ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା: ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ
ମୟୂରଭଞ୍ଜ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରୁ ସ୍ୱାସ୍ଥ୍ୟ ସେବାର ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି । ରିପୋର୍ଟ: ସଞ୍ଜୟ ପରିଡ଼ା

Published : June 4, 2026 at 10:28 PM IST
DISORDER AT BARIPADA HOSPITAL, ରାଇରଙ୍ଗପୁର(ମୟୂରଭଞ୍ଜ): ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା । ମୟୂରଭଞ୍ଜ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରୁ ସ୍ୱାସ୍ଥ୍ୟ ସେବାର ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି । ଯେଉଁଠି ଜଣେ ଅସୁସ୍ଥ ବୃଦ୍ଧାଙ୍କୁ ଜଣେ ବୃଦ୍ଧ ବ୍ୟକ୍ତି କାନ୍ଧରେ ବୋହି ବୋହି ମେଡିକାଲ ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଦୃଶ୍ୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥି ପାଇଁ ସାରା ମୟୂରଭଞ୍ଜ ଜିଲ୍ଲାରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ବାରିପଦା ପିଆରଏମ ମେଡିକାଲ କଲେଜ ଆଣ୍ଡ ହସପିଟାଲରେ ଜଣେ ଅସୁସ୍ଥ ମହିଳାଙ୍କୁ ଚିକିତ୍ସା ପାଇଁ ଷ୍ଟ୍ରେଚର୍ କିମ୍ୱା ହ୍ୱିଲ୍ ଚେୟାର ମିଳିପାରି ନାହିଁ । ଯାହା ଫଳରେ ଜଣେ ବୃଦ୍ଧ ବ୍ୟକ୍ତି ତାଙ୍କ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହି ବୋହି ଡାକ୍ତରଖାନା ଭିତରକୁ ନେଉଥିବାର ଦେଖିବାକୁ ମିଳିଛି ।
ଯାହା ସୂଚନା ରହିଛି, ବାଙ୍ଗିରିପୋଷି ଅଞ୍ଚଳର ୭୫ ବର୍ଷିୟା ଡୋମିମଣି ପାତ୍ର ଗୁରୁତର ଅସୁସ୍ଥ ହୋଇ ବାରିପଦା ପିଆରଏମ୍ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେ ମେଡିକାଲର ୟୁନିଟ୍-୧, ଫିମେଲ୍ ମେଡିସିନ୍ ୱାର୍ଡର ୪୦ ନମ୍ୱର ବେଡ୍ରେ ଚିକିତ୍ସିତ ହେଉଥିଲେ । ଡାକ୍ତର ତାଙ୍କର ଏକ୍ସ-ରେ ଏବଂ ଅଲଟ୍ରାସାଉଣ୍ଡ ପରୀକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ । ରୋଗୀ ଜଣକ ଚାଲିବା ସ୍ଥିତିରେ ନଥିବାରୁ ତାଙ୍କ ପରିବାର ଲୋକେ ୱାର୍ଡରେ ଉପସ୍ଥିତ କର୍ମଚାରୀଙ୍କୁ ଏକ ଷ୍ଟ୍ରେଚର୍ କିମ୍ୱା ଟ୍ରଲି ଯୋଗାଇ ଦେବାକୁ ବାରମ୍ୱାର କହିଥିଲେ । ହେଲେ ମେଡିକାଲ୍ କର୍ତ୍ତୃପକ୍ଷ କିମ୍ୱା କୌଣସି ଆଟେଣ୍ଡାଣ୍ଟଙ୍କ ତରଫରୁ ତାଙ୍କୁ କୌଣସି ପ୍ରକାର ସହାୟତା ମିଳି ପାରି ନଥିଲା । ଶେଷରେ ବାଧ୍ୟ ହୋଇ କୌଣସି ଉପାୟ ନପାଇ ଡୋମିମଣିଙ୍କ ସ୍ୱାମୀ ନିଜ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହି ବୋହି ପ୍ରଚଣ୍ଡ ଖରାରେ ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ରେଡିଓ ଡାଇଗ୍ନୋସିସ୍ ବିଭାଗକୁ ନେଇଥିଲେ ।

ଏପରି ସମ୍ୱେଦନଶୀଳ ଘଟଣା ସାମ୍ନାକୁ ଆସିବା ପରେ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ‘ଏକ୍ସ’ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥି ସହିତ ଜିଲ୍ଲାର ବୁଦ୍ଧିଜୀବୀ ଓ ସାଧାରଣ ଜନତା ପିଆରଏମ୍ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଯଦି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳେ ତେବେ ଉପଖଣ୍ଡ ଚିକିତ୍ସାଳୟ ଗୁଡିକରେ କିଭଳି ରୋଗୀ ମାନେ ସୁବିଧା ସୁଯୋଗ ପାଉଥିବେ ତାହା ଏହି ଦୃଶ୍ୟ ଦେଖିଲେ ଅନୁମାନ କରା ଯାଇପାରେ ।

ଘଟଣା ସମ୍ପର୍କରେ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧନୁର୍ଜୟ ମହାନ୍ତଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, "ଡୋମିମଣିଙ୍କୁ ଷ୍ଟ୍ରେଚର ପାଇଁ କୁହା ଯାଇଥିଲା, ହେଲେ ସେ ନିଜେ ଚାଲି ଚାଲି ଯାଇପାରିବେ ବୋଲି କହିଥିଲେ । ମହିଳା ରୋଗୀ ଜଣକ ସିଡିଏମ୍ଓ କ୍ୱାର୍ଟର ସାମ୍ନା ପର୍ଯ୍ୟନ୍ତ ନିଜେ ଚାଲି ଚାଲି ଆସିଥିବା ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଛି । ବ୍ୟାଟେରୀ ଗାଡ଼ିଟି ଅନ୍ୟ ରୋଗୀଙ୍କୁ ଓହ୍ଲାଉଥିବା ବେଳେ, ଶୀଘ୍ର ଏକ୍ସ-ରେ କରିବା ପାଇଁ ରୋଗୀଙ୍କ ସମ୍ପର୍କୀୟ ତାଙ୍କୁ କାନ୍ଧରେ ବୋହି ନେଇଥିଲେ ।"

ଏହା ମଧ୍ୟ ପଢ଼ନ୍ତୁ- ଅନୁଗୋଳର ଦୁର୍ଦ୍ଦାନ୍ତ ଦନ୍ତାକୁ ସାତକୋଶିଆରେ ଛଡ଼ାଯିବା ଖବର; ସ୍ଥାନୀୟ ଲୋକଙ୍କ ବିରୋଧ, ରେଞ୍ଜ ଅଫିସ ଘେରାଉ
ଏହା ମଧ୍ୟ ପଢ଼ନ୍ତୁ- ଭାଗବତ ଟୁଙ୍ଗି ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ବୋମା ମାଡ଼, 8ରୁ ଅଧିକ ଗୁରୁତର
ଏହା ମଧ୍ୟ ପଢ଼ନ୍ତୁ- ସୌମ୍ୟ ହତ୍ୟା ଘଟଣା; ୪ର୍ଥ ଦିନରେ ଚାଲିଛି NHRC ତଦନ୍ତ, ବାନ୍ଧବୀଙ୍କୁ ମାରାଥନ ଜେରାରୁ ମିଳିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ
ଇଟିଭି ଭାରତ, ରାଇରଙ୍ଗପୁର

