ସିଲଭର ସିଟିରେ ଦୋଳ ଯାତ୍ରା; ସୁନା ବିମାନରେ ଦୋଳ ଗୋବିନ୍ଦ, ଝଟକିଲା ତାରକସୀ କାରୁକାର୍ଯ୍ୟ, ବଢି ଚାଲିଛି ଚାନ୍ଦି ବିମାନ ସଂଖ୍ୟା
କଟକରେ ଗୋଟିଏ ଵିମାନର ମୂଲ୍ୟ ସାଢେ 7 କୋଟି ଟଙ୍କା । ସହରରେ 50ରୁ ଅଧିକ ଚାନ୍ଦି ବିମାନରେ ଦୋଳ ଯାତ୍ରା ।


Published : February 28, 2026 at 8:55 PM IST
ରିପୋର୍ଟ- ନାରାୟଣ ସାହୁ
କଟକ: କଟକରେ ସାଢେ ୭ କୋଟି ଟଙ୍କାର ଦୋଳ ବିମାନ । ଦୋଳ ଯାତ୍ରାରେ ଏହି ସୁନା ବିମାନଟି ସହରର ସାହି ସାହି ବୁଲି ଦର୍ଶନ ଦେଉଛନ୍ତି । ଏହି ଦୋଳ ବିମାନକୁ ଦେଖିବା ପାଇଁ ଭକ୍ତଙ୍କର ପ୍ରବଳ ଭିଡ଼ ବି ଜମୁଛି । ଆମେ କହୁଛୁ କଟକ କାଠ ଗଡ଼ା ସାହିରେ ଅଢ଼େଇ କିଲୋ ଓଜନରେ ତିଆରି ହୋଇଥିବା ସୁନା ବିମାନ କଥା । କଟକ ଦଶହରାରେ ଚାନ୍ଦି ମେଢ଼ ଭଳି ଦୋଳ ଯାତ୍ରାରେ ସୁନା ଆଉ ଚାନ୍ଦି ବିମାନ ପାଇଁ ଆରମ୍ଭ ହୋଇଗଲାଣି ପ୍ରତିଯୋଗିତା । ଦୋଳ ଯାତ୍ରାରେ କଟକରେ ପ୍ରାୟ ଶହେରୁ ଉର୍ଦ୍ଧ୍ୱ ବିମାନ ଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ଅଧାରୁ ଅଧିକ ବିମାନ ଚାନ୍ଦି ବ୍ୟବହାର କରାଯାଇଛି । ସୁନା ଏବଂ ଚାନ୍ଦିର ଦର ଅହେତୁକ ମାତ୍ରାରେ ବୃଦ୍ଧି ପାଉଥିବା ବେଳେ, ଏହି ଦର ବୃଦ୍ଧି କଟକ ବାସିନ୍ଦାଙ୍କୁ ପ୍ରଭାବ ପକାଇ ପାରିନାହିଁ ।
ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଆଉ ଚାନ୍ଦିର ଦର । ଗତ ବର୍ଷ ତୁଳନାରେ ଏହାର ଦର ପ୍ରାୟ 5 ଗୁଣା ବଢ଼ି ଗଲାଣି । ସ୍ଥିତି ଏମିତି କି ଜଣେ ସାଧାରଣ ଲୋକ ପାଇଁ ସୁନା କିମ୍ବା ଚାନ୍ଦି କିଣିବା ସାତ ସପନ ଭଳି । ଏହା କିନ୍ତୁ କଟକର କୌଣସି ପୂଜା ମଣ୍ଡପ କିମ୍ବା ବିମାନ ତିଆରି କରିବା ଉପରେ ପ୍ରଭାବ ପକାଇ ପାରି ନାହିଁ । ଚାନ୍ଦି ଆଉ ସୁନାର ଦର ବୃଦ୍ଧି ସତ୍ତ୍ୱେ କଟକରେ ବିମାନ ତିଆରି କରିବାରେ କୌଣସି ପ୍ରଭାବ ପକାଇ ପାରି ନାହିଁ । ଦଶହରାରେ ପ୍ରାୟ 35ଟି ମଣ୍ଡପରେ ଚାନ୍ଦି ମେଢ଼ ହୋଇଥିବା ବେଳେ ପ୍ରାୟ 50ରୁ ଅଧିକ ସାହିର ବିମାନ ପ୍ରାୟ ଚାନ୍ଦି ହୋଇଗଲାଣି । କିଏ 20 କେଜିରେ ଚାନ୍ଦି ବିମାନ କରିଛନ୍ତି ତ ଆଉ କିଏ 80 କେଜି ଚାନ୍ଦିରେ ବିମାନ ନିର୍ମାଣ କରିଛନ୍ତି । ମାତ୍ର ଦଶହରା ମେଢ଼ ଭଳି ଚାନ୍ଦି ବିମାନର ସଂଖ୍ୟା ବଢ଼ି ବାରେ ଲାଗିଛି ।


