ଲାଞ୍ଚ ନେଇ ଗିରଫ ହେଲେ ଖଣି ଉପ ନିର୍ଦ୍ଦେଶକ ଦେବବ୍ରତ, ଚଢ଼ାଉ ବେଳେ 4 କୋଟି ଟଙ୍କା ଜବତ
କୋଇଲା ଡିପୋ ଭଲରେ ଚାଲିବା ତଥା ପରିବହନ ପାଇଁ ଅନୁମତି ଦେବା ପ୍ରତିଶ୍ରୁତିରେ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଟଙ୍କା ଲାଞ୍ଚ ନେଉଥିଲେ । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ ପ୍ରକ୍ରିୟା ଆରମ୍ଭ।


Published : February 25, 2026 at 10:08 AM IST
|Updated : February 25, 2026 at 10:49 AM IST
VIGILANCE RAID ଭୁବନେଶ୍ୱର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି କୋଟିପତି ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି । ତାଙ୍କୁ ଭିଜିଲାନ୍ସ ଟିମ ଆଜି ଭୁବନେଶ୍ବରରୁ ଗିରଫ କରିଛି । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ଏସପି ସରୋଜ କୁମାର ସାମଲ ଏହି ସୂଚନା ଦେଇଛନ୍ତି । ଅଭିଯୁକ୍ତ ଦେବବ୍ରତଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।
କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଜଣେ ଲାଇସେନ୍ସପ୍ରାପ୍ତ କୋଇଲା ବ୍ୟବସାୟୀଙ୍କଠାରୁ 30,000 ଟଙ୍କା ଲାଞ୍ଚ ନେଉଥିଲା ବେଳେ ତାଙ୍କୁ ଭିଜିଲାନ୍ସ ଟିମ୍ ଧରିଥିଲା । ପରେ ଦେବବ୍ରତ ମହାନ୍ତିଙ୍କ ୩ଟି ଠିକଣାରେ ଆଜି ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍ । ତଢାଉ ସମୟରେ ତାଙ୍କ ଘରୁ 4 କୋଟିରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି । ଭିଜିଲାନ୍ସ ସୂଚନା ଅନୁଯାୟୀ, କୋଇଲା ଡିପୋ ଭଲରେ ଚାଲିବା ତଥା ପରିବହନ ପାଇଁ ଅନୁମତି ଦେବା ପ୍ରତିଶ୍ରୁତି ଦେଇ ଖଣି ଉପ ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି 30,000 ଟଙ୍କା ଲାଞ୍ଚ ନେଉଥିଲେ । ଧରା ପଡିବା ପରେ ଭୁବନେଶ୍ୱର ଭିଜିଲାନ୍ସ ଥାନା ପକ୍ଷରୁ ମାମଲା ରୁଜୁ କରାଯିବା ସହ ତାଙ୍କୁ ଅଧିକ ପଚରାଉଚରା ଜାରି ରହିଛି ।
ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଭୁବନେଶ୍ୱର ଶ୍ରୀବିହାର ନେଚର୍ସ ଆପର୍ଟମେଣ୍ଟ ଫ୍ଲାଟ ନଂ-302 ସ୍ଥିତ ବାସଭବନରେ ଆଜି ଭିଜିଲାନ୍ସ ଟିମ ତଢାଉ କରିଥିଲା । ଜଣେ ଖଣି ଅଧିକାରୀଙ୍କ ଠାରୁ 4 କୋଟି ଟଙ୍କା ଜବତ ଘଟଣା, ସର୍ବାଧିକ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏହି ଟଙ୍କା ଏକ ଟ୍ରଲି ବ୍ୟାଗରେ ଏବଂ ଆଲମିରାରେ ଲୁଚାଇ ରଖାଯାଇଥିଲା । ଏହା ବ୍ୟତୀତ ମହାନ୍ତିଙ୍କ ଅଫିସ ଡ୍ରୟରରୁ ଏକ ଲକ୍ଷ 20 ହଜାର ଟଙ୍କା ଜବତ କରାଯାଇଛି । ଏଥିସହିତ ତାଙ୍କ ପୈତୃକ ଘର ଭଦ୍ରକ ମଠସାହିସ୍ଥିତ ଘର ଏବଂ କଟକ ଅଫିସରେ ଚଢାଉ ଜାରି ରହିଛି।
ଏସବୁ ବ୍ୟତୀତ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଭୁବନେଶ୍ପର ପାହାଳ ନିକଟରେ 2400 ବର୍ଗଫୁଟର ଏକ ଦୁଇ ମହଲା କୋଠା, 130 ଗ୍ରାମର ସୁନା ଅଳଙ୍କାର ଭିଜିଲାନ୍ସ ଠାବ କରିଛି । ଏନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନା ପକ୍ଷରୁ ମାମଲା (୧/୨୦୨୬) ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ଚଢାଉ ଶେଷ ହେବା ପରେ ତାଙ୍କର ସମସ୍ତ ସମ୍ପତ୍ତିର ଆକଳନ କରାଯିବ ।
ଖଣି ଉପନିର୍ଦ୍ଦେଶକଙ୍କ ଚାକିରୀ ଜୀବନ
ଭିଜିଲାନ୍ସ ପକ୍ଷରୁ ମିଳିଥିବା ଅଧିକ ସୂଚନା ଅନୁଯାୟୀ, 1968 ମେ 7 ତାରିଖରେ ଜନ୍ମ ଗ୍ରହଣ କରିଥିବା ଦେବବ୍ରତ ମହାନ୍ତି 2004 ଅଗଷ୍ଟ 9 ତାରିଖରେ ବଲାଙ୍ଗୀର ଖଣି କାର୍ଯ୍ୟାଳୟରେ ଜୁନିଅର ମାଇନିଂ ଅଫିସର (ସିନିୟର ସର୍ଭେୟର) ଭାବରେ ଚାକିରି ଆରମ୍ଭ କରିଥିଲେ। 2006 ରୁ 2008 ପର୍ଯ୍ୟନ୍ତ ବାରିପଦା, 2009 ରୁ 2011 ପର୍ଯ୍ୟନ୍ତ ବ୍ରହ୍ମପୁର, 2011 ରୁ 2014 ପର୍ଯ୍ୟନ୍ତ କଟକ ଏବଂ 2014 ରୁ 2018 ପର୍ଯ୍ୟନ୍ତ ଭୁବନେଶ୍ୱରର ରାଜ୍ୟ ମୁଖ୍ୟାଳୟରେ ସମାନ ପଦବୀରେ କାର୍ଯ୍ୟ କରିଥିଲେ।
ସେ 2018 ମାର୍ଚ୍ଚରେ ସହକାରୀ ଖଣି ଅଧିକାରୀ (ମୁଖ୍ୟ ସର୍ଭେୟର) ପଦବୀକୁ ପଦୋନ୍ନତି ପାଇ ସମ୍ବଲପୁରରେ ଯୋଗ ଦେଇଥିଲେ। । 2022 ଏପ୍ରିଲରୁ 2025 ଡିସେମ୍ବର ପର୍ଯ୍ୟନ୍ତ ସେ ଫୁଲବାଣୀରେ ଖଣି ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ । ଫୁଲବାଣୀ ସହିତ ବୌଦ୍ଧ ଏବଂ ନୟାଗଡ ଦାୟିତ୍ୱରେ ମଧ୍ୟ ଥିଲେ ସତ୍ୟବ୍ରତ ।

2026 ଜାନୁଆରୀ 7ରେ ସେ କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଭାବରେ ଯୋଗ ଦେଇ ଆଜି ପର୍ଯ୍ୟନ୍ତ ସେ ଏହି ପଦବୀରେ କାର୍ଯ୍ୟରତ ଅଛନ୍ତି । ଏଥି ସହିତ କଟକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱରେ ମଧ୍ୟ ଥିଲେ ।
ପୂର୍ବରୁ ଓଡିଶା ଭିଜିଲାନ୍ସ ପକ୍ଷରୁ ହୋଇଥିବା ଚଢାଉ ଓ ଜବତ ହୋଇଥିବା ବିପୁଳ ଟଙ୍କା
