ETV Bharat / state

ହାତୀ ମାରି ଫାର୍ମ ହାଉସରେ ପୋତିଦେବା ଘଟଣା; ଫରେଷ୍ଟର ନିଲମ୍ବିତ, ରେଞ୍ଜରଙ୍କୁ କାରଣ ଦର୍ଶାଅ ନୋଟିସ

କାର୍ଯ୍ୟରେ ଅବହେଳା ଲାଗି ଫରେଷ୍ଟରଙ୍କୁ ନିଲମ୍ବନ କରାଯିବା ସହ ବିନା ଅନୁମତିରେ ଢେଙ୍କାନାଳ DFOଙ୍କ କାର୍ଯ୍ୟାଳୟ ନ ଛାଡ଼ିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ-ଉର୍ମିଳା ପାତ୍ର

dhenkanal elephant killed and buried inside the farm house  Forester suspended, show cause notice to ranger
ହାତୀ ମାରି ଫାର୍ମ ହାଉସରେ ପୋତିଦେବା ଘଟଣା; ଫରେଷ୍ଟର ନିଲମ୍ବିତ, ରେଞ୍ଜରଙ୍କୁ କାରଣ ଦର୍ଶାଅ ନୋଟିସ (Etv Bharat)
author img

By ETV Bharat Odisha Team

Published : June 3, 2026 at 2:35 PM IST

1 Min Read
Choose ETV Bharat

ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳରେ ହାତୀ ମାରି ପୋତିଦେବା ଘଟଣାରେ ତତ୍ପରତା ଦେଖାଇଛି ବନ ବିଭାଗ । ଏନେଇ ହିନ୍ଦୋଳ ଫରେଷ୍ଟରଙ୍କୁ ନିଲମ୍ବିତ କରାଯାଇଥିବାବେଳେ ରେଞ୍ଜରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଅନୁଗୁଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ବା RCCF (Regional Chief Conservator of Forests. )

ବନ ବିଭାଗ ସୂଚନା ଅନୁସାରେ, ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ବନାଞ୍ଚଳର କାନ୍ଦରାଶୁଣିସ୍ଥିତ ଫାର୍ମ ହାଉସ୍ ଭିତରେ ଏକ ହାତୀକୁ ମାରି ପୋତି ଦିଆଯାଇଥିଲା । ଏହି ଘଟଣାରେ ବିଭାଗ ପକ୍ଷରୁ ହିନ୍ଦୋଳ ସେକ୍ସନ ଫରେଷ୍ଟର ଦୀପ୍ତିରଞ୍ଜନ ଆଚାର୍ଯ୍ୟଙ୍କୁ ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅବହେଳା ଲାଗି ଦୀପ୍ତିରଞ୍ଜନଙ୍କୁ ନିଲମ୍ବନ କରାଯାଇଥିବା କହିଛନ୍ତି ଅନୁଗୁଳ RCCF ଡକ୍ଟର ସଞ୍ଜୟ କୁମାର ସ୍ୱାଇଁ। ନିଲମ୍ବନ ଅବଧିରେ ଫରେଷ୍ଟର ଦୀପ୍ତିରଞ୍ଜନଙ୍କୁ ବିନା ଅନୁମତିରେ ଢେଙ୍କାନାଳ DFOଙ୍କ କାର୍ଯ୍ୟାଳୟ ନ ଛାଡ଼ିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

