ନୂଆବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ନୂଆ ଆଭିମୁଖ୍ୟ; ଶାସନ-ପ୍ରଶାସନକୁ ଅଧିକ ଦକ୍ଷ କରିବା ପାଇଁ ଦେଲେ 15 ନିର୍ଦ୍ଦେଶନାମା
ସମୃଦ୍ଧ ଓଡିଶା ଗଠନ ଏବଂ ଓଡିଶାକୁ ଶ୍ରେଷ୍ଠ ପାଞ୍ଚଟି ବିକଶିତ ରାଜ୍ୟ ମଧ୍ୟରେ ଆଣିବା ପାଇଁ ତଥା ରାଜ୍ୟକୁ ଏକ ‘ମିଶ୍ରିତ ଅର୍ଥନୀତି’ ଆଡକୁ ନେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ।

Published : January 1, 2026 at 1:44 PM IST
ଭୁବନେଶ୍ୱର: ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୂଆ ଆଭିମୁଖ୍ୟ । ଶାସନ-ପ୍ରଶାସନକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଯୋଜନା । ଶାସନ-ପ୍ରଶାସନକୁ ଚଳଚଞ୍ଚଳ ଓ ଲୋକାଭିମୁଖୀ କରିବା ପାଇଁ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ଏକ ପନ୍ଦର ଦଫା ନିର୍ଦ୍ଦେଶାବଳୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ନୂଆ ଦିଶା ନିର୍ଦ୍ଦେଶ ଓଡିଶା ଭିଜନ ଡକ୍ୟୁମେଣ୍ଟରେ ଆସନ୍ତା ଦୁଇବର୍ଷରେ ସରକାର ତାଙ୍କର ରେଖାଙ୍କିତ ଲକ୍ଷ୍ୟକୁ କିପରି ହାସଲ କରିବେ ସେଥିପାଇଁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ୨୦୩୬ ସୁଦ୍ଧା ୫୦୦ ବିଲିଅନ ଆମେରିକୀୟ ଡଲାର ଅର୍ଥନୀତି ଲକ୍ଷ୍ୟ ରଖିଛନ୍ତି ସରକାର । ଏହା ସହିତ ସମୃଦ୍ଧ ଓଡିଶା ଗଠନ ଏବଂ ଓଡିଶାକୁ ଶ୍ରେଷ୍ଠ ପାଞ୍ଚଟି ବିକଶିତ ରାଜ୍ୟ ମଧ୍ୟରେ ଆଣିବାକୁ ରାଜ୍ୟକୁ ଏକ ‘ମିଶ୍ରିତ ଅର୍ଥନୀତି’ ଆଡକୁ ନେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ତେଣୁ, ମୁଖ୍ୟମନ୍ତ୍ରୀ ଭାବେ ଜ୍ଞାନ-ପରିଚାଳିତ ଶିଳ୍ପ(Knowledge-driven) ତଥା ସେବା କ୍ଷେତ୍ର (Services Sector)କୁ ଅଧିକ ଗୁରୁତ୍ଵ ଦେଇ ଏହାର ଦ୍ରୁତ ବିକାଶ ପାଇଁ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଶିଳ୍ପାୟନର ଦ୍ରୁତ ବିକାଶ ପାଇଁ ବିଭିନ୍ନ ପ୍ରକ୍ରିୟାକୁ ଫାଷ୍ଟଟ୍ରାକ କରିବାକୁ ଏହି ନିର୍ଦ୍ଦେଶାବଳୀରେ ଗୁରୁତ୍ଵ ଆରୋପ କରାଯାଇଛି ।
ଦୁଇବର୍ଷ ମଧ୍ୟରେ ଖାଲିଥିବା ସବୁ ସରକାରୀ ପଦବୀ ପୂରଣ ପାଇଁ ନିର୍ଦ୍ଦେଶ
ସେହିପରି ଆସନ୍ତା ଦୁଇବର୍ଷ ମଧ୍ୟରେ ଖାଲିଥିବା ସବୁ ସରକାରୀ ପଦ ପଦବୀକୁ ପୂରଣ କରିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ସରକାର ଦକ୍ଷ ଏବଂ ପ୍ରଶିକ୍ଷିତ ଅଧିକାରୀଙ୍କ ସେବା ଉପରେ ଗୁରୁତ୍ଵ ଆରୋପ କରିଛନ୍ତି । ଏହା ସହ ଦୁର୍ନୀତିଗ୍ରସ୍ତ, ଅପାରଗ ଏବଂ ଦାୟିତ୍ଵହୀନ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବିଧାନର ୩୧୧ ଧାରା ଏବଂ ଓଡିଶା ସର୍ଭିସେସ ରୁଲ ଅନୁଯାୟୀ ଚିହ୍ନଟ କରାଯିବ । ଅପାରଗ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସେମାନଙ୍କୁ ବାଧ୍ୟତାମୂଳକ ସେବା ନିବୃତ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ମୁଖ୍ୟମନ୍ତ୍ରୀଙ୍କ ଶାସନ-ପ୍ରଶାସନକୁ ସ୍ଵଚ୍ଛ, ଦକ୍ଷ ଏବଂ ଚଳଚଞ୍ଚଳ କରିବା ପାଇଁ ଦୃଢ ସଂକଳ୍ପକୁ ସୂଚାଉଛି ।
