ETV Bharat / state

ଶ୍ରୀମନ୍ଦିରରେ ଖୁବଶୀଘ୍ର ଆରମ୍ଭ ହେବ ଧାଡ଼ି ଦର୍ଶନ, ସୁବିଧାରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ

ଆଗାମୀ ଏକ ସପ୍ତାହ ମଧ୍ୟରେ ପରୀକ୍ଷା ମୂଳକ ଭାବେ ଏହି ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯିବ । ଭୁବନେଶ୍ୱର ଆଇଆଇଟି ପକ୍ଷରୁ ବିଭିନ୍ନ ମଡେଲ ପ୍ରଦର୍ଶିତ । ରିପୋର୍ଟ- ଶକ୍ତି ପ୍ରସାଦ ମିଶ୍ର

JAGANNATH TEMPLE DHADI DARSHAN
ଶ୍ରୀମନ୍ଦିରରେ ଖୁବଶୀଘ୍ର ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା (ETV Bharat Odisha)
author img

By ETV Bharat Odisha Team

Published : August 25, 2026 at 8:39 PM IST

3 Min Read
Choose ETV Bharat

ପୁରୀ: ଶ୍ରୀମନ୍ଦିରରେ ଖୁବଶୀଘ୍ର ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା । ଧାଡିରେ ଯାଇ ସୁବିଧାରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ । ପ୍ରଥମେ ପରୀକ୍ଷା ମୂଳକ ଭାବେ କରାଯାଇ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରାଯିବ । ସେପଟେ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା ପାଇଁ ସେବାୟତଙ୍କ ପରାମର୍ଶ ନେଇ ପଦକ୍ଷେପ ନେବାକୁ କହିଲେ ସେବାୟତ ।

ଶ୍ରୀମନ୍ଦିରରେ ଖୁବଶୀଘ୍ର ଆରମ୍ଭ ହେବ ଧାଡ଼ି ଦର୍ଶନ, ସୁବିଧାରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ (ETV Bharat Odisha)

ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ:

ଶ୍ରୀମନ୍ଦିରରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଦିନରେ ଶ୍ରୀମନ୍ଦିରରେ ହେବ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା । ସାତ ପାହାଚ ଦେଇ ଭକ୍ତ ପ୍ରବେଶ କରିବେ । ନାଟ ମଣ୍ଡପରେ ପଡ଼ିବାକୁ ଥିବା ୫ଟି ରାମ୍ପରେ ଚଢ଼ି ମହାପ୍ରଭୁଙ୍କୁ ଦର୍ଶନ କରିବେ । ଆଗାମୀ ଏକ ସପ୍ତାହ ମଧ୍ୟରେ ପରୀକ୍ଷା ମୂଳକ ଭାବେ ଏହି ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯିବ । ଏହାକୁ ସମୀକ୍ଷା କରାଯାଇ ଆଗାମୀ ୨ରୁ ୩ ମାସ ମଧ୍ୟରେ ଶ୍ରୀମନ୍ଦିରରେ ଏହି ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଯିବ । ଯାହା ଦ୍ବାରା ଗୋଟିଏ ଘଣ୍ଟାରେ ୮ରୁ ୧୦ ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ।

JAGANNATH TEMPLE DHADI DARSHAN
ଶ୍ରୀମନ୍ଦିରରେ ଖୁବଶୀଘ୍ର ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା (ETV Bharat Odisha)

ଧାଡ଼ି ଦର୍ଶନକୁ ସ୍ବାଗତ କଲେ ଭକ୍ତ:

ମଧ୍ୟପ୍ରଦେଶରୁ ଆସିଥିବା ଜଣେ ଶ୍ରଦ୍ଧାଳୁ ଅଶୋକ ରାୟ କହିଛନ୍ତି," ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ନେଇ କୌଣସି ଧାଡ଼ି ଦର୍ଶନ ବ୍ୟବସ୍ଥା ନାହିଁ । ଏହା ଦ୍ଵାରା ଭକ୍ତଙ୍କ ମଧ୍ୟରେ ବହୁତ୍ ଠେଲା ପେଲା ହେଉଛି । ଅନେକ ସମୟରେ ବହୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ବେଳେ ଏଭଳି ପରିସ୍ଥିତି ଭଲ ଲାଗୁନି । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନଥିବାରୁ ପ୍ରବଳ ଭିଡ ଯୋଗୁଁ ମହିଳା, ଛୋଟ ପିଲା, ବୟସ୍କ ବ୍ୟକ୍ତି ଭିଡ ଭିତରେ ଦର୍ଶନ କରିବାରେ ବହୁତ୍ ସମସ୍ୟା ଭୋଗୁଛନ୍ତି । ପ୍ରବଳ ଠେଲାପେଲା ଯୋଗୁଁ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହେଉଛି । ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହେଉ । ଏହା ବହୁ ଦୂରରୁ ଆସିଥିବା ଭକ୍ତମାନେ ଟିକେ ଭଲରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ।

