ଉଚ୍ଚତା କମ୍ କିନ୍ତୁ ଆଶା ଉଚ୍ଚ; ଶାରୀରିକ ପ୍ରତିବନ୍ଧକ ସତ୍ତ୍ୱେ ଦେଉଛନ୍ତି ମାଟ୍ରିକ ପରୀକ୍ଷା
ଢେଙ୍କାନାଳ ଜିଲ୍ଲାର ସୁନୀତା ନାୟକ । ଦୃଢ଼ ମନୋବଳ ଆଗରେ ହାର ମାନିଛି କମ୍ ଉଚ୍ଚତା । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇ ସେ ଉଚ୍ଚ ଶିକ୍ଷିତା ହେବାକୁ ଆଶା ରଖିଛନ୍ତି ।

Published : February 27, 2026 at 2:08 PM IST
|Updated : February 27, 2026 at 3:05 PM IST
ରିପୋର୍ଟ: ଉର୍ମିଳା ପାତ୍ର
ଢେଙ୍କାନାଳ: ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଉଚ୍ଚତା । ପାଠ ପଢ଼ିବେ, ଉଚ୍ଚ ଶିକ୍ଷିତ ହେବେ । କଥା କହିପାରନ୍ତି କି ଶୁଣି ବି ପାରନ୍ତିନି । ତଥାପି, ଶାରୀରିକ ପ୍ରତିବନ୍ଧକ ସତ୍ତ୍ୱେ ସେ ତାଙ୍କ ପାଠପଢ଼ା ଜାରି ରଖିଛନ୍ତି । ଆଉ ଚଳିତ ବର୍ଷ ସେ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ମନୋବଳ ଦୃଢ଼ ଥିଲେ ଶାରୀରିକ ଅକ୍ଷମତା ବାଧକ ସାଜିପାରିବ ନାହିଁ । ଯାହାର ଉଦାହରଣ ହେଉଛନ୍ତି, ଛାତ୍ରୀ ସୁନୀତା ନାଏକ ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସାରୁଆଳି ଗ୍ରାମର ସୁନୀତା ନାଏକ । ସୁନୀତାଙ୍କ ଉଚ୍ଚତା ମାତ୍ର ଦେଢ଼ ଫୁଟ (1.5 ଫୁଟ) । କଥା କହିପାରନ୍ତି ନାହିଁ କି ଶୁଣିପାରନ୍ତି ନାହିଁ । ଜନ୍ମରୁ ବାକ୍ ଓ ଶ୍ରବଣ ଶକ୍ତି ହରାଇଛନ୍ତି । ମହୁଲପାଳ ପଞ୍ଚାୟତ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟରେ ସେ ଦଶମ ଶ୍ରେଣୀରେ ପଢ଼ୁଛନ୍ତି । ଚଳିତ ବର୍ଷ ସେ କାନପୁରା ସ୍ଥିତ ପଞ୍ଚାୟତିରାଜ ହାଇସ୍କୁଲ କେନ୍ଦ୍ରରେ ନିଜର ଦଶମ ବୋର୍ଡ ପରୀକ୍ଷା ଦେଉଛନ୍ତି ।
କେମିତି ଦେଉଛନ୍ତି ପରୀକ୍ଷା:
ସୁନୀତା କଥା କହିବା କିମ୍ବା ଶୁଣିପାରୁ ନଥିବାରୁ ସେ ଠାର ବା ଇସାରା ମାଧ୍ୟମରେ ନିଜର ଉତ୍ତର ଜଣାଉଛନ୍ତି । ପରୀକ୍ଷା କେନ୍ଦ୍ରରେ ତାଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କ ସମ୍ପର୍କୀୟ ଭାଇ ସ୍କ୍ରାଇବ୍ ବା ସହଯୋଗୀ ଲେଖକ ଭାବରେ ପରୀକ୍ଷା ଖାତାରେ ଉତ୍ତର ଲେଖୁଛନ୍ତି । ଲେଖିବାରେ ସହଯୋଗ କରୁଥିବା ନବମ ଶ୍ରେଣୀ ଛାତ୍ର ପ୍ରତାପ ନାଏକ କହିଛନ୍ତି, "ମୋ ଭଉଣୀ ଜଣେ ଭିନ୍ନକ୍ଷମ । ତାଙ୍କ ପାଇଁ ମୁଁ ପରୀକ୍ଷାରେ ଉତ୍ତର ଲେଖୁଛି । ସେ ଠାରରେ ଯାହା ମୋତେ କୁହନ୍ତି ମୁଁ ତାକୁ ପରୀକ୍ଷା ଖାତାରେ ଲେଖିଥାଏ ।"
ସୁନିତାଙ୍କ ସାହାର ମାଆ ସଞ୍ଜୁ:
ସେପଟେ ପ୍ରାୟ 12 ବର୍ଷ ତଳେ ସୁନୀତାଙ୍କ ବାପାଙ୍କର ଦେହାନ୍ତ ହୋଇଯାଇଥିଲା । ସେବେଠାରୁ ସୁନୀତାଙ୍କୁ ତାଙ୍କ ମାଆ ସଞ୍ଜୁ ନାଏକ ହିଁ ତାଙ୍କୁ ସ୍କୁଲକୁ ନେଇ ଛାଡ଼ିବା ସହ ଏବେ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କରୁଛନ୍ତି । ବାପା ଛେଉଣ୍ଡ ଝିଅକୁ ମଣିଷ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ମାଆ । ସୁନିତାଙ୍କ ସଂଘର୍ଷମୟ ଯାତ୍ରାରେ ତାଙ୍କ ସାହାର ସାଜିଛନ୍ତି ମାଆ ସଞ୍ଜୁ ।
ସୁନୀତାଙ୍କ ମାଆ ସଞ୍ଜୁ ନାଏକ କହିଛନ୍ତି, "ମୋ ଝିଅ ଦଶମ ପରୀକ୍ଷା ଦେଉଛି । ଝିଅ ଠାରରେ କହୁଛି । ମୋ ପୁତୁରା ତା ପାଇଁ ପରୀକ୍ଷାରେ ଲେଖି ଦେଉଛି । 12 ପୂର୍ବରୁ ମୋ ସ୍ବାମୀଙ୍କ ମୃତ୍ୟୁ ପରେ ମୁଁ ତାକୁ ସ୍କୁଲ ନେଇ ଛାଡିବାକୁ ଯାଏ । ତାର ପାଠପଢ଼ାରେ ଆଗ୍ରହ ରହିଛି ।"
ଏହା ମଧ୍ୟ ପଢ଼ନ୍ତୁ... ମନୋବଳ ଆଗରେ ହାରିଲା ଶାରୀରିକ ଅକ୍ଷମତା: ଗୋଡ଼ରେ ଲେଖି ମାଟ୍ରିକ ପରୀକ୍ଷା ଦେଲେ ଦିବ୍ୟାଙ୍ଗ ଛାତ୍ରୀ |
ଇଟିଭି ଭାରତ, ଢେଙ୍କାନାଳ

