ଧର୍ମକୁ ନେଇ ବିଭେଦ: ମିଳିଲାନି ମଶାଣି, 3 ଦିନ ପଡ଼ି ରହିଲା ମୃତଦେହ
ଧର୍ମ ବିବାଦରୁ ଘରେ ପଡ଼ି ରହିଲା ମୃତଦେହ । ମୃତକଙ୍କ ପରିବାର ଲୋକେ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଟଣାଓଟରା । ପୋଲିସ ହସ୍ତକ୍ଷପ ପରେ ବାହାରିଲା ସମାଧାନର ବାଟ ।

Published : January 9, 2026 at 8:35 PM IST
Religious Dispute ବାଲେଶ୍ବର: ଧର୍ମ ବିବାଦରୁ 3 ଦିନ ଘରେ ପଡ଼ି ରହିଲା ମୃତଦେହ । ଗାଁ ଶ୍ମଶାନରେ ମୃତଦେହ ସତ୍କାର କରିବାକୁ ବାରଣ କଲେ ଗ୍ରାମବାସୀ । ମୃତକଙ୍କ ପରିବାର ଲୋକେ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଟଣାଓଟରା । ପୋଲିସର ହସ୍ତକ୍ଷପ ପରେ ବାହାରିଲା ସମାଧାନର ବାଟ । ମୃତ୍ୟୁକୁ 3 ଦିନ ବିତିବା ପରେ ମୃତଦେହକୁ ପୋତା ଯାଇଛି । ବାଲେଶ୍ବର ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।
୩ ଦିନ ଘରେ ପଡ଼ି ରହିଲା ମୃତଦେହ:
ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା କାଳିକ ପଞ୍ଚାୟତର ରଙ୍ଗାମାଠିଆ ଗ୍ରାମର ଚଇନା ହାଁସଦାଙ୍କ ପୁତ୍ର ଛୁଟା ହାଁସଦାଙ୍କ ବାର୍ଦ୍ଧକ୍ୟ କାରଣରୁ ଗତ ବୁଧବାର ଦିନ ମୃତ୍ୟୁ ହୋଇଥିଲା । ଛୁଟା ପାରମ୍ପରିକ ଆଦିବାସୀ ସଂପ୍ରଦାୟର ହୋଇ ମଧ୍ୟ ବିଗତ ୧୫ରୁ ଅଧିକ ବର୍ଷ ତଳେ ନିଜର ଧର୍ମ ପରିବର୍ତ୍ତନ କରିଥିଲେ । ଛୁଟାଙ୍କ ମୃତ୍ୟୁ ପରେ ଆଦିବାସୀ ପରମ୍ପରାର ବିଧିବିଧାନ କ୍ଷୁର୍ଣ୍ଣ ହେବାରୁ ଗ୍ରାମବାସୀମାନେ ଗ୍ରାମ ମଶାଣିରେ ମୃତଦେହ ସତ୍କାର କରାଯିବାକୁ ବାରଣ କରିଥିଲେ । ଛୁଟା ଅନ୍ୟ ଧର୍ମ ଗ୍ରହଣ କରିଥିବାରୁ ଧର୍ମର ନିୟମ ଅନୁସାରେ, ନିଜ ବାଡ଼ିରେ ମୃତଦେହ ପୋତିବା ପାଇଁ ଛୁଟାଙ୍କ ପୁଅ ଭୀମ କହୁଥିଲା ବେଳେ ଗ୍ରାମବାସୀ ଆଦିବାସୀ ସମ୍ପ୍ରଦାୟର ନିୟମ ଅନୁସାରେ ପୋତିବା କିମ୍ବା ପୋଡିବା ପାଇଁ କହିଥିଲେ ।

ଏନେଇ ଛୁଟାଙ୍କ ପୁଅ ଭୀମ ହାଁସଦା କହିଛନ୍ତି, "ବୁଧବାର ରାତିରେ ବାପାଙ୍କ ମୃତ୍ୟୁ ହୋଇଛି । ଗ୍ରାମବାସୀ କହୁଛନ୍ତି ତାଙ୍କ ନିୟମ ମାନିଲେ ମୃତଦେହ ପୋତିବା ପାଇଁ ଅନୁମତି ଦେବେ । ନଚେତ ଆମ ନିୟମରେ ପୋତିବାକୁ ଦେବେନାହିଁ ।"
ବାହାରିଲା ସମାଧାନ ବାଟ:
ସେପଟେ ମୃତଦେହ ସତ୍କାରକୁ ନେଇ ମୃତକଙ୍କ ପରିବାର ଲୋକ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଥିଲା । ଏହା ଭିତରେ ୩ ଦିନ ବିତିଯାଇଥିଲେ ମଧ୍ୟ ଘରେ ସେମିତି ମୃତଦେହ ପଡ଼ି ରହିଥିଲା । ଘଟଣା ସମ୍ପର୍କରେ ଖବର ପାଇବା ପରେ ରାଇବଣିଆ ପୋଲିସ ଏବଂ ଜଳେଶ୍ଵର ଏସଡିପିଓ ସୁବ୍ରତ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚିଥିଲେ । ଉଭୟ ପକ୍ଷକୁ ବୁଝାସୁଝା କରିବା ପରେ ଶେଷରେ ମୃତଦେହ ସତ୍କାର କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ... ଗାଁରେ ନାହିଁ ଶ୍ମଶାନ, ରାସ୍ତାକଡ଼ରେ ଜଳୁଛି ଜୁଇ କାନ୍ଧ ଦେଲେନି ଗାଁ ଭାଇ; 6 ଘଣ୍ଟା ପଡିରହିଲା ଶବ, କୁଷ୍ଠରୋଗୀଙ୍କ ଅନ୍ତିମ ସଂସ୍କାର କଲେ ଡାକ୍ତର |
ଜଳେଶ୍ୱର ଏସଡିପିଓ ସୁବ୍ରତ ବେହେରା କହିଛନ୍ତି, "ଏହି ଗାଁରେ ଦୁଇଟି ଧର୍ମର ଲୋକ ରହୁଛନ୍ତି । ମୃତଦେହ ସତ୍କାରକୁ ନେଇ ସେମାନଙ୍କ ଭିତରେ ବିଭେଦ ସୃଷ୍ଟି ହେଇଥିଲା । ପୋଲିସ ପ୍ରଶାସନ ପକ୍ଷରୁ ସେମାନଙ୍କ ସହ ଆଲୋଚନା କରିଥିଲୁ । ଆଜି ଯାଏଁ ଏହାର ସମାଧାନ ହୋଇ ପାରୁନଥିଲା । ଶେଷରେ ତହସିଲଦାର ଗ୍ରାମ ବାହାରେ ଏକ ସ୍ଥାନ ନିରୂପଣ କରିବା ପରେ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେମୃତଦେହର ସତ୍କାର କରାଯାଇଛି ।"
ଇଟିଭି ଭାରତ, ବାଲେଶ୍ବର

