ETV Bharat / state

ଦହିବରାରେ ରହିଛି କଟକିଆଙ୍କ ଆବେଗ: ବର୍ଷ ସାରା ଖାଆନ୍ତି, ତଥାପି ଆଜି ଷ୍ଟଲ ସାମ୍ନାରେ ଲମ୍ବା ଭିଡ

ଅନେକ ଜାଗାରେ ଦହିବାର ମିଳିଥାଏ । ହେଲେ ଆଳୁଦମ, ଘୁଘୁନି, ପିଆଜ ଓ ସେଓ ମିଶ୍ରିତ ଦହିବରା କେବଳ କଟକରେ ହିଁ ମିଳେ। ଆଉ ତା ସ୍ୱାଦ ବି ନିଆରା ।

Today dahibara aloodum dibasa
ଦହିବରାରେ ରହିଛି କଟକିଆଙ୍କ ଆବେଗ (Etv Bharat)
author img

By ETV Bharat Odisha Team

Published : March 1, 2026 at 3:34 PM IST

2 Min Read
Choose ETV Bharat

ସ୍ପେଶାଲ ରିପୋର୍ଟ-ନାରାୟଣ ସାହୁ

କଟକ: ଦହିବରା କେବଳ ଏକ ଖାଦ୍ୟ ନୁହେଁ, ଏହା କଟକିଆଙ୍କର ଆବେଗ ଓ ସାଂସ୍କୃତିକ ପରିଚୟର ଅଂଶ। ପ୍ରତ୍ୟକ କଟକିଆଙ୍କର ଏହା ପ୍ରିୟ ଖାଦ୍ୟ । ଖାଲି କଟକ ନୁହେଁ, ସାରା ଭାରତର ଲୋକଙ୍କ ପସନ୍ଦ କଟକି ଦହିବରା । ଅନେକ ଜାଗାରେ ଦହିବରା ମିଳିଥାଏ । ହେଲେ ଆଳୁଦମ, ଘୁଘୁନି, ପିଆଜ ଓ ସେଓ ମିଶ୍ରିତ ଦହିବରା କେବଳ କଟକରେ ହିଁ ମିଳେ। ଆଉ ତା ସ୍ୱାଦ ବି ନିଆରା । ବଡ଼ କଥା ହେଉଛି, କଟକ ଦହିବରାର ସ୍ୱାଦ ବର୍ଷକ ଯାକ ସମାନ। ଅର୍ଥାତ ଏହାର ସ୍ୱାଦ ଗୋଟିଏ ପ୍ରକାର। ଯିଏ କଟକ ଦହିବରା ଖାଇଛି ସେ କଟକ ଆସିଲେ ଦହିବରା ଖାଇବାକୁ ହିଁ ପ୍ରଥମ ପସନ୍ଦ କରିଛି । ତେଵେ ଦହିବରାକୁ ଜିଆଇ ଟ୍ୟାଗ ମାନ୍ୟତା ଦେବାକୁ ଦାବି କରିଛନ୍ତି ଦହିବରା ବ୍ୟବସାୟୀ।

ଆଜି ଦହିବରା ଦିବସ, ମାତ୍ର କଟକିଆ ଙ୍କ ପାଇଁ ବର୍ଷକ ଯାକ ଦହିବରା ଦିବସ (Etv Bharat)
ଦହିବରା ଷ୍ଟଲ ଆଗରେ ଲାଗିଛି ଭିଡ଼

ଆଜି ହେଉଛି ଦହିବରା ଦିବସ। କଟକର ସବୁ ଦହିବରା ଷ୍ଟଲ ଆଗରେ ଏହି ଖାଦ୍ୟର ମଜା ନେବା ପାଇଁ ଲାଗିଛି ଭିଡ଼। କାରଣ କଟକ ପରିଚୟ ହେଉଛି ଦହିବରା, ସ୍ୱାଦ ପୁଣି ସବୁଠାରୁ ନିଆରା। ଦହିବରାରେ ପଡିଥିବ ଆଳୁଦମ, ଘୁଘୁନି । ଆଉ ତାହାର ବାସ୍ନା ଥରେ ମହକି ଗଲେ ପାଟିର ପାଣିକୁ ରୋକିବା କଷ୍ଟ । ଏହି ନିଆରା ସ୍ବାଦ ପାଇଁ କଟକି ଦହିବରା ଆଜି ବିଶ୍ୱ ଦରବାରରେ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି । ଛୋଟରୁ ବଡ଼ ସମସ୍ତେ ଆଜି ଦହିବରା ଖାଇବା ପାଇଁ ପାଗଳ। ସକାଳ ଜଳଖିଆ ହେଉ ଅବା ସନ୍ଧ୍ୟା ଖଟି.. ଯେତେବେଳେ ଯାହାକୁ ଭୋକ ଲାଗେ, ପ୍ରଥମ ପସନ୍ଦ ଆସେ ଦହିବରା। ସହରର ଯେକୌଣସି ଦହିବରା ଷ୍ଟଲକୁ ଗଲେ ପ୍ରାୟ ସବୁ ଆଡ଼େ ଭିଡ଼ ଆଉ ଭିଡ଼ । ସେହିପରି ମାର୍ଚ୍ଚ ୧କୁ ଦହିବରା ଦିବସ ଭାବରେ ପାଳନ କରନ୍ତି ଲୋକେ। କିନ୍ତୁ କଟକ ସହରର ଦହିବରାର ସ୍ୱାଦ ଅନ୍ୟ ଅଞ୍ଚଳ ଅପେକ୍ଷା ସମ୍ପୂର୍ଣ ଭିନ୍ନ ବୋଲି କଟକିଆ ଦାବି କରିଛନ୍ତି ।

