ETV Bharat / state

ସାକ୍ଷୀ ରହିଛି ଶ୍ମଶାନ, ଭାଇଚାରା ସହରରେ ବିନା ପାରିଶ୍ରମିକରେ ମୃତଦେହ ସତ୍କାର କରୁଛନ୍ତି ବାଳକୃଷ୍ଣ

କୋକେଇ ବାନ୍ଧିବାଠୁ ଅସ୍ଥି ଆଣିବା ପର୍ଯ୍ୟନ୍ତ ବିନା ପାରିଶ୍ରମିକରେ ସେବା ଯୋଗାଉଛନ୍ତି ବାଳକୃଷ୍ଣ । ଦୀର୍ଘ 12 ହେଲା କରିଆସୁଛନ୍ତି ସେବା । ବାଉରୀ ଭାଇ ନାଁରେ ଜଣାଶୁଣା ।

Social Worker Balakrushna
ଭାଇଚାରା ସହରରେ ବିନା ପାରିଶ୍ରମିକରେ କରୁଛନ୍ତି ମୃତଦେହ ସତ୍କାର (ETV Bharat Odisha)
author img

By ETV Bharat Odisha Team

Published : February 23, 2026 at 6:00 PM IST

3 Min Read
Choose ETV Bharat

ସ୍ପେଶାଲ ଷ୍ଟୋରୀ: ନାରାୟଣ ସାହୁ

Balakrishna Free Funeral Service କଟକ: ବର୍ଷା ହେଉ କି ଶୀତ କିମ୍ବା ଖରା...ଦିନ ହେଉ ଅବା ରାତି.. ଯେତେବେଳେ ଯାହାର ପରିବାରରେ କେହି ପ୍ରାଣ ହରାଏ...ଭାଇଚାରା ସହରରେ ଜଣଙ୍କୁ ହିଁ ଖୋଜାପଡେ । ଜୁଇ ବାନ୍ଧିବାଠୁ ନେଇ ଅନ୍ତିମ ସତ୍କାର କାମ ଏବଂ ଅସ୍ଥି ଆଣିବା ପର୍ଯ୍ୟନ୍ତ । ସବୁକାମ ଦାମକୁ ଛାଡି ଗୋଟିଏ ଫୋନ କଲରେ ପହଞ୍ଚି ଯାଆନ୍ତି ସେ । ନିଜ ପରିବାରର ସଦସ୍ୟ ଭଳି ସବୁ କାମ କରନ୍ତି । ଏଥିପାଇଁ ଟଙ୍କାଟିଏ ମଧ୍ୟ ମାଗନ୍ତି ନାହିଁ । ଏମିତି ଜଣେ ନିଆରା ମଣିଷ ହେଲେ କଟକ ଦେଉଳସାହି ଅଞ୍ଚଳର 58 ବର୍ଷୀୟ ବାଳକୃଷ୍ଣ ସେଠୀ । ବାଳକୃଷ୍ଣଙ୍କୁ ନେଇ ଇଟିଭି ଭାରତର ସ୍ବତନ୍ତ୍ର ଉପସ୍ଥାପନା ‘ଶବର ସାଥୀ ବାଳକୃଷ୍ଣ’

ଶବର ସାଥୀ ବାଳକୃଷ୍ଣ (ETV Bharat Odisha)

ଭାଇଚାରା ସହରରେ କରୁଛନ୍ତି ଶବ ସେବା:

କଟକ ସହରର ଯେକୌଣସି ଲୋକଙ୍କର ଯଦି ମୃତ୍ୟୁ ଘଟେ । କୋକେଇ ବନ୍ଧା ଠାରୁ ନେଇ ଅନ୍ତିମ ସତ୍କାର ଏବଂ ଅସ୍ଥି ଆଣିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ଲୋଡ଼ା ପଡନ୍ତି ବାଳକୃଷ୍ଣ । ଯେତେ ରାତିରେ ଯିଏ ବି ବାଳକୃଷ୍ଣଙ୍କୁ ଖବର ଦିଏ, କାହାକୁ ସେ ମନା କରନ୍ତି ନାହିଁ । ଖବର ପାଇବା ପରେ ସଙ୍ଗେ ସଙ୍ଗେ ନିଜର ଏକ ସାଇକେଲରେ ଏକ କଟୁରୀ ଧରି ବାହାରି ପଡନ୍ତି ମୃତକଙ୍କ ପରିବାର ନିକଟକୁ । ଶେଷକୃତ୍ୟର ସମସ୍ତ ପ୍ରକ୍ରିୟା ଲୋକଙ୍କୁ ବୁଝାଇବା ସହ ସେ ନିଜେ କୋକେଇ ବାନ୍ଧନ୍ତି । ଆଉ ମଶାଣିକୁ ଆସିବା ପରେ ସମସ୍ତ କାର୍ଯ୍ୟ ନିଜର ପରିବାର ସଦସ୍ୟଙ୍କ ଭଳି କରି ଥାଆନ୍ତି ବାଳକୃଷ୍ଣ । ବିନା କୌଣସି ସ୍ବାର୍ଥରେ ଗତ 10ରୁ 12 ବର୍ଷ ହେବା ଏମିତି ସେବା କରିଆସୁଛନ୍ତି ବାଳକୃଷ୍ଣ ।

