ଜୋର ଜବରଦସ୍ତ ଚାନ୍ଦା କିମ୍ବା ବଟି ଆଦାୟ କଲେ 112ରେ ଜଣାଇବାକୁ କଟକ ଡିସିପିଙ୍କ ଅପିଲ
ପାର୍ବଣ ସମୟରେ ବେଆଇନ ଚାନ୍ଦା ଆଦାୟ ଓ ଦାଦାବଟିକୁ ରୋକିବା ପାଇଁ କଟକ ଡିସିପି ଋଷିକେଶ ଖିଲାରୀ, ଅସାମାଜିକ ତତ୍ତ୍ୱଙ୍କୁ ସ୍ପଷ୍ଟ ଚେତାବନୀ ଦେଇଛନ୍ତି । ରିପୋର୍ଟ- ନାରାୟଣ ସାହୁ

Published : September 1, 2026 at 10:20 PM IST
Cuttack DCP forced donation, କଟକ : ଆଗାମୀ ପୂଜା ପାର୍ବଣ ଋତୁକୁ କଟକ ସହରରେ ଶାନ୍ତିପୂର୍ଣ୍ଣ ଓ ଭୟମୁକ୍ତ ପରିବେଶରେ ଶେଷ କରିବା ପାଇଁ କଟକ ପୋଲିସ କମିଶନରେଟ୍ ପକ୍ଷରୁ ବ୍ୟାପକ ସୁରକ୍ଷା ପ୍ରସ୍ତୁତି ଗ୍ରହଣ କରାଯାଇଛି । ପାର୍ବଣ ସମୟରେ ବେଆଇନ ଚାନ୍ଦା ଆଦାୟ ଓ ଦାଦାବଟିକୁ ରୋକିବା ପାଇଁ କଟକ ଡିସିପି ଋଷିକେଶ ଖିଲାରୀ, ଅସାମାଜିକ ତତ୍ତ୍ୱଙ୍କୁ ସ୍ପଷ୍ଟ ଚେତାବନୀ ଦେଇଛନ୍ତି । ପୂଜା ନାଁରେ କୌଣସି ବି ସଂଘ, କ୍ଲବ୍ କିମ୍ବା ବ୍ୟକ୍ତିବିଶେଷ ସାଧାରଣ ଲୋକ, ଦୋକାନୀ, ବ୍ୟବସାୟୀ କିମ୍ବା ଗାଡ଼ି ଚାଳକଙ୍କଠାରୁ ଜୋର-ଜବରଦସ୍ତି ଚାନ୍ଦା ଆଦାୟ କରିପାରିବେ ନାହିଁ ।
ଯଦି କେହି ଜୋର-ଜବରଦସ୍ତ ଚାନ୍ଦା ମାଗନ୍ତି କିମ୍ବା ଭୟଭୀତ କରାନ୍ତି, ତେବେ ସେମାନଙ୍କ ବିରୋଧରେ ଆଇନଗତ ଭାବେ ଦୃଢ଼ ଓ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି କଟକ ଡିସିପି । ତେବେ ଏହି ଦାଦାବଟି ଓ ଚାନ୍ଦା ଆଦାୟ ଉପରେ ରୋକ୍ ଲଗାଇବା ପାଇଁ ପୋଲିସ ପ୍ରଶାସନ ଶେଷ ପ୍ରସ୍ତୁତି କରିଛି । ପୂର୍ବରୁ ବେଆଇନ ଚାନ୍ଦା ଆଦାୟ ଓ ଅସାମାଜିକ କାର୍ଯ୍ୟରେ ସଂପୃକ୍ତ ଥିବା ପେଷାଦାର ଅପରାଧୀଙ୍କର ଏକ ବିଶେଷ ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କ ଗତିବିଧି ଉପରେ ପୋଲିସର କଡ଼ା ନଜର ରଖାଯାଇଛି । ସନ୍ଦିଗ୍ଧ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ବାଉଣ୍ଡ-ଡାଉନ୍ ପ୍ରକ୍ରିୟା ଜାରି ରହିଛି । ଏହା ସହିତ ପ୍ରମୁଖ ପୂଜା ମଣ୍ଡପ ଓ ଜନସମାଗମ ହେଉଥିବା ଅଞ୍ଚଳଗୁଡ଼ିକରେ ସିସିଟିଭି କ୍ୟାମେରା ସାହାଯ୍ୟରେ ନଜର ରଖା ଯାଇଛି ।
ଏହା ସହ ଜୋର-ଜବରଦସ୍ତ ଚାନ୍ଦା ଆଦାୟ ରୋକିବା ପାଇଁ ପୋଲିସ ପକ୍ଷରୁ ଖୁବଶୀଘ୍ର ଏକ ସ୍ୱତନ୍ତ୍ର ଟୋଲ୍-ଫ୍ରି ନମ୍ବର ଜାରି କରାଯିବ । କୌଣସି ସ୍ଥାନରେ ଚାନ୍ଦା ପାଇଁ ଜୁଲୁମ୍ ହେଲେ ସାଧାରଣ ନାଗରିକ ତୁରନ୍ତ ୧୧୨ କିମ୍ବା ଏହି ଟୋଲ୍-ଫ୍ରି ନମ୍ବରରେ ସୂଚନା ଦେବାକୁ ଡିସିପି ଋଷିକେଶ ଖିଲାରୀ ଆହ୍ୱାନ କରିଛନ୍ତି । ଅଭିଯୋଗକାରୀଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନ ରଖାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି, କଟକ ଡିସିପି ।
ଏହା ମଧ୍ୟ ପଢ଼ନ୍ତୁ- ରେଭେନ୍ସା ବିଶ୍ଵବିଦ୍ୟାଳୟ ବିଧାୟକ- ଅଧ୍ୟାପକ ବିବାଦ ପ୍ରସଙ୍ଗ: କୁଳପତିଙ୍କ ସହ ଆଲୋଚନା ପରେ ବାହାରିଲା ସମାଧାନର ବାଟ
ଏହା ମଧ୍ୟ ପଢ଼ନ୍ତୁ- ହାଇକୋର୍ଟରେ ଉପ-ମୁଖ୍ୟମନ୍ତ୍ରୀ ପଦର ବୈଧତାକୁ ଚ୍ୟାଲେଞ୍ଜ ପ୍ରସଙ୍ଗ; ଶୁଣାଣି ଶେଷ, ରାୟ ସଂରକ୍ଷିତ
ଏହା ମଧ୍ୟ ପଢ଼ନ୍ତୁ- ପୀତବାସ ପଣ୍ଡା ହତ୍ୟା ମାମଲା; ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ
ଇଟିଭି ଭାରତ, କଟକ

