ETV Bharat / state

ଆଗକୁ ହୋଲି ସମେତ ଗୁରୁତ୍ୱପୂର୍ଣ୍ଣ ପର୍ବପର୍ବାଣୀ; ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ ପାଇଁ ଡିଜିପିଙ୍କ ନିର୍ଦ୍ଦେଶ

ରାଜ୍ୟ ପୋଲିସ ମୁଖ୍ୟାଳୟରେ ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

DGP Khurania Reviews Law And Order
ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ (ETV Bharat)
author img

By ETV Bharat Odisha Team

Published : February 27, 2026 at 10:42 PM IST

2 Min Read
Choose ETV Bharat




ଭୁବନେଶ୍ୱର: ରାଜ୍ୟରେ ଆସନ୍ତା କିଛିଦିନ ମଧ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ ପର୍ବପର୍ବାଣୀ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ମାର୍ଚ୍ଚ ୩ ତାରିଖରେ ଦୋଳ ପୂର୍ଣିମା, ୪ରେ ହୋଲି, ୨୧ରେ ଇଦ-ଉଲ-ଫିତର, ୨୭ରେ ଶ୍ରୀରାମ ନବମୀ, ଅପ୍ରେଲ ୧୪ ତାରିଖରେ ହନୁମାନ ଜୟନ୍ତୀ ଏବଂ ମହା ବିଷୁବ ସଂକ୍ରାନ୍ତି ପାଳିତ ହେବ । ଏହି ପରିପ୍ରେକ୍ଷୀରେ ରାଜ୍ୟବାସୀଙ୍କ ନିରାପତ୍ତା ତଥା ସୁରକ୍ଷାକୁ ଦୃଷ୍ଟିରେ ରାଜ୍ୟ ପୋଲିସ ବ୍ୟାପକ ପ୍ରସ୍ତୁତି କରିଛି । ତେବେ ପର୍ବପର୍ବାଣୀ ସମୟରେ ବିଶେଷକରି ସୋସିଆଲ ମିଡିଆରେ ଗୁଜବ, ବିଭ୍ରାନ୍ତିକର ଓ ଉତ୍ତେଜନାମୂଳକ ପ୍ରଚାର ରୋକିବା ପାଇଁ ତଥ୍ୟ ସଂକ୍ରାନ୍ତରେ ସବୁବେଳେ ନଜର ରଖିବା ଉପରେ ଡିଜିପି ଗୁରୁତ୍ଵ ଦେଇଛନ୍ତି ।

ଏନେଇ ଆଜି (ଶୁକ୍ରବାର) ରାଜ୍ୟ ପୋଲିସ ମୁଖ୍ୟାଳୟରେ ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ସମସ୍ତ ପର୍ବପର୍ବାଣୀଗୁଡିକୁ ଶୃଙ୍ଖଳିତ, ଶାନ୍ତିପୂର୍ଣ ପରିବେଶରେ ପାଳନ କରାଯିବା ଲାଗି ଡିଜିପି ଖୁରାନିଆ ବରିଷ୍ଠ ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏସବୁ ପର୍ବପର୍ବାଣୀ ଅବସରରେ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବା ଉପରେ ଡିଜିପି ବୈଠକରେ ଗୁରୁତ୍ଵାରୋପ କରିଥିଲେ।ବିଶେଷକରି ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଗୁଜବ, ବିଭ୍ରାନ୍ତିକର ଓ ଉତ୍ତେଜନାମୂଳକ ପ୍ରଚାର ରୋକିବା ପାଇଁ ତଥ୍ୟ ସଂକ୍ରାନ୍ତରେ ସଦାସର୍ବଦା ନଜର ରଖିବା ଉପରେ ଗୁରୁତ୍ଵ ଦେଇଥିଲେ । ଏଥିପାଇଁ ଜିଲ୍ଲାଗୁଡିକରେ କାର୍ଯ୍ୟ କରୁଥିବା ସାଇବର ସେଲ ଦ୍ଵାରା ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ୨୪ ଘଣ୍ଟିଆ ପାଟ୍ରୋଲିଂ କରିବାକୁ ଡିଜିପି ପରାମର୍ଶ ଦେଇଛନ୍ତି । ଏହାବ୍ୟତୀତ ସମ୍ବେଦନଶୀଳ ସ୍ଥାନଗୁଡିକରେ ପୋଲିସ ପାଟ୍ରୋଲିଂ, କଡାକଡି ଚେକିଂ, ଶୋଭାଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା, ସହରର ସମ୍ବେଦନଶୀଳ ସ୍ଥାନ ଗୁଡିକରେ ସିସିଟିଭି ସ୍ଥାପନ, ଗୁଇନ୍ଦା ସୂଚନା ସଂଗ୍ରହ, ଶାନ୍ତି କମିଟି ଗଠନ ସହ ବିଭିନ୍ନ ଗୋଷ୍ଠୀମାନଙ୍କ ସହ ବୈଠକ, ସ୍ଥାନୀୟ ଲୋକପ୍ରତିନିଧିମାନଙ୍କ ସହ ସୁସମ୍ପର୍କ ସ୍ଥାପନ, ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସମସ୍ତ ଜିଲ୍ଲା ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

DGP Khurania Reviews Law And Order
ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ (ETV Bharat)
ସେହିପରି ନିଶାସକ୍ତ ଗାଡିଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଟ୍ରାଫିକ ଉଲଂଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ଡି.ଜେ. ଶବ୍ଦ ପ୍ରଦୁଷଣ ଉପରେ କଟକଣା, ଗୁଜବକାରୀଙ୍କୁ ଚିହ୍ନଟ, ପଦଯାତ୍ରା ଏବଂ ବାଇକ ରାଲି ସମୟରେ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାର ଏସପି ତଥା ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ଏହାସହ ଯେକୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ସବୁବେଳେ ପ୍ରସ୍ତୁତ ରହିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଏଡିଜି (ଆଧୂନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଆଇଜି (ପର୍ସୋନେଲ) ଏସ. ପ୍ରବୀଣ କୁମାର, ଡିଆଇଜି (ପ୍ରୋଭିଜନିଂ) ଚରଣ ସିଂ ମିନା, ଡିଆଇଜି (ପର୍ସୋନେଲ) ଯୁଗଳ କିଶୋର କୁମାର ବନୋଥଙ୍କ ସମେତ ଆଭାସୀ ମାଧ୍ୟମରେ ସମସ୍ତ ରେଞ୍ଜ ଆଇଜି/ ଡିଆଇଜି ଏବଂ ସବୁ ଜିଲ୍ଲାର ଏସପି ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ- ଫେକ୍ ଟ୍ରେଡିଂ ଆଳରେ ସାଇବର ଠକେଇ; ପୃଥକ ମାମଲାରେ ଦମ୍ପତିଙ୍କ ସମେତ ୩ ଜଣ ଗିରଫ

ଇଟିଭି ଭାରତ, ଭୁବନେଶ୍ୱର