ଭୂ-ଲେଖ ଓ ସର୍ବେକ୍ଷଣ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ପତ୍ତି ଜବତ ମାମଲା: ମାର୍ଚ୍ଚ 10 ସୁଦ୍ଧା ପ୍ରକ୍ରିୟା ସାରିବାକୁ କୋର୍ଟଙ୍କ ନିର୍ଦ୍ଦେଶ
ଆସନ୍ତା ମାର୍ଚ୍ଚ 10 ତାରିଖ ଶୁଦ୍ଧା ଜବତ ପ୍ରକ୍ରିୟା ଶେଷ କରିବା ତଥା 9 କୋଟି 44 ଲକ୍ଷର ବକେୟା ପଇଠ କରିବା ପାଇଁ ବାଣିଜ୍ୟିକ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

Published : February 23, 2026 at 5:22 PM IST
କଟକ: କଟକ ଭୂ-ଲେଖ ଓ ସର୍ବେକ୍ଷଣ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ପତ୍ତି ଜବତ ମାମଲାରେ ଅଫିସ ଉପକରଣ ଜବତ କରିବାକୁ ବାଣିଜ୍ୟିକ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ମାର୍ଚ୍ଚ 10 ତାରିଖ ଶୁଦ୍ଧା ଜବତ ପ୍ରକ୍ରିୟା ଶେଷ କରିବା ତଥା 9 କୋଟି 44 ଲକ୍ଷର ବକେୟା ପଇଠ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସିଲଭେସା ସଂସ୍ଥାର ଆବେଦନ ଆଧାରରେ ଏହି ନିର୍ଦେଶ ଦେଇଛନ୍ତି କୋର୍ଟ ।
ଗତ 18 ତାରିଖରେ ଜବତ ସମୟରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଜବତ ଭୟରେ ଅଫିସରେ ତାଲା ଝୁଲାଇ ବାହାରେ ବୁଲିଥିଲେ ସରକାରୀ କର୍ମଚାରୀ । କୋର୍ଟଙ୍କ ନିର୍ଦ୍ଦେଶକୁ ଏଡ଼ାଇବା ପାଇଁ ଏକ ଅଭାବନୀୟ ପନ୍ଥା ଆପଣାଇଥିଲା ସରକାରୀ ବିଭାଗ । ବକେୟା 9 କୋଟି 44 ଲକ୍ଷ ଟଙ୍କା ପୈଠ ନକରିବାରୁ ସମ୍ପତ୍ତି ଜବତ ପାଇଁ କୋର୍ଟ ବେଲିଫ୍ ପହଞ୍ଚିବା ପୂର୍ବରୁ ଭୂ-ଲେଖ ଓ ସର୍ବେକ୍ଷଣ ନିର୍ଦ୍ଦେଶକଙ୍କ (Director of Land Records & Surveys) କାର୍ଯ୍ୟାଳୟରେ ତାଲା ପକାଇ କର୍ମଚାରୀମାନେ ବାହାରେ ବୁଲୁ ଥିବା ଦେଖିବାକୁ ମିଳିଥିଲା । ଫଳରେ ଜବତ ପ୍ରକ୍ରିୟା ସ୍ଥଗିତ ରହିଥିଲା ।

ସାଧାରଣତଃ ସକାଳ 10ଟାରେ ସରକାରୀ କାର୍ଯ୍ୟାଳୟ ଖୋଲିବା କଥା । କିନ୍ତୁ କଟକ ବାଣିଜ୍ୟିକ ଅଦାଲତଙ୍କ (Commercial Court) କଠୋର କାର୍ଯ୍ୟାନୁଷ୍ଠାନକୁ ଏଡ଼ାଇବା ପାଇଁ ଗତ 18 ତାରିଖରେ ଅଫିସ ପ୍ରକୋଷ୍ଠ ଗୁଡ଼ିକରେ ଅପରାହ୍ନ ପର୍ଯ୍ୟନ୍ତ ତାଲା ଝୁଲିଥିଲା ।


ଏହା ମଧ୍ୟ ପଢ଼ନ୍ତୁ- ହାଇକୋର୍ଟଙ୍କ ରୋଷଣୀ କଟକଣା: ଲେଜର ଲାଇଟ୍, ବିକଟାଳ ଶବ୍ଦ ଯୁକ୍ତ DJ, ରାତି ୧୦ଟା ପରେ ବିବାହ ପ୍ରସେସନ୍ ମନା
ଏହା ମଧ୍ୟ ପଢ଼ନ୍ତୁ- ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ, ‘3 ମାସ ମଧ୍ୟରେ ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଶେଷ କର’
ଇଟିଭି ଭାରତ, କଟକ