କଟକର ପ୍ରଥମ ଚାନ୍ଦି ମେଢ଼ ଚୌଧୁରୀ ବଜାର ପୂଜା ମଣ୍ଡପ କରିଥିବା ବେଳେ ପ୍ରଥମ ସୁନା ବିମାନ କରିବାରେ କାଠଗଡା ସାହି ରେକର୍ଡ଼ ସୃଷ୍ଟି କରିଛି । ଏହି ସାହିର ଯୁବକ ସମ୍ପାଦକ ଗଗନ ଓଝା କହିଛନ୍ତି, "ଅନେକ ସାହି ଗୁଡିକ ସେମାନଙ୍କ ବିମାନକୁ ଚାନ୍ଦି କରିଥିଲେ । ଆମ ସାହିରେ ଦୁଇଟି ବିମାନ ରହିଥିବା ବେଳେ ସେଥିରୁ ଗୋଟିଏ ବିମାନ 10 ବର୍ଷ ପୂର୍ବେ 80 କେଜି ଚାନ୍ଦିରେ ନିର୍ମାଣ କରାଯାଇଥିଲା । ତେଵେ ସାହିର ଲୋକ ଏକତ୍ରିତ ହୋଇ ସୁନା ବିମାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଏହି କ୍ରମରେ ଭକ୍ତ ମାନଙ୍କ ଦାନରେ ଦୁଇ ବର୍ଷ ପୂର୍ବରୁ ପ୍ରାୟ ଅଢ଼େଇ କେଜି ସୁନାରେ ବିମାନ ତିଆରି କରାଯାଇଛି । ସେତେବେଳେ ଏହାର ମୂଲ୍ୟ 63 ଲକ୍ଷ ଟଙ୍କା ଥିବା ବେଳେ ,ଏବେ ସୁନା ଦର ଅନୁସାରେ ଏହାର ମୂଲ୍ୟ ସାଢେ 7 କୋଟି ଟଙ୍କା ହେବ । ଏହା କେବଳ ଓଡିଶାରେ ନୁହେଁ ବରଂ ସାରା ଭାରତରେ ପ୍ରଥମ ସୁନା ବିମାନ ।" ତେବେ ଏଥିପାଇଁ କଟକବାସୀ ହିସାବରେ ସେ ବହୁତ ଗର୍ବିତ । ତେଵେ ଏହି ବିମାନ ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ଭକ୍ତମାନଙ୍କ ସୁଅ ଛୁଟୁଛି ବୋଲି କହିଛନ୍ତି ସମ୍ପାଦକ ଗଗନ ଓଝା ।

