ବଞ୍ଚି ଥାଉଥାଉ ମାରିଦେଲେ ! ମିଳୁନି ଭତ୍ତା କି ରାସନ, ଅସହାୟ ଅବସ୍ଥାରେ ବାବାଜୀ
ବାସ୍ତବରେ ଜୀବିତ ହେଲେ କାଗଜପତ୍ରରେ ମୃତ । ମିଳୁନି ଭତ୍ତା କି ରାସନ । ସରକାରୀ ସହାୟତାରୁ ବଞ୍ଚିତ ହୋଇ ଅସହାୟ ଅବସ୍ଥାରେ କେନ୍ଦ୍ରାପଡ଼ାର ବୃଦ୍ଧ ବାବାଜୀ ନାୟକ ।

Published : March 2, 2026 at 11:24 AM IST
ସ୍ପେଶାଲ ଷ୍ଟୋରୀ: ରାଧାକାନ୍ତ ମହାନ୍ତି
କେନ୍ଦ୍ରାପଡ଼ା: "ମୁଁ ବଞ୍ଚିଛି.. କଥା ହେଉଛି.. ହେଲେ କାଗଜପତ୍ରରେ ମୋତେ ମାରିଦେଇଛନ୍ତି.. ସରକାରୀ ସୁବିଧା ବନ୍ଦ କରି ଦିଆଯାଇଛି । ଭତ୍ତା ଆଉ ରାସନ ପାଇଲେ ଏ ବୁଢା ମଣିଷଟା ଚଳୁଥିଲା.. ହେଲେ ସେତକ ବନ୍ଦ କରିଦେଲେ.." ଏ କଥା କହିଲା ବେଳକୁ ତାଙ୍କ ଆଖିରେ ଲୁହ ଆସିଯାଉଛି । ରହିବାକୁ ଘର ନାହିଁ । ବଞ୍ଚି ଥାଉ ଥାଉ ସରକାରୀ କାଗଜପତ୍ରରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ସରକାରୀ କଳର ବିପର୍ଯ୍ୟସ୍ତ ବ୍ୟବସ୍ଥା ହେଉ ଅବା କାହାର ଭୁଲ, ଯେଉଁଥିପାଇଁ ଜଣେ ୬୮ ବର୍ଷୀୟ ଅସହାୟ ବୃଦ୍ଧ ସରକାରୀ ସୁବିଧାରୁ ବଞ୍ଚିତ ହୋଇ ଦୁଃଖରେ ଜୀବନ କାଟୁଛନ୍ତି ।
ଅସହାୟ ବାବାଜୀ:
କେନ୍ଦ୍ରାପଡା ଗରଦପୁର ବ୍ଲକ ଗରଦପୁର ପଞ୍ଚାୟତ ବ୍ରହ୍ମପୁର ଗାଁର ୬୮ ବର୍ଷୀୟ ବାବାଜୀ ନାୟକ । ବାବାଜୀଙ୍କ ପରିବାର କହିଲେ କେହି ବୋଲି କେହି ନାହାନ୍ତି । ୧୯୯୯ ମସିହା ମହାବାତ୍ୟାରେ ମୁଣ୍ଡ ଗୁଞ୍ଚୁଥିବା ଘର ଖଣ୍ଡକ ଭାଙ୍ଗି ଯାଇଥିଲା । ନିଜ ଘର ନଥିବାରୁ ପାଖଡ଼ ପଞ୍ଚାୟତରେ ଥିବା ଜଳସେଚନ ବିଭାଗ ଡିଭିଜନ କାର୍ଯ୍ୟାଳୟର ଏକ ଭଙ୍ଗା ଘରକୁ ସଜାଡି ଏକୁଟିଆ ଜୀବନଯାପନ କରନ୍ତି । ତେବେ ଫେବୃଆରୀ ମାସରେ ପଞ୍ଚାୟତକୁ ବାର୍ଦ୍ଧକ୍ୟ ଭତ୍ତା ଆଣିବା ପାଇଁ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କର ନାଁ କାଟି ଦିଆଯାଇଥିବା କହି ପଞ୍ଚାୟତ ନିର୍ବାହୀ ଅଧିକାରୀ ଭତ୍ତା ଟଙ୍କା ଦେଇନଥିଲେ । ସେପଟେ ରାସନ କାର୍ଡରେ ମିଳୁଥିବା ୫ କିଲୋଗ୍ରାମ ଚାଉଳ ପାଇଁ ଫେବୃଆରୀ ୨୫ ତାରିଖ ଦିନ ଡିଲର ପାଖକୁ ଯାଇଥିଲେ । ଡିଲର ବାବାଜୀଙ୍କର ଆଖି ଓ ଫିଙ୍ଗର ପ୍ରିଣ୍ଟ ସ୍କାନ କରିବା ପରେ ଏହା ହୋଇନଥିଲା ।

