ଏମକେସିଜିରେ ଅନ୍ଧାରରେ ଅସ୍ତ୍ରୋପଚାର ! ଅପରେସନ ସମୟରେ କଟିଗଲା ବିଦ୍ୟୁତ
ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ (MKCG) ସର୍ଜରୀ ବିଭାଗରେ ଜଣେ ରୋଗୀଙ୍କ ଅସ୍ତ୍ରୋପ୍ରଚାର ଚାଲିଥିଲା । ଏହି ସମୟରେ ହଠାତ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇ ଯାଇଥିଲା ।

Published : January 8, 2026 at 10:48 AM IST
|Updated : January 8, 2026 at 11:36 AM IST
MKCG Medical College Power Cut ବ୍ରହ୍ମପୁର(ଗଞ୍ଜାମ): ରୋଗୀଙ୍କ ଅସ୍ତ୍ରୋପଚାର ସମୟରେ କଟିଗଲା ବିଦ୍ୟୁତ ସଂଯୋଗ । ଅନ୍ଧାରରେ ହେଲା ଅପରେସନ । ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି, ଦକ୍ଷିଣ ଓଡ଼ିଶାର ପ୍ରମୁଖ ଚିକିତ୍ସାଳୟ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ (MKCG)ରେ । ଜଣେ ରୋଗୀଙ୍କ ଅସ୍ତ୍ରୋପଚାର ଆରମ୍ଭ ସମୟରେ ଏପରି ଘଟଣା ଘଟିଥିବା ବେଳେ, ଅଳ୍ପକେ ବର୍ତ୍ତି ଯାଇଛନ୍ତି ରୋଗୀ ।
ଅନ୍ଧାରରେ ଅସ୍ତ୍ରୋପଚାର !
ଏମକେସିଜିରେ ମଙ୍ଗଳବାର ରାତିରେ ଏଭଳି ଏକ ଅବହେଳା ସାମ୍ନାକୁ ଆସିଛି । ମେଡିକାଲର ସର୍ଜରୀ ବିଭାଗରେ ଜଣେ ରୋଗୀଙ୍କ ଅପରେସନ ଚାଲୁଥିବା ବେଳେ ଏପରି ଘଟଣା ଘଟିଥିଲା । ହଠାତ ବିଦ୍ୟୁତ ଚାଲିଯିବାରୁ ଅପରେସନ କକ୍ଷ ସମ୍ପୂର୍ଣ୍ଣ ଅନ୍ଧାର ହୋଇଯାଇଥିଲା । ଏମକେସିଜି ମେଡିକାଲ କଲେଜ ପରିସରରେ ରହିଥିବା ସାଧାରଣ ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଇଛି ।
ଶଲ୍ୟ ଚିକିତ୍ସା ବିଭାଗ ମୁଖ୍ୟ ଶିବପ୍ରସାଦ ପଟ୍ଟନାୟକ କହିଛନ୍ତି "ଆମର ସେଭଳି ବିଦ୍ୟୁତ ବିଭ୍ରାଟ ହୁଏନାହିଁ । ଏହାର ବ୍ୟାକ୍ ଅଫ୍ ସିଷ୍ଟମ୍ ରହିଥାଏ । ଡିଜି ସିଷ୍ଟମ୍ ବି ରହିଛି । ହେଲେ ଗୋଟିଏ ମିନିଟ ପାଇଁ ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଥିଲା । ଏଥିରେ ରୋଗୀର କୌଣସି ଅସୁବିଧା ହୋଇନାହିଁ ।"

