କଟକରେ ଯାତାୟତରେ ବାଧା ସାଜିଛି ଓଭରହେଡ୍ ବ୍ୟାରିକେଡ୍, ହନ୍ତସନ୍ତ ଯାତ୍ରୀ
କଟକ ସିଡିଏ ସେକ୍ଟର-୧୦ ଓ ୧୧ ମଧ୍ୟରେ ଲାଗିଥିବା ଓଭରହେଡ୍ ବ୍ୟାରିକେଡ୍ ଯାତାୟତ ସେବାରେ ବାଧା ସୃଷ୍ଟି କରୁଛି । ସମସ୍ୟା ଉପରେ ଦୃଷ୍ଟି ଦେବାକୁ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ।

Published : February 25, 2026 at 2:57 PM IST
Overhead Barricade କଟକ: ଯାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି କଟକ ସିଡିଏ ସେକ୍ଟର-୧୦ ଓ ୧୧ ମଧ୍ୟରେ ଲଗାଯାଇଥିବା ଏକ ଓଭରହେଡ୍ ବ୍ୟାରିକେଡ୍ । କେବଳ କଟକବାସୀଙ୍କ ପାଇଁ ସମସ୍ୟା ନୁହେଁ ବରଂ ଏହା ଏବେ ସାରା ରାଜ୍ୟ ପାଇଁ ସମସ୍ୟା ସାଜିଛି । ସେକ୍ଟର-୧୧ ବାଲିଘାଟ ଗଡ଼ାରୁ ସେକ୍ଟର-୧୦ ମଧୁସେତୁ ଗଡ଼ା ପର୍ଯ୍ୟନ୍ତ ରାସ୍ତାକୁ 'ନୋ ଏଣ୍ଟ୍ରି ଜୋନ୍' ଘୋଷଣା କରାଯାଇ ବ୍ୟାରିକେଡ୍ ଲଗାଯାଇଛି । ଫଳରେ ପଶ୍ଚିମ ଓଡ଼ିଶାକୁ ଯୋଡ଼ୁଥିବା ବସ୍ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ଅଭିଯୋଗ ହୋଇଛି ।
କଟକର କାଠଯୋଡ଼ି ନଦୀବନ୍ଧକୁ ମହାନଦୀ ମଧୁସୂଦନ ସେତୁ ସହ ସଂଯୋଗ କରୁଥିବାରୁ ଏହି ରାସ୍ତା ଏକ ଗୁରୁତ୍ୱପୂର୍ଣ୍ଣ ପରିବହନ କରିଡର ଭାବେ ପରିଗଣିତ ହେଉଥିଲା । ଜାତୀୟ ରାଜପଥରେ ଗହଳି କମାଇବା ଏବଂ ଦୂରତା ହ୍ରାସ କରିବା ପାଇଁ ବ୍ୟବହାର କରାଯାଉଥିବା ଏହି ରାସ୍ତାରେ ଏବେ ଭାରିଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । କେବଳ ଦୂରଗାମୀ ଘରୋଇ ବସ୍ ନୁହେଁ, ସରକାରଙ୍କ ପ୍ରମୁଖ ଯୋଜନା ‘ଆମ ବସ୍’ ମଧ୍ୟ ଏହି କଟକଣା ଯୋଗୁଁ ନରାଜ ପାର୍ଶ୍ବ ରାସ୍ତାରେ ଯାଇପାରୁନାହିଁ । ଫଳରେ ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା ଓ ବୁର୍ଲା ଅଞ୍ଚଳକୁ ଯାଉଥିବା ଯାତ୍ରୀମାନେ ପ୍ରଭାବିତ ହେଉଛନ୍ତି । ସେହିପରି ରାଉରକେଲା, ସମ୍ବଲପୁର, ଅନୁଗୋଳ ଓ ଢେଙ୍କାନାଳ ଅଭିମୁଖେ ଯାଉଥିବା ଶତାଧିକ ବସ୍ ଚଳାଚଳ ବନ୍ଦ ହୋଇଯାଇଥିବାରୁ ଯାତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।

