ଦୀର୍ଘ 90 ବର୍ଷ ପ୍ରତୀକ୍ଷାର ଅନ୍ତ, ସ୍ଥାୟୀ ପଟ୍ଟା ପାଇଲେ ନିମାପଡା ଅଣ୍ଡିଆ ମୌଜାର ୨୩୦୪ ହିତାଧିକାରୀ
ନିମାପଡ଼ା ଅଣ୍ଡିଆ ମୌଜାର ୨୩୦୪ ଜଣ ହିତାଧିକାରୀଙ୍କୁ ଚୂଡ଼ାନ୍ତ ସ୍ଥାୟୀ ଜମି ପଟ୍ଟା ବଣ୍ଟନ କରାଯାଇଛି । ଦଶନ୍ଧି ଦଶନ୍ଧି ଧରି ଚାଲିଆସୁଥିବା ଜମି ସମସ୍ୟାର ସମାଧାନ ହୋଇଛି । ରିପୋର୍ଟ: ବୀରଞ୍ଜନ ମଲ୍ଲିକ

Published : April 28, 2026 at 1:50 PM IST
ନିମାପଡ଼ା: ଦୀର୍ଘ ୯୦ ବର୍ଷର ପ୍ରତୀକ୍ଷାର ଅନ୍ତ ପରେ ନିମାପଡ଼ାବାସୀ ହିତାଧିକାରୀଙ୍କୁ ସ୍ଥାୟୀ ପଟ୍ଟା ବଣ୍ଟନ କରାଯାଇଛି । ଗତକାଲି(ସୋମବାର) ନିମାପଡ଼ା ଶହୀଦ ଭବନ ଟାଉନ ହଲ୍ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇଥିଲେ । ଏହି ଅବସରରେ ନିମାପଡ଼ା ଅଣ୍ଡିଆ ମୌଜାର ୨୩୦୪ ଜଣ ହିତାଧିକାରୀଙ୍କୁ ଚୂଡ଼ାନ୍ତ ସ୍ଥାୟୀ ଜମି ପଟ୍ଟା ବଣ୍ଟନ କରାଯାଇଛି । ଦଶନ୍ଧି ଦଶନ୍ଧି ଧରି ଚାଲି ଆସୁଥିବା ଜମି ସମସ୍ୟାର ସମାଧାନ ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।
ଜମି ପଟ୍ଟା ସମସ୍ୟା:
ନିମାପଡ଼ା ଏନଏସି ଅନ୍ତର୍ଗତ ଅଣ୍ଡିଆ ମୌଜାର ୭, ୮, ୯ ଏବଂ ୧୦ ନମ୍ବର ୱାର୍ଡର ବାସିନ୍ଦାମାନେ ବହୁ ବର୍ଷ ଧରି ଜମି ପଟ୍ଟା ସମସ୍ୟାରେ ଛନ୍ଦି ହୋଇ ରହିଥିଲେ । ପିଢ଼ି ପରେ ପିଢ଼ି ବିତି ଯାଇଥିଲେ ମଧ୍ୟ ସେମାନଙ୍କ ପାଖରେ ନିଜ ଘର ଜମିର ସ୍ଥାୟୀ ପଟ୍ଟା ନଥିଲା । ଏହି କାରଣରୁ ବ୍ୟାଙ୍କ ଋଣ, ନୂତନ ଘର ନିର୍ମାଣ, ସମ୍ପତ୍ତିର ଉତ୍ତରାଧିକାର ଏବଂ ବିଭିନ୍ନ ସରକାରୀ ଯୋଜନାର ସୁବିଧା ପାଇବାରୁ ଏଠାକାର ଅଧିବାସୀ ମାନେ ବଞ୍ଚିତ ହେଉଥିଲେ ।

ସ୍ଥାୟୀ ପଟ୍ଟା ପ୍ରଦାନ:
ଟାଉନ ହଲ୍ ପରିସର ଆୟୋଜିତ କାର୍ଯ୍ୟକ୍ରମରେ ୨୩୦୪ ଜଣ ହିତାଧିକାରୀଙ୍କୁ ସେମାନଙ୍କର ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇଥିଲା । ପଟ୍ଟା ପାଇବା ପରେ ବୟୋଜ୍ୟେଷ୍ଠ ନାଗରିକଙ୍କ ଆଖିରେ ଖୁସିର ଲୁହ ଓ ମୁହଁରେ ହସ ଦେଖିବାକୁ ମିଳିଥିଲା ।
ସୂଚନାଯୋଗ୍ୟ ଯେ, ନିମାପଡ଼ା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଭାତୀ ପରିଡ଼ା ଅଣ୍ଡିଆ ମୌଜାର ଏହି ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଆଜି ସେହି ପ୍ରତିଶ୍ରୁତି ପୂରଣ ହୋଇଛି । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି, "ନିମାପଡ଼ା ଜନସାଧାରଣଙ୍କ ପ୍ରତ୍ୟେକ ସମସ୍ୟା ମୋର ନିଜସ୍ୱ ସମସ୍ୟା । ନିମାପଡ଼ାକୁ ଏକ ବିକଶିତ ଅଞ୍ଚଳ ଭାବେ ଗଢ଼ିତୋଳିବା ପାଇଁ ମୁଁ ସଂକଳ୍ପବଦ୍ଧ ।"

ସ୍ୱଚ୍ଛତା ଓ ଲୋକାଭିମୁଖୀ ଶାସନର ଏକ ଉଦାହରଣ:
ଅପରପକ୍ଷରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଏହି ପଦକ୍ଷେପକୁ ରାଜ୍ୟ ସରକାରଙ୍କ ସ୍ୱଚ୍ଛତା ଓ ଲୋକାଭିମୁଖୀ ଶାସନର ଏକ ଉଦାହରଣ ବୋଲି ବର୍ଣ୍ଣନା କରିଛନ୍ତି । ଏହି ପଟ୍ଟା ବଣ୍ଟନ ଫଳରେ ଅଞ୍ଚଳରେ ବାସ କରୁଥିବା ହଜାର ହଜାର ପରିବାରଙ୍କ ଆର୍ଥିକ ଓ ସାମାଜିକ ସୁରକ୍ଷା ସୁନିଶ୍ଚିତ ହୋଇଛି । ଦଶନ୍ଧି ଧରି ଅମୀମାଂସିତ ରହିଥିବା ଏହି ସମସ୍ୟାର ସମାଧାନ ପରେ ଅଣ୍ଡିଆ ମୌଜାବାସୀ ଏବେ ନୂଆ ଆଶା ଓ ଉତ୍ସାହର ସହ ଆଗକୁ ବଢ଼ିବେ ବୋଲି ମନ୍ତ୍ରୀ କହିଛନ୍ତି ।
ଅଣ୍ଡିଆ ମୌଜାବାସୀଙ୍କ ପାଇଁ ଖୁସିର ଦିନ:
ଅଣ୍ଡିଆ ମୌଜା ପାଇଁ ଏହା ଏକ ଐତିହାସିକ ଦିବସ ବୋଲି ଜଣେ ହିତାଧିକାରୀ କହିଛନ୍ତି । ପ୍ରାୟ 100 ବର୍ଷ ପାଖାପାଖି ଆମେ ଜମି ପାଇଁ ପଟ୍ଟା ପାଉନଥିଲୁ । ଆବଶ୍ୟକ ସମୟରେ ଜମି ବିକ୍ରୟ କରିବା ଠାରୁ ଆରମ୍ଭ କରି ସରକାରୀ ସୁବିଧା ପାଇଁ ମଧ୍ୟ ବଞ୍ଚିତ ହେଉଥିଲୁ । ବର୍ତ୍ତମାନ ଏହା ସମସ୍ୟାର ସମାଧାନ କରିଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଅଶେଷ ଧନ୍ୟବାଦ ବୋଲି କହିଛନ୍ତି ଅଣ୍ଡିଆ ମୌଜା ବାସିନ୍ଦା ।
ଏହା ମଧ୍ୟ ପଢନ୍ତୁ: ମେ' ୧୫ ସୁଦ୍ଧା ୩୯ ବ୍ଲକର ୪୮୪ ଗାଁ'ର ବାସହୀନଙ୍କୁ ମିଳିବ ବସୁନ୍ଧରା ଯୋଜନାରେ ଜମି ପଟ୍ଟା ଜମି ପଟ୍ଟା ସଂଶୋଧନ ପାଇଁ ରାଜସ୍ୱ ନିରୀକ୍ଷକ ମାଗୁଥିଲେ 5 ହଜାର, ମାଡ଼ି ବସିଲା ଭିଜିଲାନ୍ସ |
ଇଟିଭି ଭାରତ, ନିମାପଡ଼ା

