ETV Bharat / state

କାନ୍ଦେରୀ ଗାଁର ଦୁଃଖ: ଗାଁକୁ ନାହିଁ ପକ୍କା ରାସ୍ତା, ୪ କିଲୋମିଟର ଖଟିଆରେ ବୁହା ହୋଇ ଘରକୁ ଆସିଲା ମୃତଦେହ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ପଞ୍ଚାୟତର ଉପାନ୍ତ ଅଞ୍ଚଳରେ ଥିବା କାନ୍ଦେରି ଗାଁକୁ ନାହିଁ ପକ୍କା ରାସ୍ତା । ଖଟିଆରେ ବୁହା ହୋଇ ଘରକୁ ଆସିଲା ବୃଦ୍ଧାଙ୍କ ମୃତଦେହ ।ରିପୋର୍ଟ- ବାଳକୃଷ୍ଣ ଚର୍ଚ୍ଚି

Woman Body Carried On Cot
୪ କିଲୋମିଟର ଖଟିଆରେ ବୁହା ହୋଇ ଘରକୁ ଆସିଲା ମୃତଦେହ (ETV Bharat Odisha)
author img

By ETV Bharat Odisha Team

Published : June 23, 2026 at 2:19 PM IST

2 Min Read
Choose ETV Bharat

ଦାରିଙ୍ଗବାଡ଼ି (କନ୍ଧମାଳ): ମୃତ୍ୟୁ ପରେ ବି ଖଟିଆରେ ବୁହା ହେଲା ମର ଶରୀର । ଗାଁକୁ ପକ୍କା ରାସ୍ତା ନଥିବାରୁ ସମ୍ପର୍କୀୟଙ୍କ କାନ୍ଧରେ ଖଟିଆରେ ୪ କିଲୋମିଟର ବୁହା ହୋଇ ଘରେ ପହଞ୍ଚିଲା ମୃତଦେହ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ପଞ୍ଚାୟତର ଉପାନ୍ତ ଅଞ୍ଚଳରେ ଥିବା କାନ୍ଦେରି ଗାଁରୁ ।

୪ କିଲୋମିଟର ଖଟିଆରେ ବୁହା ହୋଇ ଘରକୁ ଆସିଲା ମୃତଦେହ (ETV Bharat Odisha)

କାନ୍ଦେରି ଗାଁକୁ ପକ୍କା ରାସ୍ତା ନଥିବା ଯୋଗୁଁ ଗାଡ଼ି ନଯାଇ ପାରିବାରୁ ଜଣେ ବୃଦ୍ଧାଙ୍କ ମୃତଦେହକୁ ୪ କିଲୋମିଟର ବାଟ ଖଟିଆରେ ବୋହି ନେଲେ ଗ୍ରାମବାସୀ । ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସିଧୁପାଦେରୀ ଗାଁରେ ୨୦ରୁ ଉର୍ଦ୍ଧ୍ବ ଆଦିବାସୀ ପରିବାର ବସବାସ କରନ୍ତି । ତେବେ ସିଧୁପାଦେରୀ ଗାଁ ଯାଏଁ ପକ୍କା ରାସ୍ତା ନିର୍ମାଣ ହୋଇଥିବା ବେଳେ ସେଠାରୁ କାନ୍ଦେରୀ ଗାଁକୁ ଦୀର୍ଘ ୪ କିଲୋମିଟର ରାସ୍ତା ସମ୍ପୂର୍ଣ୍ଣ ପାହାଡିଆ ଖାଲଖମା ରାସ୍ତା । ଏଭଳି ସ୍ଥଳେ ଉକ୍ତ ଗାଁକୁ କୌଣସି ଗାଡ଼ି ଯାତାୟତ କରୁନାହିଁ ।

