ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିଲା ନୂଆ ହେଲ୍ପ ପୋର୍ଟାଲ୍; ସିଧା ବିଭାଗକୁ ଜଣାଇ ପାରିବେ ସବୁ ସମସ୍ୟା
ରାଜ୍ୟ ସରକାର ୱେବ୍ ସାଇଟ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କଠାରୁ ସେମାନଙ୍କ ସମସ୍ୟା ବିଷୟରେ ଜାଣିବେ ଏବଂ ତାର ସମାଧାନ ମଧ୍ୟ କରି ପାରିବେ । ରିପୋର୍ଟ-ବିକାଶ କୁମାର ଦାସ


Published : July 7, 2026 at 7:14 PM IST
ଭୁବନେଶ୍ୱର: ଓଡ଼ିଶା ସରକାର ତାଙ୍କର ବିଭିନ୍ନ ସେବା, ଯୋଜନା ଏବଂ ସରକାରୀ କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ପୋର୍ଟାଲ୍ (Special Portals) ପ୍ରସ୍ତୁତ କରିଛନ୍ତି । ଏବେ ଫୋକସରେ ସ୍କୁଲ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରକାର ସମସ୍ୟା, ଯେମିତି ଏକାଡେମିକ୍ ସମସ୍ୟା, ମାନସିକ ସମସ୍ୟା ବିଷୟରେ ଏହି ପୋର୍ଟାଲ୍ରେ ଅଭିଯୋଗ କରିପାରିବେ । ଏହି ପୋର୍ଟାଲ ବିଷୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।
ବିଭାଗୀୟ ଚିଠି ଅନୁଯାୟୀ, ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟୁଡେଣ୍ଟ ହେଲ୍ପଲାଇନ୍ ପୋର୍ଟାଲ ଖୋଲାଯାଇଛି । ଏହି ପୋର୍ଟାଲ୍ www.smeuas.odisha.gov. inରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଅଭିଯୋଗକୁ ସିଧାସଳଖ ବିଭାଗକୁ ଜଣାଇପାରିବେ । ପୂର୍ବରୁ ଷ୍ଟୁଡେଣ୍ଟ ହେଲ୍ପ ଲାଇନ୍ ନମ୍ବର ଥିଲା । ଏବେ ରାଜ୍ୟ ସରକାର ୱେବ୍ ସାଇଟ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କଠାରୁ ସେମାନଙ୍କ ସମସ୍ୟା ବିଷୟରେ ଜାଣିବେ ଏବଂ ତାର ସମାଧାନ ମଧ୍ୟ କରି ପାରିବେ । ଶିକ୍ଷାଦାନରେ କିଛି ଅସୁବିଧା ହେଲେ କିମ୍ବା ସ୍କୁଲରେ କିଛି ସମସ୍ୟା ଦେଖାଦେଲେ କମ୍ବା ମାନସିକ ନିର୍ଯାତନାର ଶିକାର ହେଲେ ପିଲାମାନେ ଏହି ପୋର୍ଟାଲରେ ଜଣାଇ ପାରିବେ ।
