ETV Bharat / state

ସୌମ୍ୟ ହତ୍ୟା ମାମଲା; ଆଉ ଜଣେ ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ, ଗିରଫ ସଂଖ୍ୟା 16କୁ ବୃଦ୍ଧି

ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ହତ୍ୟା ଘଟଣାରେ ଗିରଫ ସଂଖ୍ୟା 16କୁ ବୃଦ୍ଧି ହୋଇଛି। ଫେରାର ଅଭିଯୁକ୍ତଙ୍କୁ ଆଶ୍ରୟ ଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ କ୍ରାଇମବ୍ରାଞ୍ଚ ଆଇଜି । ରିପୋର୍ଟ- ସତ୍ୟଜିତ ରାଉତ

ONE MORE ARREST ON BALIANTA MURDER CASE
ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲା, ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ଗିରଫ (ETV Bharat Odisha)
author img

By ETV Bharat Odisha Team

Published : May 26, 2026 at 3:28 PM IST

1 Min Read
Choose ETV Bharat

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଅଧିକ ତଦନ୍ତ ଜାରି ରଖିଛି । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଆଉ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ସେ ହେଲା ଭୁବନେଶ୍ୱର ସତ୍ୟନଗରର ବିନୋଦ କୁମାର ବେହେରା (48)। ଏନେଇ ଆଜି (ମଙ୍ଗଳବାର) କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦିଆଯାଇଛି ।

ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲା, ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ଗିରଫ (ETV Bharat Odisha)

ବିନୋଦକୁ ଗତକାଲି (ସୋମବାର) ବିଳମ୍ବିତ ରାତିରେ କେନ୍ଦ୍ରାପଡା ଜିଲ୍ଲା ଇନ୍ଦୁପୁରରୁ କାବୁ କରାଯାଇଥିଲା । ସୌମ୍ୟଙ୍କୁ ବିନୋଦ ମାଡ଼ ମାରିଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ଅଭିଯୁକ୍ତ ବିନୋଦକୁ କୋର୍ଟଚାଲାଣ କରାଯାଇଥିଲା । ହେଲେ ଜାମିନ ନ ମିଳିବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହାପୂର୍ବରୁ ମେ' ୧୯ରେ ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ବଡ଼ଜେନା ଓରଫ କାଳିଆ ଓ ରଞ୍ଜିତ୍ ରାଣାକୁ ନୟାଗଡ଼ ଜିଲ୍ଲା ରଣପୁର ଜଙ୍ଗଲରୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ।

ମୋଟ 16 ଗିରଫ, କ୍ରାଇମବ୍ରାଞ୍ଚର ଗିରଫଦାରୀ ସଂଖ୍ୟା 5:
ତେବେ ବିନୋଦକୁ ଗିରଫ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଗିରଫଦାରୀ ସଂଖ୍ୟା 5ରେ ପହଞ୍ଚିଛି । ତେବେ ଏହି ଘଟଣାରେ ମୋଟ୍ ଗିରଫଦାରୀ ସଂଖ୍ୟା 15ରୁ 16କୁ ବୃଦ୍ଧି ପାଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ଉଦ୍ୟମ ଜାରି ରଖିଛି। ପୂର୍ବରୁ ଏହି ଘଟଣାରେ କମିଶନରେଟ୍ ପୋଲିସ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ 11 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ତେବେ ମୋଟ୍ 16 ଅଭିଯୁକ୍ତ ଗିରଫ ହୋଇ ଜେଲକୁ ଯାଇଥିବା ବେଳେ ଆଉ ବହୁ ଅଭିଯୁକ୍ତ ଫେରାର ଅଛନ୍ତି । କ୍ରାଇମବ୍ରାଞ୍ଚ ଟିମ୍ ସେମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି । ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତ ଆଜି (ମଙ୍ଗଳବାର) 20 ଦିନରେ ପହଞ୍ଚିଛି।


ଫେରାର ଅଭିଯୁକ୍ତଙ୍କୁ ସହଯୋଗ କରୁଥିବା ବ୍ୟକ୍ତିଙ୍କୁ ଚେତାବନୀ ଦେଲେ ଆଇଜି:


କ୍ରାଇମବ୍ରାଞ୍ଚ ଆଇଜି ସାର୍ଥକ ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ଦେଇଛନ୍ତି କହିଛନ୍ତି,"ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଧରିବାକୁ ଖୋଜା ଚାଲିଛି । ଯେଉଁମାନେ ଫେରାର ଅଭିଯୁକ୍ତଙ୍କୁ ଆଶ୍ରୟ ଦେଉଛନ୍ତି, ତାଙ୍କ ବିରୋଧରେ ମଧ୍ୟ ଆମେ କାର୍ଯ୍ୟାନୁଷ୍ଠାନ ନେବୁ । ଫେରାର ଅଭିଯୁକ୍ତମାନେ ରାଜ୍ୟ ବାହାରକୁ ଗଲା ଭଳି ସୂଚନା ନାହିଁ । ହେଲେ ସେମାନଙ୍କୁ ବହୁତ ଲୋକ ସାହାଯ୍ୟ କରୁଛନ୍ତି । ଭାଇରାଲ ଭିଡିଓରେ ଆମେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଛୁ । ଆହୁରି 8ରୁ 10 ଜଣ ଫେରାର ଅଛନ୍ତି । ଯେଉଁମାନେ ସୌମ୍ୟଙ୍କୁ ପିଟାପିଟି କରିଛନ୍ତି, ସେମାନଙ୍କ ବିରୋଧରେ ଆମେ କାର୍ଯ୍ୟାନୁଷ୍ଠାନ ନେଉଛୁ । ତଦନ୍ତ ବେଳେ ସୌମ୍ୟଙ୍କ ସାଙ୍ଗ ଓମଙ୍କ କୌଣସି ସମ୍ପୃକ୍ତି ନାହିଁ । ପୀଡିତାଦ୍ୱୟଙ୍କ ବୟାନ ରେକର୍ଡ ହୋଇଛି ।"

ଏହା ମଧ୍ୟ ପଢନ୍ତୁ...ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲା: ଆଉ ୨ ମୁଖ୍ୟ ଅଭିଯୁକ୍ତ ଗିରଫ, ମୋଟ୍ ଗିରଫଦାରୀ ସଂଖ୍ୟା ୧୫କୁ ବୃଦ୍ଧି

ଏହା ମଧ୍ୟ ପଢନ୍ତୁ... ବରିଷ୍ଠ IPS ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ବଦଳି, ସୌମ୍ୟ ହତ୍ୟା ଘଟଣାରେ ବିବାଦୀୟ ହୋଇଥିଲେ

ଇଟିଭି ଭାରତ, ଭୁବନେଶ୍ବର