ETV Bharat / state

ଡାକ୍ତରଙ୍କ ଆନ୍ଦୋଳନ ପରେ କଠୋର ହେଲେ ସରକାର; ୬ ମାସ ଏସମା ଲାଗୁ

ଓମସା ଡାକ୍ତରଙ୍କ ଆନ୍ଦୋଳନ ଉପରେ ଲାଗିଲା କଟକଣା । ରାଜ୍ୟରେ ୬ ମାସ ପାଇଁ ଏସମା ଲାଗୁ କଲେ ରାଜ୍ୟ ସରକାର ।

esma implemented on Doctors strik
ଡାକ୍ତରଙ୍କ ଆନ୍ଦୋଳନ ପରେ କଠୋର ହେଲେ ସରକାର (ETV Bharat Odisha)
author img

By ETV Bharat Odisha Team

Published : January 6, 2026 at 8:59 PM IST

|

Updated : January 6, 2026 at 9:07 PM IST

3 Min Read
Choose ETV Bharat

ଭୁବନେଶ୍ୱର: ଓଡିଶା ମେଡିକାଲ ସେବା ସଂଘ (ଓମସା) ଡାକ୍ତରଙ୍କ ଆନ୍ଦୋଳନ ପରେ କଠୋର ହେଲେ ରାଜ୍ୟ ସରକାର । ରୋଗୀ ସେବା ବ୍ୟାହତ ନହେବା ପାଇଁ ୬ ମାସ ପର୍ଯ୍ୟନ୍ତ ଏସମା (ESMA ) ଲାଗୁ । ସ୍ଵାସ୍ଥ୍ୟସେବାରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ପାଇଁ ନିୟମ ଲାଗୁ । ଏନେଇ ଗୃହ ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି । ଜରୁରୀକାଳୀନ ସେବାରେ ସ୍ଵାସ୍ଥ୍ୟକ୍ଷେତ୍ର ଆସୁଥିବାରୁ ପଦକ୍ଷେପ ନେଇଛନ୍ତି ସରକାର । ତେବେ କିଛି ଦିନ ଧରି ଓମସା ଡାକ୍ତରଙ୍କ ପକ୍ଷରୁ ଏକ ଘଣ୍ଟା ପାଇଁ ଓପିଡି ବନ୍ଦ କରାଯାଇଥିବା ବେଳେ ଗତ 5 ତାରିଖରୁ ଏହାକୁ ଦୁଇ ଘଣ୍ଟା (ସକାଳ 9ରୁ 11) ପାଇଁ ବଢାଇ ଦିଆଯାଇଥିଲା । ଏହାସହିତ ସରକାରଙ୍କୁ ସମୁହିକ ଇସ୍ତଫା ଚେତାବନୀ ଦେଇଥିଲା ସଂଘ ।

ଡାକ୍ତର ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ-

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଧର୍ମଘଟ ଓ କାର୍ଯ୍ୟବନ୍ଦ ରୋକିବାକୁ ଆଜି ସରକାର ବଡ ପଦକ୍ଷେପ ନେଇଛନ୍ତି । ଏସମା ଲାଗୁ ନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ହୋଇଛି । ୬ ମାସ ପର୍ଯ୍ୟନ୍ତ ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି ସୂଚନା ରହିଛି । ଓଡ଼ିଶା ଅତ୍ୟାବଶ୍ୟକ ସେବା (ରକ୍ଷଣାବେକ୍ଷଣ) ଆଇନ, ୧୯୮୮ (ESMA) ଲାଗୁ ହୋଇଛି । ଗୃହ ବିଭାଗ ଦ୍ୱାରା ଜାରି ଏକ ସରକାରୀ ଆଦେଶ ଅନୁଯାୟୀ, ଏହି ନିଷ୍ପତ୍ତି ଜାନୁଆରୀ ୬, ୨୦୨୬ ରୁ କାର୍ଯ୍ୟକାରୀ ହେବ ଏବଂ ଜୁଲାଇ ୨୦୨୬ ଆରମ୍ଭ ପର୍ଯ୍ୟନ୍ତ ବୈଧ ରହିବ। ସମସ୍ତ ସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ କାର୍ଯ୍ୟରତ ଡାକ୍ତର, ନର୍ସିଂ ଅଧିକାରୀ, ଫାର୍ମାସି ଅଧିକାରୀ, ପାରାମେଡିକ୍ସ, ଟେକ୍ନିସିଆନ୍, ଶ୍ରେଣୀ-III ଏବଂ ଶ୍ରେଣୀ-IV କର୍ମଚାରୀ, ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ ESMA ବ୍ୟବସ୍ଥା ପ୍ରଯୁଜ୍ୟ ହେବ।

