ମାର୍ଚ୍ଚ 7ରୁ ଜିଲ୍ଲାବ୍ୟାପି ଆନ୍ଦୋଳନ କରିବ ଠିକାଦାର ମହାସଂଘ
8 ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଠିକାଦାର ମହାସଂଘ । ସିଡ୍ୟୁଲ ମୂଲ୍ୟରେ କାର୍ଯ୍ୟ କରିବାକୁ ଦିଅନ୍ତୁ ବୋଲି ଠିକାଦାର ସଂଘ ସଦସ୍ୟ ମତ ରଖିଛନ୍ତି ।

Published : March 1, 2026 at 2:41 PM IST
ନିମାପଡ଼ା: ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଡାକରା ଦେଇଛି ଠିକାଦାର ମହାସଂଘ । ଠପ୍ ହୋଇ ପଡିଛି ଉନ୍ନୟନ କାର୍ଯ୍ୟ । 8 ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଠିକାଦାର ମହାସଂଘ । ଠିକାସଂଘର ଦାବି ଗୁଡିକୁ ସରକାର ବିଚାର କରୁ ନଥିବା ଅଭିଯୋଗ ଆଣିଛି ଠିକାଦାର ମହାସଂଘ । ଠିକାଦାର ମହାସଂଘ ନେତା ପ୍ରଫୁଲ୍ଲ ପଣ୍ଡାଙ୍କ ନେତୃତ୍ଵରେ ଠିକାଦାର ମାନେ କାର୍ଯ୍ୟବନ୍ଦ ରଖି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ଠିକାଦାର ମହାସଂଘ ଆନ୍ଦୋଳନ:
ଫେବୃଆରୀ ମାସ 20 ତାରିଖରୁ ଆନ୍ଦୋଳନକୁ ଓହ୍ଲାଇଛି ଠିକାଦାର ମହାସଂଘ । ଦାବି ପୂରଣ ପାଇଁ ଜିଦ୍ରେ ଅଟଳ ରହିଛି ଠିକାଦାର ମହାସଂଘ । ଏହାର ପ୍ରଭାବ ପୁରୀ ଜିଲ୍ଲା, ପିପିଲି, ନିମାପଡା ଅଞ୍ଚଳରେ ଦେଖିବାକୁ ମିଳିଛି । ଏହି ଆନ୍ଦୋଳନର ନେତୃତ୍ବ ନେଇଛନ୍ତି ଠିକାଦାର ମହାସଂଘ ନେତା ପ୍ରଫୁଲ୍ଲ ପଣ୍ଡା । ଶନିବାର ପିପିଲି ସ୍ଥିତ ଇନ୍ଦିରା ମଇଦାନ ଠାରେ ଠିକାଦାର ମାନେ ଏକତ୍ରିତ ହୋଇ ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା କରିଛନ୍ତି । ଆଗାମୀ ମାର୍ଚ୍ଚ ୭ରେ ଜିଲ୍ଲା ବ୍ୟାପି ଆନ୍ଦୋଳନକୁ ତୀବ୍ର କରିବା ପାଇଁ ନିଷ୍ପତ୍ତି ହୋଇଛି ।

ସରକାରଙ୍କ ଠିକାଦାରଙ୍କୁ ଥଟ୍ଟା ପରିହାସ:
ସରକାର ଆଲୋଚନା ପରିବର୍ତ୍ତେ ଠିକାଦାରଙ୍କୁ ଥଟ୍ଟା ପରିହାସ ଘଟଣାକୁ ମହାସଂଘ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ସରକାରଙ୍କ ସହିତ ଆଲୋଚନା ନ ହେବା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ କାମ ବନ୍ଦ ରହିବ ବୋଲି ଚେତାବନୀ ଦିଆଯାଇଛି । ଏହା ସହିତ କାମ କରୁଥିବା ଠିକାଦାରଙ୍କୁ ଦେଖିଲେ ଆନ୍ଦୋଳନରତ ସଦସ୍ୟ ଯାଇ କାର୍ଯ୍ୟ ବନ୍ଦ କରିଥିଲେ । ଠିକାଦାର ସମ୍ପାଦକ ପ୍ରଫୁଲ୍ଲ କୁମାର ପଣ୍ଡା କହିଛନ୍ତି,"ବିଗତ 24 ବର୍ଷ ଧରି ରାଜ୍ୟରେ କାର୍ଯ୍ୟରତ ପାଖାପାଖି 70,000 ଠିକାଦାର ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ 2019 ମସିହାରେ ଆମେ ରାଜରାସ୍ତାକୁ ଓହ୍ଲାଇଥିଲୁ । 15 ଦିନ ମଧ୍ୟରେ ସମସ୍ୟା ସମାଧାନ ହେବ ବୋଲି ତତ୍କାଳୀନ ସରକାର କହିଥିଲେ ।"
