ଭିଜିଲାନ୍ସକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ; ଓଡ଼ିଶାକୁ ସମ୍ପୂର୍ଣ୍ଣ ଦୁର୍ନୀତି ମୁକ୍ତ କରିବା ପାଇଁ ଜାରି ରହୁ ଅଭିଯାନ
ସରକାରଙ୍କ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଯୋଗୁଁ ରାଜ୍ୟରେ ଭିଜିଲାନ୍ସ ବିଭାଗ ସକ୍ରିୟ ଭାବେ କାର୍ଯ୍ୟକରି ଦୁର୍ନୀତିଖୋରଙ୍କୁ ଧରିବାରେ ସଫଳ ହୋଇଛି ।


Published : January 2, 2026 at 10:52 PM IST
ଭୁବନେଶ୍ବର: ଗତ ୨୦ ବର୍ଷର ଇତିହାସକୁ ପଛରେ ପକାଇ ଓଡ଼ିଶା ଭିଜିଲାନ୍ସ ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛି । ସରକାରଙ୍କ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଯୋଗୁଁ ରାଜ୍ୟରେ ଭିଜିଲାନ୍ସ ବିଭାଗ ସକ୍ରିୟ ଭାବେ କାର୍ଯ୍ୟକରି ଦୁର୍ନୀତିଖୋରଙ୍କୁ ଧରିବାରେ ସଫଳ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଭିଜିଲାନ୍ସ ବିଭାଗର ଏକ ସମୀକ୍ଷା ବୈଠକରୁ ଏହା ସ୍ପଷ୍ଟ ହୋଇଛି ।
୨୦୨୫ ଏପ୍ରିଲ ପହିଲାରୁ ଡିସେମ୍ୱର ୩୧ ମଧ୍ୟରେ ରାଜ୍ୟ ସରକାର ଭିଜିଲାନ୍ସକୁ ୧୨୫ଟି କେସ୍ ର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକି ଏକ ରେକର୍ଡ । ପୂର୍ବରୁ ଏହି ୯ ମାସର ସମୟ ଅବଧି ମଧ୍ୟରେ ରାଜ୍ୟ ସରକାର କେବେ ବି ଏତେ ସଂଖ୍ୟକ କେସ୍ ତଦନ୍ତ କରିବା ପାଇଁ ଦେଇନାହାନ୍ତି । ଏଥିସହିତ ୨୦୨୫ ମସିହାରେ ସମୁଦାୟ ୪୮୮ଟି କେସ୍ ର ଫୈସଲା ହୋଇଛି । ସର୍ବାଧିକ ୧୭୩ଟି ଆୟବହିର୍ଭୁତ ସମ୍ପତ୍ତି ଜନିତ କେସ୍ ର ଫୈସଲା ହୋଇଛି । ଏହା ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ସର୍ବକାଳୀନ ରେକର୍ଡ ।

ଦୁର୍ନୀତି ବିରୋଧରେ ଆକ୍ସନ ମୋଡରେ ସରକାର କାର୍ଯ୍ୟ କରୁଥିବାରୁ ଓଡ଼ିଶା ପ୍ରଶଂସିତ ହେଉଛି । ମୁଖ୍ୟମନ୍ତ୍ରୀଙ୍କର ଶୂନ୍ୟ ସହନଶୀଳତା ନୀତିକୁ ପାଥେୟ କରି ରାଜ୍ୟ ଭିଜିଲାନ୍ସ ଏକାଡେମୀ ଏହାର ପ୍ରଶିକ୍ଷଣ ପ୍ରକ୍ରିୟାରେ ବ୍ୟାପକ ଉନ୍ନତି ଆଣିଛି । ଭିତ୍ତିଭୂମିର ଉନ୍ନତି ଓ ଗୁଣାତ୍ମକ ପ୍ରଶିକ୍ଷଣ ପାଇଁ ରାଜ୍ୟ ଭିଜିଲାନ୍ସ ଏକାଡେମୀକୁ ISO 9001:2015 ସାର୍ଟିଫିକେଟ୍ ମିଳିଛି । ଏହି ସାର୍ଟିଫିକେଟ ଏକାଡେମୀକୁ ଆସନ୍ତା ତିନି ବର୍ଷ ପାଇଁ ମିଳିଛି । ଏହି ସାର୍ଟିଫିକେଟ ପାଇଁ ମୁଖ୍ୟମନ୍ତ୍ରୀ ଭିଜିଲାନ୍ସ ଏକାଡେମୀ ଓ ରାଜ୍ୟ ଭିଜିଲାନ୍ସ ବିଭାଗର ଉଚ୍ଚ ପ୍ରଶଂସା କରିଛନ୍ତି ।