ଏଥିରେ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା, ଉପଖଣ୍ଡ ଏବଂ କ୍ଷେତ୍ରୀୟ ଡାକ୍ତରଖାନା, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ପୌର ଡାକ୍ତରଖାନା, ମେଡିକାଲ କଲେଜ ଏବଂ ହସ୍ପିଟାଲ ସମେତ AHRCC ଏବଂ ଆଞ୍ଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ର ଭଳି ରାଜ୍ୟ ଅନୁଦାନ ପାଉଥିବା ସ୍ୱୟଂଶାସିତ ପ୍ରତିଷ୍ଠାନ ଅନ୍ତର୍ଭୁକ୍ତ। ଜେଲ ଏବଂ ପୋଲିସ ହସ୍ପିଟାଲଗୁଡ଼ିକୁ ମଧ୍ୟ ଏହି ଆଦେଶର ପରିସରଭୁକ୍ତ କରାଯାଇଛି। ସରକାର କହିଛନ୍ତି ଯେ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ସେବାରେ କୌଣସି ବାଧା ସୃଷ୍ଟି ନକରିବା ପାଇଁ ଜନସ୍ୱାର୍ଥରେ ଏହି ପଦକ୍ଷେପ ନିଆଯାଇଛି।

Doctors strike Odisha govt imposes ESMA
ଡାକ୍ତରଙ୍କ ଆନ୍ଦୋଳନ ପରେ କଠୋର ହେଲେ ସରକାର (ETV Bharat)

ଜାନୁଆରୀ 5 ତାରିଖ ଥିଲା ଡେଡଲାଇନ୍-

ଓମସା ସଭାପତି ଡାକ୍ତର କିଶୋର ମିଶ୍ର କହିଥିଲେ, ଇସ୍ତଫାପତ୍ର ସଂଗ୍ରହ ଆରମ୍ଭ କରିଛି ଓମସା । ନୂଆ ବର୍ଷ ପରେ ଓମସା ଡାକ୍ତରମାନେ ସମୂହ ଇସ୍ତଫା ପତ୍ର ଓମସା ପାଖରେ ଦଖଲ କରିବେ । ଓମସା ଏହି ଇସ୍ତଫାପତ୍ର ସରକାରଙ୍କ ପାଖକୁ ପଠାଇବେ । ସରକାର ଏ ଯାଏଁ ଡାକ୍ତରଙ୍କ ଦାବି ଉପରେ ଆଲୋଚନା କରି ନଥିବାରୁ ଆଉ ସରକାରୀ ଚାକିରୀରେ ରହିବେନି ଡାକ୍ତର । ଜାନୁଆରୀ ୫ ଯାଏଁ ଡେଡଲାଇନ ଦେଇଥିଲା ଓମସା । ଜାନୁଆରୀ ୫ ରୁ ସକାଳ ୯ ରୁ ୧୧ ଯାଏଁ ଦୁଇ ଘଣ୍ଟା ଧରି ବନ୍ଦ କରାଯାଉଛି OPD ସେବା । ତେବେ ଜାନୁଆରୀ 14 ତାରିଖ ସୁଦ୍ଧା ସରକାର ଯଦି ଦାବି ଉପରେ କୌଣସି ପଦକ୍ଷେପ ନନିଅନ୍ତି ତେବେ ପରବର୍ତ୍ତୀ ସମୟରେ ଉଭୟ ସକାଳେ ଓ ଅପରାହ୍ନରେ ଦୁଇ ଘଣ୍ଟାଏ ଧରି ଓପିଡି ବନ୍ଦ କରିବାକୁ ଚେତାବନୀ ଦେଇଥିଲା ଓମସା ।

Doctors strike Odisha govt imposes ESMA
ଡାକ୍ତରଙ୍କ ଆନ୍ଦୋଳନ ପରେ କଠୋର ହେଲେ ସରକାର (ETV Bharat)

କଣ କହିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ-

ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ, "ଓମସାର ଦାବିକୁ ସରକାର ଗୁରୁତ୍ୱର ସହ ନେଇଛନ୍ତି । ଏହା ପାଇଁ ଏକ କମିଟି ଗଠନ କରିଛୁ । ଦାବି ଉପରେ ବିଚାର ଚାଲିଛି । ତାଙ୍କର 2ଟା ଦାବି ମଧ୍ୟରୁ ଗୋଟିଏ ପୋଷ୍ଟମର୍ଟମ ସେଣ୍ଟରର ସମସ୍ୟା ଥିଲା । ଯେଉଁଥିରେ ସେମାନେ 500 ଟଙ୍କା ପାଉଥିଲା ତାହାକୁ ଆମେ 1000 ଟଙ୍କା କରିବାକୁ ରାଜି ହେଇଛୁ। ସେମାନଙ୍କ ଗୁରୁ ଦାୟିତ୍ବ ରୋଗୀ ସେବା, ତେଣୁ ସେମାନଙ୍କୁ ମୁଁ ଅନୁରୋଧ କରିବି ରୋଗୀ ସେବା କାର୍ଯ୍ୟରେ ସେମାନେ ଯୋଗ ଦିଅନ୍ତୁ । ସମାଧାନ ପାଇଁ ଆମ ପାଖକୁ ଆସନ୍ତୁ । ଆଲୋଚନା ମାଧ୍ୟମରେ ଦାବି ପୂରଣ ହୋଇପାରିବ। ସରକାରୀ ଚାକିରି ଯିଏ କରୁଛି ସେ ସରକାରଙ୍କ କଥା ମାନିବାକୁ ବାଧ୍ୟ। ସର୍ଭିସ କଣ୍ଡକ୍ଟ ରୁଲ୍‌ ତାହା କହୁଛି। ଆମ ସରକାର ଆସିବା ପରେ ଡାକ୍ତରଙ୍କ ଦାବି ବା ସମସ୍ୟା ଦେଖା ଦେଇନାହିଁ। "

ଡାକ୍ତରମାନଙ୍କ ଦାବି କ'ଣ?

