ETV Bharat / state

ଆରମ୍ଭ ହେଲା ସରକାରୀ ଓକିଲ ନିଯୁକ୍ତି ପ୍ରକ୍ରିୟା, ନୂଆବର୍ଷରେ ନିଗମ ଲଡୁ

18 ମାସ ଧରି ବିଭିନ୍ନ ପଦ ପଦବୀକୁ ଚାହିଁ ରହିଥିବା ନେତାଙ୍କୁ ଖୁବଶୀଘ୍ର ବୋର୍ଡ ନିଗମ ପଦ ପଦଵୀରେ ଥଇଥାନ କରାଯିବ ।

PUBLIC PROSECUTOR APPOINTMENT
ଆରମ୍ଭ ହେଲା ସରକାରୀ ଓକିଲ ନିଯୁକ୍ତି ପ୍ରକ୍ରିୟା (ETV Bharat Odisha)
author img

By ETV Bharat Odisha Team

Published : December 28, 2025 at 11:16 PM IST

2 Min Read
Choose ETV Bharat

ଭୁବନେଶ୍ୱର: ରାଜ୍ୟ ସରକାର ସରକାରୀ ଓକିଲ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ପରେ ବୋର୍ଡ ନିଗମଠାରୁ ଆରମ୍ଭ କରି ଜିଲ୍ଲା ଯୋଜନା ବୋର୍ଡ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଏବଂ ବିକାଶ ପରିଷଦ ଗୁଡିକରେ ଖାଲି ଥିବା ପଦ ପଦବୀକୁ ପୂରଣ କରାଯିବାର ଆଶା ସଂଚାର ହୋଇଛି । 23ଟି ଜିଲ୍ଲାରେ ସରକାରୀ ଓକିଲ ନିଯୁକ୍ତି ଶେଷ ହୋଇଥିବା କହିଛନ୍ତି ରାଜ୍ୟ ବିଜେପି ସଭାପତି । ଏପଟେ ନୂଆବର୍ଷରେ ନିଗମ ଲଡ଼ୁ ମିଳିପାରେ । 18 ମାସ ଧରି ବିଭିନ୍ନ ପଦ ପଦବୀକୁ ଚାହିଁ ରହିଥିବା ନେତାଙ୍କୁ ବୋର୍ଡ ନିଗମ ପଦ ପଦଵୀରେ ଥଇଥାନ କରାଯିବ ବୋଲି ସୂଚନା ମିଳିଛି ।



ଆରମ୍ଭ ହେଲା ସରକାରୀ ଓକିଲ ନିଯୁକ୍ତି ପ୍ରକ୍ରିୟା-

ରାଜ୍ୟରେ ବିଜେପି ସରକାର ଆସିବାର 18 ମାସ ପରେ ସରକାରୀ ଓକିଲ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଦୀର୍ଘ ମାସ ଧରି ଚାଲି ରହିଥିବା ଚର୍ଚ୍ଚାରେ ବିରାମ ଲାଗିଛି l ପ୍ରଥମ ପର୍ଯ୍ୟାୟରେ 11 ଜିଲ୍ଲାରେ ବିଜେଡି ସରକାର ସମୟରେ ନିଯୁକ୍ତି ପାଇଥିବା ସରକାରୀ ଓକିଲ ଓ ସହକାରୀ ଓକିଲଙ୍କୁ ପରିବର୍ତ୍ତନ କରାଯାଇ ନୂଆ ନିଯୁକ୍ତି ଦିଆଯାଇଛି l ଆଇନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଗଞ୍ଜାମ, ଝାରସୁଗୁଡା, ରାୟଗଡା, କୋରାପୁଟ, ଜଗତସିଂହପୁର, କେନ୍ଦୁଝର, ଅନୁଗୁଳ, ଦେବଗଡ, କେନ୍ଦ୍ରାପଡା, ସୁବର୍ଣ୍ଣପୁର ଓ ପୁରୀ ଜିଲ୍ଲାରେ ପୂର୍ବରୁ ନିଯୁକ୍ତି ପାଇଥିବା ସବୁ ସହକାରୀ ଓକିଲ ଓ ସହକାରୀ ସରକାରୀ ଓକିଲଙ୍କୁ ବଦଳାଯାଇଛି । ସେମାନଙ୍କ ସ୍ଥାନରେ ନୂଆ ଓକିଲ ନିଯୁକ୍ତି ଦିଆଯାଇଛି l ସୂଚନା ଅନୁଯାଇ ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ବାକି ରହିଥିବା ସମସ୍ତ ସରକାରୀ ଓକିଲ ନିଯୁକ୍ତି ପ୍ରକ୍ରିୟାକୁ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର l