Jagannath Temple Puri
ଶ୍ରୀମନ୍ଦିରରେ ଖୁବଶୀଘ୍ର ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା (ETV Bharat Odisha)


ଆଇନ୍ ମନ୍ତ୍ରୀଙ୍କ ଅଧ୍ୟକ୍ଷତା ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ:


ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ କିଭଳି ସଠିକ୍ ଭାବରେ କାର୍ଯ୍ୟକାରୀ କରାଯାଇପାରିବ ସେନେଇ ଭୁବନେଶ୍ୱରରେ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ବିଭିନ୍ନ ମଡେଲ ପ୍ରଦର୍ଶିତ କରାଯାଇଥିଲା । ତେବେ ସବୁଠୁ ଭଲ ମଡେଲକୁ କିଭଳି କାର୍ଯ୍ୟକାରୀ କରାଯାଇପାରିବ ସେନେଇ ଆଲୋଚନା ହୋଇଥିଲା । ଶ୍ରୀମନ୍ଦିର ନାଟ ମଣ୍ଡପରେ ଏହି ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ସାତ ପାହାଚରୁ ଭିଡ଼ ନିୟନ୍ତ୍ରଣ କରାଯାଇ ଭକ୍ତଙ୍କୁ ଶୃଙ୍ଖଳିତ ଭାବେ ମନ୍ଦିର ପ୍ରବେଶ କରାଯିବା ସହ ଶୃଙ୍ଖଳିତ ଦର୍ଶନ ହୋଇପାରିବ । ତେବେ ଏହାକୁ କାର୍ଯ୍ୟକାରୀ କରାଯିବା ପୂର୍ବରୁ ଶ୍ରୀମନ୍ଦିର ଛତିଶା ନିଯୋଗ, ଶ୍ରୀମନ୍ଦିର ପରିଚାଳନା କମିଟି, ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଅନୁଧ୍ୟାନ କରାଯିବ ।

JAGANNATH TEMPLE DHADI DARSHAN
ଶ୍ରୀମନ୍ଦିରରେ ଖୁବଶୀଘ୍ର ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା (ETV Bharat Odisha)

ଏପରି କହିଲେ ସେବାୟତ...

ଶ୍ରୀମନ୍ଦିର ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି," ଶ୍ରୀମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ବ୍ୟବସ୍ଥା କିଭଳି ସଠିକ୍ ଭାବରେ କାର୍ଯ୍ୟକାରୀ ହୋଇପାରିବ ସେନେଇ ଅଭିଜ୍ଞ ସେବାୟତ ହୁଅନ୍ତୁ କି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ମତାମତ ନିଆଯାଇନାହିଁ । ଏବେ ଯେଭଳି ବ୍ୟବସ୍ଥାରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ସରକାର ଯୋଜନା କରୁଛନ୍ତି ଦର୍ଶନ ଆହୁରି ବିଳମ୍ବ ହେବ । ଆମେ ଚାହୁଁଛୁ ଭକ୍ତମାନେ ଭଲରେ ଦର୍ଶନ କରନ୍ତୁ । ହେଲେ କାଠ ରାମ୍ପ ଦ୍ଵାରା ଦର୍ଶନ ବ୍ୟବସ୍ଥା କରାଗଲେ ବହୁ ସମସ୍ୟା ସୃଷ୍ଟି ହେବ । ଏହାକୁ ଖୋଲିବା ଓ ଯୋଡ଼ିବା ପାଇଁ ବହୁତ୍ ସମୟ ଯିବ । ଏହା ହେଲେ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଳମ୍ବ ହେବ । ଯାହାଦ୍ୱାରା ଭକ୍ତମାନଙ୍କ ଦର୍ଶନ ବହୁତ୍ ବିଳମ୍ବ ହେବ । ଆମେ ସରକାରଙ୍କୁ ଅନୁରୋଧ କରିଥିଲୁ ପ୍ଲାଷ୍ଟିକରେ ରାମ୍ପ ବ୍ୟବସ୍ଥା ହେଉ। ଏହା ହାଲୁକା ହେବ । ଏହାକୁ ନେବା ଆଣିବା ସହଜ ହେବା ସହ କମ୍ ସମୟରେ ଏହାକୁ ଲଗାଯାଇ ପୁଣି ଖୋଲାଯାଇ ପାରିବ । ଏଣୁ ନାଟ ମଣ୍ଡପ ଭିତରେ ଯେଉଁ ରାମ୍ପ ବ୍ୟବସ୍ଥା ପାଇଁ ସରକାର ଯୋଜନା କରୁଛନ୍ତି, ତାହା କାଠ ବଦଳରେ ପ୍ଲାଷ୍ଟିକରେ ହେଉ । ଯାହା ଦ୍ଵାରା ଧାଡ଼ି ଦର୍ଶନ ବ୍ୟବସ୍ଥା ସୁଗମ ଓ ଶୃଙ୍ଖଳିତ ହୋଇପାରିବ ।