ଗତ ଶୁକ୍ରବାର ଦିନ ଉକ୍ତ ଗ୍ରାମର ୬୦ ବର୍ଷୀୟା ବୃଦ୍ଧା ରାସୁଙ୍ଗୀ ପ୍ରଧାନଙ୍କ ପେଟ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ମେଡିକାଲ ଆଣିବାକୁ ସିଧୁପାଦେରୀ ଗ୍ରାମ ପର୍ଯ୍ୟନ୍ତ ୪ କିଲୋମିଟର ରାସ୍ତା ଖଟିଆରେ ବୋହି ଅଣାଯାଇଥିଲା । ସେଠାରୁ ତାଙ୍କୁ ଏକ ଗାଡି ସାହାଯ୍ୟରେ ଆଣି ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।ହେଲେ ଗତ ବୁଧବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ପରିବାର ଲୋକେ ଏକ ଘରୋଇ ଆମ୍ବୁଲାନ୍ସ ଭଡା କରି ମୃତଦେହକୁ ସିଧୁପାଦେରୀ ଗାଁ ପର୍ଯ୍ୟନ୍ତ ଆଣିଥିଲେ । ଏହାପରେ ସେଠାରୁ ଏକ ଖଟିଆ ସାହାଯ୍ୟରେ ଦୀର୍ଘ ୪ କିଲୋମିଟର ରାସ୍ତା ବୋହିକି କାନ୍ଦେରି ଗାଁକୁ ଆଣିଥିଲେ । କେବଳ ଏହି ଗୋଟିଏ ଥର ଲୋକେ ଏପରି ଖଟିଆରେ ବୋହିକି ନେଇଛନ୍ତି ତାହା ନୁହଁ ବରଂ ଶତାଧିକ ଥର ରୋଗୀଙ୍କୁ ଖଟିଆରେ ନେବା ଆଣିବା କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏନେଇ ଜଣେ ଗ୍ରାମବାସୀ କହିଛନ୍ତି," ଆମ ଗାଁକୁ ପକ୍କା ରାସ୍ତା ନଥିବା ଯୋଗୁଁ ପ୍ରତ୍ୟେକ ଦିନ ଆମେ ବହୁତ ଆସୁବିଧାର ସମ୍ମୁଖୀନ ହେଉଛୁ । ବର୍ଷା ଦିନ ହୋଇଗଲେ ପାହାଡିଆ ରାସ୍ତାରେ ଯାତାୟତ କରିବା ଅସମ୍ଭବ ହୋଇପଡୁଛି । ଏପରିକି ସରକାରଙ୍କ ପକ୍ଷରୁ ଯେଉଁ ରାସନ ଚାଉଳ ବଣ୍ଟନ ହେଉଛି, ତାହାକୁ ବି ଲୋକେ କାନ୍ଧରେ ବୋହିକି ଆଣୁଛନ୍ତି । ଏନେଇ ଆମେ ବାରମ୍ବାର ସ୍ଥାନୀୟ ପ୍ରଶାସନ ଓ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଲେ ମଧ୍ୟ କୌଣସୁ ସୁଫଳ ମିଳୁନାହିଁ ।"

ସ୍ୱାଧୀନତାର ୭୮ ବର୍ଷ ବିତିଯାଇଥିଲେ ସୁଦ୍ଧା ଲୋକେ ଆଜି ଅଭିଶପ୍ତ ଜୀବନ ବଞ୍ଚୁଛନ୍ତି । କନ୍ଧମାଳ ଜିଲ୍ଲାରେ ଏପରି ଅନେକ ଗାଁ ରହିଛି ଯେଉଁଠି ଆଜି ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଛି । କେବେ ଗାଁକୁ ପକ୍କା ରାସ୍ତା ହେବ, ସେନେଇ ବହୁ ବର୍ଷ ହେବ ଅପେକ୍ଷା କରି ରହିଥିବା ବେଳେ ପକ୍କା ରାସ୍ତାଟିଏ ନିର୍ମାଣ କରିବା ପାଇଁ ସରକାରଙ୍କ ପାଖରେ ଗୁହାରି କରିଛନ୍ତି କାନ୍ଦେରି ଗ୍ରାମବାସୀ।

ଏନେଇ ଦାରିଙ୍ଗବାଡ଼ି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତିରଞ୍ଜନ ରଥ କହିଛନ୍ତି," ଏହି ଘଟଣା ସମ୍ପର୍କରେ ମୁଁ ଅବଗତ ରହିଛି । କାନ୍ଦେରୀ ଗାଁକୁ କିଭଳି ପକ୍କା ରାସ୍ତା ନିର୍ମାଣ ହୋଇପାରିବ, ସେନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ସହ ଆଲୋଚନା ହୋଇଛି । ଖୁବଶୀଘ୍ର ଉକ୍ତ ଗାଁକୁ ରାସ୍ତା ନିର୍ମାଣ କରାଯିବ । "

ଇଟିଭି ଭାରତ, କନ୍ଧମାଳ