ମହାନଦୀ-ବାହୁଦାକୁ ଋଷିକୂଲ୍ୟା ନଦୀ ସଂଯୋଗୀକରଣ ଦାବି, ରାଜ୍ୟପାଳଙ୍କୁ ଭେଟିଲା ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ
ମହାନଦୀ-ବାହୁଦାକୁ ଋଷିକୂଲ୍ୟା ନଦୀ ଦେଇ ସଂଯୋଗୀକରଣ କରିବା ସହ ଜାତୀୟ ଜଳପଥ-୫ (NW-5) ସମ୍ପ୍ରସାରଣ ପାଇଁ ଦାବି କରି ରାଜ୍ୟପାଳଙ୍କୁ ସାକ୍ଷାତ କଲା ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ।

Published : January 10, 2026 at 10:49 AM IST
ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ଜଳସେଚନ ଓ ଶିଳ୍ପ ବିକାଶ ପାଇଁ ବିଶେଷ କରି ମହାନଦୀ-ଋଷିକୂଲ୍ୟା ନଦୀ ସଂଯୋଗୀକରଣକୁ ବାହୁଦା ନଦୀ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବା ଏବଂ ଜାତୀୟ ଜଳପଥ-୫ (NW-5)କୁ ଏହାସହ ଯୋଡ଼ିବା ପାଇଁ ଗୁରୁତ୍ୱାରୋପ କରିଛି, ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ । ପରିଷଦର ଆବାହକ ତଥା ପୂର୍ବତନ ଆଇଓଏଫଏସ (IOFS) ଅଧିକାରୀ ଡକ୍ଟର ବାଳକୃଷ୍ଣ ପଣ୍ଡା ଓଡ଼ିଶାର ରାଜ୍ୟପାଳଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ପ୍ରସ୍ତାବରେ ସେ ବିଭିନ୍ନ ବିଷୟକୁ ଉପସ୍ଥାପନା କରିଛନ୍ତି ।
ପ୍ରସ୍ତାବିତ ପ୍ରକଳ୍ପର ଗୁରୁତ୍ୱପୂର୍ଣ୍ଣ ବିଷୟ-
ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବ ଅନୁଯାୟୀ ବଡ଼ମୂଳ ଠାରେ ଏହାର ବନ୍ଧ ନିର୍ମାଣ ହେବା ସହିତ ମହାନଦୀର ବନ୍ୟା ଜଳକୁ ବିନିଯୋଗ କରିବା ପାଇଁ ସାତକୋଶିଆ ନିକଟରେ ରହିଥିବା ବଡ଼ମୂଳ ଠାରେ ଏକ ବନ୍ଧ ନିର୍ମାଣ କରି ଦକ୍ଷିଣ ଓଡ଼ିଶାକୁ ଜଳ ଯୋଗାଇ ଦିଆଯାଇପାରିବ ବୋଲି କୁହାଯାଇଛି । ଏପରିକି ଏଥିରେ ଜଳସେଚନ ଓ ପାନୀୟ ଜଳ ପାଇଁ ମୋଟ ୩୧୭ କିଲୋମିଟର ଦୀର୍ଘ କେନାଲ ଦ୍ୱାରା ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲାର ପ୍ରାୟ ୨.୭ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବା ସହ ବ୍ରହ୍ମପୁର ସହରର ପାନୀୟ ଜଳ ସମସ୍ୟା ଦୂର ହେବ ବୋଲି କୁହାଯାଇଛି ।

ନୌ-ଚଳାଚଳ, ଶିଳ୍ପ ବିକାଶ ଏବଂ ଅର୍ଥନୈତିକ ସମୃଦ୍ଧି-
