ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; କହିଲେ, ଆରମ୍ଭ ହେବ ପ୍ରାଥମିକ ଶିକ୍ଷାର ଗରିମାମୟ ଅଧ୍ୟାୟ
ବାଣପୁରରେ ରାଜ୍ୟସ୍ତରୀୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ୩୦ଟି ଜିଲ୍ଲାପାଇଁ ୧୧୮ଟି ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।


Published : January 7, 2026 at 8:06 PM IST
ଭୁବନେଶ୍ୱର: ୨୦୩୬ ସୁଦ୍ଧା ଓଡିଶା ହେବ ସମୃଦ୍ଧ ଓଡିଶା । ଏହି ପରିକଳ୍ପନାରେ ଆଜି ଶୁଭାରମ୍ଭ ହୋଇଛି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା । ରାଜ୍ୟର ସମୃଦ୍ଧିରେ ଏହି ଯୋଜନା ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିବ । କାରଣ ଆଜିର ବିଦ୍ୟାର୍ଥୀ ଆସନ୍ତାକାଲିର ନାଗରିକ ଓ ରାଷ୍ଟ୍ର ନିର୍ମାତା । ବିଦ୍ୟାର୍ଥୀଙ୍କ ପାଠପଢ଼ାର ମୂଳଦୁଆକୁ ସଶକ୍ତ କରିବା ପାଇଁ ଏହି ଯୋଜନା ଉଦ୍ଦିଷ୍ଟ । ବିକଶିତ ଓଡ଼ିଶା ଓ ବିକଶିତ ଭାରତ ପାଇଁ ଏହା ଏକ ମାଇଲଖୁଣ୍ଟ । ବାଣପୁରରେ ରାଜ୍ୟସ୍ତରୀୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ୩୦ଟି ଜିଲ୍ଲାପାଇଁ ୧୧୮ଟି ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।
ବୁଧବାର ବାଣପୁର ମାଟିରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ତାପନ କରି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମ ପର୍ଯ୍ୟାୟରେ ୨୨୦୦ ଆଦର୍ଶ ବିଦ୍ୟାଳୟ ପାଇଁ ୧୨ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଓଡିଶାରେ ପ୍ରାଥମିକ ଶିକ୍ଷାର ଗରିମାମୟ ଅଧ୍ୟାୟ ଆରମ୍ଭ ହୋଇଥିବା ବେଳେ ବିକଶିତ ଓଡିଶା, ବିକଶିତ ଭାରତ ପାଇଁ ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ସୁଦୃଢ ହେବ
ମୁଖ୍ୟମନ୍ତ୍ରୀ କହିଛନ୍ତି, "ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଆସନ୍ତା ୪ ବର୍ଷରେ ରାଜ୍ୟର ପଞ୍ଚାୟତ ଗୁଡିକରେ ୨୨ ଶହ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ବାଣପୁର ମାଟିର ସୁଯୋଗ୍ୟ ସନ୍ତାନ ପଣ୍ଡିତ ଗୋଦାବରୀଶ ମିଶ୍ର ଏକାଧାରରେ ଥିଲେ ଜଣେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ଲେଖକ ଓ ଶିକ୍ଷାବିତ । ତାଙ୍କ ନାଁ'ରେ ନାମିତ ଏହି ଆଦର୍ଶ ବିଦ୍ୟାଳୟ ଯୋଜନା ଓଡ଼ିଶାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର କାୟାକଳ୍ପ କରିବାରେ ସଫଳ ହେବ । ଏହି ଯୋଜନାରେ ପିଲାମାନଙ୍କୁ ଗୁଣାତ୍ମକ ମାନର ଶିକ୍ଷା ମିଳିବା ସହିତ ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ସୁଦୃଢ ହେବ ।

ପଞ୍ଚାୟତର ଗୋଟିଏ ପ୍ରାଥମିକ ବିଦ୍ୟାଳୟ ହେବ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ
ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "ଏଭଳି ଏକ ମହତ୍ତ୍ୱକାଂକ୍ଷୀ ଯୋଜନା ଆରମ୍ଭ କରିବା ପାଇଁ ମୁଁ ବହୁ ବର୍ଷ ଆଗରୁ ଉଦ୍ୟମ ଆରମ୍ଭ କରିଥିଲି । ଆମ ସରକାର ଆସିବା ପରେ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଏହି ଯୋଜନାକୁ ପ୍ରାଥମିକତା ଦିଆଯାଇଛି । ଚଳିତ ବର୍ଷ ବଜେଟରେ ଏହାର କାର୍ଯ୍ୟକାରିତା ପାଇଁ ୩ ହଜାର କୋଟି ଟଙ୍କାର ପ୍ରାବଧାନ କରାଯାଇଛି । ଏହି ଯୋଜନା ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟକୁ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭାବେ ବିକଶିତ କରାଯିବ । ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଶିକ୍ଷା ଦିଆଯିବ । ଏହା ଦ୍ବାରା ଶିକ୍ଷାର ବାତାବରଣ ସୁଦୃଢ ହେବା ସହିତ ପିଲାମାନେ ସର୍ବୋତ୍ତମ ଏବଂ ଗୁଣାତ୍ମକ ମାନର ଶିକ୍ଷା ପାଇପାରିବେ ।

ପ୍ରତି ପଞ୍ଚାୟତରେ ହେବ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ
ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "ରାଜ୍ୟର ୩୦ ଜିଲ୍ଲା ପାଇଁ ୧୧୮ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା । ଏଗୁଡିକ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ । ଆଗକୁ ମଧ୍ୟ ଏହି ପ୍ରୟାସ ଜାରି ରହିବ । ରାଜ୍ୟର ପ୍ରତି ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେବ । ଏହି ଯୋଜନାରେ ଶିକ୍ଷକ ଶିକ୍ଷୟତ୍ରୀଙ୍କର ଦକ୍ଷତା ଏବଂ ଅଭିଜ୍ଞତା କିପରି ବୃଦ୍ଧି ପାଇବ, ଏଥିପାଇଁ ଆମ ସରକାର ପ୍ରଶିକ୍ଷଣ ଏବଂ ବୃତ୍ତିଗତ ବିକାଶ, ମେଣ୍ଟରସିପ, କ୍ୟାରିଅର ପରାମର୍ଶ ଆଦି କାର୍ଯକ୍ରମ ଆରମ୍ଭ କରିଛନ୍ତି । ଏହି ଯୋଜନାର ଆଭିମୁଖ୍ୟ ଦେଖି ଅନେକ ରାଜ୍ୟ ମଧ୍ୟ ଏହାକୁ ମଡେଲ ଭାବେ ଗ୍ରହଣ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।

ଶିକ୍ଷା ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ଆଣିବ-ଗଣଶିକ୍ଷା ମନ୍ତ୍ରୀ
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, "ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ରାଜ୍ୟରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ଆଣିବ । ଏହି ଯୋଜନା ମୁଖ୍ୟମନ୍ତ୍ରୀଙ୍କର ମାନସ ପ୍ରସ୍ତୁତ ଯୋଜନା । ରାଜ୍ୟରେ ଗ୍ରାମାଞ୍ଚଳରେ ଶିକ୍ଷା ବ୍ୟବସ୍ଥାରେ ଯେଉଁ ଗ୍ୟାପ ପରିଲକ୍ଷିତ ହେଉଛି ଏହି ଯୋଜନା ତାକୁ ଦୂର କରିବ । ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଜାତୀୟ ଶିକ୍ଷାନୀତି ୨୦୨୦ ଲାଗୁ କରିଛନ୍ତି । ଘରକୁ ଘର ଯାଇ ଚାଇଲ୍ଡ ଟ୍ରାକିଂ ସର୍ଭେ କରାଯାଉଛି । ଯେପରି ଜଣେ ବି କେହି ପାଠ ପଢ଼ାରୁ ବଞ୍ଚିତ ନହେବେ, ତାକୁ ଦୃଷ୍ଟିରେ ରଖି ଆମ ସରକାର ସବୁ ପଦକ୍ଷେପ ନେଉଛନ୍ତି ।

