ଢେଙ୍କାନାଳ ବେଢ଼ାପାଳରେ ଗୋଷ୍ଠୀ ସଂଘର୍ଷ: ଜମି ବିବାଦରୁ ମାଡ଼ପିଟ୍, ୧୮ ଆହତ
ସମସ୍ତ ଆହତ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦୁଇ ଜଣ ଗୁରୁତରଙ୍କୁ କଟକ ଏସିସବିକୁ ସ୍ଥାନନ୍ତର କରାଯାଇଛି । ରିପୋର୍ଟ- ଉର୍ମିଳା ପାତ୍ର

Published : September 1, 2026 at 5:34 PM IST
Dhenkanal Group Clash, ଢେଙ୍କାନାଳ: କାମାକ୍ଷାନଗର ଥାନା ଅନ୍ତର୍ଗତ ବେଢ଼ାପାଳ ଗାଁରେ ଗୋଷ୍ଠୀ ସଂଘର୍ଷ । ଜମି ବିବାଦରୁ ଚାଲିଲା ଠେଙ୍ଗା ବାଡ଼ି । ସଂଘର୍ଷରେ ୧୫ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ, ସେମାନଙ୍କୁ କଟକ ଏସିସବିକୁ ସ୍ଥାନନ୍ତର କରାଯାଇଛି । ସେପଟେ ପୁଣି ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରି ଶାନ୍ତି ଶୃଙ୍ଖଳା ଫେରାଇ ଆଣିବାକୁ ପୋଲିସ ପ୍ରୟାସ କରିଛି ।
ବିବାଦୀୟ ଜମିରେ ସୋଲାର ଫେନ୍ସିଂ ବାଡ଼ ଦେବାକୁ ନେଇ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବେଢ଼ାପାଳ ଗାଁରେ ଆଜି ସକାଳେ ଘଟିଛି ଏହି ଗୋଷ୍ଠୀ ସଂଘର୍ଷ । ଉଭୟ ଗୋଷ୍ଠୀର ଲୋକ ଠେଙ୍ଗା ବାଡ଼ି ଧରି ତୁମୁଳ ସଂଘର୍ଷ କରିଛନ୍ତି । ଫଳରେ ଉଭୟ ଗୋଷ୍ଠୀର ୧୫ରୁ ଉର୍ଧ୍ବ ଆହତ ହୋଇ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଥିବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଘଟଣା ପରେ ବେଢ଼ାପାଳରେ ଉଭୟ ଗୋଷ୍ଠୀ ମଧ୍ୟରେ ଛକ୍କା ପଞ୍ଝା ଜାରି ରହିଥିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା ।
ଖବରପାଇ କାମାକ୍ଷାନଗର ଥାନା ପକ୍ଷରୁ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ଗ୍ରାମରେ ପହଞ୍ଚି ଉଭୟ ଗୋଷ୍ଠୀ ଲୋକଙ୍କୁ ବୁଝା ସୁଝା ଜାରି ରଖିଛନ୍ତି । ଗ୍ରାମର ନିର୍ଦ୍ଧିଷ୍ଠ ଚାଷ ଜମିକୁ ନେଇ ଦଳିତ ଗୋଷ୍ଠୀ ଓ ସବର୍ଣ୍ଣ ଗୋଷ୍ଠୀଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା । ଯାହାକି କୋର୍ଟଙ୍କ ବିଚାରାଧୀନ ରହିଛି । ମାତ୍ର ଏହି ଚାଷ ଜମି ଚାରିପଟେ ସୋଲାର ଫେନ୍ସିଂ ବାଡ଼ ଦେବାକୁ ନିର୍ଦ୍ଧିଷ୍ଠ ଦଳିତ ଗୋଷ୍ଠୀର ଲୋକମାନେ ପ୍ରତିବାଦ କରିଆସୁଛନ୍ତି । ଏପରିକି ଗତ ରାତିରେ ଏହି ବାଡ଼କୁ ଉପାଡି ଦେଇଥିଲେ । ଏ ସମ୍ପର୍କରେ କେତେକ ଲୋକ ପଚାରି ଯାଇଥିବା ବେଳେ ଉଭୟଙ୍କ ମଧ୍ୟରେ ଏହି ସଂଘର୍ଷ ଘଟିଥିବା କୁହାଯାଉଛି । ପୁଣି କୌଣସି ଅପ୍ରୀତିକର ପରିସ୍ଥିତି ଆଶଙ୍କାରେ ଗ୍ରାମରେ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଜଣାପଡ଼ିଛି ।
ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର କହିଛନ୍ତି, "ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । କାମାକ୍ଷାନଗର ଥାନା ବୁଢ଼ାପାଳ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ଝାଟି ହୋଇଥିଲା । ୧୮ ଜଣ ଏଥିରେ ଆହତ ହୋଇଛନ୍ତି । ସମସ୍ତ ଆହତ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଗୋଟିଏ ଗୋଷ୍ଠୀର ଅଭିଯୋଗକୁ ନେଇ ଏକ ମାମଲା ରୁଜୁ ହୋଇଛି । ଅନ୍ୟ ଅଭିଯୋଗ ହେଲେ ପୋଲିସ ମାମଲା ଦାୟର କରି ତଦନ୍ତ କରିବ । ତେବେ ପୁନର୍ବାର କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ କଡ଼ା ନଜର ରଖିଛି । ସଙ୍ଘର୍ଷରେ ୨୦ ଜଣ ଲୋକଙ୍କୁ ଚିହ୍ନଟ କରି ତଦନ୍ତ ଜାରି ରଖିଛି ପୋଲିସ । ଆଗାମୀ ସମୟରେ ଗ୍ରାମରେ ପୋଲିସ ଫ୍ଲାଗ୍ ମାର୍ଚ୍ଚ କରିବା ସହିତ ଉଭୟ ଗୋଷ୍ଠୀଙ୍କୁ ନେଇ ଏକ ଶାନ୍ତି କମିଟି ମାଧ୍ୟମରେ ଶାନ୍ତି ଫେରାଇ ଆଣିବାକୁ ପୋଲିସ ପ୍ରୟାସ ଜାରି ରଖିଛି," ବୋଲି ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର ପ୍ରକାଶ କରିଛନ୍ତି ।
ଘଟଣାରେ ଆହତ ହୋଇଥିବା ବେଢ଼ାପାଳର କୈଳାଶ ଲେଙ୍କା କୁହନ୍ତି,"ସୋଲାର ଫେନସିଂ ପାଇଁ ଖୁଣ୍ଟି ପକାଇଥିଲୁ । ସକାଳେ ଦେଖିଲା ବେଳକୁ ଆମ ଖୁଣ୍ଟି ସବୁ ଉପାଡ଼ି ଦେଇଛନ୍ତି । ଅପର ଗୋଷ୍ଠୀ କି ଏନେଇ ପଚାରିବାକୁ ଯାଇଥିବା ବେଳେ ୧୦ରୁ୨୦ ଜଣ ଆମକୁ ଆକ୍ରମଣ କରିଥିଲେ । ଆମେ ନ୍ୟାୟ ଚାହୁଁଛୁ । ଏଭଳି ସ୍ଥିତି ଦୁଇ ବର୍ଷ ହେଲା ଲାଗି ରହିଛି । ଏହାର ସ୍ଥାୟି ସମାଧାନ ଚାହୁଁଛୁ ।"
ଏହା ମଧ୍ୟ ପଢ଼ନ୍ତୁ- 'ସୁଭଦ୍ରା' ଟଙ୍କା ପାଇଁ ନୃଶଂସ ସ୍ୱାମୀର ଉନ୍ମତ୍ତକାଣ୍ଡ; ପତ୍ନୀକୁ ହତ୍ୟା ପରେ ପୋତିଦେଲା ମୃତଦେହ !
ଏହା ମଧ୍ୟ ପଢ଼ନ୍ତୁ- ଯୁବକ ଆତ୍ମହତ୍ୟା ଘଟଣା: ମୃତଦେହ ରଖି କଣ୍ଟାନାଳୀ ବାଇପାସ୍ ନିକରେ NH ଅବରୋଧ କଲେ ବସ୍ତି ବାସିନ୍ଦା
ଇଟିଭି ଭାରତ, ଢେଙ୍କାନାଳ

