ଆନ୍ଦୋଳନ ପ୍ରତ୍ୟାହୃତ କଲା ମିଲର୍ସ ସଂଘ, କାଲିଠୁ ଧାନକିଣା ସ୍ବାଭାବିକ
ଆସନ୍ତାକାଲିଠୁ ସ୍ବାଭାବିକ ହେବ ଧାନକିଣା । ସର୍ତ୍ତମୂଳକ ଭାବେ ଆନ୍ଦୋଳନ ପ୍ରତ୍ୟାହୃତ କଲା ମିଲର୍ସ ସଂଘ । ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ।

Published : January 7, 2026 at 4:49 PM IST
|Updated : January 7, 2026 at 7:26 PM IST
ଭୁବନେଶ୍ବର: ଆନ୍ଦୋଳନରୁ ହଟିଲା ମିଲର୍ସ ସଂଘ । ସର୍ତ୍ତମୂଳକ ଭାବେ ଆନ୍ଦୋଳନକୁ ପ୍ରତ୍ୟାହୃତ କରିଛି ମିଲର୍ସ ସଂଘ । ଆସନ୍ତାକାଲିଠୁ ସ୍ବାଭାବିକ ହେବ ଧାନକିଣା । ମଣ୍ଡିରୁ ଉଠିବ ଧାନ । ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଲା ମିଲର୍ସ ସଂଘ ।

ମିଲର୍ସ ସଂଘ ଆନ୍ଦୋଳନ ପ୍ରତ୍ୟାହୃତ:
ଆନ୍ଦୋଳନକୁ ପ୍ରତ୍ୟାହୃତ କଲା ମିଲର୍ସ ସଂଘ । 4 ଦଫା ଦାବିରୁ ସରକାର ଗୋଟିଏ ଦାବି ମାନିଛନ୍ତି । ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସର୍ତ୍ତମୂଳକ ଭାବେ ଆନ୍ଦୋଳନକୁ ପ୍ରତ୍ୟାହୃତ କରିଛି ମିଲର୍ସ ସଂଘ । ରାଜ୍ୟ ସରକାରଙ୍କୁ 15 ଦିନର ମହଲତ ଦେଇଛି ମିଲର୍ସ ସଂଘ । ଏନେଇ ମିଲର୍ସ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ କୁହାଯାଇଛି ।
ଆନ୍ଦୋଳନ ପ୍ରତ୍ୟାହୃତ ନେଇ କଣ କହିଲା ମିଲର୍ସ ସଂଘ ?
‘୪ଟି ମୁଖ୍ୟ ଦାବି ଉପରେ ଆମେ ସରକାରଙ୍କ ସହ ଆଲୋଚନା କରିଛୁ । ବର୍ତ୍ତମାନ ସୁଦ୍ଧା ୧୪ ଲକ୍ଷ୍ୟ ମାଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି । ଆଜିକୁ ୩ ଦିନ ହେଲାଣି ଆମର ଧାରଣା ଚାଲିଥିଲା । ବିଭାଗୀୟ ମନ୍ତ୍ରୀ ଆମର ଗୋଟିଏ ଦାବିକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟ ୩ ଦାବି ଉପରେ ବିଚାର ବିମର୍ଶ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ଏଥିପାଇଁ ସରକାରଙ୍କୁ ଆମେ ଧନ୍ୟବାଦ ଜଣାଉଛୁ । ଆସନ୍ତା ୧୫ ଦିନ ମଧ୍ୟରେ ଅନ୍ୟ ୩ ଦାବିକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରତିଶ୍ରୁତିକୁ ରକ୍ଷା କରିବେ ସରକାର ବୋଲି ଆମର ଆଶା । ଆସନ୍ତା ମକର ସଂକ୍ରାନ୍ତି ପାଇଁ ଆଜି ଠାରୁ ଆମେ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସ୍ଵାଭାବିକ ହେବ ମିଲ୍ । ଆସନ୍ତାକାଲି(ଗୁରୁବାର) ଠାରୁ ଧାନ ଉଠାଯିବ ।’ ବୋଲି ମିଲର୍ସ ସଂଘ କହିଛି ।
କଣ ଦାବି ରଖିଥିଲା ମିଲର୍ସ ସଂଘ ?
