ଡବଲ ମର୍ଡର ! ଟଙ୍କା ନ ଦେବାରୁ ବାପାକୁ ହତ୍ୟା କଲା ପୁଅ, ସ୍ତ୍ରୀକୁ ହତ୍ୟା କରି ସ୍ବାମୀର ଆତ୍ମହତ୍ୟା ଉଦ୍ୟମ
ବାଙ୍ଗିରିପୋଷି ଅଞ୍ଚଳରେ ଦୁଇଟି ବିଭତ୍ସ ହତ୍ୟାକାଣ୍ଡ । ଉଭୟ ହତ୍ୟା ଘଟଣାର ପ୍ରକୃତ କାରଣ ଜାଣିବା ନେଇ ପୋଲିସ ତଦନ୍ତ ଜାରି ରଖିଛି । ରିପୋର୍ଟ- ସଞ୍ଜୟ ପରିଡା


Published : August 30, 2026 at 11:20 PM IST
ରାଇରଙ୍ଗପୁର(ମୟୂରଭଞ୍ଜ): ଜିଲ୍ଲାର ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଘଟିଯାଇଛି ଦୁଇ ଦୁଇଟି ହତ୍ୟାକାଣ୍ଡ । ଗୋଟିଏ ଘଟଣାରେ ପୁଅ ଠେଙ୍ଗାରେ ପିଟି ପିଟି ବାପାକୁ ନିର୍ମମ ଭାବେ ହତ୍ୟା କରିଥିବା ବେଳେ ଅନ୍ୟ ଏକ ଘଟଣାରେ ନିଜ ସ୍ତ୍ରୀକୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ହତ୍ୟା କରି ଆତ୍ମହତ୍ୟା ଉଦ୍ୟମ କରିଛି ହତ୍ୟାକାରୀ ସ୍ବାମୀ ।
ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପଥୁରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଟଙ୍କା ନ ଦେବାରୁ ପୁଅ ନିଜ ବାପାକୁ ଏକ ଠେଙ୍ଗା ସାହାଯ୍ୟରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ପଥୁରୀ ଗ୍ରାମର ମହେନ୍ଦ୍ରୀ ଦେହୁରୀ ଧାନ ବିଲରେ ଦେବା ପାଇଁ ସାର କିଣିବାକୁ ଟଙ୍କା ରଖିଥିଲେ । ସେଇ ଟଙ୍କାକୁ ନେଇ ଘରକୁ ଆସିବା ପରେ ସାନ ପୁଅ ସୁମନ୍ତ ଦେହୁରୀ ତାଙ୍କୁ ଟଙ୍କା ମାଗିଥିଲେ। ହେଲେ ବାପା ଟଙ୍କା ଦେବାକୁ ମନା କରିବାରୁ ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଟଙ୍କା ନେଦେବାରୁ ଉତକ୍ଷିପ୍ତ ହୋଇ ପୁଅ ଏକ ଠେଙ୍ଗାରେ ବାପାଙ୍କୁ ପିଟି ପିଟି ହତ୍ୟା କରିଥିଲା । ଏ ସମ୍ପର୍କରେ ଆଜି ବାଙ୍ଗିରିପୋଷି ଥାନା ପୋଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ ଡକାଇ ତଦନ୍ତ କରିଛି । ପରେ ବାଙ୍ଗିରିପୋଷି ପୋଲିସ ଅଭିଯୁକ୍ତ ପୁଅ ସୁମନ୍ତ ଦେହୁରୀଙ୍କୁ ଗିରଫ କରିବା ସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ବାରିପଦା ପିଆରଏମ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲ ପଠାଇ ଘଟଣାର ତଦନ୍ତ ଜାରି ରଖିଛି । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ସେହିପରି ଅନ୍ୟ ଏକ ଘଟଣା କ୍ରମରେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବଣକାଟି ପଞ୍ଚାୟତ ଅଧିନ ଜାମଦାପାଳ ଗ୍ରାମରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସ୍ବାମୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଛି । ଗତକାଲି ରାତିରେ ଜାମଦାପାଳ ଗ୍ରାମର ବୈଦ୍ୟନାଥ ସିଂ କୌଣସି କାରଣ ପାଇଁ ନିଜ ସ୍ତ୍ରୀ କୁନି ସିଂଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରି ନିଜେ ସେହି ଧାରୁଆ ଅସ୍ତ୍ର ସାହାଯ୍ୟରେ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଶନିବାର ବିଳମ୍ବିତ ରାତିରେ ପୋଲିସ ପହଞ୍ଚି ଗୁରୁତର ଥିବା ବୈଦ୍ୟନାଥଙ୍କୁ ବାରିପଦା ମେଡିକାଲକୁ ପଠାଇଥିଲେ । ସେଠାରେ ବୈଦ୍ୟନାଥ ସିଂଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇ ଥିବାର ସୂଚନା ରହିଛି । ଆଜି ପୋଲିସ ସହ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାସ୍ଥଳରେ ତଦନ୍ତ ପରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବାରିପଦା ପିଆରଏମ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲ ପଠାଇଥିଲା । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ଉଭୟ ଘଟଣା ସମ୍ପର୍କରେ ବାଙ୍ଗିରିପୋଷି ଥାନା ଅଧିକାରୀ ପଞ୍ଚାନନ ମହାନ୍ତିଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, "ଶନିବାର ବିଳମ୍ବିତ ରାତିରେ କେହି ୧୧୨ ଯୋଗେ କୋଲ୍ କରି ଜାମଦାପାଳ ଗ୍ରାମରେ ହତ୍ୟାକାଣ୍ଡ ହୋଇଥିବା ଖବର ଦେଇଥିଲେ । ଖବର ପାଇ ତୁରନ୍ତ ପୋଲିସର ଟିମ୍ ଜାମଦାପାଳ ଗାଁକୁ ଯାଇ ପହଞ୍ଚି ଥିଲେ। କୁନି ସିଂଙ୍କୁ ତାଙ୍କ ସ୍ବାମୀ ଧାରୁଆ ଅସ୍ତ୍ର ସାହାଯ୍ୟରେ ହତ୍ୟା କରିବା ପରେ ସେହି ଧାରୁଆ ଅସ୍ତ୍ର ସାହାଯ୍ୟରେ ନିଜେ ସ୍ବାମୀ ବୈଦ୍ୟନାଥ ସିଂ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ରାତିରେ ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲୁ । ଆଜି ସାଇଣ୍ଟିଫିକ ଟିମ ଡକାଇ ହତ୍ୟାକାଣ୍ଡର ତଦନ୍ତ କରା ଯାଇଥିଲା । ଏ ସମ୍ପର୍କରେ ବାଙ୍ଗିରିପୋଷି ଥାନାରେ ପୋଲିସ କେସ ନଂ ୨୧୮/୨୬ ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ଏଥି ସହିତ ଘଟଣାର ତଦନ୍ତ ଜାରି ରହିଛି ।
ସେହିପରି ଗତକାଲି ରାତିରେ ପଥୁରୀ ଗ୍ରାମରେ ହତ୍ୟା ଘଟଣା ଘଟିଥିବା ଆଜି ସକାଳୁ ଖବର ପାଇବା ପରେ ପୋଲିସର ଏକ ଟିମ ସହ ପଥୁରୀ ଗାଁକୁ ପହଞ୍ଚିଥିଲୁ । ମୃତକଙ୍କ ମଝିଆ ପୁଅ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବାପା ମହେନ୍ଦ୍ରି ଦେହୁରୀଙ୍କୁ ସାନପୁଅ ସୁମନ୍ତ ଦେହୁରୀ ଠେଙ୍ଗା ରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ କରିଥିଲେ । ପରେ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ ମଧ୍ୟ ଡକା ଯାଇଥିଲା। ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ପରେ ମୃତ ଦେହକୁ ବ୍ୟବଚ୍ଛେଦ ନିମନ୍ତେ ବାରିପଦା ପିଆରଏମ ମେଡିକାଲ କଲେଜ ଆଣ୍ଡ ହସପିଟାଲ ଅଣା ଯାଇଥିଲା ।"
ଏ ସମ୍ପର୍କରେ ବାଙ୍ଗିରିପୋଷି ଥାନାରେ ପୋଲିସ କେସ ନଂ ୨୧୯/୨୬ରେ ଏକ ହତ୍ୟା ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତ ପୁଅ ସୁମନ୍ତ ଦେହୁରୀଙ୍କୁ ଗିରଫ କରାଯାଇ ତଦନ୍ତ ଜାରି ରହିଛି । ଉଭୟ ହତ୍ୟା ଘଟଣାର ପ୍ରକୃତ କାରଣ ଜାଣିବା ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ଏହା ବି ପଢନ୍ତୁ- ରାତିରେ ଶୋଇଥିଲେ ସକାଳେ ଉଜୁଡିଲା ସଂସାର; କାନ୍ଥ ପଡି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
ଇଟିଭି ଭାରତ, ରାଇରଙ୍ଗପୁର