ବିଚାର ବିଭାଗୀୟ ହାଜତକୁ ଗଲେ ଗିରଫ 3 ଅଭିଯୁକ୍ତ

ଅପରପକ୍ଷରେ ହିନ୍ଦୋଳ ରେଞ୍ଜ ଅଫିସର ତ୍ରିଲୋଚନ ଦେହୁରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଅନୁଗୁଳ RCCF । ସେପଟେ ଏକ ମାମଲା ରୁଜୁ କରାଯାଇ ଗିରଫ କରାଯାଇଥିବା ଫାର୍ମ ହାଉସ ମାଲିକ ପ୍ରମୋଦ କୁମାର ରାଜ, ଜେସିବି ଅପରେଟର ହିନ୍ଦୋଳ ବନମାଳିପୁରର ସୁଧୀର ଭୁତିଆ ଓ ଫାର୍ମ ହାଉସର ଜଗୁଆଳି ମଧ୍ୟପ୍ରଦେଶ ପଟିଆ ଗୁଡା ଅଂଚଳର ରାଜୀବ ଚୌଧୁରୀଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଥିଲା ବନ ବିଭାଗ । ହେଲେ ହିନ୍ଦୋଳ ଏସଡିଜେମ କୋର୍ଟଙ୍କ ପକ୍ଷରୁ ଜାମିନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ହିନ୍ଦୋଳ ବନାଞ୍ଚଳର ଚରଣପୁର ନିକଟରେ ଏକ ହାତୀକୁ ସୋଲାର ଫେନସିଂ ବିଦ୍ୟୁତ ତାର ଲଗାଇ ମାରି ଦେବା ପରେ ଘଟଣାକୁ ଲୁଚାଇବାକୁ ଯାଇ ନିଜ ଫାର୍ମହାଉସ୍ ପରିସରରେ ହିଁ ପୋତି ଦେଇଥିଲେ ପ୍ରମୋଦ କୁମାର ରାଜ୍ ଓରଫ କୁବେର । ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଘଟଣାର ୫ ଦିନ ପରେ ଅର୍ଥାତ ସୋମବାର ବନ ବିଭାଗ ପକ୍ଷରୁ ଉକ୍ତ ଫାର୍ମ ହାଉସ ଉପରେ ଚଢ଼ାଉ କରାଯାଇଥିଲା । ଢେଙ୍କାନାଳ ଡିଏଫ୍ଓ ଓ ଅନୁଗୁଳ ଆରସିସିଏଫ ସଞ୍ଜୟ ସ୍ୱାଇଁ ସଦଳବଳେ ପହଞ୍ଚି ହାତୀର ମୃତଦେହକୁ ଖୋଳି ବାହାର କରିବା ସହ ହାତୀର ପୋଷ୍ଟମର୍ଟମ କରି ପୁଣି ଥରେ ତାକୁ ସେହି ସ୍ଥାନରେ ପୋତି ଦେଇଥିଲେ । ତେବେ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଅନୁଯାୟୀ ସମ୍ପୃକ୍ତ ଫାର୍ମ ହାଉସ୍ ମାଲିକଙ୍କ ସମେତ ଫାର୍ମ ହାଉସର ଜଗୁଆଳି ଓ ଏହି କାର୍ଯ୍ୟରେ ନିୟୋଜିତ ଜେସିବି ଅପରେଟରଙ୍କୁ ଗିରିଫ କରିଥିଲା ବନ ବିଭାଗ । ହାତୀଟି ଏକ ମାଖନା ହାତୀ ଯାହାର ଦାନ୍ତ ନଥାଏ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଇଟିଭି ଭାରତ, ଢେଙ୍କାନାଳ

ଏହା ମଧ୍ୟ ପଢନ୍ତୁ ଫାର୍ମ ହାଉସ ମାଲିକଙ୍କ ଅଜବ କାଣ୍ଡ: ହାତୀକୁ ମାରି ପୋତି ଦେଇଥିଲେ, ବନବିଭାଗର ଚଢ଼ଉ, ୩ ଗିରଫ୍

ଏହା ମଧ୍ୟ ପଢନ୍ତୁ ହିନ୍ଦୋଳ ବନାଞ୍ଚଳରେ ମାଈ ହାତୀ ସମେତ ସଦ୍ୟଜାତ ହାତୀ ଛୁଆର ମୃତ୍ୟୁ, ୪ ଦିନ ପରେ ପହଞ୍ଚିଲା ବନ ବିଭାଗ