- 2022 ଏପ୍ରିଲ 7- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ମାଇନିଂ ଇରିଗେସନ କାର୍ତ୍ତିକେଶ୍ୱର ରାଉଳଙ୍କ ଘରେ ଭିଜାଲାନ୍ସ ଚଢାଉ । 3 କୋଟି 41 ଲକ୍ଷ 66 ହଜାର 280 ଟଙ୍କା ଜବତ ।
- 2023 ଜୁନ 22 ଓ 23 -ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଘରେ ଭିଜାଲାନ୍ସ ଚଢାଉ । 3 କୋଟି 12 ଲକ୍ଷ 30 ହଜାର 800 ଟଙ୍କା ଜବତ।
- 2025 ମେ 30-ଭୁବନେଶ୍ୱର ଆରଡବ୍ଲୁ ବିଭାଗ ଚିଫ ଇଞ୍ଜିନିୟର ବୈକୁଣ୍ଠନାଥ ଷଡଙ୍ଗୀଙ୍କ ଘରେ ଚଢାଉ । 2 କୋଟି 56 ଲକ୍ଷ ଟଙ୍କା ଜବତ ।
- 2025 ଫେବୃଆରୀ 6-ମାଲକାନଗିରି ୱାଟରସେଡ ଡେପୁଟି ଡାଇରେକ୍ଟର ତଥା ପ୍ରୋଜେକ୍ଟ ଡାଇରେକ୍ଟର ଶାନ୍ତନୁ ମହାପାତ୍ର ଘରେ ଭିଜିଲାନ୍ସ ଚଢାଉ । 2 କୋଟି 8 ଲକ୍ଷ ଟଙ୍କା ଜବତ ।
- 2023 ମାର୍ଚ୍ଚ 3-ଭୁବନେଶ୍ୱର ଖଣି ନିର୍ଦ୍ଦେଶାଳୟ ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ । 1 କୋଟି 64 ଲକ୍ଷ ଟଙ୍କା ଜବତ ।
- 2025 ମାର୍ଚ୍ଚ 25-କୋରାପୁଟ ଜିଲ୍ଲା ଜୟପୁର ଫରେଷ୍ଟ ରେଞ୍ଜର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଭିଜିଲାନ୍ସ ଚଢାଉ । 1 କୋଟି 43 ଲକ୍ଷ ଟଙ୍କା ଜବତ ।
- 2022 ମାର୍ଚ୍ଚ 25-ମାଲକାନଗିରି ଆର ଡବ୍ଲୁ ଡିଭିଜନର ଏସଆଇ ଆଶୀଷ କୁମାର ଦାସଙ୍କ ଘରେ ଭିଜିଲାନ୍ସ ରେଡ । 1 କୋଟି 40 ଲକ୍ଷ 18 ହଜାର 70 ଟଙ୍କା ଜବତ ।
- 2022 ଫେବୃଆରୀ 16-ଚାରିଛକ ସିଏଚସି ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ସୁକାନ୍ତ ଜେନାଙ୍କ ଘରେ ଭିଜିଲାନ୍ସ ରେଡ । 1 କୋଟି 13 ଲକ୍ଷ 16 ହଜାର 720 ଟଙ୍କା ଜବତ ।
- 2022 ଡିସେମ୍ବର 20-IDCOLର ଯୁଗ୍ମ ପରିଚାଳକ ଗୟା ସାନ୍ତରାଙ୍କ ଘରେ ଭିଜିଲାନ୍ସ ରେଡ । 1 କୋଟି 6 ଲକ୍ଷ 44 ହଜାର 500 ଟଙ୍କା ଜବତ ।
- 2016 ଫେବୃଆରୀ 24-କଟକ ଆଠଗ଼ଡର ପୂର୍ବତନ DFO ସୁଧାଂଶୁ ଶେଖର ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ । 1 କୋଟି 1 ଲକ୍ଷ 70 ହଜାର ଟଙ୍କା ଜବତ ।
ଇଟିଭି ଭାରତ, ଭୁବନେଶ୍ୱର
ଏହା ମଧ୍ୟ ପଢନ୍ତୁ ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟର ଭାଗବତ, କଳାହାଣ୍ଡିରୁ ପୁଳା ପୁଳା ସମ୍ପତ୍ତି ଠାବ
ଏହା ମଧ୍ୟ ପଢନ୍ତୁ ୩ ହଜାରରୁ ୪ କୋଟିର ମାଲିକ; ଜେଲ ଗଲେ କୋଟିପତି ଫରେଷ୍ଟର, ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ

