ETV Bharat / state

ଗ୍ରୀଷ୍ମପ୍ରବାହ ସତର୍କତା ଜାରି କଲେ ମୁଖ୍ୟମନ୍ତ୍ରୀ, ଶିଶୁ, ଗର୍ଭବତୀ ଓ ବୟସ୍କଙ୍କୁ କଲେ ସଚେତନ

କୋମଳମତି ଶିଶୁ, ଗର୍ଭବତୀ ମହିଳା ଏବଂ ବୃଦ୍ଧବୃଦ୍ଧାଙ୍କୁ ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ପାଇଁ ସଚେତନ କଲେ ମୁଖ୍ୟମନ୍ତ୍ରୀ । ରିପୋର୍ଟ ଭବାନୀ ଶଙ୍କର ଦାସ

CM Mohan Majhi
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ (ETV Bharat Odisha)
author img

By ETV Bharat Odisha Team

Published : June 2, 2026 at 8:48 AM IST

1 Min Read
Choose ETV Bharat

ଭୁବନେଶ୍ବର: ରାଜ୍ୟରେ ବଢ଼ି ଚାଲିଛି ଗ୍ରୀଷ୍ମପ୍ରବାହ । ତୀବ୍ର ହେବାରେ ଲାଗିଛି ରୌଦ୍ରତାପ ଓ ଗୁଳୁଗୁଳି । ବଢୁଥିବା ତାତିକୁ ନେଇ ସତର୍କ ଓ ସଚେତନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୁରକ୍ଷିତ ରହିବା ସହ ଶିଶୁ, ଗର୍ଭବତୀ ଓ ବୟସ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ତାତିରୁ ବର୍ତ୍ତିବା ପାଇଁ ସଚେତନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ପ୍ରଖର ରୌଦ୍ରତାପ ଓ ଗୁଳୁଗୁଳି ବଢ଼ିଛି । ଏହି ସମୟରେ ସାମାନ୍ୟ ଅସାବଧାନତା ବଡ଼ ବିପଦର କାରଣ ମଧ୍ୟ ହୋଇପାରେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ସତର୍କ ସହ ସଚେତନ କରିଛନ୍ତି । ତେଣୁ ସଚେତନ ରହିବା ଏବଂ ପରିସ୍ଥିତିର ମୁକାବିଲା କରିବା ସମସ୍ତଙ୍କର ଦାୟିତ୍ୱ । ଶୋଷ ନ ଲାଗିଲେ ମଧ୍ୟ ପ୍ରତି ଅଧଘଣ୍ଟାରେ ପାଣି ପିଇବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଶରୀରକୁ ସୁସ୍ଥ ରଖିବା ପାଇଁ ଘର ତିଆରି ତୋରାଣି, ବେଲ ପଣା, ମାଣ୍ଡିଆ ପେଜ, ପଇଡ଼ ପାଣି କିମ୍ବା ଲେମ୍ବୁ ସରବତ ବ୍ୟବହାର କରନ୍ତୁ ’’।

CM Mohan Majhi
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ (ETV Bharat Odisha)

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ପରାମର୍ଶ ଦେଇଛନ୍ତି ଅତି ଜରୁରୀ କାର୍ଯ୍ୟ ନଥିଲେ ଅଧିକ ଖରା ସମୟରେ ବାହାରକୁ ଯାଆନ୍ତୁ ନାହିଁ । ଯଦି ଯିବାକୁ ପଡ଼ୁଛି, ତେବେ ସାଙ୍ଗରେ ପାଣି ବୋତଲ, ଓଦା ଗାମୁଛା, ଟୋପି କିମ୍ବା ଛତା ନିଶ୍ଚୟ ନେଇ ଯାଆନ୍ତୁ । କୋମଳମତି ଶିଶୁ, ଗର୍ଭବତୀ ମହିଳା ଏବଂ ବୃଦ୍ଧବୃଦ୍ଧା ଏହି ସମୟରେ ସୁରକ୍ଷିତ ଭାବେ ଘର ଭିତରେ ରୁହନ୍ତୁ । ଏହା ସହ ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଅତ୍ୟଧିକ ଦେହ ଦରଜ ହେବା, ଚମଡ଼ା ଶୁଖିଯିବା, ପରିସ୍ରା କମ ହେବା କିମ୍ବା ମୁଣ୍ଡ ଝିମଝିମ ହେବା ଭଳି ଲକ୍ଷଣକୁ ଉପେକ୍ଷା ନକରି ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଆମ୍ବୁଲାନ୍ସର ସହାୟତା ଲୋଡ଼ନ୍ତୁ ।

ପଶୁପକ୍ଷୀଙ୍କ ପାଇଁ ପାଣି ବ୍ୟବସ୍ଥା କରିବାକୁ ଅନୁରୋଧ


ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ପ୍ରଚଣ୍ଡ ରୌଦ୍ରତାପରେ କାର୍ଯ୍ୟ କରୁଥିବା ଆମ ଶ୍ରମିକ ଭାଇଭଉଣୀଙ୍କ ପ୍ରତି ସହାନୁଭୂତିପୂର୍ଣ୍ଣ ଆଭିମୁଖ୍ୟ ରଖନ୍ତୁ । ମାନବିକତା ଓ ଜୀବେଦୟା ହିଁ ଆମ ଓଡ଼ିଆ ସଂସ୍କୃତିର ଶ୍ରେଷ୍ଠ ପରିଚୟ । ବାଟୋଇମାନଙ୍କ ପାଇଁ ନିଜ ସାଧ୍ୟମତେ ଜଳ ସେବା ଯୋଗାଇବା ସହ ନିଜ ଘର ବାହାରେ କିମ୍ବା ଗଛ ଛାଇରେ ମାଟି ପାତ୍ରରେ ପାଣି ରଖି ନିରୀହ ପଶୁପକ୍ଷୀଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୁଅନ୍ତୁ । ‘‘ମୋର ଦୃଢ଼ ବିଶ୍ୱାସ, ଆମର ସାମୂହିକ ପ୍ରୟାସ ଓ ସଚେତନତା ହିଁ ଏହି କଠିନ ସମୟରେ ସମସ୍ତଙ୍କୁ ସୁରକ୍ଷିତ ରଖିବ ’’।

ଏହା ମଧ୍ୟ ପଢନ୍ତୁ କେନ୍ଦ୍ରମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା; ଖଣି ଅଞ୍ଚଳରେ ସାଚୁରେସନ ମୋଡରେ ଯୋଜନା କାର୍ଯ୍ୟକାରି ଉପରେ ଗୁରୁତ୍ୱ

ଏହା ମଧ୍ୟ ପଢନ୍ତୁ କେତେ କାମ କରିଛନ୍ତି ମନ୍ତ୍ରୀ ? ଜୁନ ୨ରୁ ରିପୋର୍ଟ କାର୍ଡ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଇଟିଭି ଭାରତ, ଭୁବନେଶ୍ବର