ବର୍ତ୍ତମାନ ରାଜ୍ୟରେ ୧୪୦୧୮ ରାଇସ ମିଲ କାର୍ଯ୍ୟ କରୁଛି । ୨୦୨୩, ୨୪ ଓ ୨୫ ଆର୍ଥିକ ବର୍ଷର ପ୍ରାୟ ୩୩୦ କୋଟି ଟଙ୍କା ବାକି ରଖିଛନ୍ତି ରାଜ୍ୟ ସରକାର । ପ୍ରାଥମିକ ପର୍ଯ୍ୟାୟରେ ଦୁଇ ଆର୍ଥିକ ବର୍ଷର ପ୍ରାୟ ୧୫୦ କୋଟି ବାକି ଟଙ୍କା ପୈଠ କରିବେ ସରକାର । ଅନ୍ୟ ତିନି ଦାବି ଆସନ୍ତା ୧୫ ଦିନ ମଧ୍ୟରେ ପୂରଣ କରିବା ପାଇଁ ସରକାର ୧୫ ଦିନ ମହଲତ ମାଗିଛନ୍ତି । ଅନ୍ୟାନ୍ୟ ଦାବି ଯଥା ଟ୍ରାନ୍ସପୋଟେସନ ଚାର୍ଜ ଅର୍ଥାତ ମଣ୍ଡିରୁ ମିଲକୁ ଧାନ ଆସିବା ଏବଂ ମିଲରୁ ବିଭିନ୍ନ ଗୋଦାମକୁ ଧାନ ଯିବା ପରିବହନ ଖର୍ଚ୍ଚ ବାବଦରେ ବିଭାଗ ଅନୁଧ୍ୟାନ କରୁଛି । ଏନେଇ ୧୫ ଦିନ ସମୟ ଦିଆଯାଇଛି । ପୂର୍ବରୁ ୪୦ କିଲୋମିଟରରୁ ଅଧିକ ପାଇଁ ପ୍ରତି କିଲୋମିଟରକୁ କୁଇଣ୍ଟାଲ ପିଛା ୪୩ ପଇସା ଥିଲା । ଏବେ ତାକୁ ୨୮ ପଇସାକୁ ହ୍ରାସ କରାଯାଇଛି । ଯାହାକୁ ବିରୋଧ କରିଛି ସଙ୍ଘ । ଅଧିକ ନହେଲେ ନାହିଁ ଯେତିକି ପଇସା ଥିଲା ସେତିକି ଦେବା ପାଇଁ ସଙ୍ଘ ଦାବି କରିଛି । ଏ ବାବଦରେ ଅନୁଧ୍ୟାନ କରି ୧୫ ଦିନ ଭିତରେ ସରକାର ସମାଧାନ କରିବେ ବୋଲି ସଂଘ ଆଶା ରଖିଛି ।
ଅରୁଆ ଧାନ ପାଇଁ ୧୭%ରେ ଧାନ କିଣା ହୁଏ । ହେଲେ ଚାଉଳ ୧୪% ପ୍ରତିଶ୍ରୁତିରେ ବିକ୍ରି ହୁଏ । ସେଥିପାଇଁ ୩% କ୍ଷତି ସହୁଥିଲେ ମିଲରମାନେ । ସେଥିରୁ ସରକାର ପୂର୍ବରୁ ୧% କ୍ଷତିପୂରଣ ଦେଉଥିଲେ । ଏବେ ତାକୁ 0.078% କରିଛନ୍ତି । ପୂର୍ବ ଅନୁସାରେ କ୍ଷତିଭରଣା ପାଇଁ ସଙ୍ଘ ଦାବି କରିଛି । ଯଦି ଏହି ୧୫ ଦିନ ମଧ୍ୟରେ ଏହି ସବୁ ଦାବି ପୁରଣ ନହେବ ତେବେ ଅନ୍ୟ ଏକ ବୈଠକ ବସିବ । ଏଥିରେ ଯାହା ନିଷ୍ପତ୍ତି ନିଆଯିବ ସେହି ଅନୁଯାୟୀ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ଆସୋସିଏସନ୍ ପକ୍ଷରୁ କୁହାଯାଇଛି ।
ଯୋଗାଣମନ୍ତ୍ରୀ କହିଲେ ସ୍ବାଭାବିକ ହେଲା ଧାନ କିଣା:
ପୂର୍ବରୁ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ରାଜ୍ୟର ସ୍ବାଭାବିକ ହେଲା ଧାନ କିଣା । ମିଲର୍ସ ସଂଘ ସହ ଆଲୋଚନା ହୋଇଛି l ୪ ଦଫାରୁ ୨ ଦଫା ଦାବି ପୂରଣ ପାଇଁ ସରକାର ପ୍ରସ୍ତୁତ l ମିଲର ସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା ସଫଳ । 19ଟି ଜିଲ୍ଲାରୁ ଧାନ କିଣା ଆରମ୍ଭ ହୋଇଛି । ଏଥିସହ ରାଜ୍ୟ ସରକାରଙ୍କର ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି l
ଏହି ନିର୍ଦ୍ଦେଶାନାମା ଅନୁସାରେ...
