ଗଞ୍ଜାମର ନିଆରା ଡ଼େରା ବେଶ, କାହିଁକି ଗାଁ ଦାଣ୍ଡରେ ବଡ଼ କାଠ ମୂର୍ତ୍ତିକୁ ଡେରାଯାଏ ?
ଭଞ୍ଜନଗର ବଡ଼କୋଦଣ୍ଡା ଗାଁର 12 ଶହ ବର୍ଷର ପୁରାତନ ପରମ୍ପରା ହେଲା 'ଡେରା ବେଶ' । ଏହି ବେଶ ହେଉଛି ଏସିଆ ମହାଦେଶର ବୃହତ୍ତମ କଣ୍ଢେଇ ମୂର୍ତ୍ତି ବୋଲି ବିଶ୍ବାସ ରହିଛି ।

Published : November 7, 2025 at 8:13 PM IST
ସ୍ପେଶାଲ ଷ୍ଟୋରୀ: ସମୀର ଆଚାର୍ଯ୍ୟ
ବ୍ରହ୍ମପୁର: କଳା, ସଂସ୍କୃତି ଏବଂ ପରମ୍ପରାର ଗନ୍ତାଘର ହେଉଛି ଗଞ୍ଜାମ ଜିଲ୍ଲାର ଘୁମୁସର ଅଞ୍ଚଳ । ଭଞ୍ଜବଂଶୀୟ ରାଜାଙ୍କ ଦ୍ବାର ପ୍ରଚଳିତ ହଜାର ହଜାର ବର୍ଷର ସଂସ୍କୃତି ଏବଂ ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ଏଠାକାର ଲୋକେ । ଘୁମୁସର ଅଞ୍ଚଳର ଦଣ୍ଡନାଚ ଠାରୁ ଆରମ୍ଭ କରି ପଶୁମୁଖା ନୃତ୍ୟ, ବାଘ ନୃତ୍ୟ ଏବଂ ବିଭିନ୍ନ ପୌରାଣିକ ନୃତ୍ୟ ସବୁଠାରୁ ଅନ୍ୟତମ । ସେହିପରି ଭଞ୍ଜନଗର ବଡକୋଦଣ୍ଡା ଗାଁର 12 ଶହ ବର୍ଷର ଅତ୍ୟନ୍ତ ପୁରାତନ ଏବଂ ସୁପରିଚିତ ପରମ୍ପରା ହେଲା 'ଡେରା ବେଶ' । ତେବେ 'ଡ଼େରା' ଅର୍ଥ ହେଉଛି ଡେରିବା ବା ବାନ୍ଧିବା । ଏଠାରେ ବିରାଟ ବିରାଟ କାଠରେ ନିର୍ମିତ ମୂର୍ତ୍ତି ଗୁଡ଼ିକୁ ଗାଁ ଦାଣ୍ଡରେ ଡ଼େରା ହୋଇଥିବାରୁ ଏହାକୁ 'ଡେରା ବେଶ' ବୋଲି କୁହାଯାଏ ।
ଡେରା ବେଶ ପରମ୍ପରା କ'ଣ ?
ପ୍ରତ୍ୟେକ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ବଡକୋଦଣ୍ଡା ଗାଁର ମୁଖ୍ୟ ରାସ୍ତାର ଗୋଟିଏ ପଟେ ରାମ, ଲକ୍ଷ୍ମଣ, ହନୁମାନଙ୍କ ଅନ୍ୟପଟେ ରାବଣ, ଇନ୍ଦ୍ରଜିତ, ମେଘନାଦଙ୍କ ଭଳି ଅନେକ ଚରିତ୍ର ଦେଖିବାକୁ ମିଳେ । ଏହି ମୂର୍ତ୍ତି ଗୁଡିକୁ ଦେଖିଲେ ସତେ ଯେମିତି କେଉଁ ପୌରାଣିକ ଯୁଦ୍ଧର ରଣକ୍ଷେତ୍ରର ଭଳି ଅନୁଭୂତ ହୋଇଥାଏ l କୁହାଯାଏ ଏହି ବେଶ ହେଉଛି ଏସିଆ ମହାଦେଶର ବୃହତ୍ତମ କଣ୍ଢେଇ ମୂର୍ତ୍ତି । ଏପରିକି ଏକ କିଲୋମିଟର ପରିବ୍ୟାପ୍ତ ରାସ୍ତା ଉପରେ ଦୁଇ ପାର୍ଶ୍ୱରେ ଦୁଇଟି ବିଶାଳକାୟ ହାତୀ, ଏହାପଛରେ ସୁବର୍ଣ୍ଣମୁଖୀ ସିଂହ, ବ୍ୟାଘ୍ର, ଅଶ୍ୱ, କଳଘୋଡା, ବୃଷବ ଏବଂ ଶେଷରେ ନବଗୁଞ୍ଜର ଭଳି ଅନେକ ଚରିତ୍ର ଦେଖିବାକୁ ମିଳେ । ଏହା କେବଳ ଏକ କାଠ କଣ୍ଢେଇ ପ୍ରଦର୍ଶନୀ ନୁହେଁ, ଏହା ହେଉଛି ସ୍ଥାନୀୟ କାରୀଗରମାନଙ୍କ ନିପୁଣତାର ପ୍ରତିଛବି । ମୁଖ୍ୟତଃ ପାଳଧୁଆ କାଠରେ କେଉଁ କାଳରୁ ନିର୍ମିତ ହୋଇଥିବା ଏହି କଣ୍ଢେଇ ଗୁଡ଼ିକୁ ଗାଁ ଦାଣ୍ଡରେ ଡେରି କରି ଅର୍ଥାତ୍ ବନ୍ଧାଯାଇ ପ୍ରଦର୍ଶନୀ କରାଯାଉଥିବାରୁ ଏହାକୁ 'ଡ଼େରା ବେଶ' ବୋଲି କୁହାଯାଇଥାଏ ।

