ETV Bharat / state

ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ବୈଠକ ପାଇଁ ପହଞ୍ଚିଲେ ବିଦେଶୀ ପ୍ରତିନିଧି

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସେମାନଙ୍କୁ ଭୁବନେଶ୍ୱର ବିମାନ ବନ୍ଦରଠାରେ ପାରମ୍ପରିକ ଢଙ୍ଗରେ ସ୍ୱାଗତ କରାଯାଇଛି। ରିପୋର୍ଟ ମିନତୀ ସିଂ

BRICS foreign minister reached bhubaneswar
ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ବୈଠକ ପାଇଁ ପହଞ୍ଚିଲେ ବିଦେଶୀ ପ୍ରତିନିଧି (ETV Bharat Odisha)
author img

By ETV Bharat Odisha Team

Published : August 6, 2026 at 7:21 AM IST

1 Min Read
Choose ETV Bharat

ଭୁବନେଶ୍ୱର: ବ୍ରିକ୍ସ-୨୦୨୬ରେ ଭାରତର ଅଧ୍ୟକ୍ଷତା ଅବସରରେ ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ମାନଙ୍କ ୧୩ତମ ବୈଠକ ଏବଂ ତୃତୀୟ ବ୍ରିକ୍ସ ବରିଷ୍ଠ ଅଧିକାରୀ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଯୋଗଦେବା ପାଇଁ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧିମାନେ ବୁଧବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସେମାନଙ୍କୁ ଭୁବନେଶ୍ୱର ବିମାନ ବନ୍ଦରଠାରେ ପାରମ୍ପରିକ ଢଙ୍ଗରେ ସ୍ୱାଗତ କରାଯାଇଛି।

BRICS foreign minister reached bhubaneswar
ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ବୈଠକ ପାଇଁ ପହଞ୍ଚିଲେ ବିଦେଶୀ ପ୍ରତିନିଧି (ETV Bharat Odisha)

ଭୁବନେଶ୍ବରରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ବୈଠକ


ଅଗଷ୍ଟ ୫ରୁ ୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଉଚ୍ଚସ୍ତରୀୟ ବୈଠକଗୁଡ଼ିକର ମୁଖ୍ୟ ଆକର୍ଷଣ ହେବ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ଶିକ୍ଷାମନ୍ତ୍ରୀମାନଙ୍କ ବୈଠକ। ଏହାର ଅଧ୍ୟକ୍ଷତା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ବ୍ରାଜିଲ, ରୁଷ, ଭାରତ, ଚୀନ, ଦକ୍ଷିଣ ଆଫ୍ରିକା ସମେତ ବ୍ରିକ୍ସର ବିସ୍ତାରିତ ସଦସ୍ୟ ଦେଶମାନଙ୍କ ପ୍ରତିନିଧିମାନେ ଏଥିରେ ଅଂଶଗ୍ରହଣ କରିବେ।

ଏହି ବୈଠକରେ ‘ଲୋକକୈନ୍ଦ୍ରିକ ଓ ମାନବତା-ପ୍ରଥମ ଦୃଷ୍ଟିକୋଣରେ ଶିକ୍ଷା ସହଯୋଗ’କୁ ପ୍ରାଥମିକତା ଦିଆଯିବ। ପ୍ରାରମ୍ଭିକ ଶିଶୁ ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା ଓ ନବସୃଜନ, ଷ୍ଟାର୍ଟଅପ୍ ପରିବେଶକୁ ପ୍ରୋତ୍ସାହନ, ଶିକ୍ଷାଗତ ଯୋଗ୍ୟତାର ପାରସ୍ପରିକ ସ୍ୱୀକୃତି (Mutual Recognition of Qualifications), ଏବଂ ଶିକ୍ଷା କ୍ଷେତ୍ରରେ ନେତୃତ୍ୱ ଗଢ଼ି ତୋଳିବା ପାଇଁ କ୍ଷମତା ବିକାଶ ଉପରେ ବିସ୍ତୃତ ଆଲୋଚନା ହେବ। ଏଥିସହ ବ୍ରିକ୍ସ ବରିଷ୍ଠ ଅଧିକାରୀମାନଙ୍କ ବୈଠକରେ ଶିକ୍ଷା କ୍ଷେତ୍ରରେ ଭବିଷ୍ୟତ ସହଯୋଗର ରୂପରେଖ ପ୍ରସ୍ତୁତ କରାଯିବ। ବୈଠକରୁ ବ୍ରିକ୍ସ ଏଜୁକେସନ୍ ଟ୍ରାକ୍–୨୦୨୬ ପାଇଁ ଠୋସ୍ କାର୍ଯ୍ୟଯୋଜନା ବାହାରିବ ବୋଲି ଆଶା କରାଯାଉଛି।