ଏହି କେନାଲଟି ନୌ-ଚଳାଚଳ ଯୋଗ୍ୟ ହେବା ସହ ଜାତୀୟ ଜଳପଥ-୫ ସହ ସଂଯୁକ୍ତ ହେଲେ ତାଳଚେର କୋଇଲା ଖଣି ଓ ପାରାଦୀପ ବନ୍ଦର ସହ ଗୋପାଳପୁର ଓ ବାହୁଦା ମୁହାଣ ବନ୍ଦର ସହଜରେ ଯୋଡ଼ି ହୋଇପାରିବ। ଯାହାକି ଓଡ଼ିଶା ଇକୋନୋମିକ କରିଡରର ଶିଳ୍ପ ଗୁଡ଼ିକୁ ଜଳ ଯୋଗାଇ ଦିଆଯାଇପାରିବ ବୋଲି କୁହାଯାଇଛି । ଏପରିକି ଏହି ପ୍ରକଳ୍ପ ଦ୍ୱାରା ୪୨୨ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହୋଇପାରିବ। ଏଥିସହ କେନାଲ ମଧ୍ୟରେ 'କେଜ୍ ଫିସିଂ' (Cage Fishing) ମାଧ୍ୟମରେ ମତ୍ସ୍ୟ ଚାଷ କରି ଜମି ହରାଇଥିବା ଚାଷୀମାନଙ୍କୁ ବାର୍ଷିକ ଲକ୍ଷାଧିକ ଟଙ୍କାର ରୋଜଗାରକ୍ଷମ କରାଯାଇପାରିବ ।
ବିକଶିତ ଭାରତ ଓ 'ଉତ୍କର୍ଷ ଓଡ଼ିଶା-
ଆଗାମୀ ୨୦୩୬'ର ସ୍ୱପ୍ନକୁ ସାକାର କରିବା ପାଇଁ ଏହି ବହୁମୁଖୀ ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଡକ୍ଟର ପଣ୍ଡା ପ୍ରକାଶ କରିଛନ୍ତି । ଓଡ଼ିଶାର ଐତିହାସିକ ନୌବାଣିଜ୍ୟ ପରମ୍ପରାକୁ ଆଗାମୀ ଶିଳ୍ପ ହବ୍ ସହିତ ସଂଯୋଗ କରିପାରିବ ବୋଲି କୁହାଯାଇଛି । ଏପରିକି ବର୍ତ୍ତମାନ ଆମେ ଯାହାକୁ ଜାତୀୟ ଜଳପଥ-୫ (NW-5) କହୁଛୁ, ତାର ଇତିହାସ ୧୮୬୬ ମସିହାର ଭୟଙ୍କର ନଅଙ୍କ ଦୁର୍ଭିକ୍ଷ ସହିତ ଜଡ଼ିତ ବୋଲି କୁହାଯାଇଛି । ସେହି ସମୟରେ ପରିବହନ ବ୍ୟବସ୍ଥାର ଆବଶ୍ୟକତାକୁ ଅନୁଭବ କରି ବ୍ରିଟିଶ ପ୍ରଶାସନ ପକ୍ଷରୁ ଗୋଏନଖାଲିରୁ ପାରାଦୀପ ପର୍ଯ୍ୟନ୍ତ କେନାଲ ନେଟୱାର୍କ ବିକଶିତ କରାଯାଇଥିଲା। ଏହି ଐତିହ୍ୟ ଭିତ୍ତିଭୂମି ଓଡ଼ିଶାର ଅର୍ଥନୀତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଛି ।

ଜାତୀୟ ଜଳପଥ-୫ (NW-5)ର ବର୍ତ୍ତମାନର ସ୍ଥିତି-
ସରକାରୀ ଭାବେ NW-5ର ଦୈର୍ଘ୍ୟ ପ୍ରାୟ ୫୮୮ କିଲୋମିଟର, ଯେଉଁଥିରେ ବ୍ରାହ୍ମଣୀ ନଦୀ, ମାତାଇ ନଦୀ ଏବଂ ପୂର୍ବ ଉପକୂଳ କେନାଲ ସାମିଲ ରହିଛି । ୨୦୨୫ ଶେଷ ଆଡ଼କୁ, ଭାରତୀୟ ଅନ୍ତର୍ଦ୍ଦେଶୀୟ ଜଳପଥ ପ୍ରାଧିକରଣ (IWAI) ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ୧୨,୨୦୦ କୋଟି ଟଙ୍କାର ଏକ ଐତିହାସିକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏହାର ଲକ୍ଷ୍ୟ ହେଉଛି ତାଳଚେରରୁ ପାରାଦୀପ/ଧାମରା ପର୍ଯ୍ୟନ୍ତ ଜଳପଥକୁ କାର୍ଯ୍ୟକ୍ଷମ କରି କୋଇଲା ଓ ଖଣିଜ ଦ୍ରବ୍ୟର ସହଜ ପରିବହନ କରିବା । ଦକ୍ଷିଣ ଓଡ଼ିଶା ବିକାଶ ଗୋଷ୍ଠୀ ରାଜ୍ୟର ନୌବାଣିଜ୍ୟ ମାନଚିତ୍ରରେ ରହିଯାଇଥିବା ଏକ ବଡ଼ ଅଭାବ ପ୍ରତି ଦୃଷ୍ଟି ଆକର୍ଷଣ କରୁଛି । ଉତ୍ତର ଏବଂ କେନ୍ଦ୍ରୀୟ ଓଡ଼ିଶାର ଉପକୂଳ ସଂଯୋଗ ହେଉଥିବା ବେଳେ ଦକ୍ଷିଣ ଓଡ଼ିଶା ଉପକୂଳକୁ ମଧ୍ୟ ସମାନ ଭାବେ ଜଳପଥରେ ସଂଯୋଗ କରିବା ଆବଶ୍ୟକ ରହିଥିବା କୁହାଯାଇଛି ।