ରାମାୟଣରେ କଥା ବସ୍ତୁକୁ ପ୍ରଦର୍ଶିତ କରାଯାଏ :
କାର୍ତ୍ତିକ ମାସର ଶେଷ ଦିନ ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମା ଦିନ ଗାଁର ସମୁଖରେ ପ୍ରଥମେ ଦୁଇ ପାର୍ଶ୍ୱରେ ଦୁଇଟି ବିଶାଳକାୟ ହାତୀ, ଏହା ପଛରେ ସିଂହ, ବ୍ୟାଘ୍ର, ଅଶ୍ୱ, କଳଘୋଡା, ବୃଷବ ଏବଂ ଶେଷରେ ନବଗୁଞ୍ଜ ପ୍ରଦର୍ଶିତ କରାଯାଉଥିବା ବେଳେ ଗୋଟେପଟେ ରାମ, ଲକ୍ଷଣ ଓ ହନୁମାନ ଏବଂ ଅନ୍ୟପଟେ ରାବଣ, କୁମ୍ଭକର୍ଣ୍ଣ ଓ ମେଘନାଦଙ୍କ ଭଳି ପୌରାଣିକ ଚରିତ୍ରମାନଙ୍କୁ ପ୍ରଦର୍ଶିତ କରାଯାଇଥାଏ । ଯାହା ରାମାୟଣରେ ବର୍ଣ୍ଣିତ ପ୍ରଭୁ ଶ୍ରୀରାମ ଏବଂ ରାବଣଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧର ପ୍ରତିକାତ୍ମକ ଅନୁଭବ ହୋଇଥାଏ ।ଏହାକୁ ଦେଖିବା ପାଇଁ ପାଖଆଖ ଗାଁର ଅନେକ ଲୋକଙ୍କ ସୁଅ ଛୁଟେ । ଗ୍ରାମର ଗୋପୀନାଥ, ଜଗନ୍ନାଥ, ରଘୁନାଥ ଓ ଶିବ ମନ୍ଦିର ପକ୍ଷରୁ ଗୋଟିଏ ଦିନ ପାଇଁ ଏହାକୁ ପ୍ରଦର୍ଶିତ କରାଯାଇଥାଏ । ଶତାଧିକ ବର୍ଷର ପୁରାତନ ପରମ୍ପରାକୁ ଏବେ ବି ବଞ୍ଚାଇ ରଖିଛନ୍ତି ବଡ଼କୋଦଣ୍ଡାବାସୀ, ହେଲେ ଅତୀତର ଆଉ ସେ ଚମକ ଦେଖିବାକୁ ମିଳୁନାହିଁ ।

