MMDR ବିଲ୍ ପ୍ରତ୍ୟାହାର ଦାବି: ଲୋୱର ପିଏମଜିରେ ବିରୋଧୀଙ୍କ ବିଶାଳ ପଦଯାତ୍ରା
MMDR Amendment Act-2026କୁ କେନ୍ଦ୍ର କରି ଭୁବନେଶ୍ୱରରେ ରାସ୍ତାକୁ ଓହ୍ଲାଇଲେ ଇଣ୍ଡିଆ ବ୍ଲକ୍ ମେଣ୍ଟ ସହଯୋଗୀ । ରିପୋର୍ଟ: ସଞ୍ଜୀବ ରାୟ

Published : August 25, 2026 at 8:06 PM IST
Massive march against MMDR, ଭୁବନେଶ୍ବର: ଖଣିଜ ସମ୍ପଦର ସୁରକ୍ଷାକୁ ନେଇ ଓଡ଼ିଶାରେ ତେଜିଲା ରାଜନୈତିକ ଲଢ଼େଇ । MMDR Amendment Act-2026କୁ କେନ୍ଦ୍ର କରି ଆଜି (ମଙ୍ଗଳବାର) ଭୁବନେଶ୍ୱରରେ ରାସ୍ତାକୁ ଓହ୍ଲାଇଲା ଇଣ୍ଡିଆ ମେଣ୍ଟ । ବିଲ୍ ପ୍ରତ୍ୟାହାର ଦାବିରେ କଂଗ୍ରେସ ଭବନରୁ ଲୋୟର ପିଏମଜି ପର୍ଯ୍ୟନ୍ତ ବିଶାଳ ପଦଯାତ୍ରା । ପରେ ବିକ୍ଷୋଭ ଓ କେନ୍ଦ୍ର ସରକାର ବିରୋଧରେ ନାରାବାଜି ।
ଓଡ଼ିଶାର ଖଣିଜ ସମ୍ପଦ ରାଜ୍ୟ ଅର୍ଥନୀତିର ଏକ ବଡ଼ ଆଧାର । ଆଉ ଏହି ଖଣିଜ ଅଧିକାର ଓ ରାଜସ୍ୱକୁ ନେଇ ଏବେ ତୀବ୍ର ହୋଇଛି କେନ୍ଦ୍ର ରାଜ୍ୟ ବିବା । MMDR Amendment Bill-2026 ଅଗଷ୍ଟ ୧୩ରେ ସଂସଦର ଉଭୟ ଗୃହରେ ପାସ୍ ହୋଇଛି । ପରେ ଅଗଷ୍ଟ ୧୭ରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଛି । ନୂଆ ଆଇନର ସବୁଠାରୁ ବଡ଼ ବିଷୟ ହେଉଛି- ‘mineral-bearing land’ ଉପରେ କେନ୍ଦ୍ରର ନିୟନ୍ତ୍ରଣର ପରିସର ବଢ଼ାଇବା ଏବଂ ଖଣିଜ ଅଧିକାର ଓ ଖଣିଜ ଭର୍ତ୍ତି ଜମି ଉପରେ ରାଜ୍ୟ ସରକାରଙ୍କ ଟ୍ୟାକ୍ସ, ସେସ୍ କିମ୍ବା ଅନ୍ୟ ଲେଭି ଲାଗୁ କରିବାରେ କେନ୍ଦ୍ର ନିର୍ଦ୍ଧାରିତ ସର୍ତ୍ତ ଲାଗୁ କରିବା ।
ଏହାକୁ ନେଇ ଆଜି ଭୁବନେଶ୍ୱରରେ ଇଣ୍ଡିଆ ବ୍ଲକ୍ ମେଣ୍ଟର ସହଯୋଗୀ ରାଜନୈତିକ ଦଳଗୁଡ଼ିକ ଶକ୍ତି ପ୍ରଦର୍ଶନ କରିଛନ୍ତି । କଂଗ୍ରେସ ଭବନରୁ ବାହାରିଥିଲା ବିଶାଳ ପଦଯାତ୍ରା । ହାତରେ ପ୍ଲାକାର୍ଡ, ମୁହଁରେ ସ୍ଲୋଗାନବାଜି । ଲୋୟର ପିଏମଜିରେ ବିରୋଧୀଙ୍କ ମେଳି । ସେଠାରେ ନେତାମାନେ କେନ୍ଦ୍ର ସରକାରଙ୍କ MMDR ଆଇନକୁ ରାଜ୍ୟର ସ୍ୱାର୍ଥ ଓ ରାଜ୍ୟର ଆର୍ଥିକ ଅଧିକାର ବିରୋଧୀ ବୋଲି ଅଭିଯୋଗ କରିଥିଲେ ।
ବିକ୍ଷୋଭକାରୀଙ୍କ ଯୁକ୍ତି, ଖଣିଜ ସମ୍ପଦ ଥିବା ରାଜ୍ୟଗୁଡ଼ିକର ଆର୍ଥିକ ସ୍ୱାୟତ୍ତତା ଉପରେ ଏହି ଆଇନ ପ୍ରଭାବ ପକାଇପାରେ । ଓଡ଼ିଶା ଭଳି ଖଣିଜ ସମୃଦ୍ଧ ରାଜ୍ୟ ପାଇଁ ଏହାର ପ୍ରଭାବ ଅଧିକ ଗୁରୁତର ବୋଲି ବିରୋଧୀ ଦଳଗୁଡ଼ିକ ଦାବି କରିଛନ୍ତି । ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡାକି MMDR ଆଇନ ବିରୋଧରେ ଆଲୋଚନା କରିବାକୁ ମଧ୍ୟ କଂଗ୍ରେସ ଓ BJD ପୂର୍ବରୁ ଦାବି କରିଛନ୍ତି ।