ସେହିପରି ଚାନ୍ଦିର ଦର ବୃଦ୍ଧି ପାଉଥିବା ବେଳେ ଆହୁରି ଅନେକ ସାହି ସେମାନଙ୍କ ବିମାନକୁ ଚାନ୍ଦି କରିବାକୁ ଯୋଜନା କରିଛନ୍ତି । ଏହି କ୍ରମରେ କଲେଜ ଛକ ପୂଜା କମିଟି ମଧ୍ୟ ଆସନ୍ତା ବର୍ଷ ନୂଆ ଚାନ୍ଦି ବିମାନ ପ୍ରସ୍ତୁତ କରିବାକୁ ଯୋଜନା ରଖିଛି । ଏହି ସାହିରେ ଦୁଇଟି ବିମାନ ଥିବା ବେଳେ ଗୋଟିଏ ବିମାନ ପ୍ରାୟ 20 କେଜି ଓଜନର । ତେଵେ ଆସନ୍ତାବର୍ଷକୁ ଆଉ ଗୋଟିଏ ବିମାନ ଚାନ୍ଦି କରାଯିବ ।

ଏନେଇ କମିଟିର ସମ୍ପାଦକ ଲୋକନାଥ ଲେଙ୍କା କହିଛନ୍ତି, "ଚାନ୍ଦିର ଦର ଯେତେ ଥାଉ ନାଁ କାହିଁକି ଭକ୍ତ ମାନଙ୍କ ସାହାଯ୍ୟରେ ଆଉ ଗୋଟିଏ ବିମାନକୁ ଚାନ୍ଦି କରାଯିବ । କଟକ ସହର ସୂକ୍ଷ୍ମ ତରକସୀ କାର୍ଯ୍ୟ ପାଇଁ ବେଶ ପ୍ରସିଦ୍ଧ ଲାଭ କରିଥିବା ବେଳେ ଦୁର୍ଗା ମେଢ଼ ପରେ ସମସ୍ତ ବିମାନ ଗୁଡିକ ଚାନ୍ଦି କରାଯିବ । ଏହା କଟକ ପାଇଁ ବେଶ ଗର୍ବର ବିଷୟ ।"

ସେହିପରି ଚାନ୍ଦି କାର୍ଯ୍ୟ କରି ବେଶ ଖୁସ ତରକସୀ କାରିଗର । ଦୁର୍ଗା ମଣ୍ଡପ ପରେ ଚାନ୍ଦି ବିମାନର ଚାହିଦା ବଢୁ ଥିବାରୁ ଅନେକ ତାରକସୀ କରିଗର ଲାଭବାନ ହେଉଛନ୍ତି । ବର୍ଷକ ଯାକ କାମ ମିଳୁଥିବାରୁ ଏହା ସେମାନଙ୍କୁ ରୋଜଗାର କ୍ଷମ କରୁଛି । ଦର ଯେତେ ବଢିଲେ ବି ଚାନ୍ଦି କାରିଗରଙ୍କ ହାତ କେବେ ବିଶ୍ରାମ ପାଏନି । ଗୋଟିଏ ନୂଆ ବିମାନ ତିଆରି କରିବା ପାଇଁ ଅର୍ଡର ଆସିଲେ ତାହା ବିଭିନ୍ନ ଡିଜାଇନ ଦେଖି ସମୟ ଲାଗିଥାଏ । ତଥାପି ଏହି ବିମାନ ନିର୍ମାଣ ପାଇଁ ଅତି କମରେ 6ରୁ 7 ମାସ ସମୟ ଲାଗିଥାଏ ବୋଲି ତରକସି କାରିଗର ବିଶ୍ଵନାଥ ଦେ କହିଛନ୍ତି ।

ଏହା ବି ପଢନ୍ତୁ- ବିଶ୍ଵ ଦେଖିବ ତାରକସୀର ସୂକ୍ଷ୍ମ କାରିଗରୀ, କଟକରେ ହେବ ଫିଲିଗ୍ରୀ କମନ ଫେଶିଲିଟି ସେଣ୍ଟର
ଇଟିଭି ଭାରତ, କଟକ

