେ ପଦକ୍ଷପ ନେବୁ ।"

ଏହା ମଧ୍ୟ ପଢ଼ନ୍ତୁ... ଗାଈ ଚରାଇବାକୁ ଯାଇଥିଲେ, କଚାଡି ମାରିଲା ଦନ୍ତା ଦୁର୍ଦ୍ଦାନ୍ତ ଦନ୍ତା 'ପଲଙ୍କ'କୁ ମିଳିଲା ନୂଆ ଠିକଣା; ଲାଗିଲା ରେଡିଓ କଲାର, ଗତିବିଧି ଉପରେ ରହିବ ନଜର |
ଇଟିଭି ଭାରତ, ମୟୂରଭଞ୍ଜ