କେବେଠୁ ଆରମ୍ଭ 'ଡେରା ବେଶ' ପରମ୍ପରା:
ଏହାକୁ ନେଇ ସଂସ୍କୃତି ଗବେଷକ ଡ.ସନ୍ୟାସୀ ମହାରଣା କହିଛନ୍ତି," ବଡକୋଦଣ୍ଡା ଏକ ଐତିହ୍ୟ ଗ୍ରାମର ମାନ୍ୟତା ପାଇଥିବା ବେଳେ ଘୁମୁସର ଅଞ୍ଚଳରେ ତତ୍କାଳୀନ ଭଞ୍ଜବଂଶୀୟ ରାଜାମାନଙ୍କ ସମୟରୁ ଏହି 'ଡେରା ବେଶ' ଆୟୋଜିତ ହୋଇଆସୁଛି । ଏହାପ୍ରାୟ ୧୨ ଶହ ବର୍ଷର ପୁରାତନ ପରମ୍ପରା ବୋଲି କୁହାଯାଏ । ଡେରାର ଅର୍ଥ ହେଉଛି 'ବାନ୍ଧିବା' ବା 'ଡେରିବା' ତେଣୁ ବେଶ ଗୁଡ଼ିକୁ ଡ଼େରା ଯାଉଥିବାରୁ ଏହାକୁ 'ଡେରା ବେଶ' କୁହାଯାଏ । ଏଠାରେ ବିଭିନ୍ନ ପଶୁପକ୍ଷୀଙ୍କ ପ୍ରକୃତ ଆକୃତିଠୁ ବଡ଼ ବଡ଼ ଆକୃତିର କଣ୍ଢେଇ ରଖାଯାଉଥିବା ଦେଖିବାକୁ ମିଳିଥାଏ । ଏଠାକାର ସ୍ଥାନୀୟ କଣ୍ଢେଇ କଳାକୁ ବଞ୍ଚାଇବା ପାଇଁ ଏହା ଏକ ପ୍ରୟାସ ବୋଲି କୁହାଯାଉଥିବା ବେଳେ ଅନ୍ୟ କେତେକଙ୍କ ମତରେ ଯେଉଁ ସମୟରେ ଭଞ୍ଜବଂଶୀୟ ରାଜା ଏବଂ ବ୍ରିଟିଶମାନଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା, ସେହି ବିପ୍ଲବର ବିଜୟ ସୂତ୍ରକ ଭାବରେ ଆଜି ବି ବଡକୋଦଣ୍ଡା ଗ୍ରାମରେ ରାବଣର ବଂଶ ଭାବରେ ବ୍ରିଟିଶ ଏବଂ ରାମଙ୍କ ବଂଶ ଭାବେ ତତ୍କାଳୀନ ଭଞ୍ଜ ରାଜାଙ୍କୁ ବିବେଚନା କରାଯାଏ ।"