ଶିକ୍ଷା ବ୍ୟବସ୍ଥାର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ-ଆଇନ ମନ୍ତ୍ରୀ
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, "ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାର ବିକାଶ ପାଇଁ ଏହା ଏକ ବଡ଼ ପଦକ୍ଷେପ । ପ୍ରାଥମିକ ଶିକ୍ଷାକୁ ଗୁରୁତ୍ଵ ନଦେଲେ ପରବର୍ତ୍ତୀ ଶିକ୍ଷା ଦୁର୍ବଳ ହେବ । ଏହାକୁ ଚିନ୍ତା କରି ମୁଖ୍ୟମନ୍ତ୍ରୀ ଏହି ଯୋଜନା ପରିକଳ୍ପନା କରିଛନ୍ତି । ଜଣେ ଶିକ୍ଷକ ମନରେ ସ୍ବପ୍ନ ଥାଏ ଛାତ୍ରର ଉତ୍ତମ ଭବିଷ୍ୟତ । ବୋଧହୁଏ ପୂର୍ବରୁ ଶିକ୍ଷକ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ମନ ଭିତରେ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କ ସୁଦୃଢ ଭବିଷ୍ୟତ ନିର୍ମାଣ ପାଇଁ ଏହି ଭାବନା ଆସିଛି । ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର କହିଛନ୍ତି, "ଆଗାମୀ ଦିନରେ ପ୍ରଧାନମନ୍ତ୍ରୀଙ୍କ ପିଏମ ଶ୍ରୀ ଯୋଜନା ଏବଂ ମୁଖ୍ୟମନ୍ତ୍ରୀଙ୍କ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବ ।

ଶିକ୍ଷା ସମାଜରେ ପରିବର୍ତ୍ତନ ଆଣିପାରିବ-ଅନୁ ଗର୍ଗ

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, "ଶିକ୍ଷା ହିଁ ସମାଜରେ ପରିବର୍ତ୍ତନ ଆଣିପାରିବ । ପଣ୍ତିତ ଗୋଦାବରୀଶଙ୍କର ଏହି ମହତ ଭାବନାକୁ ଦୃଷ୍ଟିରେ ରଖି ଏହି ଯୋଜନା ପ୍ରସ୍ତୁତ କରାଯାଇଛି । କାର୍ଯ୍ୟକ୍ରମରେ ବଲାଙ୍ଗୀର, କେନ୍ଦୁଝର, ନବରଙ୍ଗପୁର ଏବଂ ପୁରୀ ଜିଲ୍ଲାରୁ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ମୁଖ୍ୟମନ୍ତ୍ରୀଙ୍କର ଏହି ମହତ୍ତ୍ୱକାଂକ୍ଷୀ ଯୋଜନା ପାଇଁ ଭିସି ଜରିଆରେ ଧନ୍ୟବାଦ ଓ କୃତଜ୍ଞତା ପ୍ରକାଶ କରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ଏନ ଥିରୁମାଲା ନାୟକ ଧନ୍ୟବାଦ ଅର୍ପଣ କରିଛନ୍ତି । କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଜଟଣୀ ବିଧାୟକ ବିଭୂତି ବଳବନ୍ତରାୟ, ବେଗୁନିଆ ବିଧାୟକ ପ୍ରଦୀପ ସାହୁ, ଏକାମ୍ର ଭୁବନେଶ୍ବର ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ, ଜିଲ୍ଲାପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂ ଓ ଓସେପାର ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ରୁତୁରାଜ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ୱର
ଏହା ମଧ୍ୟ ପଢନ୍ତୁ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭; ୪ଟି ମାନଦଣ୍ଡ ଉପରେ କାର୍ଯ୍ୟ କରିବ ଉଚ୍ଚ ଶିକ୍ଷା ବିଭାଗ
ଏହା ମଧ୍ୟ ପଢନ୍ତୁ ବିଧାନସଭାରେ ସ୍କୁଲ ଡ୍ରପ ଆଉଟ୍ ପ୍ରସଙ୍ଗରେ ବିରୋଧୀଙ୍କ ପ୍ରଶ୍ନ, ଜବାବ ଦେଲେ ମନ୍ତ୍ରୀ