Jagannath Temple Puri
ଶ୍ରୀମନ୍ଦିରରେ ଖୁବଶୀଘ୍ର ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା (ETV Bharat Odisha)


୨୦୨୫ ମସିହା ସେପ୍ଟେମ୍ବର ୧୫ ତାରିଖରୁ ସରକାର ଶ୍ରୀମନ୍ଦିରର ନାଟ ମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିରେ ଦୁଇଟି ପ୍ରତିବନ୍ଧକ ଥିଲା ହୁଣ୍ଡି ସ୍ଥାନାନ୍ତର ଓ ଏସଓପି । ହୁଣ୍ଡି ସ୍ଥାନାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ସ୍ବୀକୃତି ଦେଇ ସାରିଛନ୍ତି । ହେଲେ ଏହା କେଉଁଠି ସ୍ଥାପନ ହେବ ସେନେଇ ସ୍ଥାନ ଚିହ୍ନଟ ହୋଇନାହିଁ । ହୁଣ୍ଡି ସ୍ଥାନାନ୍ତର ନ ହେବା ଯାଏଁ ନାଟ ମଣ୍ଡପରେ ରାମ୍ପ ପକାଯାଇ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିବ ନାହିଁ । ଧାଡ଼ି ଦର୍ଶନ ପାଇଁ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି । ହେଲେ ଏ ପର୍ଯ୍ୟନ୍ତ ଏସଓପି ପ୍ରସ୍ତୁତ ହୋଇନାହିଁ ।

JAGANNATH TEMPLE DHADI DARSHAN
ଶ୍ରୀମନ୍ଦିରରେ ଖୁବଶୀଘ୍ର ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା (ETV Bharat Odisha)

ଭୁବନେଶ୍ୱର ଆଇଆଇଟି ପକ୍ଷରୁ ବିଭିନ୍ନ ମଡେଲ ପ୍ରଦର୍ଶିତ ହୋଇଛି: ପୁରୀ ଜିଲ୍ଲାପାଳ

ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି," ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଛି । ନାଟ ମଣ୍ଡପରେ କିଭଳି ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିବ ସେନେଇ ଭୁବନେଶ୍ୱର ଆଇଆଇଟି ପକ୍ଷରୁ ବିଭିନ୍ନ ମଡେଲ ପ୍ରଦର୍ଶିତ ହୋଇଥିଲା । ଆମେ ସେବାୟତଙ୍କ ସହ ଏନେଇ ଆଲୋଚନା କରିବୁ । ତାଙ୍କ ପରାମର୍ଶକୁ ଆଧାର କରି ଏହି ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଧାଡ଼ି ଦର୍ଶନ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ପୂର୍ବରୁ ଏନେଇ ପରୀକ୍ଷା ମୂଳକ ଭାବେ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ । ମହାପ୍ରଭୁଙ୍କ ଯେଭଳି ନୀତିକାନ୍ତି ବାଧା ନ ଉପୁଜେ ସେନେଇ ଦୃଷ୍ଟି ଦିଆଯିବ । ସବୁ ଦିଗକୁ ଦୃଷ୍ଟିରେ ରଖାଯାଇ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ।

ଏହା ମଧ୍ୟ ପଢନ୍ତୁ... ୩ ରୁ ୪ ମାସ ଭିତରେ ଆରମ୍ଭ ହେବ ଧାଡ଼ି ଦର୍ଶନ, ସାନିଧ୍ୟ ଲାଭ କରିବେ ଘଣ୍ଟାରେ ୮ ରୁ୧୦ ହଜାର ଭକ୍ତ

ଏହା ମଧ୍ୟ ପଢନ୍ତୁ... ଶ୍ରୀମନ୍ଦିର ନାଟ ମଣ୍ଡପରେ ଘୁଞ୍ଚି ଘୁଞ୍ଚି ଯାଉଛି ଧାଡ଼ି ଦର୍ଶନ ବ୍ୟବସ୍ଥା, ବାରମ୍ବାର ବିଳମ୍ବରେ ଅସନ୍ତୋଷ ଭକ୍ତ

ଇଟିଭି ଭାରତ, ପୁରୀ