ମନୋବଳ ଆଗରେ ହାରିଲା ଶାରୀରିକ ଅକ୍ଷମତା: ଗୋଡ଼ରେ ଲେଖି ମାଟ୍ରିକ ପରୀକ୍ଷା ଦେଲେ ଦିବ୍ୟାଙ୍ଗ ଛାତ୍ରୀ
ମାଲକାନଗିରି ଭୂମିୟା ସମ୍ପ୍ରଦାୟର ଭିନ୍ନକ୍ଷମ ଝିଅ ଲକ୍ଷ୍ମୀ ଖେମୁଡୁ ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି । ପ୍ରଥମ ଦିନ ପରୀକ୍ଷା ଭଲ ହେଇଛି । ମୁଁ ୧୦୦ରୁ ୭୦ ମାର୍କ ଆଣିବି ବୋଲି କହିଛନ୍ତି ।

Published : February 19, 2026 at 8:50 PM IST
ସ୍ପେଶାଲ ଷ୍ଟୋରୀ: ପଞ୍ଚାନନ ଦାଶ
ମାଲକାନଗିରି: ଦୃଢ ଇଚ୍ଛାଶକ୍ତି ଓ ମନୋବଳ ଆଗରେ ହାର ମାନେ ପ୍ରତିକୂଳ ପରିସ୍ଥିତି । ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି, 'ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଘଂୟତେ ଗିରିଂ' । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ମାଲକାନଗିରି ଭୂମିୟା ସମ୍ପ୍ରଦାୟର ଜଣେ ୧୫ ବର୍ଷର ଝିଅ ଲକ୍ଷ୍ମୀ ଖେମୁଡୁ । ଶରୀରରେ ଏକଧିକ ଅଙ୍ଗ ଜନ୍ମରୁ ଅକାମୀ । ନିଜେ ଉଠି ଦଣ୍ଡାୟମାନ ହେବାର ନାହିଁ ବଳ । ତଥାପି ହାର ମାନିନାହାଁନ୍ତି । ନିଜ ଗୋଡ଼ରେ କଲମ ଧରି ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି । ତାଙ୍କ ପାଇଁ ଏହା କେବଳ ସାଧାରଣ ପରୀକ୍ଷା ନୁହେଁ ବରଂ ନିଜ ସ୍ବପ୍ନ ଓ ସ୍ବାଭିମାନ ପାଇଁ ଲଢ଼େଇ । ଇଟିଭି ଭାରତର ସ୍ବତନ୍ତ୍ର ଉପସ୍ଥାପନାରେ ସାହାସୀ ଝିଅ ଲକ୍ଷ୍ମୀ ଖେମୁଡୁଙ୍କ ବିଷୟରେ ପଢନ୍ତୁ...
'ଶିକ୍ଷୟିତ୍ରୀ ହେବି'
ଏବେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଯାଇଛି । ସତୀଗୁଡା ସରକାରୀ (ଏମ୍ଏମ୍ଡି) ଉଚ୍ଚ ପ୍ରାଥମିକ ବାଳିକା ବିଦ୍ୟାଳୟରେ ପରୀକ୍ଷା ଦେଉଛନ୍ତି ଲକ୍ଷ୍ମୀ । ଗୁରୁବାର ସକାଳେ ପରିବାର ଲୋକେ ମୋଟରସାଇକେଲ୍ ଯୋଗେ ଲକ୍ଷ୍ମୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଆଣିଥିଲେ । ମନୋବଳ ଆଗରେ ହାର ମାନିଥିଲା ଶାରୀରିକ ଅକ୍ଷମତା । ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଦେଇ ଲକ୍ଷ୍ମୀ ଖେମୁଡୁ ହସ ହସ ମୁହଁରେ କହିଛନ୍ତି, “ପ୍ରଥମ ଦିନ ପରୀକ୍ଷା ଭଲ ହେଇଛି । ମୁଁ ୧୦୦ରୁ ୭୦ ମାର୍କ ଆଣିବି ବୋଲି ଆଶା କରୁଛି । ଆଗକୁ ଭଲ ପଢ଼ି ଶିକ୍ଷୟିତ୍ରୀ ହେବି ।”

'ଲକ୍ଷ୍ମୀଙ୍କ ପରିବାର'
ମାଲକାନଗିରି ସଦର ବ୍ଲକ୍ର ସିନ୍ଧିମାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଢେପଗୁଡା ଗ୍ରାମର ଦିନମଜୁରିଆ ରାଜମିସ୍ତ୍ରୀ ନାରାୟଣ ଖେମୁଡୁଙ୍କ ବଡ଼ ଝିଅ ଲକ୍ଷ୍ମୀ । ଜନ୍ମରୁ ଶାରୀରିକ ଭିନ୍ନକ୍ଷମ । ଚଳପ୍ରଚଳ ଓ ଯାତାୟାତ ପାଇଁ ହ୍ୱିଲଚେୟାର ହିଁ ଏକମାତ୍ର ମାଧ୍ୟମ । ତାଙ୍କ ସହିତ ପରିବାରରେ ଆଉ ତିନି ସାନ ଭାଇଭଉଣୀ ମଧ୍ୟ ଅଛନ୍ତି । ପରିବାରରେ ଆର୍ଥିକ ସମସ୍ୟା ଥିଲେ ମଧ୍ୟ ମା’ ବାପା କେବେ ଝିଅକୁ ବୋଝ ବୋଲି ମନେ କରିନାହାନ୍ତି ।
ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବାପା ପାଠ ପଢିଥିବା ବେଳେ ମା’ ସୁଭଦ୍ରା ଖେମୁଡୁ ନିରକ୍ଷର । ହେଲେ ଲକ୍ଷ୍ମୀଙ୍କର ଉଚ୍ଚଶିକ୍ଷା ଗ୍ରହଣ କରିବାର ଆଶା ଓ ଆଗ୍ରହକୁ ଦେଖି ଝିଅକୁ ଉଚ୍ଚ ଶିକ୍ଷିତା କରିବୁ ବୋଲି ବାପା-ମା ଦୃଢ଼ ସଙ୍କଳ୍ପ ନେଇଛନ୍ତି । ଲକ୍ଷ୍ମୀ ସିନ୍ଧିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢନ୍ତି ।

ଝିଅର ସ୍ବପ୍ନ ପୁରା କରିବେ ବାପା-ମା:
ଲକ୍ଷ୍ମୀଙ୍କ ବାପା ନାରାୟଣ ଖେମୁଡୁ କହିଛନ୍ତି, ‘ଲକ୍ଷ୍ମୀ ଜନ୍ମରୁ ଭିନ୍ନକ୍ଷମ । କିନ୍ତୁ ତାର ପଢ଼ିବା ଇଚ୍ଛାକୁ ଦେଖି ଆମେ ମନସ୍ଥ କରିଥିଲୁ ତାକୁ ପଢ଼ାଇବୁ ।’ ମା’ ସୁଭଦ୍ରାଙ୍କ କଥାରେ ମାତୃସ୍ନେହର ଦୃଢ଼ତା ସ୍ପଷ୍ଟ ବାରିହୁଏ । ‘ଝିଅର ସ୍ବପ୍ନ ସାକାର କରିବା ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତି କରି ଆସିଛୁ । ଆଗାମୀ ଦିନରେ ଯେଭଳି ପରିସ୍ଥିତି ଆସିଲେ ବି ଆମେ ଝିଅକୁ ଉଚ୍ଚ ଶିକ୍ଷିତା କରିବା ନିମନ୍ତେ ସମସ୍ତ ପ୍ରକାର ଚେଷ୍ଟା କରିବୁ’ ବୋଲି ଲକ୍ଷ୍ମୀଙ୍କ ମା’ ସୁଭଦ୍ରା ଖେମୁଡୁ କହିଛନ୍ତି ।

ଉଦାହରଣ ପାଲଟିଛନ୍ତି ଲକ୍ଷ୍ମୀ:
ସିନ୍ଧିମାଳ ବିଦ୍ୟାଳୟର ଶିକ୍ଷୟିତ୍ରୀ ବାସନ୍ତୀ ପାଟଲା କହିଛନ୍ତି, "ଲକ୍ଷ୍ମୀ ଅସାଧାରଣ ଦୃଢ଼ମନା ଛାତ୍ରୀ । ସେ କେବେ ସହଜରେ ହାର ମାନିବା ପିଲା ନୁହେଁ । ଯେଉଁ ପର୍ଯ୍ୟନ୍ତ କାର୍ଯ୍ୟଟି ସମ୍ପୂର୍ଣ୍ଣ ହେଇନି ସେ ଚେଷ୍ଟା ଜାରି ରଖିଥାଏ ।" ସେଣ୍ଟର ସୁପରେଟେଣ୍ଡେଣ୍ଟ ସୁଜାତା ନାୟକ ଲକ୍ଷ୍ମୀର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । "ସେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ | ଦୃଢ ଇଚ୍ଛାଶକ୍ତି ଥିଲେ ଅସମ୍ଭବକୁ ସମ୍ଭବ କରିହୁଏ, ତାହା ଲକ୍ଷ୍ମୀ ପ୍ରମାଣିତ କରିଛନ୍ତି" ବୋଲି ସେଣ୍ଟର ସୁପରେଟେଣ୍ଡେଣ୍ଟ କହିଥିଲେ ।

ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରହୀ କହିଛନ୍ତି, "ଜିଲ୍ଲାର ୪୩ଟି କେନ୍ଦ୍ରରେ ୯୩୦୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଲକ୍ଷ୍ମୀଙ୍କ ପାଇଁ ହ୍ୱିଲଚେୟାର ଓ ଅଲଗା କୋଠରୀରେ ବସି ପରୀକ୍ଷା ଦେବାର ସୁବିଧା ମଧ୍ୟ ରହିଛି ।"

ଇଟିଭି ଭାରତ, ମାଲକାନଗିରି

