‘ସମାଜ ଗଠନର ପ୍ରକୃତ ସାରଥି ଶ୍ରମିକ’: ୧୩ କୋଟିରୁ ଊର୍ଦ୍ଧ୍ବ ସହାୟତା ରାଶି ପ୍ରଦାନ କଲେ ଉପମୁଖ୍ୟମନ୍ତ୍ରୀ
ନିମାପଡ଼ା ଟାଉନ୍ ହଲ୍ ପରିସରରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

Published : May 2, 2026 at 10:34 AM IST
ନିମାପଡ଼ା: ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ନିମାପଡ଼ାରେ ଶ୍ରମିକମାନଙ୍କୁ ୧୩ କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଗତକାଲି (ଶୁକ୍ରବାର) ପୁରୀ ଜିଲ୍ଲା ନିମାପଡ଼ା ଟାଉନ୍ ହଲ୍ ପରିସରରେ ଜିଲ୍ଲାସ୍ତରୀୟ ଶ୍ରମିକ ଦିବସ ପାଳନ ହୋଇଯାଇଛି । ଶ୍ରମିକଙ୍କ କଲ୍ୟାଣ, ସୁରକ୍ଷା ଓ ସମ୍ମାନକୁ ଆଗରେ ରଖି ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନିମାପଡ଼ା ବିଧାୟିକା ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇ ଜିଲ୍ଲାର ହିତାଧିକାରୀମାନଙ୍କୁ ୧୩ କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମର ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରାୟ ୫ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟରେ ୬ଟି ଗୁରୁତ୍ୱପୂର୍ଣ୍ଣ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଶ୍ରମିକମାନଙ୍କୁ ସରକାରୀ ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ୭୫ ଜଣ ଶ୍ରମିକଙ୍କୁ ନୂତନ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ସବୁଠାରୁ ବଡ଼ ପଦକ୍ଷେପ ସ୍ୱରୂପ, ୨୩୦ ଜଣ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ କଲ୍ୟାଣ ମୂଳକ ଯୋଜନାରେ ମୋଟ ୧୩ କୋଟି ୨୮ ଲକ୍ଷ ୫୦ ହଜାର ୨୦୦ ଟଙ୍କାର ଆର୍ଥିକ ସହାୟତା ରାଶି ବଣ୍ଟନ କରାଯାଇଥିଲା ।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ,"ଶ୍ରମିକମାନେ ହେଉଛନ୍ତି ସମାଜ ଗଠନର ପ୍ରକୃତ ସାରଥି । ସେମାନଙ୍କ ପରିଶ୍ରମରେ ରାଷ୍ଟ୍ର ଠିଆ ହୋଇଛି । ସରକାର ସେମାନଙ୍କ ଅଧିକାର ଓ ସୁରକ୍ଷା ପାଇଁ ସଦା ସର୍ବଦା ପ୍ରତିବଦ୍ଧ । ଏହି କାର୍ଯ୍ୟକ୍ରମ ଶ୍ରମିକମାନଙ୍କ ମନରେ ଏକ ନୂତନ ଆଶା ଓ ଭରସା ସୃଷ୍ଟି କରିଛି । ସରକାରଙ୍କ ଏହି ସହାୟତା ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବ । ଶ୍ରମିକ ଦିବସ ଅବସରରେ ଆମେ ପୁରୀ ଜିଲ୍ଲାର ହିତାଧିକାରୀମାନଙ୍କୁ ୧୩ କୋଟି ୨୮ ଲକ୍ଷ ୫୦ ହଜାର ୨୦୦ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଛୁ ।"
ସେପଟେ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ଏବଂ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସମେତ ଅନେକ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ନିମାପଡ଼ା

