ETV Bharat / state

କେନ୍ଦ୍ରାପଡାରେ ଲୋକାର୍ପିତ ହେଲା ବହୁ ଅପେକ୍ଷିତ ଶୀତଳ ଭଣ୍ଡାର; ସାଂସଦ କହିଲେ, 'ଏଇଠୁ ଆରମ୍ଭ ହେଲା ଚାଷୀଙ୍କ ସ୍ୱପ୍ନ'

ନିର୍ମାଣର ଦୁଇବର୍ଷ ପରେ ଚାଷୀଭାଇ ମାନଙ୍କ ପାଇଁ ଉତ୍ସର୍ଗ ହେଲା ଶୀତଳ ଭଣ୍ଡାର। ୯ଟି ବ୍ଲକ ଓ ଦୁଇଟି ମ୍ୟୁନିସିପାଲିଟିରେ ଚାଷକୁ ଭରସା କରି ବଞ୍ଚୁଥିବା ଚାଷୀମାନେ ଏହା ଦ୍ୱାରା ଉପକୃତ ହେବେ ।

Cold storage inaugurated in Kendrapara at a cost of Rs. 1 crore 80 lakhs
କେନ୍ଦ୍ରାପ଼ଡାରେ ଲୋକାର୍ପିତ ହେଲା ବହୁ ଅପେକ୍ଷିତ ଶୀତଳ ଭଣ୍ଡାର (Etv Bharat)
author img

By ETV Bharat Odisha Team

Published : December 15, 2025 at 8:18 PM IST

4 Min Read
Choose ETV Bharat

କେନ୍ଦ୍ରାପଡା: ନିର୍ମାଣର ଦୁଇବର୍ଷ ପରେ ଚାଷୀଭାଇ ମାନଙ୍କ ପାଇଁ ଉତ୍ସର୍ଗ ହେଲା ଶୀତଳ ଭଣ୍ଡାର। ଏକ ଵର୍ଣ୍ଣାଢ୍ୟ ପରିବେଶରେ କେନ୍ଦ୍ରାପଡା ସାଂସଦ, ବିଧାୟକ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି ବିଶାଳ ଶୀତଳ ଭଣ୍ଡାରଟିକୁ ଲୋକାର୍ପିତ କରାଯାଇଛି । ୯ଟି ବ୍ଲକ ଓ ଦୁଇଟି ମ୍ୟୁନିସିପାଲିଟିରେ ଚାଷକୁ ଭରସା କରି ବଞ୍ଚୁଥିବା ଚାଷୀମାନେ ଏହାଦ୍ୱାରା ଉପକୃତ ହେବେ ।

କେନ୍ଦ୍ରାପ଼ଡାରେ ଲୋକାର୍ପିତ ହେଲା ବହୁ ଅପେକ୍ଷିତ ଶୀତଳ ଭଣ୍ଡାର (Etv Bharat)
କେବେ ଓ କେତେ ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିଲା ଶୀତଳ ଭଣ୍ଡାର

ଗତବର୍ଷ ବିଧାନସଭା ଅଧିବେଶନ ସମୟରେ ବିରୋଧି ଦଳ ଶୀତଳ ଭଣ୍ଡାର ପ୍ରତିଷ୍ଠା ନେଇ ସରକାରଙ୍କୁ ଘେରିଥିଲେ । ଏହି ସମୟରେ ସରକାର ପ୍ରତ୍ୟେକ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ନେଇ ପ୍ରତିକ୍ରିୟା ରଖିଥିଲେ। ତେବେ କେନ୍ଦ୍ରାପଡା ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି (RMC) ପରିସରରେ ୨୦୨୩ ମସିହାରେ ତତ୍କାଳୀନ ବିଜେଡି ସରକାର ସମୟରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ନେଇ ବ୍ୟୟ ମଞ୍ଜୁର ହୋଇଥିବା ବେଳେ ଏପ୍ରିଲ ମାସ ୨୮ ତାରିଖ ୨୦୨୩ ମସିହାରେ ତତ୍କାଳୀନ ସରକାରର 5T ସଚିବ ଭି.କେ.ପାଣ୍ଡିଆନ ଏହି କାର୍ଯ୍ୟର ତଦାରଖ କରିବା ସହ ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେ ସମୟରେ ଏହି 500 ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର ପାଇଁ 1 କୋଟି 80 ଲକ୍ଷ ଟଙ୍କା ବ୍ୟୟ ମଞ୍ଜୁର କରାଯାଇ ଏହାର କାମ ଆରମ୍ଭ ହୋଇଥିଲା । ନିର୍ମାଣ କାମ ଶେଷ ହେବାକୁ ଦୁଇବର୍ଷରୁ ଅଧିକ ସମୟ ଲାଗିଥିଲା। ଶେଷରେ ଆଜି ଏହା ଲୋକାର୍ପିତ ହୋଇଯାଇଛି ।

ସ୍ଥାନ ବଢାଇବା ପାଇଁ ସରକାରଙ୍କ ନିକଟରେ ଦାବି କରିବି-ବିଧାୟକ

ଏହି ଅବସରରେ ପ୍ରତିକ୍ରିୟା ରଖି କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା କୁହନ୍ତି,"2023ରେ ତତ୍କାଳୀନ ସରକାର ଏକ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ଏକ କୋଟି ଅଶୀ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ସେହି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଶୀତଳ ଭଣ୍ଡାର ଆଜି ଡିସେମ୍ବର ୧୫ ତାରିଖରେ ଉଦଘାଟିତ ହେଲା ଯାହାକୁ ମାନ୍ୟବର ସାଂସଦ ଉଦଘାଟନ କରିଛନ୍ତି। ଜିଲ୍ଲା ବାସୀ ଓ ଚାଷୀମାନଙ୍କ ପାଇଁ ଏହା ଏକ ଖୁସିର ଖବର। ଶୀତଳ ଭଣ୍ଡାର ଅଭାବରୁ ଚାଷୀମାନଙ୍କର କୃଷି ଜାତୀୟ ଦ୍ରବ୍ୟ ନଷ୍ଟ ହେଉଥିଲା। ସଂରକ୍ଷଣ ଅଭାବରୁ ଯାହା ନଷ୍ଟ ହେଉଥିଲା ବର୍ତ୍ତମାନ ଶୀତଳ ଭଣ୍ଡାର ପ୍ରତିଷ୍ଠା ଯୋଗୁଁ କିଛି ମାତ୍ରାରେ ସେମାନେ ଉପକୃତ ହେବେ। ଆମର ଆବଶ୍ୟକତା ଅଧିକ ହୋଇଥିଲେ ମଧ୍ୟ ପର୍ଯ୍ୟାୟ କ୍ରମେ ଏହାର ସ୍ଥାନ ବଢାଇବା ପାଇଁ ମୁଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବି। ତେବେ କେନ୍ଦ୍ରାପଡା ଜିଲ୍ଲାରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଇବା ପାଇଁ ନବୀନ ପଟ୍ଟନାୟକ ପଦକ୍ଷେପ ନେଇଥିବାରୁ ଆଜି ଏହି ଅବସରରେ ତାଙ୍କୁ ବିଶେଷ ଧନ୍ୟବାଦ ଜଣାଉଛି ।

ଚାଷୀଙ୍କ ସ୍ୱପ୍ନ ଏଇଠୁ ଆରମ୍ଭ ହେଲା- ସାଂସଦ

ସେହିପରି ଏହି ଶୀତଳ ଭଣ୍ଡାର ଜିଲ୍ଲାର ଚାଷୀ ମାନଙ୍କ ପାଇଁ ଏକ ବଡ଼ ମାଇଲ ଖୁଣ୍ଟ । ଚାଷୀଙ୍କ ସ୍ୱପ୍ନ ଏଇଠୁ ଆରମ୍ଭ ହେଲା ବୋଲି କହିଛନ୍ତି କେନ୍ଦ୍ରାପଡା ସାଂସଦ। ଏହି ଅବସରରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ନିଜ ପ୍ରତିକ୍ରିୟାରେ,"କୋଲ୍ଡ ଷ୍ଟୋରେଜ ଆମ କେନ୍ଦ୍ରାପଡାରେ ହେବ ବୋଲି ବହୁତ ଦିନରୁ ଦାବି ଓ ସ୍ୱପ୍ନ ଥିଲା। ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ଆଗକୁ ବଢ଼ାଇ ଏହାକୁ ସୁଦୃଢ କରାଇବା ପାଇଁ କୋଲ୍ଡ ଷ୍ଟୋରେଜ ଆମର ନିହାତି ଦରକାର ଥିଲା। ବିଗତ ଦିନରେ ସରକାର ବହୁତ ପ୍ରତିଶ୍ରୁତି ଦେଇଥିଲେ । ହେଲେ ତାହା ହୋଇ ପାରୁନଥିଲା। କିନ୍ତୁ ବର୍ତ୍ତମାନ ଡବଲ ଇଞ୍ଜିନ ସରକାରରେ ବହୁ ଯୋଜନା କ୍ଷୀପ୍ର ଭାବେ ଲାଗୁ ହେଉଛି। ଆଜି ଏହି କୋଲ୍ଡ ଷ୍ଟୋରେଜକୁ ନେଇ ବହୁ ଲୋକ ଏହାତୁ ସ୍ବପ୍ନ ପୂରଣ ହେଲା ବୋଲି କହୁଥିବା ବେଳେ ମୁଁ କିନ୍ତୁ ଏହାକୁ ସ୍ବପ୍ନର ଆରମ୍ଭ ବୋଲି କହୁଛି। ଏଭଳି ଆହୁରି ଅନେକ ଭିତ୍ତିଭୂମି ଆମକୁ ଗଢିବାର ଅଛି ଏବଂ ଆଗାମୀ ଦିନରେ ନିଶ୍ଚିତ ଏହା ସାକାର ହେବ। ବିକାଶ କାମକୁ ନେଇ ଆମେ ରାଜନୀତି କରିବୁ ନାହିଁ। ବହୁତ ପ୍ରୋଜେକ୍ଟ ଆଗରୁ ପ୍ଲାନ ହୋଇଥିଲା କିନ୍ତୁ ହୋଇ ପାରୁନଥିଲା । ଅଧା ହୋଇ ବି କିଛି ରହିଛି । ତେବେ ଆମେ ପ୍ରତି ତିନି ମାସରେ ଥରେ DISHA ମିଟିଂରେ ଏହାର ସମୀକ୍ଷା କରୁଛୁ ଆମ ଜିଲ୍ଲାର ପ୍ରଗତି ପାଇଁ। ଆମର ଚାଷୀ ଭାଇମାନେ ଏହି ଶୀତଳ ଭଣ୍ଡାରର ଲାଭ ଉଠାଇବା ସହ ଏହାକୁ ବ୍ୟବହାର କରିବା ଉଚିତ ।"

ଚାଷୀଙ୍କ ପାଇଁ କେତେ ଉପଯୋଗୀ ହେବ ଶୀତଳ ଭଣ୍ଡାର

ଆଜି ଚାଷୀଙ୍କ ପାଇଁ ଲୋକାର୍ପିତ ହୋଇଥିବା ଏହି ଶୀତଳଭଣ୍ଡାର ଆଵଶ୍ୟକତା ସମ୍ପର୍କରେ ପ୍ରତିକ୍ରିୟା ରଖି ଜଗନ୍ନାଥପୁର ଗାଁର ଚାଷୀ ବୈଷ୍ଣବ ଚରଣ ରାଉତ କୁହନ୍ତି,"ମୁଁ ବିଭିନ୍ନ ପ୍ରକାର ଚାଷ କରେ। ଶୀତଳ ଭଣ୍ଡାର ଆମ ଅଞ୍ଚଳ ପାଇଁ ଆବଶ୍ୟକ ଥିଲା। କୋଲ୍ଡ ଷ୍ଟୋର ନଥିବାରୁ ଆମ ଅଞ୍ଚଳର ଚାଷୀ ଆଳୁ ଚାଷ ଛାଡି ଦେଇଥିଲେ । ଏବେ ଷ୍ଟୋର ହେବାରୁ ଆଳୁ ଚାଷ ପ୍ରଚୁର ପରିମାଣରେ କରାଯାଇ ପାରିବ। ଆଗରୁ ଆମ ଅଞ୍ଚଳରେ ପ୍ରଚୁର ପରିମାଣରେ ଆଳୁ ଚାଷ କରା ଯାଉଥିଲା ହେଲେ କୋଲ୍ଡ ଷ୍ଟୋର ଅଭାବ କାରଣରୁ ଚାଷୀ ଏବେ କୋବି, ବାଇଗଣ ଇତ୍ୟାଦି ଫସଲ ଉପରେ ଧ୍ୟାନ ଦେଉଛନ୍ତି । ଆଳୁ ଅମଳ ବେଳେ ୪ଟଙ୍କା କିଲୋ ହେଉନଥିବା ବେଳେ ଏହାକୁ ଅମଳ କରି ଚାଷୀ କ୍ଷତି ସହ୍ୟ କରନ୍ତି। ଆଗରୁ ଶ୍ୟାମସୁନ୍ଦରପୁର ଠାରେ ଏକ ଘରୋଇ କୋଲ୍ଡ ଷ୍ଟୋର ଥିଲା । ହେଲେ ତାର କ୍ଷତି ହେବାରୁ ତାହା ବନ୍ଦ ହେଇଗଲା । ସେଇଦିନୁ ଆମ ଅଞ୍ଚଳ ଲୋକ ଆଳୁଚାଷ ଛାଡିଦେଲେ। ଆଜି ଷ୍ଟୋର ହେବାରୁ ଆଗକୁ ଆଳୁ ଚାଷ ସମସ୍ତେ ଉତ୍ସାହର ସହ କରିବେ। ଆଳୁ ଏକ ଲାଭଜନକ ଫସଲ । ଏଥିରେ କମ ପରିଶ୍ରମ,ଏହାକୁ ଲଗାଇ ଦେଇ ଦୁଇଥର ହୁଡା ଦେଇ ପାଣି ଦେଇଦେଲେ ଆଳୁ ଫସଲ ହୋଇଯାଏ। ଅନ୍ୟ ଫସଲରେ ଔଷଧ, ସାର ଇତ୍ୟାଦି ଦରକାର ହେଉଥିବା ବେଳେ ଆଳୁ ପାଇଁ ଏତେ କିଛି ଦରକାର ହୁଏନାହିଁ। ଏଠି ଷ୍ଟୋର ହେବା ଦ୍ୱାରା ଆଉ କଲିକତାରୁ ଆଳୁ ଆଉ ଆସିବ କି ନାହିଁ ସନ୍ଦେହ ।"