ଆରମ୍ଭ ହେଲା ସରକାରୀ ଓକିଲ ନିଯୁକ୍ତି ପ୍ରକ୍ରିୟା (ETV Bharat Odisha)
ଓକିଲ ନିଯୁକ୍ତି ହେଲେ କିନ୍ତୁ କେବେ ପୂରଣ ହେବ ନିଗମ ବୋର୍ଡ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରକାରୀ ଓକିଲ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବା ପରେ ରାଜ୍ୟରେ ଖାଲି ପଡ଼ିଥିବା 37 ଟି ବୋର୍ଡ ଏବଂ ନିଗମ ସହ 30 ଟି ଜିଲ୍ଲାରେ ଯୋଜନା ବୋର୍ଡ, 23 ଟି ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ପଦ ପଦବୀ ପୂରଣକୁ ନେଇ ଉଠିଛି ପ୍ରଶ୍ନ l ସେହିପରି ପଶ୍ଚିମ ଓଡିଶା ବିକାଶ ପରିଷଦ ଥିବା ବେଳେ ନୂଆ ସରକାର ମଧ୍ୟ ଦକ୍ଷିଣ ଓଡିଶା ଏବଂ ଉତ୍ତର ଓଡିଶା ବିକାଶ ପରିଷଦ ଗଠନ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି l ଯାହା ସରକାରକୁ 18 ମାସ ପରେ ବି ଖାଲି ପଡିଛି । ଯଦିଓ ଏସବୁ ନିଯୁକ୍ତି ସହ ପ୍ରାୟ ଦେଢ ଶହ ନେତାଙ୍କୁ ଥଇଥାନ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ ଦୁଇ ଦୁଇ ଥର ଓଡିଶା ଆସି ବୈଠକ କରି ତାଲିକା ପ୍ରସ୍ତୁତ କରିଛନ୍ତି l କୁହାଯାଉଛି ନୂଆବର୍ଷରେ ଦୀର୍ଘଦିନ ଧରି ଅପେକ୍ଷା କରି ରହିଥିବା ନେତାଙ୍କୁ ମିଳିବ ନିଗମ l

"23ଟି ଜିଲ୍ଲାରେ ସରିଲାଣି ସରକାରୀ ଓକିଲ ନିଯୁକ୍ତି l ବାକି 7 ଜିଲ୍ଲାରେ ଖୁଵ ଶୀଘ୍ର ନିଯୁକ୍ତି l 12 ଜିଲ୍ଲାରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଛୁଟି ପରେ ବାକି 11 ଜିଲ୍ଳାରେ ବିଜ୍ଞପ୍ତି ପ୍ରକାଶ ପାଇବ l ବୋର୍ଡ ନିଗମ ନିଯୁକ୍ତି ବି ଖୁଵ ଶୀଘ୍ର କରାଯିବ । କାର୍ଯ୍ୟକର୍ତ୍ତାଙ୍କୁ ପୁରସ୍କାର ନୁହେଁ ସମ୍ମାନ ଦେବା ଦଳର କର୍ତ୍ତବ୍ୟ ଠିକ ସମୟରେ ନିଷ୍ପତ୍ତି ନିଆଯିବ," ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।


ଓକିଲ ନିଯୁକ୍ତ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ପ୍ରାୟ ଅଧିକାଂଶ ଜିଲ୍ଲାର ସରକାରୀ ଓକିଲ ନିଯୁକ୍ତି ଶେଷ ହୋଇଛି କିଛି ଜିଲ୍ଲାରେ ବାକି ଅଛି । ସରକାରଙ୍କ ପାଖରେ ଅପ୍ରୁଭାଲ ସରିଛି । ଖାଲି ନୋଟିଫିକେସନ ବାକି ଅଛି । କିଛି ଜିଲ୍ଲାରେ ସମସ୍ୟା ଥିଲା। ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ସେସବୁ ମଧ୍ୟ ଠିକ୍ ହୋଇଛି । ଖୁବଶୀଘ୍ର ବାକି ସବୁ ମଧ୍ୟ ନିଯୁକ୍ତ କରାଯିବ ।"

ସରକାରକୁ ଆସିବା ପରେ ରାଜନୈତିକ ଥଇଥାନକୁ ଅପେକ୍ଷା କରିଛନ୍ତି ନେତା ଓ କର୍ମୀ l ସାଧାରଣ ନିର୍ବାଚନରେ ଲଢେଇ କରି ବିଜେପିକୁ ଏକାକୀ କ୍ଷମତାକୁ ଆଣିଥିଲେ କର୍ମୀ l ଏହାସହ ନୂଆପଡା ଉପ ନିର୍ବାଚନ ହେଉ ଅବା ତୃଣ ମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବାକୁ ଲାଗିପଡ଼ିଥିବା ନେତାଙ୍କୁ ଖାଲି ପଡ଼ିଥିବା ପଦ ପଦବୀରେ ଖୁବଶୀଘ୍ର ଅବସ୍ଥାନ କରାଯିବ l

ଇଟିଭି ଭାରତ, ଭୁବନେଶ୍ୱର