ଚଳିତ ବର୍ଷ ବ୍ରିକ୍ସ ଅଧ୍ୟକ୍ଷତା କରୁଛି ଭାରତ

“ଦୃଢ଼ତା, ନବନିର୍ମାଣ, ସହଯୋଗ ଓ ସ୍ଥାୟୀତ୍ୱ ପାଇଁ ନିର୍ମାଣ” ଥିମ୍ ଅଧୀନରେ ଭାରତ ବିଭିନ୍ନ କ୍ଷେତ୍ରରେ ବ୍ରିକ୍ସ ବୈଠକ ଆୟୋଜନ କରୁଛି। ୨୦୨୫ରେ ବ୍ରାଜିଲର ରିଓ ଡି ଜାନେରିଓରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଲୋକକୈନ୍ଦ୍ରିକ ଓ ମାନବତା-ପ୍ରଥମ’ ଆଭିମୁଖ୍ୟକୁ ଗୁରୁତ୍ୱ ଦେଇଥିଲେ। ସେହି ଦୃଷ୍ଟିକୋଣକୁ ଆଗକୁ ନେବା ପାଇଁ ଶିକ୍ଷା କ୍ଷେତ୍ରରେ ଦେଶମାନଙ୍କ ମଧ୍ୟରେ ସହଯୋଗ ବଢ଼ାଇବା ଉପରେ ଏହି ବୈଠକ କେନ୍ଦ୍ରିତ ରହିବ।


ଭାରତର ବ୍ରିକ୍ସ ଅଧ୍ୟକ୍ଷତାର ଆଉ ଏକ ବିଶେଷତା ହେଉଛି ଯୁବପିଢ଼ିଙ୍କୁ ଏହି ପ୍ରକ୍ରିୟା ସହ ଯୋଡ଼ିବା। ଛାତ୍ରଛାତ୍ରୀଙ୍କୁ ବହୁପାକ୍ଷିକ କୂଟନୀତି, ଆନ୍ତର୍ଜାତିକ ସହଯୋଗ ଓ ସହମତି ଭିତ୍ତିକ ନିଷ୍ପତ୍ତି ପ୍ରକ୍ରିୟା ସହ ପରିଚିତ କରାଇବା ପାଇଁ ଏହି ବୈଠକକୁ ଏକ ଛାତ୍ର-କେନ୍ଦ୍ରିକ ପଦକ୍ଷେପ ଭାବେ ମଧ୍ୟ ପରିକଳ୍ପନା କରାଯାଇଛି।
ଭୁବନେଶ୍ୱରରେ ଏଭଳି ଆନ୍ତର୍ଜାତିକ ସ୍ତରର ବୈଠକରୁ ଶିକ୍ଷା, ଗବେଷଣା ଓ ନବସୃଜନ କ୍ଷେତ୍ରରେ ସଦସ୍ୟ ଦେଶମାନଙ୍କ ମଧ୍ୟରେ ସହଯୋଗର ନୂଆ ଦିଗ ଉନ୍ମୋଚିତ ହେବ ବୋଲି ଶିକ୍ଷାବିତ ମାନେ ଆଶା ବ୍ୟକ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ଅଗଷ୍ଟ ୫ରୁ ବ୍ରିକ୍ସ ଭାରତ ଶିକ୍ଷା କ୍ଷେତ୍ର ବୈଠକମାଳା; ସାମିଲ ହେବେ ୧୧ ସଦସ୍ୟ ଦେଶର ୮ ଶିକ୍ଷାମନ୍ତ୍ରୀଙ୍କ ସହ ୨୦୦ ରୁ ଉର୍ଦ୍ଧ୍ବ ପ୍ରତିନିଧି

ଇଟିଭି ଭାରତ, ଭୁବନେଶ୍ବର