ମୂଲ୍ୟ ହ୍ରାସ ଯୋଗୁଁ କାର୍ଯ୍ୟର ମାନ ହ୍ରାସ:
"ସରକାର ବଦଳିଲେ ହେଲେ ଆଜି ପର୍ଯ୍ୟନ୍ତ ସୁଫଳ ମିଳିଲା ନାହିଁ । ନୂତନ ସରକାର ମଧ୍ୟ ଆମ ଦାବି ପୂରଣ ପରିବର୍ତ୍ତେ ଏକ ନୂତନ ନିୟମ ପ୍ରଣୟନ କରିଲେ । ଯାହା ପରିସ୍ଥିତିକୁ ଆହୁରି ସଙ୍ଗୀନ କରିଦେଲା । ପ୍ରଥମେ କଣ୍ଟ୍ରାକ୍ଟରଙ୍କ ଦେୟ 14.99 ପ୍ରତିଶତ ହ୍ରାସ କରାଯାଉଥିବା ବେଳେ ନୂତନ ସରକାର ଏହାର ସୀମା ହଟାଇହେଲେ । ଫଳରେ 1 କୋଟି ଟଙ୍କାର ବ୍ୟୟ ବରାଦର କାର୍ଯ୍ୟ ପାଇଁ କଣ୍ଟ୍ରାକ୍ଟରଙ୍କୁ ମାତ୍ର 56ରୁ 57 ଲକ୍ଷ ଟଙ୍କା ମିଳିଲା । ପୂର୍ବ ନିୟମ ଅନୁଯାୟୀ କଣ୍ଟ୍ରାକ୍ଟର 80-85 ଲକ୍ଷ ଟଙ୍କା ପାଉଥିଲେ । ଏଥିରୁ କାର୍ଯ୍ୟର ମାନ କଣ ହେବ ଆପଣ ସଠିକ୍ ବାରି ପାରିବେ" ଠିକାଦାର ସମ୍ପାଦକ ପ୍ରଫୁଲ୍ଲ କୁମାର ପଣ୍ଡା କହିଛନ୍ତି ।
'ଆମକୁ ସିଡ୍ୟୁଲ ମୂଲ୍ୟରେ କାର୍ଯ୍ୟ କରିବାକୁ ଦିଅନ୍ତୁ'
ଜଣେ ଠିକାଦାର କବିରାଜ ସ୍ବାଇଁ କହିଛନ୍ତି, "ଆମେ କାର୍ଯ୍ୟ ପାଇଁ ବିଭିନ୍ନ ମାଲ ଓ କଞ୍ଚାମାଲ ସଂଗ୍ରହ କରିବାକୁ ଗଲେ ଅସୁବିଧାର ସମ୍ମୁଖୀନ ହେଉଛୁ । ପୋଲିସ ସେଠାରେ ବାଧା ସୃଷ୍ଟି କରିବା ସହିତ ଆମକୁ ପଇସା ମାଗୁଛନ୍ତି । ବାଲି, ଚିପ୍ସ ଓ ମୋରମ ପାଇବା ପାଇଁ ହଇରାଣ ହେଉଛୁ । ସରକାର ଆମକୁ ସିଡ୍ୟୁଲ ମୂଲ୍ୟରେ କାର୍ଯ୍ୟ କରିବାକୁ ଦିଅନ୍ତୁ ଏହା ହିଁ ଆମର ଦାବି । ଏହା ଦ୍ବାରା କାର୍ଯ୍ୟର ମାନ ମଧ୍ୟ ସଠିକ ରହିବ ।"
'57-58 ପ୍ରତିଶତ କାଟତି ହେଉଛି'
ଅନ୍ୟଜଣେ ଠିକାଦାର କହିଛନ୍ତି, "ପୁରୀ ଜିଲ୍ଲା ଠିକାଦାର ମହାସଂଘ 8ଟି ଜରୁରୀ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବିଭିନ୍ନ ସମୟରେ ଖରାପ ମାନର କାମ ପାଇଁ ଠିକାଦାରଙ୍କୁ ଦୋଷ ଦିଆଯାଏ । ମାତ୍ର ସରକାର ହିଁ ଯେତେ ବେଳେ ଆବଶ୍ୟକ ମୂଲ୍ୟର ଟଙ୍କା ଦେବେ ନାହିଁ, ତେବେ କଣ୍ଟ୍ରାକ୍ଟର ଟିଏ ବାଧ୍ୟ ହୋଇ ଦୁର୍ନୀତିର ପନ୍ଥା ଆପଣାଉଛି । ତେଣୁ 14 ପ୍ରତିଶତ କାଟତି ବଦଳରେ 57-58 ପ୍ରତିଶତ କାଟତି କରାଗଲେ ଆମେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।"
ଏହା ମଧ୍ୟ ପଢନ୍ତୁ: ଜିଲ୍ଲା ବାହାର ଠିକାଦାରଙ୍କୁ ବଲାଙ୍ଗୀରରେ କାମ କରିବା ମନା ମେଗା ପାନୀୟ ଜଳ ପ୍ରକଳ୍ପରେ କୋଟି କୋଟି ଅର୍ଥ ହରିଲୁଟ ! ଗୃହରେ ଉଠିଲା ତାମିଲ କଣ୍ଟ୍ରାକ୍ଟର ପ୍ରସଙ୍ଗ |
ଇଟିଭି ଭାରତ, ନିମାପଡ଼ା

