କଟକ ବାଣ ବିସ୍ଫୋରଣ ଘଟଣାରେ 3 ମୃତ; ମୃତକଙ୍କ ମଧ୍ୟରେ 1 ଶିଶୁ ଓ 2 ମହିଳା
କଟକ ଜଗତପୁର ଥାନା ଅନ୍ତର୍ଗତ ମହାଜନପୁରରେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ମହିଳା ଏବଂ ଜଣେ ଶିଶୁ କନ୍ୟା ।

Published : February 20, 2026 at 11:11 AM IST
CUTTACK FIRECRACKER EXPLOSION କଟକ: କଟକ ଜଗତପୁର ଥାନା ଅନ୍ତର୍ଗତ ମହାଜନପୁରରେ ବାଣ ବିସ୍ପୋରଣ ଘଟଣାରେ ୩ ଜଣଙ୍କର ମୃତୁ ଘଟିଛି । ଏହି ଭୟଙ୍କର ଦୁର୍ଘଟଣାରେ ଦୁଇ ମହିଳାଙ୍କ ସମେତ ଜଣେ ଶିଶୁ କନ୍ୟା ଗୁରୁତର ହୋଇ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ, ଚିକିତ୍ସାଧିନ ଅବସ୍ଥାରେ 3 ଜଣଙ୍କର ମୃତ୍ୟୁ ଘଟିଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି ।
ଗତକାଲି (ଗୁରୁବାର) ସନ୍ଧ୍ୟାରେ ଜଗତପୁର ଥାନା ଅନ୍ତର୍ଗତ ମହାଜନପୁର ନାୟକ ସାହିରେ ଏକ ବଡ଼ ଧରଣର ବାଣ ବିସ୍ପୋରଣ ଘଟିଥିଲା । ବାଣ ତିଆରି କରୁଥିବା ବେଳେ ବିସ୍ଫୋରଣ ଘଟି ଗୋଟିଏ ପରିବାରର ତିନି ଜଣ ଗୁରୁତର ହୋଇଥିଲେ । ଖବର ପାଇ ଜଗତପୁର ପୋଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ସ୍ୱତନ୍ତ୍ର ଆମ୍ବଲାନ୍ସ ଦ୍ବାରା ଏସସିବି କାଜୁଆଲଟିରେ ଭର୍ତ୍ତି କରାଯାଇଥିଲା । ତେବେ ସମସ୍ତଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଶିଶୁ କନ୍ୟାକୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ଗତକାଲି ଚିକିତ୍ସାଧୀନ ଅବସ୍ଥାରରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ତିନି ଜଣ ହେଲେ ମାଆ ସୁଧାଂଶୁବାଳା ନାୟକ, କୁନି ଝିଅ ସ୍ଥିତପ୍ରଜ୍ଞା ନାୟକ ଓ ଜେଜେ ମାଆ ପ୍ରଭାତୀ ନାୟକ । ସେପଟେ କେଉଁ ପରିସ୍ଥିତିରେ ଏଭଳି ଏକ ଅଘଟଣ ଘଟିଲା ପୋଲିସ ଛାନଭିନ ଆରମ୍ଭ କରିଛି ।
ସେହିପରି ପୂର୍ବରୁ ଗତ ମାସ 28 ତାରିଖରେ ରାଜଧାନୀ ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ନରିଶୋ ପଞ୍ଚାୟତ ନିଧିସାହି ଅଞ୍ଚଳରେ ମଧ୍ୟ ଏକ ବେଆଇନ ବାଣ ଗୋଦାମରେ ଭୟଙ୍କର ବାଣ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଥିଲେ । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘର ଜଳି ପୋଡି ପାଉଁଶ ହୋଇଯାଇଥିଲା । ଘଟଣାର ଖବର ପାଇ ନିଆଳି ଅଗ୍ନିଶମ ବିଭାଗ ଓ ବାଲିପାଟଣା ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚିଥିଲା । ଗୁରୁତରମାନଙ୍କୁ ପ୍ରଥମେ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍ଗୁ ଭୁବନେଶ୍ବର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।
ଇଟିଭି ଭାରତ, କଟକ