ଏମକେସିଜି ମେଡିକାଲ ସୁପର ସ୍ପେଶାଲିଷ୍ଟ ବ୍ଳକ ଶଲ୍ୟ ଚିକିତ୍ସା ବିଭାଗ ଅପରେସନ ଗୃହରେ ଲାଗିଥିବା ୟୁପିଏସଗୁଡ଼ିକର ରକ୍ଷଣାବେକ୍ଷଣା ଏମକେସିଜି ଜିଇଡି ବିଭାଗ ଦାୟିତ୍ବରେ ରହିଛି । ବର୍ଷ ବର୍ଷ ଧରି ରକ୍ଷଣାବେକ୍ଷଣା କରାଯାଉନଥିବାରୁ ଏହି ସମସ୍ୟା ଉପୁଜିଥିବା ଅଭିଯୋଗ ହୋଇଛି । ମେଡିକାଲ କର୍ତ୍ତୃପକ୍ଷ ଏବଂ ପରିଚାଳନା ବ୍ୟବସ୍ଥା ସଠିକ ଥିବା ସତ୍ତ୍ବେ ସାଧାରଣ ବିଦ୍ୟୁତ ବିଭାଗ(ଜିଇଡି) ଅଧିକାରୀଙ୍କ କାର୍ଯ୍ୟରେ ଅବହେଳା କାରଣରୁ ପୁଣିଥରେ ମେଡିକାଲ ଜିଲ୍ଲା ତଥା ରାଜ୍ୟରେ ବଦନାମ୍ ହୋଇଛି । ପୂର୍ବରୁ ମଧ୍ୟ ଥରେ ବିଦ୍ୟୁତ ସମସ୍ୟାରୁ କିଛି ଘଣ୍ଟା ପୂରା ସର୍ଜରୀ କୋଠା ଅନ୍ଧାର ହୋଇ ପଡ଼ିଥିଲା ।

ସେପଟେ ରୋଗୀଙ୍କ ସମ୍ପର୍କୀୟଙ୍କ କହିବା କଥା,"ଆମେ ଅସ୍ତ୍ରୋପଚାର ସମୟରେ ଦୁଇ ଥର ବିଦ୍ୟୁତ୍ ବିଭ୍ରାଟ ନେଇ ଭୟଭୀତ ହୋଇ ପଡ଼ିଥିଲୁ ।"

ରାୟଗଡ଼ା ଜିଲ୍ଲା ପଦ୍ମପୁରର ପ୍ରଶାନ୍ତ ସାହୁ ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ କିଛି ଦିନ ତଳେ ଏମକେସିଜିକୁ ଆସିଥିଲେ । ତାଙ୍କର ଅସ୍ତ୍ରୋପଚାର ପାଇଁ ଡାକ୍ତର ସ୍ଥିର କରିଥିବା ବେଳେ ତାଙ୍କୁ ଅପରେସନ ଗୃହକୁ ନିଆଯାଇଥିଲା । ହେଲେ ଅପରେସନ ଚାଲୁଥିବା ବେଳେ ବିଦ୍ୟୁତ କାଟ୍ ହୋଇଥିଲା । ଏହାପରେ ସର୍ଜରୀ କୋଠାକୁ ଜେନେରେଟରରୁ ବିଦ୍ୟୁତ ଆସିଥିଲା । ହେଲେ ସର୍ଜରୀ କୋଠାର ବିଭିନ୍ନ ବିଭାଗକୁ ବିଦ୍ୟୁତ ଆସିଥିଲେ ମଧ୍ୟ ଅପରେସନ ଗୃହକୁ ବିଦ୍ୟୁତ ଆସିନଥିଲା । ଅସ୍ତ୍ରପ୍ରଚାର ଗୃହ ପାଇଁ ଉଦ୍ଦିିଷ୍ଟ ଥିବା ୟୁପିଏସ (ନିରବିଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଯନ୍ତ୍ରାଂଶ) ପୁରୁଣା ହୋଇଥିବାରୁ ବିଦ୍ୟୁତ ବିଭ୍ରାଟ ହୋଇଥିବା ଜଣାପଡ଼ିଥିଲା ।

ଏହା ମଧ୍ୟ ପଢ଼ନ୍ତୁ- SCB, MKCG, VIMSAR ରେ ସୁପର ସ୍ପେସିଆଲିଟି ସେବା ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଏହା ମଧ୍ୟ ପଢ଼ନ୍ତୁ- MKCG ମେଡିକାଲ କଲେଜରେ SCB ଛାତ୍ରଙ୍କ ଉପରେ ପଥର ଓ କାଦୁଅ ମାଡ଼, କାର୍ଯ୍ୟକ୍ରମରେ ଯୋଗ ନଦେଇ ଫେରିଗଲେ
ଇଟିଭି ଭାରତ, ବ୍ରହ୍ମପୁର