ଜିଇଁ ଥାଉ ଥାଉ ମୃତ ଘୋଷଣା:
ଏନେଇ ବାବାଜୀଙ୍କୁ ଗରଦପୁର ବ୍ଲକରେ ହେଉଥିବା ଆଧାରକାର୍ଡ଼ କେନ୍ଦ୍ରରେ ଯାଇ କ'ଣ ଭୁଲ ରହିଛି ଦେଖିବାକୁ ଡିଲର କହିଥିଲେ । ଏ ଅଫିସରୁ ସେ ଅଫିସ ଦୌଡ଼ି ଦୌଡ଼ି ଶେଷରେ ବାବାଜୀ ଆଧାରକାର୍ଡ କେନ୍ଦ୍ରକୁ ଆସିବା ପରେ ଆଧାର କେନ୍ଦ୍ର ପକ୍ଷରୁ ତାଙ୍କୁ ମୃତ ଦର୍ଶାଇ ଆଧାରକାର୍ଡ ନାକଚ ହୋଇଥିବା କହିଥିଲେ । ଯାହାକୁ ଦେଖି ବାବାଜୀଙ୍କ ଆଖିରେ ଲୁହ ଆସି ଯାଇଥିଲା । ଜଣେ ଜୀବିତ ବ୍ୟକ୍ତିଙ୍କୁ ସରକାରୀ ସ୍ତରରେ କିପରି ମୃତ ଦର୍ଶାଗଲା ସେନେଇ ଚିନ୍ତାରେ ବାବାଜୀ ।

ବାବାଜୀ ନାୟକ କହିଛନ୍ତି, "ମୁଁ ଭୂତ ନୁହେଁ, ମୁଁ ଜୀବିତ । ଜାନୁଆରୀ ମାସରେ ବାର୍ଦ୍ଧକ୍ୟ ଭତ୍ତା ପାଇଥିଲି । ହେଲେ ଫେବୃଆରୀ ମାସରେ ମୋତେ ମୃତ ଘୋଷଣା କରାଯାଇଛି କହି ଭତ୍ତା ଟଙ୍କା ଦେବାକୁ ମନାକଲେ । ମୁଁ ଦୁଃଖ ଓ ଅସହାୟ ଅବସ୍ଥାରେ ରହିଛି । ସରକାର ଘର ଦେଇନାହାନ୍ତି । ମୁଁ ଯେଉଁଠି ରହୁଛି ତାହା ଜଳସେଚନ ବିଭାଗ ଡିଭିଜନର ଏକ ଭଙ୍ଗା ଘର ।"
ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ:
ସେପଟେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ କହିବା କଥା ଯେ, ବାବାଜୀ ନାୟକ ହେଉଛିନ୍ତି ଜଣେ ଅସହାୟ ବୃଦ୍ଧ । ଯାହାଙ୍କର ପରିବାରରେ କେହି ନାହାନ୍ତି । ମୁଣ୍ଡ ଗୁଞ୍ଜିବାକୁ ତାଙ୍କର ଚାଳଛପର ଘରଟିଏ ମଧ୍ୟ ନାହିଁ । ବୃଦ୍ଧାବସ୍ଥା ହୋଇଯାଇଥିବା କାରଣରୁ ସେ ମୂଲ ଲାଗି ପାରିବେନି କି ବେପାର ବଣିଜ କରିପାରିବେ ନାହିଁ । ତେଣୁ ସରକାରୀ ସାହାଯ୍ୟ ତାଙ୍କର ଏକମାତ୍ର ଭରସା । ବାବାଜୀଙ୍କୁ ସରକାରୀ କାଗଜପତ୍ରରେ ମୃତ ଘୋଷଣା କରାଯାଇ ତାଙ୍କ ଚାଉଳ ଆଉ ଭତ୍ତା ବନ୍ଦ କରିଦିଆଯାଇଛି । ଡିଲର, ବ୍ଲକ ଯୋଗାଣ ବିଭାଗ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବିଡିଓଙ୍କ ପାଖକୁ ଯାଇ ନିରାଶ ହେବା ପରେ ସେ ଆଧାରକାର୍ଡ କେନ୍ଦ୍ରକୁ ଯାଇ ପଚାରିଲା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଛି ବୋଲି କୁହାଯାଇଥିଲା ।