Today dahibara aloodum dibasa
ଆଜି ଦହିବରା ଦିବସ, ମାତ୍ର କଟକିଆ ଙ୍କ ପାଇଁ ବର୍ଷକ ଯାକ ଦହିବରା ଦିବସ (Etv Bharat)
ବିରି ବରା ସାଙ୍ଗକୁ ଦହିରେ କଡା ଛୁଙ୍କ..

କଟକ ଦହିବରା ପ୍ରସ୍ତୁତିରେ ମଧ୍ୟ ସ୍ୱତନ୍ତ୍ରତା ରହିଛି । ରାତିରେ ବିରି ଆଉ ଚାଉଳ ବାଟିବା ପରେ ଭୋର ସମୟରେ ଏଥିରେ ବରା ପ୍ରସ୍ତୁତ କରାଯାଏ । ବରାକୁ ପାଣିରେ ପକାଯାଏ । ପରେ ବରାକୁ ଛାଣି ଦହିରେ ପକାଇ କଡା ଛୁଙ୍କ ଦିଆଯାଏ । ବାସ...କିଛି ସମୟ ପରେ ଦହିବରା ପୁରା ନରମ ହୋଇଯାଏ । ସେହିପରି ଆଳୁଦମ ମଧ୍ୟ ନିଆରା ଢଙ୍ଗରେ ପ୍ରସ୍ତୁତ କରାଯାଏ । ତେଲ କଢ଼େଇରେ ପିଆଜ ଭାଜି ବିଭିନ୍ମ ପ୍ରକାର ମସଲା ପକାଇ ଆଳୁଦମ ପ୍ରସ୍ତୁତ କରାଯାଏ । ଘୁଘୁନି ଆଳୁଦମ ମିଶା ଦହିବରା ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି ।

dahibara aloodum dibasa today
ଆଜି ଦହିବରା ଦିବସ, ମାତ୍ର କଟକିଆ ଙ୍କ ପାଇଁ ବର୍ଷକ ଯାକ ଦହିବରା ଦିବସ (Etv Bharat)
ପାଟିକୁ ସୁଆଦିଆ, ଦେହ ପାଇଁ ହିତକର ବି

ଶିବରାତ୍ରି ପରେ ଅର୍ଥାତ ମାର୍ଚ୍ଚ 1 ରୁ ଗରମ ଅନୁଭୂତ ହୋଇଥାଏ । ଶୀତ ଦିନ ଅପେକ୍ଷା ମାର୍ଚ୍ଚ 1 ରୁ ଅନେକ ଲୋକ ଦହିବରା ଖାଇବା ପାଇଁ ପସନ୍ଦ କରିଥାନ୍ତି । ଗରମ ଦିନରେ ଏହା ଖାଇବା ଦ୍ୱାରା ପେଟ ଥଣ୍ଡା ରହିଥାଏ । ବିରିରେ ଏହା ପ୍ରସ୍ତୁତ ହେଉଥିବାରୁ ଏହା ଶରୀର ପାଇଁ ଭଲ । ସେହିପରି ଦହି ମଧ୍ୟ ହଜମ ହେବାରେ ସହାୟତା କରିଥାଏ ସେଥିପାଇଁ ଦହିବରା ଖାଇବା ଶରୀର ପାଇଁ ଭଲ ବୋଲି ଡାକ୍ତର ଚନ୍ଦନ ବେହେରା କହିଛନ୍ତି । ତେବେ କଟକର ଦହିବରା ରାଜ୍ୟ, ରାଜ୍ୟ ବାହାରେ ପରିଚିୟ ହାସଲ କରିଥିବାରୁ ଏହାକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିବା କଥା ବୋଲି ପୂର୍ବରୁ ଦାବି ଉଠିଛି ଏବଂ ଏହି ଦାବି ପୂରଣ କରିବା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଦହିବରା ବ୍ୟବସାୟୀ ସଙ୍ଘର ସଭାପତି କହିଛନ୍ତି।


ଇଟିଭି ଭାରତ, ଭୁବନେଶ୍ୱର

ଏହା ମଧ୍ୟ ପଢନ୍ତୁ ସେଫ ବିକାଶଙ୍କ ପାଟିରୁ ଛାଡ଼ୁନି ଦହିବରାର ସ୍ୱାଦ, କହିଲେ ଏହା ମୋର ପ୍ରିୟ ଖାଦ୍ୟରୁ ଗୋଟିଏ

ଏହା ମଧ୍ୟ ପଢନ୍ତୁ ଜଗା ଡାକରେ ବିହ୍ୱଳ ବୃନ୍ଦାବନ...ସାଇକେଲରେ ତୁଳସୀ ନେଇ ବାଲେଶ୍ୱରରୁ ଯାଉଛନ୍ତି ପୁରୀ