କିଭଳି ରହିବ ପ୍ରସ୍ତାବିତ ମାର୍ଗ ?-
ମହାନଦୀ-ଋଷିକୂଲ୍ୟା-ବାହୁଦା ନଦୀ ସଂଯୋଗୀକରଣ ମାଧ୍ୟମରେ NW-5କୁ ପାରାଦୀପ/ଛତ୍ରପୁରରୁ ଆଗକୁ ବାହୁଦା ନଦୀ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଉ । କେନ୍ଦ୍ର ସରକାର ବାହୁଦା ନଦୀ ମୁହାଣରେ ଏକ ବୃହତ ବନ୍ଦର ନିର୍ମାଣ ପାଇଁ ୨୧,୫୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ବନ୍ଦର ବାର୍ଷିକ ୧୫୦ MTPA ମାଲ୍ ପରିବହନ କରିବାର କ୍ଷମତା ରଖିବ । ଏଥିସହିତ ବୈଷୟିକ ଏବଂ ଅର୍ଥନୈତିକ ସୁଫଳ ମିଳିବା ସହିତ ରାସ୍ତାଘାଟରେ ଭିଡ଼ ହ୍ରାସ ହୋଇପାରିବ । ବାହୁଡ଼ା ବନ୍ଦରକୁ NW-5 ସହିତ ଯୋଡ଼ିଲେ ଶିଳ୍ପଜାତ ପଦାର୍ଥ ପରିବହନ ପାଇଁ ଏକ "ଜଳପଥ ମହାମାର୍ଗ" ସୃଷ୍ଟି ହେବ । ଯାହା ୧୬ ନମ୍ବର ଜାତୀୟ ରାଜପଥ ଏବଂ ରେଳପଥ ଉପରୁ ଚାପ କମାଇବ ।

ଏପରିକି ଏଥିଯୋଗୁଁ ପରିବହନ ଖର୍ଚ୍ଚ କମ୍ ହେବା ସହିତ ଜଳପଥରେ ପରିବହନ ଖର୍ଚ୍ଚ ରେଳପଥ ତୁଳନାରେ ପ୍ରାୟ ୩୦% ଏବଂ ସଡ଼କ ପଥ ତୁଳନାରେ ୬୦% କମ୍ । ଏହାଦ୍ୱାରା ଦକ୍ଷିଣ ଓଡ଼ିଶାର ଶିଳ୍ପାଞ୍ଚଳ ଅନେକ ମାତ୍ରାରେ ଉପକୃତ ହୋଇପାରିବେ । ଓଡ଼ିଶା କ୍ୟାବିନେଟ୍ ୧,୭୯୦ କୋଟି ଟଙ୍କାର ରାଜ୍ୟସ୍ତରୀୟ ନଦୀ ସଂଯୋଗୀକରଣ ଯୋଜନାକୁ (ବଂଶଧାରା-ଋଷିକୂଲ୍ୟା ଏବଂ ବାହୁଡ଼ା-ତାମ୍ପରା ସଂଯୋଗ) ମଞ୍ଜୁର କରିଛନ୍ତି । ଯାହା ଏହି ଜଳପଥ ସମ୍ପ୍ରସାରଣ ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରଦାନ କରୁଛି । ସେପଟେ ବିକଶିତ ଓଡ଼ିଶା ୨୦୩୬ର ସ୍ୱପ୍ନକୁ ସାକାର କରିବା ପାଇଁ ବାହୁଦା ବନ୍ଦରକୁ କେବଳ ଏକ ବିଚ୍ଛିନ୍ନ ବନ୍ଦର ନକରି ଏହାକୁ ଜାତୀୟ ଜଳପଥ ନେଟୱାର୍କ ସହ ଯୋଡ଼ିବା ଜରୁରୀ । NW-5କୁ ବାହୁଡ଼ା ନଦୀ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା କେବଳ ଏକ ଆଞ୍ଚଳିକ ଦାବି ନୁହେଁ, ବରଂ ଏହା ଭାରତର ପୂର୍ବ ଦ୍ୱାର ପାଇଁ ଏକ ରଣନୀତିକ ଆବଶ୍ୟକତା ରହିଥିବା ପ୍ରେସ ବିବୃତି ମାଧ୍ୟମରେ ସୂଚନା ଦେଇଛନ୍ତି ପରିଷଦର ଆବାହକ ଡକ୍ଟର ବାଳକୃଷ୍ଣ ପଣ୍ଡା ।
ଏହା ମଧ୍ୟ ପଢ଼ନ୍ତୁ- ରାଜ୍ୟରେ ଦୂର ହେବ ଜଳ କଷ୍ଟ, ଛଅଟି ପ୍ରମୁଖ ପ୍ରକଳ୍ପକୁ ସରକାରଙ୍କ ଅନୁମୋଦନ
ଏହା ମଧ୍ୟ ପଢ଼ନ୍ତୁ- ସରକାରଙ୍କ ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ପ୍ରୟାସ, ୧୮୦୦ କୋଟି ବ୍ୟୟରେ ନିର୍ମାଣ ହେବ ପ୍ରକଳ୍ପ
ଇଟିଭି ଭାରତ, ବ୍ରହ୍ମପୁର