ବିନା ସର୍ତ୍ତାବଳୀରେ କେନ୍ଦ୍ରୀୟ ହାରରେ DACP ପ୍ରଦାନ ।

ଓଡି଼ଶା ସରକାରଙ୍କର ଅନ୍ୟ ପ୍ରଥମ ଶ୍ରେଣୀ କନିଷ୍ଟ ବର୍ଗଙ୍କ ଭଳି ପେ ଷ୍ଟ୍ରକ୍ଟର ଏବଂ DACPରେ ଦରମା ନିର୍ଦ୍ଧାରଣ ବେଳେ ଲେଭଲ ୧୫କୁ ବାଦ ଦିଆଯାଉ ।

OMHS ଓ ଦନ୍ତ ଚିକିତ୍ସକଙ୍କର କ୍ୟାଡର ପୁନର୍ବିଚାର କରାଯାଉ ।

KBK ଅଞ୍ଚଳରେ ୫ ବର୍ଷରୁ ଅଧିକ ଚାକିରି କରିଥିବା ଡାକ୍ତରଙ୍କୁ ଉପକୂଳବର୍ତ୍ତୀ ଜିଲ୍ଲାକୁ ଆଣିବା ପାଇଁ ନିଶ୍ଚିତ କରାଯାଉ ।

ପୋଷ୍ଟ ମୋର୍ଟମ ଭତ୍ତା ବୃଦ୍ଧି କରାଯାଉ ।

ଅଗ୍ରାଧିକାର ଭିତ୍ତିରେ ଡାକ୍ତରୀ ଖାଲି ପଦବୀ ପୂରଣ କରାଯାଉ, ଏହା ସହିତ ପ୍ରତିବର୍ଷ ବିଭାଗୀୟ ପଦୋନ୍ନତି କମିଟି ବସାଇ ପଦୋନ୍ନତି ଦିଆଯାଉ ।

କାର୍ଯ୍ୟରତ ଡାକ୍ତରଙ୍କୁ କଡା ସୁରକ୍ଷା ଦିଆଯାଉ ।

ସଙ୍କଟପୂର୍ଣ୍ଣ ଅବସ୍ଥାରେ କାର୍ଯ୍ୟରତ ସ୍ଵାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କୁ ସ୍ବାସ୍ଥ୍ୟ ବୀମା ଦିଆଯାଉ ।

ସବୁ ଡାକ୍ତରଖାନାରେ ଡାକ୍ତରମାନଙ୍କ ପାଇଁ ବାସଗୃହ ନିର୍ମାଣ କରାଯାଉ ।

ADHOC ଡାକ୍ତରମାନଙ୍କୁ ନିୟମିତ କରାଯାଉ ଓ ତାଙ୍କର ଚାକିରି କାଳକୁ DACPରେ ଗଣନା କରାଯାଉ ।


ଏପଟେ ରାଜ୍ୟରେ ଓମସାରେ ଥିବା ଡାକ୍ତରଙ୍କ ପଦବୀ ପାଖାପାଖି ୧୫ ହଜାର ରହିଥିବା ବେଳେ ବର୍ତ୍ତମାନ ସମୟରେ ରହିଛନ୍ତି ମାତ୍ର ୬ ହଜାର । ସରକାର ଡାକ୍ତରଙ୍କ ପଦବୀକୁ ପୂରଣ କରୁନଥିବା ମଧ୍ୟ କୁହାଯାଉଛି ।

ଏହା ବି ପଢନ୍ତୁ- 2 ଘଣ୍ଟା ଓପିଡି ବନ୍ଦ କଲେ ଡାକ୍ତର, କାର୍ଯ୍ୟରେ ଯୋଗଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିବେଦନ

ଏହା ବି ପଢନ୍ତୁ- ଓମସା ଡାକ୍ତରଙ୍କ ଚେତାବନୀ ! ଜାନୁଆରୀ 5ରୁ ଦୁଇ ଘଣ୍ଟିଆ OPD ବନ୍ଦ, ଇସ୍ତଫାପତ୍ର ସଂଗ୍ରହ ଆରମ୍ଭ କଲା ଓମସା

ଇଟିଭି ଭାରତ, ଭୁବନେଶ୍ୱର

Last Updated : January 6, 2026 at 9:07 PM IST