କିଏ କରିବ କୋଲ୍ଡ ଷ୍ଟୋର ପରିଚାଳନା

ଏହି ନୂତନ କୋଲ୍ଡ ଷ୍ଟୋର ଆଜି ଉଦଘାଟିତ ହୋଇଥିବା ବେଳେ ଏହାର ପରିଚାଳନା ସମ୍ପର୍କରେ ପ୍ରତିକ୍ରିୟା ରଖି କେନ୍ଦ୍ରାପଡା ଜିଲ୍ଳାପାଳ ରଘୁରାମ ଆର ଆୟର୍ କୁହନ୍ତି,"ଆଜି ସାଂସଦ ଉଦଘାଟନ କରିଥିବା ଶୀତଳ ଭଣ୍ଡାର 500 ମେଟ୍ରିକ ଟନ କ୍ଷମତା ବିଶିଷ୍ଟ। 2023ରେ ଏହାର କାମ ଆରମ୍ଭ ହୋଇଥିବା ବେଳେ ଆଜି ଉଦଘାଟିତ ହୋଇଛି । ଏଥିରେ 1 କୋଟି 80 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଯାହା ସମ୍ପୂର୍ଣ୍ଣ 9ଟି ବ୍ଲକର ଚାଷୀଙ୍କ କାମରେ ଆସିବ। ଏହାକୁ ପରିଚାଳନା କରିବା ପାଇଁ ଆମେ ଟେଣ୍ଡର କରିଛୁ, ଏହି ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇ ଯିଏ ଟେଣ୍ଡର ପାଇବ ସେ ହିଁ କୋଲ୍ଡ ଷ୍ଟୋରେଜକୁ ଚାଲୁ କରିବ ।"

ଇଟିଭି ଭାରତ,କେନ୍ଦ୍ରାପଡା

ଏହା ମଧ୍ୟ ପଢନ୍ତୁ ଭୁବନେଶ୍ୱର ହେବ 'ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର', ଆଉ ଦୌଡ଼ିବାକୁ ପଡ଼ିବନି କୋଲକାତା କିମ୍ବା ହାଇଦ୍ରାବାଦ୍

ଏହା ମଧ୍ୟ ପଢନ୍ତୁ ଗ୍ଲୋବାଲ ଏନର୍ଜି ଲିଡର୍ସ ସମ୍ମିଳନୀ, ଓଡ଼ିଶାରେ ହେବ କୋଇଲା ଗ୍ୟାସିଫିକେସନ୍ ପ୍ରୋଜେକ୍ଟ: ମୁଖ୍ୟମନ୍ତ୍ରୀ