ହଠାତ୍ ଥରିଲା ଫୋନ, ଆସିଲା ଆଲର୍ଟ ମେସେଜ: ଭୟଭୀତ ହୁଅନ୍ତୁ ନାହିଁ, ଜାଣନ୍ତୁ ଏହା ପଛର କାରଣ
ପର୍ବାହ୍ନ 11ଟା 43ରେ ସମସ୍ତ ମୋବାଇଲ ଥରିବାକୁ ଲାଗିଲା । ଭୟଭୀତ ହୁଅନ୍ତୁ ନାହିଁ ଏହା ସେଲ୍ ବ୍ରଡକାଷ୍ଟ’ ଆଲର୍ଟ ମେସେଜ ଥିଲା । ରିପୋର୍ଟ: ନାରାୟଣ ସାହୁ

Published : May 2, 2026 at 12:59 PM IST
କଟକ: ସମୟ ପୂର୍ବାହ୍ନ 11.43...ହଠାତ୍ ଥରି ଉଠିଲା ମୋବାଇଲ । କିଏ ମୋବାଇଲରେ ଫେସବୁକ ଚଲାଉଥିଲା ତ ଆଉ କିଏ ହ୍ବାଟ୍ସଆପରେ ନିଜ ବନ୍ଧୁଙ୍କ ସହ ଚାଟିଂ କରୁଥିଲା । ହଠାତ୍ ମୋବାଇଲ ଥରିବା ଦେଖି ଭୟଭୀତ ହୋଇ ପଡ଼ିଥିଲେ ସଭିଏଁ । ତେବେ ଭୟଭୀତ ହୁଅନ୍ତୁ ନାହିଁ କେନ୍ଦ୍ର ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(NDMA) ଦ୍ବାରା ପଠାଯାଇଥିବା ଏକ ଟେଷ୍ଟ ମେସେଜ ଅଟେ । ଆଜି ସାରା ଦେଶରେ NDMA ୱେୟାରଲେସ୍ ଏମରଜେନ୍ସି ଆଲର୍ଟ ସିଷ୍ଟମର ଯାଞ୍ଚ କରାଯାଇଛି ।

ଆଲର୍ଟ ମେସେଜ୍ ଭୟଭୀତ ହୁଅନ୍ତୁ ନାହିଁ:
ଦେଶର ନାଗରିକମାନଙ୍କୁ ଦୁର୍ଘଟଣା ସମୟରେ ତୁରନ୍ତ ସତର୍କ କରିବା ପାଇଁ ଭାରତ ସରକାର ନିଜସ୍ୱ (ଇଣ୍ଡିଜେନସ୍) ପ୍ରଯୁକ୍ତିରେ ତିଆରି ‘ସେଲ୍ ବ୍ରଡକାଷ୍ଟ’ ମେସେଜିଂ ସିଷ୍ଟମ୍ ଆରମ୍ଭ କରିଛି । ଆଜି (ଶନିବାର) ପ୍ରାୟ ପୂର୍ବାହ୍ନ ୧୧ଟା ୪୩ମିନିଟ୍ ସମୟରେ କେନ୍ଦ୍ର ସରକାର ଦେଶର ପ୍ରାୟ ସମସ୍ତ ମୋବାଇଲ୍ ବ୍ୟବହାରକାରୀଙ୍କୁ ଏକ ପରୀକ୍ଷାମୂଳକ ସନ୍ଦେଶ ପଠାଇ ଥିଲେ । ଏହା ମାଧ୍ୟମରେ ସିଷ୍ଟମ୍ର କାର୍ଯ୍ୟକ୍ଷମତା ପରୀକ୍ଷା କରାଯାଇଛି ।
ମୋବାଇଲ ଥରିଲା ଭୟ ଲାଗିଲା:
ବାସନ୍ତୀ ସାହୁ ନାମକ ଜଣେ କଟକ ବାସିନ୍ଦା କହିଛନ୍ତି, ‘ମୋବାଇଲ ଏପରି ଜୋରରେ ଥରିବା ପ୍ରଥମ ଘଟଣା । ନାତୁଣୀ ମୋବାଇଲ ଦେଖାଇ ଖାଇବାକୁ ଦେଉଥିଲି । ଘରେ ପ୍ରାୟ 4ଟି ମୋବାଇଲ ଏକାଥରେ ଥରିବାରୁ ଭୟକରି ବାହାରକୁ ପଳାଇ ଯାଇଥିଲି । ପ୍ରଥମେ ନାତୁଣୀ ପାଖରେ ଥିବା ମୋବାଇଲକୁ ବାହାରକୁ ପକାଇ ଦେଇଥିଲି । ତେଵେ ମୋବାଇଲର ମେସେଜ ଦେଖି ଜାଣିଥିଲି ଏହା ସତର୍କତା ପାଇଁ ଏପରି ଆସିଥିଲା ।’