'ସବୁ ପ୍ରକାର ସରକାରୀ କାର୍ଯ୍ୟ ଓଡିଆରେ କର'
ଏଥି ସହିତ ବିଭିନ୍ନ ପ୍ରକଳ୍ପର ସଫଳ ରୂପାୟନ ପାଇଁ ନିୟମିତ ଭାବେ ସମୀକ୍ଷା ଓ ମୂଲ୍ୟାୟନ କରିବା ପାଇଁ ଗୁରୁତ୍ଵ ଆରୋପ କରାଯାଇଛି । ଗବେଷଣା ଓ ମୂଲ୍ୟାୟନକୁ ଜୋର୍ ଦେବା ପାଇଁ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରକୁ ଏକ ଉତ୍କର୍ଷ କେନ୍ଦ୍ର ଭାବେ ଗଢିତୋଳିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ପ୍ରକାର ସରକାରୀ କାର୍ଯ୍ୟ, ବିଶେଷ ଭାବେ ନୋଟିସ, ବିଜ୍ଞପ୍ତି, ପତ୍ର ବିନିମୟକୁ କେବଳ ଓଡିଆ ଭାଷାରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସଚିବାଳୟ ଠାରୁ ବ୍ଲକ ସ୍ତର ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କୁ ଏହି ନିର୍ଦ୍ଦେଶକୁ କଡାକଡି ଭାବେ ପାଳନ କରିବା ପାଇଁ କୁହାଯାଇଛି । ଏହି ଦିଗରେ ଖିଲାଫକାରୀଙ୍କୁ କୈଫିୟତ ତଲବ କରିବା ପାଇଁ ବି କୁହାଯାଇଛି । ତେଣୁ, ଓଡିଆ ଭାଷାକୁ ସରକାରୀ ଭାଷାରେ ବ୍ୟବହାର କରିବା ପାଇଁ ପ୍ରତିବଦ୍ଧତାର ବାର୍ତ୍ତା ମଧ୍ୟ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣାଣିକୁ ଅତ୍ୟନ୍ତ ଗୁରୁତର ସହିତ ବିଚାରକୁ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସଚିବାଳୟ ଠାରୁ ଆରମ୍ଭ କରି ବ୍ଲକ ଓ ତହସିଲ ସ୍ତର ପର୍ଯ୍ୟନ୍ତ ସବୁ ଅଧିକାରୀଙ୍କୁ ଲୋକଙ୍କ ଅଭିଯୋଗ ଶୁଣି ତାକୁ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୋଗ ଶୁଣାଣି ପାଇଁ ସୋସିଆଲ ମିଡିଆକୁ ବହୁଳ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି । ଲୋକଙ୍କ ସମସ୍ୟାକୁ ନିଜ ଆଖିରେ ଦେଖି ତାହାର ସମାଧାନ କରିବା ପାଇଁ ସବୁ ସ୍ତରର ଅଧିକାରୀଙ୍କୁ କ୍ଷେତ୍ର ପରିଦର୍ଶନ ପାଇଁ ପରାମର୍ଶ ଦେଇଛନ୍ତି । କ୍ଷେତ୍ର ପରିଦର୍ଶନ ସହିତ ସବୁ ଅଧିକାରୀଙ୍କୁ ପରିଦର୍ଶନର ଫଳାଫଳ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯାହା ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନରେ ବିବେଚିତ ହେବ ।
ଇଟିଭି ଭାରତ, ଭୁବନେଶ୍ୱର
ଏହା ମଧ୍ୟ ପଢନ୍ତୁ ସମୃଦ୍ଧ ଓଡିଶାର ଏକ ନମ୍ବର ଜିଲ୍ଲା ସହ ଅର୍ଥନୈତିକ ଆକ୍ଟିଭିଟିର ପ୍ରାଣକେନ୍ଦ୍ର ହେବ ଖୋର୍ଦ୍ଧା: ମୁଖ୍ୟମନ୍ତ୍ରୀ
ଏହା ମଧ୍ୟ ପଢନ୍ତୁ ଧନୁଯାତ୍ରା ଦେଖି ବରଗଡ଼କୁ ବଡ଼ ଭେଟି ଦେଲେ ମୁଖ୍ୟମନ୍ତ୍ରୀ; ୧୩୬୨ କୋଟିର ୧୨୩ଟି ପ୍ରକଳ୍ପ ଶୁଭାରମ୍ଭ, 'ୟୁନେସ୍କୋ ମାନ୍ୟତା ଆମ ଲକ୍ଷ୍ୟ'