19ଟି ଜିଲ୍ଲାରେ ଆଜି ସୁଦ୍ଧା 3 ଲକ୍ଷ 15 ହଜାର 431 ଚାଷୀଙ୍କ ଠାରୁ 13 ଲକ୍ଷ 93 ହଜାର 867 ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି l ଏଥିମଧ୍ୟରୁ 13 ଲକ୍ଷ 59 ହଜାର 974 ମେଟ୍ରିକ ଟନ ଧାନ ମିଲର ମାନେ ଉଠାଇଛନ୍ତି l ଏ ବାବଦରେ ଚାଷୀଙ୍କୁ 891 କୋଟି 58 ଲକ୍ଷ ଟଙ୍କାର ଇନପୁଟ ଆସିଷ୍ଟାଂଶ ଦିଆଯାଇଛି l
ଧାନ କିଣାକୁ ନେଇ ସରକାରଙ୍କୁ ଘେରିଲା ବିଜେଡି:
ଧାନ କିଣାକୁ ନେଇ ଲାଗି ରହିଥିବା ଅଚଳାବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଥିଲେ ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାଶବର୍ମା । ସେ କହିଛନ୍ତି, ‘ଖରିଫ ଧାନ ସଂଗ୍ରହ ଠାରୁ ଆରମ୍ଭ କରି, ଟୋକନ, ମଣ୍ଡି ସବୁ ଅବ୍ୟବସ୍ଥିତ l ହଜାର ହଜାର କ୍ୱିଣ୍ଟାଲ ଧାନ ଧରି ଚାଷୀ ମଣ୍ଡିରେ ବସିଛନ୍ତି l ସରକାର କୌଣସି କଥାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି l ମୁଖ୍ୟମନ୍ତ୍ରୀ ତିନି ବିଭାଗ ଡାକି ସମୀକ୍ଷା କରିବା ସହିତ ନିର୍ଦ୍ଦେଶ ଦେଲେ କିପରି ବ୍ୟବସ୍ଥିତ ଭାବରେ ଧାନ ସଂଗ୍ରହ ହଉ l 20 ରୁ 25 ଦିନ ବିତି ଯାଇଥିଲେ ବି ଓଡିଶାରେ ପୂର୍ବରୁ କେବେ ଏଭଳି ସ୍ଥିତିକୁ ସାମ୍ନା କରି ନଥିଲା l ମିଲର ମାନେ ତାଙ୍କ ଦୀର୍ଘ ଦିନର ଦାବି ନେଇ ଆଲୋଚନା କରିଥିବା ବେଳେ ମନ୍ତ୍ରୀ ଗଣମାଧ୍ୟମରେ ଯଉଁ ପ୍ରତିକ୍ରିୟା ଦେଉଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା l ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ତୁରନ୍ତ ସମବାୟ ଓ ଯୋଗାଣ ବିଭାଗକୁ ଡାକି ମିଲର ମାନେ କିପରି ଆନ୍ଦୋଳନ ପ୍ରତ୍ୟାହାର କରିବେ ସରକାର ବିଚାର କରନ୍ତୁ l ଏଭଳି ଘଡିସନ୍ଧି ସମୟରେ ମିଲରସଙ୍ଘକୁ ଅନୁରୋଧ ରହିବ ଯେତେବେଳେ ଚାଷୀକୁଳ ରାସ୍ତାରେ ସେମାନେ ଆନ୍ଦୋଳନ ପ୍ରତ୍ୟାହାର କରନ୍ତୁ l’
ଇଟିଭି ଭାରତ, ଭୁବନେଶ୍ବର