'ସରକାରୀ ସହାୟତାରୁ ବଞ୍ଚିତ କରାନଯାଉ':
ପାଖଡ଼ ଗାଁର ବୁଦ୍ଧିଜୀବୀ ମାନସ ରଞ୍ଜନ କର କହିଛନ୍ତି, "ଏ ହେଉଛି ସରକାରଙ୍କ ଏକ ବିଚିତ୍ର ବ୍ୟବସ୍ଥା । ଲୋକଟି ବଞ୍ଚି ଥାଉ ଥାଉ ତାକୁ ମୃତ ଘୋଷଣା କରାଯାଇଛି । ସେ ସରକାରୀ ସହାୟତା ନ ପାଇଲେ ସତକୁ ସତ ମରିଯିବେ । ତେଣୁ ତାଙ୍କୁ ସରକାରୀ ସହାୟତାରୁ ବଞ୍ଚିତ କରାନଯାଉ ବୋଲି ଦାବି କରୁଛୁ ।"
ସରକାରୀ ସହଯୋଗ ଦାବି:
ସେହିପରି ବାବାଜୀଙ୍କ ପଡୋଶୀ ମଙ୍ଗଳମୟ ଦାସ କହିଛନ୍ତି,"ତାଙ୍କୁ କେବଳ ଚାଉଳ ୫ କିଲୋ ଆଉ ଭତ୍ତା ଏକ ହଜାର ଟଙ୍କା ମିଳୁଥିଲା । ସେ ଆଗରୁ ଠିକଠାକରେ ସାମଗ୍ରୀ ପାଉଥିଲେ । ଗତ ଫେବୃଆରୀ ମାସରେ ମୃତ ଘୋଷଣା କରାଯାଇଥିବାରୁ ତାଙ୍କୁ କିଛି ମିଳୁନି । ସେ ବଞ୍ଚି ଥାଉଥାଉ ତାଙ୍କୁ ମାରି ଦେଇଛନ୍ତି । ସେ ବୃଦ୍ଧ ହୋଇଗଲେଣି, କୌଣସି କାମ କରିପାରୁନାହାନ୍ତି, ତେଣୁ ତାଙ୍କୁ ସରକାର ସହଯୋଗ କରନ୍ତୁ ।"
ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି:
ETV Bharat ପକ୍ଷରୁ ବ୍ରହ୍ମପୁର ଗାଁର ବାବାଜୀ ନାୟକଙ୍କ ସମ୍ପର୍କରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଅବଗତ କରାଯିବା ପରେ ଫୋନଯୋଗେ ଜିଲ୍ଲାପାଳ ରଘୁରାମ ଆର ଆୟର୍ କହିଛନ୍ତି, "ଆମେ ଏ ବିଷୟରେ ଆପଣଙ୍କ ଠାରୁ ଅବଗତ ହେଲୁ । ଆଧାରକାର୍ଡର ଏକ ଭ୍ୟାଲିଡିଟି ସମୟ ଥାଏ, ଯାହାକୁ କିଛି ବର୍ଷ ଅନ୍ତରରେ ଅପଡେଟ କରାଇବାକୁ ହୋଇଥାଏ । ଆଉ ଯଦି ଏହି ବ୍ୟକ୍ତିଜଣଙ୍କ ତାଙ୍କ ଆଧାର ଅପଡେଟ କାର୍ଯ୍ୟ କରିନଥିବେ ତେବେ ଏଭଳି ଅସୁବିଧା ହୋଇଥିବ । ପ୍ରଶାସନ ଏନେଇ ତଦନ୍ତ କରି କେଉଁଠି ଭୁଲ ରହିଛି ତାର ସମାଧାନ କରିବ ଓ ଏହି ବ୍ୟକ୍ତିଜଣଙ୍କୁ ଖୁବଶୀଘ୍ର ତାଙ୍କ ଭତ୍ତା ଓ ରାସନ ସାମଗ୍ରୀ ମିଳିବ ।"
ଏହା ମଧ୍ୟ ପଢ଼ନ୍ତୁ... ସାହିତ୍ୟ ପ୍ରେମରେ ବିପିନ; ଦିନରେ ଅଟୋ ଚଲାନ୍ତି, ବିଳମ୍ବିତ ରାତିରେ କବିତାର ସାଧନା କରନ୍ତି ରୋଗକୁ ବଳି ଗଲାଣି ବ୍ୟାଙ୍କ ବୋଝ, କ୍ୟାନସର ପୀଡ଼ିତା କଳ୍ପନାଙ୍କ ଯନ୍ତ୍ରଣାଦାୟକ ଜୀବନ |
ଇଟିଭି ଭାରତ, କେନ୍ଦ୍ରାପଡା