୨୦୨୫ ବର୍ଷରେ ସମୁଦାୟ ୪୮୭ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରି ଆୟ ବହିର୍ଭୁତ ସମ୍ପତ୍ତି, ଲାଞ୍ଚ କାରବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସରକାରୀ କର୍ମଚାରୀଙ୍କର ୧୧୯୯ଟି ଦୁର୍ନୀତିଗ୍ରସ୍ତ ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରାଯାଇଛି । ୧୫୩ଟି ବିଲଡିଂ, ୧୮.୩ କିଲୋଗ୍ରାମର ସୁନା, ୪୧୭ଟି ପ୍ଲଟ, ୧୨ଟି ଫାର୍ମ ହାଉସ ଜବତ କରାଯାଇଛି। ଏଥିସହିତ ୩୬.୬୯ କୋଟି ଟଙ୍କା ଜମାରାଶି ଏବଂ ୮.୮ କୋଟି ଗଚ୍ଛିତ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି ।
ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ବର୍ତ୍ତମାନ ଓଡ଼ିଶାକୁ ସମ୍ପୂର୍ଣ୍ଣ ଦୁର୍ନୀତି ମୁକ୍ତ କରିବା ପାଇଁ ସମୟ ଆସିଯାଇଛି । ଏପରି ଏକ ଉଦାହରଣ ସୃଷ୍ଟି କରିବା, ଯାହା ଫଳରେ ସରକାରୀ କର୍ମଚାରୀମାନେ ଦୁର୍ନୀତିର ରାସ୍ତାରୁ ନିବୃତ୍ତ ରହିବେ । ଭିଜିଲାନ୍ସ ତାର ଅଭିଯାନ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବୈଠକରେ ଭିଜିଲାନ୍ସର ଦକ୍ଷତା ବୃଦ୍ଧି, ନିଯୁକ୍ତି ଏବଂ ପଦବୀ ପୂରଣ ସମ୍ପର୍କରେ ଆଲୋଚନା ହୋଇଛି । ଏ ବିଷୟରେ ତର୍ଜମା କରାଯାଇ ଖୁବ୍ ଶୀଘ୍ର ଉପଯୁକ୍ତ ନିଷ୍ପତ୍ତି ନିଆଯିବ ।

ଆଜିର ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଭିଜିଲାନ୍ସ ନିର୍ଦ୍ଦେଶକ ଯଶୱନ୍ତ କୁମାର ଜେଠୱା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ଭିଜିଲାନ୍ସ ଅସୀତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏହା ମଧ୍ୟ ପଢ଼ନ୍ତୁ- ଅଙ୍ଗନବାଡ଼ି କେନ୍ଦ୍ର ହେବ ଖୁସି କେନ୍ଦ୍ର, ମାର୍ଚ୍ଚ ୮ ସୁଦ୍ଧା ଶୌଚାଳୟ: ଅନୁ ଗର୍ଗ
ଏହା ମଧ୍ୟ ପଢ଼ନ୍ତୁ- ମାଲକାନଗିରି ପାଇଁ ମାଷ୍ଟର ପ୍ଲାନ; ଘୋଷଣା ହେଲା ଆର୍ଥିକ ସହାୟତା ଓ ଅନ୍ୟାନ୍ୟ ପଦକ୍ଷେପ
ଇଟିଭି ଭାରତ, ଭୁବନେଶ୍ବର