ଅନ୍ୟପଟେ ଶିକ୍ଷା ଅଧିକାର ଆଇନ ୨୦୦୯ ଅନ୍ତର୍ଗତ ଧାରା ୧୨(୧)(ଗ) ଅନୁଯାୟୀ ଆର୍ଥିକ ଅନଗ୍ରସର ପିଲାମାନେ ବେସରକାରୀ ବିଦ୍ୟାଳୟଗୁଡ଼ିକର ପ୍ରବେଶ ସ୍ତରରେ ନିଃଶୁଳ୍କ ଶିକ୍ଷା ପାଇପାରିବେ । ଏଥିପାଇଁ ଆର୍.ଟି.ଇ. ପାରଦର୍ଶୀ (RTE Paradarshi) 6 https://rteparadarshi.odisha.gov. in/odishaରେ ଆବେଦନ ଆହ୍ଵାନ କରାଯାଇଥିଲା । ତୃତୀୟ ପର୍ଯ୍ୟାୟ ପାଇଁ ମଇ ୨୨ ତାରିଖରୁ ଆରମ୍ଭ କରି ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏହି ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଆବେଦନ କରିଥିଲେ ।
ବେସରକାରୀ ବିଦ୍ୟାଳୟଗୁଡ଼ିକରେ ନାମ ଲେଖାଇବା ପାଇଁ ସମୁଦାୟ ୩,୯୩୭ ଅନଲାଇନ୍ ଆବେଦନ କରାଯାଇଥିଲା । ଏହା ମଧ୍ୟରୁ ବ୍ଲକ ଶିକ୍ଷା ଅଧିକାରୀମାନେ ମୂଳ ପ୍ରମାଣ ପତ୍ର ଯାଞ୍ଚ କରି ୩୧୩୯ ଆବେଦନ ପତ୍ରକୁ ଯୋଗ୍ୟ ବିବେଚିତ କରିଥିଲେ । ଯୋଗ୍ୟ ଆବେଦନପତ୍ରଗୁଡ଼ିକୁ ପାରଦର୍ଶୀ ପୋର୍ଟାଲ (Directorate of Elementary Education (DEE) Odisha) ମାଧ୍ୟମରେ କେନ୍ଦ୍ରୀୟ ଲଟେରୀ ତା-୦୬-୦୭-୨୦୨୬ ରିଖ ୪ଟା ସମୟରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସଦସ୍ୟମାନଙ୍କ ଉପସ୍ଥିତିରେ ରଖା ଯାଇଥିଲା । ସେଥିମଧ୍ୟରୁ ୨୪୪୬ ଜଣ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଲଟେରୀ ମାଧ୍ୟମରେ ଚୟନ କରାଯାଇଛି ।
ବର୍ତ୍ତମାନ୍ ବ୍ଲକ ଶିକ୍ଷା ଅଧିକାରୀମାନେ ସମ୍ପୃକ୍ତ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମ ପ୍ରଦାନ କରିବେ । ବେସରକାରୀ ବିଦ୍ୟାଳୟଗୁଡ଼ିକରେ ତା-୭-୭-୨୦୨୬ ରିଖରୁ ତା-୧୫-୦୭-୨୦୨୬ ରିଖ ମଧ୍ୟରେ ନାମ ଲେଖାଯିବ । ଏହି ନାମଲେଖା ସଂପୂର୍ଣ୍ଣ ନିଃଶୁଳ୍କ ଅଟେ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ମଧ୍ଯ କୌଣସି ଅର୍ଥ ଅଭିଭାବକମାନଙ୍କ ଠାରୁ ନେଇପାରିବେ ନାହିଁ । ଯେକୌଣସି ପ୍ରଶ୍ନ କିମ୍ବା ସହାୟତା ପାଇଁ ହେଲ୍ପଲାଇନ୍ ନମ୍ବର – ୧୮୦୦ ୩୪୫୬୭୨୨ଜାରି କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ୱର
ଏହା ମଧ୍ୟ ପଢନ୍ତୁ ଲାଗୁ ହେଲା ନୂଆ ମୂଲ୍ୟାୟନ ବ୍ୟବସ୍ଥା: ବର୍ଷକୁ ୪ଟି ପରୀକ୍ଷା ଦେବେ ଛାତ୍ରଛାତ୍ରୀ, ଅସନ୍ତୋଷ ଜାହିର କଲେ ଶିକ୍ଷକ
ଏହା ମଧ୍ୟ ପଢନ୍ତୁ ଆଶ୍ୱସ୍ତ ହେଲେ ଛାତ୍ରଛାତ୍ରୀ; ଯୁକ୍ତ ତିନିରେ ବଢ଼ିଲା ୧୦ ହଜାରରୁ ଅଧିକ ସିଟ୍