Social Worker Balakrushna
ଇସ୍ତ୍ରୀ କାମ କରୁଛନ୍ତି ବାଳକୃଷ୍ଣ ସେଠୀ (ETV Bharat Odisha)

ପେଶା ଇସ୍ତ୍ରୀ କାମ, ନିଶା ସେବା:
ଶବର ସାଥୀ ପାଲଟିଥିବା ବାଳକୃଷ୍ଣଙ୍କ ପେଶା ଇସ୍ତ୍ରୀ କରିବା । ଦେଉଳସାହି ସ୍ଥିତ ଘରେ ଏକ ଇସ୍ତ୍ରୀ ଦୋକାନ କରିଛନ୍ତି । ସେଥିରୁ ଯାହା ରୋଜଗାର ହୁଏ ଚଳେ ତାଙ୍କର ତେଲ ଲୁଣର ସଂସାର । ନିଶା ତାଙ୍କର ଅନ୍ୟ ଲୋକଙ୍କୁ ସାହାଯ୍ୟ କରିବା । ବିଶେଷ କରି କାହାର କେହି ଆତ୍ମୀୟ ସ୍ବଜନଙ୍କ ମୃତ୍ୟୁ ହେଲେ ଗୋଟିଏ ଡାକରା ପହଞ୍ଚି ଯାଆନ୍ତି । ଏଥିପାଇଁ ଟଙ୍କାଟିଏ ମଧ୍ୟ ମାଗୁନଥିବା ବେଳେ ଯିଏ ଯାହା ଖୁସିରେ ଦିଏ ତାକୁ ରଖନ୍ତି ।

Social Worker Balakrushna
ଜଳୁଛି ଜୁଇ (ETV Bharat Odisha)

କେମିତି ଆସିଲା ସେବା ଭାବନା ?

ସେବା ଅନେକ ପ୍ରକାରର ଥାଏ । କିନ୍ତୁ ଶବର ସାଥୀ ହେବାକୁ କାହିଁକି ମନ ବଳାଇଥିଲେ ବାଳକୃଷ୍ଣ ? ଏନେଇ ସମାଜସେବୀ ବାଳକୃଷ୍ଣ ସେଠୀ କୁହନ୍ତି, ‘ଦିନେ ରାସ୍ତାରେ ଯାଉଥିବା ସମୟରେ କୋକେଇ ଭାଙ୍ଗି ମୃତଦେହଟି ତଳକୁ ଖସି ପଡିଥିଲା । ଏହାକୁ ଦେଖି ସଙ୍ଗେ ସଙ୍ଗେ କୋକେଇ ପାଖକୁ ଯାଇ ଭଲ ଭାବରେ କୋକେଇ ବାନ୍ଧି ଦେଇଥିଲି । ଏଥିସହ ମୃତଦେହ ସତ୍କାର ପାଇଁ ସମ୍ପର୍କୀୟକୁ ଅଧିକ ଟଙ୍କା ଦାବି କରିଥିଲେ ସତ୍କାର କରୁଥିବା ବ୍ୟକ୍ତି । ଏହା ଦେଖି ମନ କଷ୍ଟ ହୋଇଥିଲା । ଏଇଠୁ ମନରେ ସେବା କରିବା ଭାବନା ଆସିଥିଲା । ସେବେଠୁ କରିଆସୁଛନ୍ତି ସେବା ।’

Social Worker Balakrushna
ବାଳକୃଷ୍ଣ ସେଠୀ (ETV Bharat Odisha)

କେହି ଅସୁବିଧାରେ ନପଡନ୍ତୁ ସେଥିପାଇଁ ସେବା’:

ବାଳକୃଷ୍ଣ ଆହୁରି କୁହନ୍ତି, ‘ଶବ ସତ୍କାର ଗୋଟିଏ ସେବା । ସାଧାରଣତଃ ଏହି ସମୟରେ ଅନେକ ଛୁଆଁ ଅଛୁଆଁ ବାରିଥାନ୍ତି । ସମସ୍ତେ ଏହି ସେବାର ପ୍ରକ୍ରିୟା ଜାଣି ନାହାଁନ୍ତି । ଜଣେ ବ୍ୟକ୍ତି ଏହି ସେବା ପାଇବାରୁ କାହିଁକି ଅସୁବିଧାରେ ପଡିବ । ସେଥିପାଇଁ ଏହି କାମ କରୁଛି । ସହରର ଅନେକ ଲୋକ ମୋ ନମ୍ବର ରଖିଛନ୍ତି । ଯିଏ ଯେତେ ବେଳେ ମତେ ଖବର ଦିଏ, ସଙ୍ଗେ ସଙ୍ଗେ ମୋର ଯେତେ କାମ ଥିଲେ ସେ ସବୁକୁ ଛାଡି ପହଞ୍ଚି ସମସ୍ତ କାମ କରିଥାଏ । ଅନେକ ଅଜଣା ଲୋକର ମୃତଦେହ ସତ୍କାର କରିଛି ।’


