ଧର୍ମଶାଳାରେ ଗଣ୍ଡଗୋଳ; ଭୁବନେଶ୍ୱରରେ ଧାରଣା, ମୁହାଁମୁହିଁ ପୂର୍ବତନ ଓ ବର୍ତ୍ତମାନ ବିଧାୟକ
ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମର୍ଥକଙ୍କ ଉପରେ ମରଣାନ୍ତକ ଆକ୍ରମଣ । ଗତକାଲିଠୁ ଧାରଣାରେ ବିଜେଡି । ବିଧାୟକ କହିଲେ ଘଟଣା ନେଇ ରାଜନୈତିକ ରୋଟି ସେକିବା ଠିକ ନୁହେଁ ।

Published : December 15, 2025 at 7:16 PM IST
Dharmasala Vandalism Tense ଭୁବନେଶ୍ବର: ରାଜ୍ୟରେ ଜୋର ଧରିଛି ଯାଜପୁର ଜିଲ୍ଲା ଧର୍ମଶାଳା ରାଜନୀତି । ଧର୍ମଶାଳାର ପୂର୍ବତନ ଓ ବର୍ତ୍ତମାନର ବିଧାୟକଙ୍କ ମଧ୍ୟରେ ଚାଲିଥିବା ପତିଆରା ଲଢେଇ ଉଗ୍ର ରୂପ ଧାରଣ କରିଛି । ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ପନ୍ତୁରୀରେ ବିଧାୟକ ହିମାଂଶୁ ଶେଖର ସାହୁ ଓ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମର୍ଥକ ମୁହାଁମୁହିଁ ହୋଇଛନ୍ତି । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଏକାଧିକ ଲହୁଲୁହାଣ ହୋଇଥିବା ବେଳେ ଗାଡ଼ି ଭଙ୍ଗାରୁଜା ହୋଇଛି । ଯାହାକୁ ନେଇ ଗତକାଲି ରାତିରୁ ଭୁବନେଶ୍ୱରରେ ଥିବା ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସ ଆଗରେ ଧାରଣା ଦେଇଛି ବିଜୁ ଜନତା ଦଳ । ସେପଟେ ବିଜେଡି ପକ୍ଷରୁ ଅଣାଯାଇଥିବା ଅଭିଯୋଗର ଜବାବ ରଖିଛନ୍ତି ଧର୍ମଶାଳା ବିଧାୟକ ।
ପରିସ୍ଥିତି ଅସମ୍ଭାଳ ହେବ: ବିଜେଡିର ଚେତାବନୀ
ଧର୍ମଶାଳାର ଗଡ଼ମଧୁପୁର ପଞ୍ଚାୟତ ପନ୍ତୁରୀରେ ଥିବା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ବଣଭୋଜିର ଆୟୋଜନ କରାଯାଇଥିଲା । ପ୍ରଣବଙ୍କ କିଛି ସମର୍ଥକ ଉକ୍ତ ଭୋଜିରେ ସାମିଲ ଥିଲେ । ଭୋଜି ସମୟରେ କିଛି ଲୋକ ଆସି ଆକ୍ରମଣ କରିଥିଲେ । ଏହି ଘଟଣାରେ ଧର୍ମଶାଳା ବିଧାୟକଙ୍କୁ ସମ୍ପୃକ୍ତି ଅଭିଯୋଗ କରିଛି ବିଜେଡି । ବିଧାୟକଙ୍କ ଗିରଫ ଦାବିରେ ଗତକାଲି ରାତିରୁ ବିଜେଡି ପକ୍ଷରୁ ଡିଜିପି କ୍ୟାମ୍ପ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି । ବିଧାୟକଙ୍କ ସମର୍ଥକମାନେ ଧର୍ମଶାଳାରେ ଗୁଣ୍ଡାରାଜ ଚଳାଇ ଆସୁଥିଲେ ମଧ୍ୟ ପୋଲିସ ଚୁପ ରହୁଛି ବୋଲି ବିଜେଡି ଅଭିଯୋଗ କରିଛି । ବିନା କାରଣରେ ଭୋଜି କରୁଥିବା ବିଜେଡି କର୍ମୀମାନଙ୍କ ଉପରେ ବିଧାୟକଙ୍କ ପ୍ରରୋଚନାରେ ତାଙ୍କ ସମର୍ଥକ ଆକ୍ରମଣ କରିଛନ୍ତି । ତେଣୁ ଡିଜିପି ଘଟଣା ଉପରେ ଅନୁଧ୍ୟାନ କରି ତୁରନ୍ତ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଦାବି କରିଛି । ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ ତେବେ ଆଗକୁ ପରିସ୍ଥିତି ଅସମ୍ଭାଳ ହେବ ବୋଲି ବିଜେଡି ନେତା ପ୍ରୀତି ରଞ୍ଜନ ଘଡେଇ ଚେତାବନୀ ଦିଆଯାଇଛି ।

ବିଧାୟକ ହିମାଂଶୁଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ:
ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ କହିଛନ୍ତି, "ଗତକାଲି (ରବିବାର) ଅପରାହ୍ନ ସମୟରେ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସମର୍ଥକ ମୋ କ୍ୟାମ୍ପସ ମଧ୍ୟକୁ ପଶିଥିଲେ । ସେଠାରେ ଯେଉଁମାନେ ଥିଲେ, ସେମାନଙ୍କୁ ଆକ୍ରମଣ କରିଥିଲେ । ମା ଓ ମହିଳାମାନଙ୍କୁ ମଧ୍ୟ ଛାଡିଲେ ନାହିଁ । ଗୋଡେଇ ଗୋଡେଇ ମାଡ ମାରିଥିଲେ । ସେମାନେ ଭୟରେ ଘରେ ପଶିଯାଇଥିଲେ, ତଥାପି ଘରେ ପଶି ସେମାନଙ୍କୁ ଆକ୍ରମଣ କରିଥିଲେ । ବର୍ବରଚିତ ଭାବେ ଆକ୍ରମଣ କରିଛନ୍ତି । ଧର୍ମଶାଳାରେ ଅରାଜକତା ଚାଲିଛି । ମା'ମାନେ ସୁରକ୍ଷିତ ନୁହଁନ୍ତି । ଖାଲି ଏ ଘଟଣା ନୁହେଁ, ବିଗତ ଦିନରେ ଏମିତି ଅନେକ ଘଟଣା ମଧ୍ୟ ଘଟିଛି । ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ସେଥିପାଇଁ ଏଭଳି ଘଟଣା ଘଟି ଚାଲିଛି । ଡିଜିଙ୍କ କ୍ୟାମ୍ପ ଅଫିସରେ ଆମେ ଏଡିଜିଙ୍କୁ ଅଭିଯୋଗ ପତ୍ର ଦେଇଛୁ । ପ୍ରତିଶ୍ରୁତି ମିଳିଛି କାର୍ଯ୍ୟାନୁଷ୍ଠାନ ହେବ । କିନ୍ତୁ ବିଗତ ଦିନର ଅଭିଜ୍ଞତା ଅଛି, କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ତେଣୁ କାର୍ଯ୍ୟାନୁଷ୍ଠାନ ହେବା ପର୍ଯ୍ୟନ୍ତ ଡିଜି ଅଫିସ ଆଗରେ ଧାରଣାରେ ବସି ରହିବୁ ।"
ମୁହଁ ଖୋଲିଲେ ହିମାଂଶୁ:
ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ କହିଛନ୍ତି, "ମୁଁ ଆଇନରୁ ଉପରେ ନୁହେଁ । ପୂର୍ବତନ ବିଧାୟକଙ୍କ ଫାର୍ମ ହାଉସରେ ବଣଭୋଜି ଆୟୋଜନ ଓ ସେଠାରେ ଗଣ୍ଡଗୋଳ କଥା ମୁଁ ସୋସିଆଲ ମିଡିଆ ଓ ଗଣମାଧ୍ୟମରୁ ଜାଣିଲି । ପ୍ରଥମେ ପୂର୍ବତନ ବିଧାୟକଙ୍କ ସହଯୋଗୀ ଜଣଙ୍କୁ ବାଡେଇଲେ, ତାଙ୍କ ମୁଣ୍ଡ ଫାଟିଛି । ସେ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି । ପରେ ଏମାନଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ପୋଲିସ ତା' ହିସାବରେ କାମ କରିବ । ଦୋଷୀ ନିଶ୍ଚୟ ଗିରଫ ହେବେ । ଅଞ୍ଚଳର ଏହି ଘଟଣା ପାଇଁ ଥାନା ଓ ଏସପି ଅଛନ୍ତି । ଯାଜପୁର ଛାଡି ଡିଜିଙ୍କ ଅଫିସ ଆଗରେ ବସିବା ଏକ ପାଗଳାମୀ । ଧର୍ମଶାଳାର ଜନସାଧାରଣଙ୍କ ଲାଗି ମୁଁ ସଦା ସର୍ବଦା ଛିଡା ହୋଇଛି । ଯେଉଁମାନେ ମାଡ଼ ଖାଇଛନ୍ତି ଓ ମାଡ଼ ମାରିଛନ୍ତି, ସେମାନେ ସମସ୍ତେ ଧର୍ମଶାଳାର ଲୋକ । ଏଥିପାଇଁ ମୁଁ ମର୍ମାହତ । ଏଭଳି ଘଟଣା ଯେମିତି ନଘଟେ ସେଥିପାଇଁ ମୁଁ ଥାନା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଏସପିଙ୍କ ପର୍ଯ୍ୟନ୍ତ କଥା ହୋଇଛି । ଯେଉଁମାନେ ଦୋଷୀ ସେମାନଙ୍କୁ ଗିରଫ କରାଯାଉ । ଏହାକୁ ନେଇ ରାଜନୈତିକ ରୋଟି ସେକିବା ଠିକ ନୁହେଁ ।"

ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା:
ଧର୍ମଶାଳା ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ରାଜ୍ୟରେ ଯେଉଁଠି ଆଇନ ଶୃଙ୍ଖଳା ବ୍ୟାହତ ହେଉଛି, ସେଠାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଦୋଷୀଙ୍କୁ ଗିରଫ କରାଯାଉଛି । ଧର୍ମଶାଳାରେ ଯାହା ବି ଘଟଣା ଘଟିଛି, ପୋଲିସ ସ୍ୱାଧୀନ ଭାବେ କୌଣସି ଚାପଗ୍ରସ୍ତ ନହୋଇ ଆବଶ୍ୟକ ପଦକ୍ଷେପ ନେବ ବୋଲି ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ଏହାକୁ ନେଇ ରାଜନୀତିକରଣ କରିବା ଆବଶ୍ୟକ ନୁହେଁ । ନିଜର ରାଜନୈତିକ ଅସ୍ତିତ୍ୱ ରକ୍ଷା କରିବା ପାଇଁ କିଏ ଆନ୍ଦୋଳନ କରିପାରନ୍ତି । ଧର୍ମଶାଳାର ପୂର୍ବତନ ବିଧାୟକ ଯେଉଁ ପ୍ରସଙ୍ଗ ଉଠାଉଛନ୍ତି, ସେ ବାବଦରେ ପୋଲିସ ଯାହା ଯଥୋଚିତ କାମ କରିବା କଥା କରିବ ।"

ବିଜେଡିର ବିକ୍ଷୋଭରେ ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ କୁମାର ଦାସବର୍ମା, ବିଧାୟକ ଅରୁଣ ସାହୁ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ସ୍ନେହାଙ୍ଗିନୀ ଛୁରିଆ, ବିଧାୟିକା ପ୍ରମିଳା ମଲ୍ଲିକ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ସମ୍ବିତ ରାଉତରାୟଙ୍କ ସମେତ ଆହତ କର୍ମୀ, ତାଙ୍କ ପରିବାର ସଦସ୍ୟ ଓ ବହୁ ନେତା ସାମିଲ ହୋଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର

