ଜଳପଥରେ ଯୋଡି ହେବ ପୁରୀ: ନିର୍ମାଣ ହେବ କ୍ରୁଜ ଟର୍ମିନାଲ, ଜଳଯାତ୍ରା ମଜା ନେବେ ପର୍ଯ୍ୟଟକ
ପର୍ଯ୍ୟଟନର ବିକାଶ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପୁରୀରେ ହେବ କ୍ରୁଜ ଟର୍ମିନାଲ । ଏଥିପାଇଁ 500 କୋଟି ଖର୍ଚ୍ଚ କରିବେ ସରକାର ।

Published : February 23, 2026 at 8:26 PM IST
ରିପୋର୍ଟ: ଶକ୍ତି ପ୍ରସାଦ ମିଶ୍ର
Puri Cruise Terminal ପୁରୀ: ଜଳପଥରେ ଯୋଡି ହେବ ପୁରୀ । ପର୍ଯ୍ୟଟକ କ୍ରୁଜ ମାଧ୍ୟମରେ ନେବେ ଜଳଯାତ୍ରା ମଜା । ଦେଶବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପୁରୀରେ କ୍ରୁଜ ଟର୍ମିନାଲ ନିର୍ମାଣ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । 500 କୋଟି ବ୍ୟୟରେ ନିର୍ମାଣ ହେବ କ୍ରୁଜ ଟର୍ମିନାଲ । ଏଥିପାଇଁ ଯୋଜନା ପ୍ରସ୍ତୁତି ହୋଇସାରିଛି । ଯାହା ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି । ଜାଣନ୍ତୁ କେଉଁଠି ନିର୍ମାଣ ହେବ ଟର୍ମିନାଲ ? କିପରି ହେବ ପର୍ଯ୍ୟଟନ ଶିଳ୍ପକୁ ଲାଭ ।
କେଉଁଠି ନିର୍ମାଣ ହେବ କ୍ରୁଜ ଟର୍ମିନାଲ ?
ଏହା ପୁରୀ ସହର ନିକଟବର୍ତ୍ତୀ ସିପସରୁବାଲି ଅଞ୍ଚଳରେ ନିର୍ମାଣ ହେବ ଏହି କ୍ରୁଜ ଟର୍ମିନାଲ । ୫୦୦ କୋଟି ଟଙ୍କା ଏହି ପ୍ରକଳ୍ପ ପାଇଁ ବ୍ୟୟ ହେବ । ପର୍ଯ୍ୟଟକମାନେ ଯେପରି ସମୁଦ୍ର ପଥରେ ବିଳାସପୂର୍ଣ୍ଣ କ୍ରୁଜ୍ ମାଧ୍ୟମରେ ପୁରୀ ଆସିପାରିବେ ଏବଂ ଏଠାରୁ ଅନ୍ୟାନ୍ୟ ସ୍ଥାନକୁ ଯାଇପାରିବେ ସେ ନେଇ ସବୁ ବ୍ୟବସ୍ଥା ରହିବ ।

ପୁରୀକୁ ଜଳପଥରେ ଯୋଡିବ ଏହି ସହର:
ଏହି କ୍ରୁଜ ଟର୍ମିନାଲ୍ ମାଧ୍ୟମରେ ପୁରୀକୁ ବିଶାଖାପାଟଣା, କୋଲକାତା ଏବଂ ଚେନ୍ନାଇ ଭଳି ପ୍ରମୁଖ ବନ୍ଦର ସହ ଜଳପଥରେ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ଦ୍ଵାରା ପର୍ଯ୍ୟଟନର ବିକାଶ ହୋଇପାରିବ । ଶ୍ରୀକ୍ଷେତ୍ରକୁ ଆସୁଥିବା ଦେଶୀ ଓ ବିଦେଶୀ ପର୍ଯ୍ୟଟକମାନେ ଏକ ନୂଆ ପ୍ରକାରର ଅନୁଭୂତି ପାଇବେ । ଏହି ପ୍ରକଳ୍ପ ଦ୍ଵାରା ଅର୍ଥନୈତିକ ଅଭିବୃଦ୍ଧି ହେବା ସହ ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆଗାମୀ ଦିନରେ ପୁରୀର ବ୍ଲୁ ଫ୍ଲାଗ୍ ବିଚ୍ ଏବଂ କ୍ରୁଜ୍ ସେବା ମିଳିତ ଭାବେ ଓଡ଼ିଶାକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ଦେବ ।

ନିଆରା ଅନୁଭୂତି ନେବେ ପର୍ଯ୍ୟଟକ:
ପୁରୀକୁ ଅଧିକ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ସହିତ ପର୍ଯ୍ୟଟନର ଅଭିବୃଦ୍ଧି ପାଇଁ କାର୍ଯ୍ୟ କରୁଥିବା ପୁରୀର
ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସେଣ୍ଟରର ସଭାପତି ଶ୍ରୀମନ୍ତ କୁମାର ଦାଶ କହିଛନ୍ତି, ‘ଜଗନ୍ନାଥ ଧାମ ପୁରୀକୁ ପ୍ରତିବର୍ଷ ଉଭୟ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି । ତେବେ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ଓ ସେମାନଙ୍କ ମନୋରଞ୍ଜନ ପାଇଁ ରାଜ୍ୟ ସରକାର ପୁରୀରେ ଯେଉଁ କ୍ରୁଜ ଟର୍ମିନାଲ ସ୍ଥାପନ ପାଇଁ ଯୋଜନା କରିଛନ୍ତି ଏହା ବହୁତ୍ ସ୍ବାଗତ ଯୋଗ୍ୟ ପଦକ୍ଷେପ । ପୁରୀକୁ ଜଳ ପଥରେ ଯୋଡିବା ପାଇଁ ଏହି ପଦକ୍ଷେପ ବହୁତ୍ ଭଲ । କ୍ରୁଜରେ ପର୍ଯ୍ୟଟକ ମାନେ ଯାତ୍ରା କରି ସମୁଦ୍ର ଭିତରର ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରିପାରିବେ । ଏକ ନିଆରା ଅନୁଭୂତି ହାସଲ କରିବେ ।’

ଓଡ଼ିଶାର ଶିଳ୍ପ-ଆର୍ଥିକ ଅଭିବୃଦ୍ଧି ସହାୟକ ହେବ:
ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ସୁଦାମ ପ୍ରଧାନ କହିଛନ୍ତି, ‘ପୁରୀରେ କ୍ରୁଜ ସେବା ଆରମ୍ଭ ହେଲେ ଏହା ପର୍ଯ୍ୟଟକଙ୍କୁ ବହୁତ୍ ଆକୃଷ୍ଟ କରିବ । ସାମୁଦ୍ରିକ ପର୍ଯ୍ୟଟନର ମଜା ନେବେ ପର୍ଯ୍ୟଟକ । ପୁରୀରେ ମେରାଇନ ଟୁରିଜିମ ନାହିଁ । ସିପସରୁବାଲି ଅଞ୍ଚଳରେ ହେବାକୁ ଥିବା ଶାମୁକା ପ୍ରକଳ୍ପରେ ପଞ୍ଚ ତାରକା ହୋଟେଲ, ଅତ୍ୟାଧୁନିକ ସପିଙ୍ଗ ମଲ, ଫୁଡ୍ କୋର୍ଟ, ଗଲ୍ଫ କୋର୍ଟ ହେଲେ ପର୍ଯ୍ୟଟକ କ୍ରୁଜର ମଜା ନେବା ସହ ଉକ୍ତ ଅଞ୍ଚଳରେ ହେବାକୁ ଥିବା ଅନ୍ୟାନ୍ୟ ମନୋରଞ୍ଜନ ହାସଲ କରିପାରିବେ । ଯାହାକି ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ବିକାଶ ସହ ଆର୍ଥିକ ଅଭିବୃଦ୍ଧିରେ ବେଶ ସହାୟକ ହେବ ।’
ଶାମୁକା ପ୍ରକଳ୍ପର ବିକାଶ କାର୍ଯ୍ୟ ହେବ:
ପୁରୀର ଶାମୁକା ପ୍ରକଳ୍ପ ହେଉଛି ଓଡ଼ିଶା ସରକାରଙ୍କ ଏକ ବହୁ ପ୍ରତିକ୍ଷିତ ଏବଂ ମେଗା ପର୍ଯ୍ୟଟନ ପ୍ରକଳ୍ପ । ଏହାକୁ ଏସିଆର ସବୁଠାରୁ ବଡ଼ ପର୍ଯ୍ୟଟନ ହବ୍ ଭାବେ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖାଯାଇଛି । ଏହାର ବିକାଶ ପାଇଁ ରାଜ୍ୟ ସରକାର ଯୋଜନା କରିଥିବା ପୁରୀ ଗସ୍ତରେ ଆସିଥିବା ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ଏଥି ସହିତ ଚିଲିକାରେ ଭିତ୍ତିଭୂମି ବିକାଶ କରାଯିବା ସହିତ ପିପିଲି ଚାନ୍ଦୁଆର ବିକ୍ରି ବୃଦ୍ଧି ପାଇଁ ପିପିଲି ଟୋଲଗେଟ୍ ନିକଟରେ ଏକ ଚାନ୍ଦୁଆ ବଜାର ଖୋଲାଯିବା ନେଇ ସରକାରଙ୍କ ଯୋଜନା ଥିବା ସ୍ବାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ପୁରୀରେ ଦୀର୍ଘ ଦିନ ପଡ଼ିରହିଥିବା ଶାମୁକା ପ୍ରକଳ୍ପର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ଗୁରୁତ୍ବ ଦେଉଥିବା ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।

ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ‘ପୁରୀର ପର୍ଯ୍ୟଟନର ବିକାଶ ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ୫୦୦ କୋଟି ଟଙ୍କା ବ୍ୟୟରେ ଏକ କ୍ରୁଜ ଟର୍ମିନାଲ ସ୍ଥାପନ ହେବ । ଏହା ଦ୍ଵାରା ପୁରୀକୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ ବୋଲି ସରକାରଙ୍କ ଆଶା ରହିଛି । ଚିଲିକାର ପୁନରୁଦ୍ଧାର ପାଇଁ ଏକ ଭିତ୍ତିଭୂମି ବିକାଶ କାର୍ଯ୍ୟ କରାଯାଉଛି । ଏହା ସହ ପିପିଲି ଚାନ୍ଦୁଆର ବିକ୍ରି ବୃଦ୍ଧି ପାଇଁ ପିପିଲି ଟୋଲ ଗେଟ୍ ନିକଟରେ ଏକ ଚାନ୍ଦୁଆ ହସ୍ତଶିଳ୍ପ ବଜାର ନିର୍ମାଣ କରାଯିବ ।’
ଶାମୁକା ପ୍ରକଳ୍ପ:
ଶାମୁକା ପ୍ରକଳ୍ପ ପୁରୀ ସହର ନିକଟସ୍ଥ ସିପସରୁବାଲି ଅଞ୍ଚଳରେ ଥିବା ଜମିରେ ପରିକଳ୍ପନା କରାଯାଇଛି । ଏହା ସମୁଦ୍ର କୂଳକୁ ଲାଗି ରହିଛି, ଯାହା ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ହେବ । ପ୍ରକଳ୍ପର ମୁଖ୍ୟ ବିଶେଷତ୍ୱ ଶାମୁକା ପ୍ରକଳ୍ପ ଅଧୀନରେ ଅନେକ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ରହିବ । ଲଗ୍ଜୁରୀ ହୋଟେଲ ଓ ରିସୋର୍ଟ ସହିତ ଏଠାରେ ପଞ୍ଚତାରକା ହୋଟେଲ ଏବଂ ଅନ୍ତର୍ଜାତୀୟ ମାନର ରିସୋର୍ଟ ନିର୍ମାଣ ହେବ । ପର୍ଯ୍ୟଟକଙ୍କ ପାଇଁ ଏକ ବିଶାଳ ଗଲ୍ଫ କୋର୍ସର ଯୋଜନା ରହିଛି । ବଡ଼ ବଡ଼ ବ୍ୟବସାୟିକ ସମ୍ମିଳନୀ ପାଇଁ ଅତ୍ୟାଧୁନିକ ସେଣ୍ଟର ରହିବ । ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରଦର୍ଶିତ କରିବା ପାଇଁ ଏକ ସ୍ୱତନ୍ତ୍ର କଳା ଗ୍ରାମ ସ୍ଥାପନ କରାଯିବ ।
ବିଦେଶୀ ପର୍ଯ୍ୟଟକ ଆକୃଷ୍ଟ କରିବା ସହିତ କେବଳ ଧାର୍ମିକ ପର୍ଯ୍ୟଟନ ନୁହେଁ ଲଗଜୁରୀ ଟୁରିଜିମ୍ ପାଇଁ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟ ରଖିଛନ୍ତି ସରକାର । ଏହା ଦ୍ଵାରା ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ସହିତ ହଜାର ହଜାର ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ମଧ୍ୟ ମିଳିବ । ଶାମୁକା ପ୍ରକଳ୍ପ ଅନେକ ବର୍ଷ ଧରି ଜମି ଅଧିଗ୍ରହଣ ଏବଂ ପରିବେଶ ମଞ୍ଜୁରୀ କାରଣରୁ ବିଳମ୍ବିତ ହୋଇଥିଲା । କିନ୍ତୁ ବର୍ତ୍ତମାନ ପୁରୀର କ୍ରୁଜ୍ ଟର୍ମିନାଲ ଏବଂ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ସରକାର ଏହି ଶାମୁକା ପ୍ରକଳ୍ପକୁ ନୂଆ ରୂପରେ ଆଗକୁ ନେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଶାମୁକା ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଏହା ପୁରୀକୁ ଦୁବାଇ କିମ୍ବା ସିଙ୍ଗାପୁର ଭଳି ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳରେ ପରିଣତ କରିବ ବୋଲି ଆଶା କରାଯାଉଛି।
ପୁରୀକୁ ବୃଦ୍ଧି ପାଇଛି ପର୍ଯ୍ୟଟକଙ୍କ ଆଗମନ:
ଶ୍ରୀକ୍ଷେତ୍ର ପୁରୀକୁ ଦିନକୁ ଦିନ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି । ଶ୍ରୀକ୍ଷେତ୍ର ପୁରୀ ରାଜ୍ୟର ପର୍ଯ୍ୟଟନର ପ୍ରମୁଖ କ୍ଷେତ୍ରରେ ପରିଣତ ହୋଇଛି । ୨୦୨୨ ମସିହାରେ ୧ କୋଟି ୪୭ ଲକ୍ଷ ୪୭ ହଜାର ୩୭୦ ଜଣ ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା । ୨୦୨୪ରେ ଏହା ୨ କୋଟି ୪୩ ଲକ୍ଷ ୧୪ ହଜାର ୪୨୫କୁ ବୃଦ୍ଧି ପାଇଛି । ଅର୍ଥାତ୍ ଦୁଇ ବର୍ଷରେ ୯୫ ଲକ୍ଷ ୭୨ ହଜାର ୧୯୭ ଜଣ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇଛି ।
କେତେ ଆସିଛନ୍ତି ବିଦେଶୀ ପର୍ଯ୍ୟଟକ ?
କୋଭିଡ ମହାମାରୀ ପରେ ପୁରୀକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇଛି । ୨୦୨୨ ମସିହାରେ ପୁରୀ ସହରକୁ ୫୧୪୦ ଜଣ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା । ଏହା ୨୦୨୪ରେ ୧୦,୨୭୫ ରେ ପହଞ୍ଚିଛି । ୨୦୨୨ ରୁ ୨୦୨୪ ମଧ୍ୟରେ ୩ ବର୍ଷରେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ୫୦ ପ୍ରତିଶତ ବୃଦ୍ଧି ପାଇଛି ।
ଇଟିଭି ଭାରତ, ପୁରୀ

