ନୟାଗଡ଼ ସଦର ମହକୁମାରେ ଭେଷଜ ମେଡିକାଲ କଲେଜ ପ୍ରତିଷ୍ଠା ଦାବି, 12 ଘଣ୍ଟିଆ ବଜାର ବନ୍ଦ
ଜିଲ୍ଲା ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସରକାର ଘୋଷଣା କରିବା ପାଇଁ ଆନ୍ଦୋଳନକାରୀଙ୍କ ପକ୍ଷରୁ ଦାବି କରାଯାଇଛି ।

Published : February 24, 2026 at 7:45 PM IST
ନୟାଗଡ଼: ନୟାଗଡ଼ ସଦର ମହକୁମାରେ ଭେଷଜ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ 12 ଘଣ୍ଟିଆ ନୟାଗଡ଼ ବଜାର ବନ୍ଦ ପାଳନ କରାଯାଇଛି । ଜୟ ନୟାଗଡ଼ ଫାଉଣ୍ଡେସନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା । ଏହାକୁ ବଣିକ ସଙ୍ଘ ପକ୍ଷରୁ ସମର୍ଥନ କରାଯାଇଥିଲା । ବ୍ୟବସାୟୀମାନେ ଦୋକାନ ବନ୍ଦ କରି ଆନ୍ଦୋଳନଙ୍କୁ ସମର୍ଥନ ଜଣାଇଛନ୍ତି । ଫଳରେ ନୟାଗଡ଼ ସହର ଜୁବୁଲି ମାର୍କେଟ, ଅମରେନ୍ଦ୍ର ବଜାର, ରାଜୀବ ମାର୍କେଟ, ପ୍ରିୟଦର୍ଶିନୀ ମାର୍କେଟ ଦୁଃଖୀ ପରିବା ବଜାର ସମେତ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ସମସ୍ତ ଦୋକାନ ତାଲା ପଡ଼ିଥିବା ଦେଖିବାକୁ ମିଳିଛି । ଆନ୍ଦୋଳନକାରୀମାନେ ନୟାଗଡ଼ ଟ୍ରାଫିକ ଗୋଲେଇ ଛକ ନିକଟରେ ପ୍ରତିବାଦ ଆନ୍ଦୋଳନ କରିଥିଲେ ।
ଜିଲ୍ଲା ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସରକାର ଘୋଷଣା କରିବା ପାଇଁ ଆନ୍ଦୋଳନକାରୀଙ୍କ ପକ୍ଷରୁ ଦାବି କରାଯାଇଛି । ସକାଳ 6ରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ଆନ୍ଦୋଳନ କାରୀଙ୍କ ପକ୍ଷରୁ କୁହାଯାଇଥିଲା । ବନ୍ଦ ଡାକରାକୁ ବିଭିନ୍ନ ସଙ୍ଘଠନ ପକ୍ଷରୁ ସମର୍ଥନ ମିଳିଛି ।
ମେଡିକାଲ କଲେଜ ପ୍ରତିଷ୍ଠାକୁ ନେଇ ରଣପୁର ଏବଂ ନୟାଗଡ ମଧ୍ୟରେ ବିବାଦ ଦେଖା ଦେଇଛି । ଗତ ବିଧାନସଭାରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ରଣପୁରରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରଶ୍ନ କରିଥିଲେ । ଏହାକୁ ନେଇ ରଣପୁର ଏବଂ ନୟାଗଡ଼ ମଧ୍ୟରେ ବିବାଦ ଲାଗି ରହିଛି । ନୟାଗଡ଼ବାସୀ ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି କରି ଆସୁଥିବା ବେଳେ ରଣପୁରବାସୀ ଚାନ୍ଦପୁର ଠାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି । ସେପଟେ ଚଳିତ ବିଧାନସଭାରେ ସରକାର ନୟାଗଡ଼ ସଦର ମହକୁମାରେ ହୋମିଓପ୍ୟାଥିକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଘୋଷଣା କରିଥିବାରୁ ପ୍ରଥମେ ଭେଷଜ ମେଡିକାଲ କଲେଜ ସଦର ମହକୁମାରେ ପ୍ରତିଷ୍ଠା ପାଇଁ ଜୟ ନୟାଗଡ଼ ଫାଉଣ୍ଡେସନ ପକ୍ଷରୁ ଦାବି କରାଯାଇଛି । ପାରିପାର୍ଶକ ଦୃଷ୍ଟି କୋଣରୁ ଜିଲ୍ଲା ସଦର ମହକୁମାରେ ଭେଷଜ ମେଡିକାଲ କଲେଜ ପ୍ରତିଷ୍ଠା କରାଗଲେ ଜିଲ୍ଲା ସମେତ ପଡ଼ୋଶୀ ଜିଲ୍ଲା ବୌଦ୍ଧ, ଖୋର୍ଦ୍ଧା ଏବଂ ଗଞ୍ଜାମର ଭଞ୍ଜନଗର ଅଞ୍ଚଳର ରୋଗୀ ଚିକିତ୍ସା କ୍ଷେତ୍ରରେ ସୁବିଧା ପାଇ ପାରିବେ ବୋଲି ଆନ୍ଦୋଳନକାରୀଙ୍କ ପକ୍ଷରୁ କୁହାଯାଇଛି ।
ଦୀର୍ଘ ଦିନଧରି ନୟାଗଡ଼ରେ ମେଡିକାଲ କଲେଜ ହେବାକୁ ନେଇ ଆନ୍ଦୋଳନ ଜାରି ରହିଛି । ଯେଉଁଥିରେ କି ସରକାରଙ୍କ ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରିନାହିଁ l ପୂର୍ବରୁ ନୟାଗଡ଼ରେ ମଶାଲ ଶୋଭାଯାତ୍ରା ହୋଇଥିବାବେଳେ ଆଜି ନୟାଗଡ଼ ଟାଉନ ଅଂଚଳକୁ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ଯାହାକୁ ସମସ୍ତ ବ୍ୟବସାୟୀ ଏବଂ ବରିଷ୍ଠ ନାଗରିକ ମାନେ ସହଯୋଗ କରିଥିଲେ । ଯେପର୍ଯ୍ୟନ୍ତ କୌଣସି ନିଷ୍ପତି ନିଆଯାଇନାହିଁ, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବା ନେଇ ଜୟ ନୟାଗଡ଼ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି l
ଏହା ମଧ୍ୟ ପଢ଼ନ୍ତୁ- ଦୁଇ ସପ୍ତମ ଶ୍ରେଣୀ ଛାତ୍ର ବିଦ୍ୟାଳୟକୁ ମଦ ପିଇ ଆସିଥିବା ଅଭିଯୋଗ
ଏହା ମଧ୍ୟ ପଢ଼ନ୍ତୁ- ନୟାଗଡ଼ ପୋଲିସ କବଜାରେ ଗୁଟଖା ମାଫିଆ, 50 ଲକ୍ଷ ଟଙ୍କାର ଗୁଟଖା ଜବତ, 6 ଗିରଫ
ଇଟିଭି ଭାରତ, ନୟାଗଡ଼