ସ୍ବାମୀଙ୍କ ପାଇଁ ଗର୍ବିତ:

ବାଳକୃଷ୍ଣଙ୍କ ପରିବାର କହିଲେ ପତ୍ନୀ ଓ ଦୁଇଟି ଝିଅ ଓ ଗୋଟେ ପୁଅ । ବାଳକୃଷ୍ଣଙ୍କ ଏହି କାମରେ ପରିବାର ଲୋକେ ମଧ୍ୟ ପୂରା ସହଯୋଗ କରନ୍ତି । ଏନେଇ ବାଳକୃଷ୍ଣଙ୍କ ପତ୍ନୀ ଲୀନା ସେଠୀ କୁହନ୍ତି, ‘ଯିଏ ଯେତେବେଳେ ଡାକନ୍ତି ସ୍ୱାମୀ କାହାକୁ ମନା କରନ୍ତି ନାହିଁ । ଏପରିକି ଘରର ଅଧା କାମ ଛାଡି ବି ମୃତଦେହ ସତ୍କାର କରିବାକୁ ପଳାନ୍ତି । ମୋ ସ୍ୱାମୀଙ୍କୁ ସମସ୍ତେ ଭଲ ପାଆନ୍ତି । ସ୍ୱାମୀଙ୍କ ଏପରି ସେବା ନେଇ ଆମେ ଗର୍ବିତ ।’

Social Worker Balakrushna
ମୃତଦେହ ସତ୍କାର କରୁଛନ୍ତି ବାଳକୃଷ୍ଣ (ETV Bharat Odisha)

ବାଳକୃଷ୍ଣଙ୍କ ସେବା ମନୋବୃତ୍ତିକୁ ବାଃ ବାଃ:

ବାଳକୃଷ୍ଣଙ୍କ ଏପରି କାର୍ଯ୍ୟକୁ ସ୍ଥାନୀୟ ଲୋକେ ବେଶ ପ୍ରଶଂସା କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ବାଳକୃଷ୍ଣ ବାଉରୀ ଭାଇ ନାଁରେ ବେଶ ପରିଚିତ । ଏନେଇ ଦେଉଳ ସାହି ବାସିନ୍ଦା ମଧୁସୂଦନ ଭୋଳ କୁହନ୍ତି, ‘କୋଭିଡ ସମୟରେ ବାଳକୃଷ୍ଣ ଅନେକ ଲୋକଙ୍କର ମୃତଦେହ ସତ୍କାର କରିଛନ୍ତି । ସେହି ସମୟରେ ନିଜର ଆତ୍ମୀୟ ଲୋକ ମୃତଦେହ ପାଖକୁ ଯାଉନଥିଲେ । ମାତ୍ର ବାଳକୃଷ୍ଣ ସମସ୍ତଙ୍କୁ ନିଜର ଭାଇ ଭଳି ସାହାଯ୍ୟ କରିଛନ୍ତି ।’

Social Worker Balakrushna
ସତୀଚଉରା ଶଶ୍ମାନ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ଥକିନି କାନ୍ଧ, ହାର ମାନିନି ନିଶା: 50 ବର୍ଷରେ କଲେଣି 1206 ଶବ ସତ୍କାର

ଗରିବ ରୋଗୀଙ୍କ ପାଇଁ କୃଷ୍ଣଙ୍କ ମାଗଣା ଅଟୋ ସେବା, ଜିତୁଛନ୍ତି ଜନତାଙ୍କ ହୃଦୟ

ଶିକ୍ଷକରୁ ସେବକ: 23 ବର୍ଷ ଧରି ବୁଲା ଗାଈ ଗୋରୁଙ୍କ ଦେବଦୂତ ତାରାକାନ୍ତ

ସେବାର ମିଶାଲ୍‌ ପାର୍ବତୀ ଗିରି: ସ୍ବାଧୀନତା ସଂଗ୍ରାମୀଙ୍କୁ ମନେ ପକାଇଲେ ମୋଦି, ପ୍ରତିକ୍ରିୟା ରଖିଲେ ନାତି-ନାତୁଣୀ

ମଣିଷର ଶେଷଯାତ୍ରାରେ ସେ ସାଥୀ ହୁଅନ୍ତି । ଦୀର୍ଘ ବର୍ଷ ଧରି ବାଳକୃଷ୍ଣ ଏପରି ସେବା କରିଆସୁଥିବା ବେଳେ ପୂରା କଟକବାସୀ ତାଙ୍କର ଏପରି ସେବା ମନୋଭାବ ପାଇଁ ବେଶ ପ୍ରଶଂସା କରନ୍ତି । ବର୍ତ୍ତମାନ ସମୟରେ କାହାରିଠୁ କିଛି ଆଶା ନରଖି ସେ ସେବା ଯୋଗାଇ ଆସୁଛନ୍ତି । ଅନ୍ୟ ପାଇଁ ପ୍ରେରଣା ନିଶ୍ଚୟ ।

ଇଟିଭି ଭାରତ, କଟକ