ହଠାତ୍ ଥରି ଉଠିଲା ଫୋନ୍:
ହଠାତ୍ ମୋବାଇଲ୍ରୁ ଅସାମାନ୍ୟ ଆଲାର୍ମ ଶବ୍ଦ ଶୁଣି ଲୋକମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳି ଯାଇଥିଲା । ଏହି ଶବ୍ଦ ପୂର୍ବରୁ କେବେ ଶୁଣିନଥିବାରୁ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ । କେହି କେହି ଏହାକୁ ଆକସ୍ମିକ ଆପଦ ସୂଚନା ବୋଲି ଭାବି ଘରୁ ବାହାରି ପଡ଼ିଥିଲେ, ଆଉ କେହି ଲୋକ ରାସ୍ତାରେ ଏପଟୁ ସେପଟୁ ଦୌଡ଼ିବାକୁ ଲାଗିଥିଲେ ।
ପରେ ଜଣାପଡ଼ିଥିଲା ଯେ ଏହା କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରେରିତ ଏକ ପରୀକ୍ଷାମୂଳକ ‘ସେଲ୍ ବ୍ରଡକାଷ୍ଟ’ ଆଲର୍ଟ ସନ୍ଦେଶ ଥିଲା । ଏହି ସନ୍ଦେଶରେ ସ୍ପଷ୍ଟ କରାଯାଇଥିଲା ଯେ ଏହା କେବଳ ଟେଷ୍ଟ ଓ ସାଧାରଣ ଲୋକଙ୍କୁ କୌଣସି କାର୍ଯ୍ୟକରଣୀୟ ନାହିଁ । ତଥାପି ହଠାତ୍ ଏଭଳି ଆଲାର୍ମ ଶବ୍ଦ ଆସିବାରୁ କିଛି ସମୟ ପାଇଁ କଟକରେ ଭୟ ଓ ଅସ୍ଥିରତାର ପରିସ୍ଥିତି ଦେଖାଦେଇଥିଲା ।
ଏହା ମଧ୍ୟ ପଢନ୍ତୁ: ଓଡ଼ିଆ ଛାତ୍ରଙ୍କ ନିଆରା ସ୍ମାର୍ଟକାର୍ଡ, ମିଳିବ ଲୋକେସନ ଟ୍ରାକିଂ ସହିତ ଜରୁରୀକାଳୀନ ଆଲର୍ଟ ସୁବିଧା |
ମେସେଜରେ କଣ ଲେଖାଯାଇଥିଲା ?
“ଭାରତ ସରକାର ନିଜସ୍ୱ ପ୍ରଯୁକ୍ତିରେ ସେଲ୍ ବ୍ରଡକାଷ୍ଟ ସିଷ୍ଟମ୍ ଆରମ୍ଭ କରିଛନ୍ତି, ଯାହା ଦୁର୍ଘଟଣା ସମୟରେ ନାଗରିକଙ୍କୁ ତୁରନ୍ତ ସତର୍କ କରିବ । ସୁରକ୍ଷିତ ନାଗରିକ, ସୁରକ୍ଷିତ ଦେଶ । ଏହା ଏକ ପରୀକ୍ଷାମୂଳକ ସନ୍ଦେଶ, ଏଥିପାଇଁ ସାଧାରଣ ଲୋକଙ୍କୁ କୌଣସି କାର୍ଯ୍ୟକରଣୀୟ ନାହିଁ।”ଏହି ସେବା ମାଧ୍ୟମରେ ଭବିଷ୍ୟତରେ ଭୂକମ୍ପ, ବନ୍ୟା, ଘୂର୍ଣ୍ଣିବାତ୍ୟା ଭଳି ଆପଦ ସମୟରେ ସମସ୍ତ ମୋବାଇଲ୍ ୟୁଜରଙ୍କୁ ଏକ ସମୟରେ ତୁରନ୍ତ ସତର୍କ ସନ୍ଦେଶ ପଠାଯିବ ।
ଇଟିଭି ଭାରତ, କଟକ