ଜନସ୍ୱାର୍ଥ ବିରୋଧୀ ବ୍ୟାରିକେଡ୍ !
ତେବେ ଅନୁଗୋଳ ଓ ତାଳଚେର ପାର୍ଶ୍ବରୁ ଭୁବନେଶ୍ୱରକୁ ଆସୁଥିବା ମାଲ ପରିବହନ ଗାଡ଼ି ଓ ତୈଳ ଟ୍ୟାଙ୍କର୍ ଗୁଡ଼ିକ ଚୌଦ୍ୱାର ହୋଇ ବୁଲି ବୁଲି ଆସିବା ପରିବର୍ତ୍ତେ ଏହି ରାସ୍ତାରେ ସହଜରେ ଯାତାୟାତ କରୁଥିଲେ । ମାତ୍ର ଗତ ୪ ଦିନ ହେବ ରାସ୍ତାର ଦୁଇ ପାର୍ଶ୍ୱରେ କମ୍ ଉଚ୍ଚତାର ଓଭରହେଡ୍ ବ୍ୟାରିକେଡ୍ ନିର୍ମାଣ କରାଯାଇଥିବାରୁ ବସ୍ ଓ ଟ୍ରକ୍ ଗୁଡ଼ିକ ଅଧା ବାଟରୁ ଫେରୁଛନ୍ତି ।

ଜଣେ କଟକ ବାସିନ୍ଦା କହିଛନ୍ତି, "ବ୍ୟାରିକେଡ ହେବା ଫଳରେ ଲୋକମାନେ ଯାତାୟତ କରିବାରେ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଯାତ୍ରୀମାନେ ଅଧା ବାଟରେ ଓହ୍ଲାଉଛନ୍ତି କିମ୍ବା ଘଣ୍ଟା ଘଣ୍ଟା ଧରି ବୁଲି ବୁଲି ଯିବାକୁ ବାଧ୍ୟ ହେଉଛନ୍ତି ।"
ନିୟମ ଅନୁଯାୟୀ, ଜିଲ୍ଲାର କୌଣସି ରାସ୍ତାରେ କଟକଣା ଜାରି କରିବାର ଅଧିକାର କେବଳ ସଡ଼କ ପରିବହନ ଅଥୋରିଟି (RTA)ର ରହିଛି ଏବଂ ଏହାର ଅଧ୍ୟକ୍ଷ ହେଉଛନ୍ତି ଜିଲ୍ଲାପାଳ । ମାତ୍ର କଟକ ଜିଲ୍ଲାପାଳ ଏହି ବ୍ୟାରିକେଡ୍ ସମ୍ପର୍କରେ କୌଣସି ସୂଚନା ନଥିବା କହିବା ଏବେ ପ୍ରଶାସନିକ ସମନ୍ୱୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କିଏ ଓ କେଉଁ ପରିସ୍ଥିତିରେ ଏହି ବ୍ୟାରିକେଡ୍ ଲଗାଇଛି ତାହାର ଅନୁଧ୍ୟାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ କହିଛନ୍ତି, "କଟକଣା ଲଗାଇବାର ଅଧିକାର ହେଉଛି RTA ବିଭାଗର । ଜିଲ୍ଲାପାଳ ଏହାର ଅଧ୍ୟକ୍ଷ । କ'ଣ ସମସ୍ୟା ହୋଇଛି ତାହା ଉପରେ ଦୃଷ୍ଟି ଦିଆଯିବ । ଯେପରି ଜନସାଧାରଣ ଓ ସ୍ଥାନୀୟ ବାସିନ୍ଦାଙ୍କ ଅସୁବିଧା ହେବନାହିଁ, ସେ ଉପରେ ଧ୍ୟାନ ଦିଆଯିବ । "
ଏହା ମଧ୍ୟ ପଢ଼ନ୍ତୁ... ରାଜନଗର-କେନ୍ଦ୍ରାପଡା ବାଇପାସ୍ ରାସ୍ତା ନା ମରଣଯନ୍ତା ? ବଢୁଛି ଦୁର୍ଘଟଣା, ସମସ୍ୟାର ଅନ୍ତ କେବେ... |
ଇଟିଭି ଭାରତ, କଟକ