'ଡେରା ବେଶ' ଆଧ୍ୟାତ୍ମିକ ଏବଂ ମନୋରଞ୍ଜନର ମାଧ୍ୟମ:
ଆଉ ଜଣେ ସଂସ୍କୃତି ଗବେଷକ ଡ.ବାୟାମନ ଚର୍ଚ୍ଚି କହିଛନ୍ତି,"ଘୁମୁସର ଏକ କଳା-ସଂସ୍କୃତି ସମ୍ପନ୍ନ ରାଜ୍ୟ ଥିଲା । ଏଠାରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜନ୍ମ ଗ୍ରହଣ କରିଥିଲେ । ପୂର୍ବ କାଳରେ ଲୋକମାନେ ଆଧ୍ୟାତ୍ମିକ ଚିନ୍ତା ଚେତନାରେ ମନୋରଞ୍ଜନ ପାଇଁ ବିଭିନ୍ନ ବେଶ ନିର୍ମାଣ କରୁଥିଲେ । ଯାହାକୁ ପ୍ରଦର୍ଶନ କରିବା ପାଇଁ ରାସ୍ତା ଘାଟରେ ଡେରୁଥିଲେ ଅର୍ଥାତ ବାନ୍ଧୁ ଥିଲେ । ପୂର୍ବ ସମୟରେ ସମୟରେ ପ୍ରଭୁ ଶ୍ରୀରାମଙ୍କ ଚେତନା ବହୁ ମାତ୍ରାରେ ପ୍ରଚାରିତ ହେଉଥିଲା । ସେହି ମୂର୍ତ୍ତି ଗୁଡ଼ିକୁ ପ୍ରସ୍ତୁତ କରୁଥିବା ମହାରଣାମାନଙ୍କ ଅନେକ ନିପୂଣ ରହିଥିଲେ । "

ଏପରି କହିଲେ ଗ୍ରାମବାସୀ:
ଏନେଇ ସ୍ଥାନୀୟ ବାସିନ୍ଦା ଗୋପାଳଚନ୍ଦ୍ର ବେହେରା କହିଛନ୍ତି,"ଆମ ଗାଁରେ ରାମ, ଲକ୍ଷ୍ମଣ, ହନୁମାନଙ୍କ ଭଳି ଅନେକ ମୂର୍ତ୍ତି ରହିଥିବା ବେଳେ ବର୍ତ୍ତମାନ ଲବ-କୁଶ ନିର୍ମାଣ ଚାଲିଛି । କିନ୍ତୁ ଅର୍ଥ ଅଭାବରୁ ତାହା ଶେଷ ହୋଇ ପାରୁନାହିଁ । ଇତି ମଧ୍ୟରେ ଅନେକ ବେଶ ନଷ୍ଟ ହୋଇଯାଇଛି । ଘୁମୁସର ଅଞ୍ଚଳର ଏଭଳି ଏକ ଗ୍ରାମର ଗୌରବମୟ କଳା, ସଂସ୍କୃତିକୁ ଆହୁରି ବ୍ୟାପକ ମାତ୍ରାରେ ଉଜ୍ଜୀବିତ ରଖି ଆସୁଥିବା କାରିଗରଙ୍କ ପ୍ରତି ସରକାରଙ୍କ ଦୃଷ୍ଟି ପଡିଲେ, ଆହୁରୀ ଆଗାମୀ ଦିନରେ ଏହି 'ଡେରା ବେଶ' ପରିବ୍ୟାପ୍ତ ହୋଇପାରନ୍ତା । "


ଏହା ମଧ୍ୟ ପଢନ୍ତୁ...ବହୁମୁଖୀ ପ୍ରତିଭାର ରାଣୀ ଓମରାନ୍ନି; ନୃତ୍ୟ ଏବଂ କ୍ରୀଡ଼ା କ୍ଷେତ୍ରରେ ସାଉଁଟୁଛନ୍ତି ସଫଳତା ଏହା ମଧ୍ୟ ପଢନ୍ତୁ... ରକ୍ତଦାନ ପାଇଁ ସମର୍ପିତ 'ସମର୍ପଣ': 8 ବର୍ଷରେ 65 ଶିବିର, 4000 ୟୁନିଟ ରକ୍ତ ସଂଗ୍ରହ |

ଇଟିଭି ଭାରତ, ବ୍ରହ୍ମପୁର