୨୦୨୪ରେ ସୁପ୍ରିମକୋର୍ଟଙ୍କ ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ Mineral Area Development Authority vs SAIL ମାମଲାରେ ରାଜ୍ୟଗୁଡ଼ିକର ଖଣିଜ ଅଧିକାର ଉପରେ ଟ୍ୟାକ୍ସ ଲଗାଇବାର କ୍ଷମତାକୁ ସ୍ୱୀକାର କରିଥିଲେ । ନୂଆ MMDR ଆଇନ ସେହି କ୍ଷେତ୍ରରେ ରାଜ୍ୟର କ୍ଷମତାକୁ ସୀମିତ କରୁଛି ବୋଲି ବିରୋଧୀଙ୍କ ଅଭିଯୋଗ । ଖଣିଜ ସମ୍ପଦ ଥିବା ରାଜ୍ୟର ରାଜସ୍ୱ ଅଧିକାର କେତେ ରହିବ?, ଏହି ପ୍ରଶ୍ନକୁ ନେଇ ଇଣ୍ଡିଆ ମେଣ୍ଟ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଚେତାବନୀ ଦେଇଛି ।
ଆଜିର ବିକ୍ଷୋଭରେ ବିଭିନ୍ନ ବିରୋଧୀ ଦଳର ନେତାମାନେ ସାମିଲ ହୋଇ MMDR ଆଇନ ପ୍ରତ୍ୟାହାର ପାଇଁ ଦାବି ଉଠାଇଥିଲେ । ଆନ୍ଦୋଳନକାରୀମାନେ କହିଥିଲେ, ଏହି ପ୍ରସଙ୍ଗରେ କୌଣସି ସାଲିସ ହେବ ନାହିଁ ଏବଂ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ।
ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଚନ୍ଦ୍ର ଜେନାଙ୍କ ପରିଚାଳନାରେ କଂଗ୍ରେସ ସହ ବିଭିନ୍ନ ବିରୋଧୀ ଦଳର ନେତାମାନେ ସାମିଲ ହୋଇଥିଲେ । ସନ୍ତୋଷ ସିଂ ସାଲୁଜା, ସୁରେଶ କୁମାର ରାଉତରାୟଙ୍କ ସମେତ ବାମଦଳର ନେତାମାନେ ମଧ୍ୟ ଉପସ୍ଥିତ ଥିଲେ । କଂଗ୍ରେସ ଭବନରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମଧ୍ୟ MMDR ଆଇନକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାର ଉପରେ ବର୍ଷିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ: MMDR ବିଲ୍ କୁ ନେଇ ରାଜ୍ୟପାଳଙ୍କଠାରେ ଫେରାଦ ହେଲା କଂଗ୍ରେସ: ବିଜେପିର ଜବାବ, 'ଓଡ଼ିଶା ଗୋଟିଏ ଟଙ୍କା ହରାଇବ ନାହିଁ'
ଏହା ମଧ୍ୟ ପଢ଼ନ୍ତୁ: MMDR ଆଇନ୍ ବିରୋଧରେ ଇଣ୍ଡିଆ ବ୍ଲକର ରଣହୁଙ୍କାର; ୨୫ରେ ରାଜ୍ୟବ୍ୟାପୀ 'ପ୍ରତିରୋଧ ଦିବସ'
ଏହା ମଧ୍ୟ ପଢ଼ନ୍ତୁ: MMDR ଆଇନକୁ ନେଇ କଂଗ୍ରେସର ଚେତାବନୀ; ଆଇନ ପ୍ରତ୍ୟାହାର ନହେଲେ ଖଣି ଜିଲ୍ଲାରେ ହେବ ଆର୍ଥିକ ଅବରୋଧ
ଇଟିଭି ଭାରତ, ଭୁବନେଶ୍ବର

