ETV Bharat / state

ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ଗୁଣର ବିକାଶ ଜରୁରୀ, ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ବ ଦିଏ ଶିଶୁମନ୍ଦିର: ମୁଖ୍ୟମନ୍ତ୍ରୀ

ବଣିଆପାଟ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବରେ ଯୋଗଦେଇ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ବ ଦିଏ ଶିଶୁମନ୍ଦିର କହିଲେ ମୁଖ୍ୟମନ୍ତ୍ରୀ । ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସିରିଗିଡାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ।

cm visits irigida
ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ଗୁଣର ବିକାଶ ଜରୁରୀ (ETV Bharat Odisha)
author img

By ETV Bharat Odisha Team

Published : December 28, 2025 at 11:25 PM IST

4 Min Read
Choose ETV Bharat

କେନ୍ଦୁଝର: ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ମୂଳଭିତ୍ତି ରୂପରେ ଗ୍ରହଣ କରି ଶିକ୍ଷାଦାନ କରିଥାଏ ସରସ୍ବତୀ ଶିଶୁ ମନ୍ଦିର । ଉତ୍ତମ ଶିକ୍ଷା ପରିବେଶ ଓ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନକୁ ଶିଶୁ ମନ୍ଦିର ଶିକ୍ଷା ପ୍ରଣାଳୀ ସବୁଠୁ ଅଧିକ ଗୁରୁତ୍ବ ଦେଇଥାଏ ବୋଲି କେନ୍ଦୁଝରରେ ବଣିଆପାଟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଏପଟେ ତେଲକୋଇ ବ୍ଲକର ସିରିଗିଡ଼ାଠାରେ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଧ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମାଝୀ ମତବ୍ୟକ୍ତ କରିଛନ୍ତି ।



ବଣିଆପାଟ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବରେ ଯୋଗଦେବ ଅବସରରେ ମୁଖ୍ୟମନ୍ତ୍ରୀ ମାଝୀ କହିଥିଲେ, "ସମଗ୍ର ଓଡ଼ିଶାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିପାରିଛି । ସେହି ପରିବର୍ତ୍ତନ ଧାରାକୁ ଅବ୍ୟାହତ ରଖିବା ଦିଗରେ ଏହି ଶିକ୍ଷାନୁଷ୍ଠାନର ଭୂମିକା କୌଣସି ମାତ୍ରାରେ କମ୍ ନୁହେଁ। ଯେତେବେଳେ ଦୂରଦୂରାନ୍ତ ଅଞ୍ଚଳରେ ସରକାରୀ ସ୍କୁଲ ନଥିଲା, ସେତେବେଳେ ଏହି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ହିଁ ଓଡିଶାର ପିଲାଙ୍କ ଭିତରେ ଶିକ୍ଷାର ଆଲୋକ ବିକିରଣ କରି ଚାଲିଥିଲା । ଆଜି ଯଦି ଆମେ ଶିକ୍ଷାର ମାନ ଉପରେ ତର୍ଜମା କରିବା, ତେବେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷାର ମାନ ଅତ୍ୟନ୍ତ ଉଚ୍ଚକୋଟୀର । ଏହି ସ୍କୁଲର ପିଲାମାନେ ବୋର୍ଡ ପରୀକ୍ଷାରେ ବହୁତ୍ ଭଲ ରେଜଲ୍ଟ କରନ୍ତି । ସରସ୍ଵତୀ ବିଦ୍ୟାଳୟ ସମୂହ କେବଳ ପ୍ରତିଭା ସମ୍ପନ୍ନ ବିଦ୍ୟାର୍ଥୀ ବନେଇ ନ ଥାଏ, ଏହା ବିଦ୍ୟାର୍ଥୀଙ୍କୁ ଭାରତୀୟ ସଂସ୍କୃତି, ପରମ୍ପରା ବିଷୟରେ ଶିକ୍ଷାଦାନ କରିବା ସହିତ ଉତ୍ତମ ମଣିଷ ଗଠନ କରିବାରେ ଏକ ମହତ୍ତ୍ଵ ଭୂମିକା ଗ୍ରହଣ କରିଥାଏ । ସରସ୍ବତୀ ଶିଶୁ ମନ୍ଦିର କେବଳ ଏକ ବିଦ୍ୟାଳୟ ନୁହେଁ ଏହା ମଣିଷ ତିଆରି କାରଖାନା ।"

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦିଗ୍‍ଦର୍ଶନରେ ଆମ ସରକାର ରାଜ୍ୟରେ ନୂତନ ଶିକ୍ଷାନୀତି-୨୦୨୦ କୁ ଲାଗୁ କରିଛନ୍ତି । ଏହି ନୂତନ ଶିକ୍ଷାନୀତି ଫଳରେ ବିଦ୍ୟାର୍ଥୀଙ୍କ ସାମଗ୍ରିକ ବିକାଶ ହେବା ସହ ସେମାନେ ଜୀବନରେ ଉତ୍ତମ ମଣିଷ ହେବେ । ଏଥି ସହିତ ଜାତୀୟ ପାଠ୍ୟକ୍ରମ ଢାଞ୍ଚା ଆଧାରରେ ଆମେ "ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା" ଆରମ୍ଭ କରୁଛୁ । ଏହାଦ୍ୱାରା ଶିକ୍ଷାର୍ଥୀମାନେ ଅଧିକ ସୃଜନଶୀଳ ଏବଂ ସ୍ୱାବଲମ୍ବୀ ହେବେ । ଆସନ୍ତା ଶିକ୍ଷାବର୍ଷରୁ ଦଶମ ଶ୍ରେଣୀ ପର‌୍ୟ୍ୟନ୍ତ ସବୁ ପିଲାଙ୍କୁ ସରକାରଙ୍କ ତରଫରୁ ନିଃଶୁଳ୍କ ପୁସ୍ତକ ପ୍ରଦାନ କରାଯିବ । ପାଠ୍ୟ ପୁସ୍ତକରେ ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଏନସିଇଆରଟି ଢ଼ାଞ୍ଚାରେ ଏସ୍‌ସିଇଆରଟି କୁ ବିକାଶ କରାଯିବ ଏବଂ ଉଚ୍ଚମାନର କୋର୍ସ ମେଟେରିଆଲ ବିଶେଷଜ୍ଞଙ୍କ ଦ୍ଵାରା ପ୍ରସ୍ତୁତ କରିବା ପାଇଁ ସରକାର ସ୍ଥିର କରିଛନ୍ତି । ଆମ ସରକାର ଆସିବା ପରଠାରୁ ଓଡିଆ ଭାଷା ଓ ସାହିତ୍ୟର ବ୍ୟବହାର, ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ଵ ଦେଇଛନ୍ତି । ଓଡିଆ ଭାଷା ପରି ଆଦିବାସୀ ପିଲାଙ୍କୁ ନିଜ ଭାଷାରେ ଶିକ୍ଷା ପ୍ରଦାନ କରାଯିବା ଆବଶ୍ୟକ । ସରକାର ଏହି ଦିଗରେ ସାନ୍ତାଳି ଭାଷାରେ ଶିକ୍ଷାଦାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।ସେ ଆହୁରି କହିଥିଲେଯେ, ମୋବାଇଲ ଇଣ୍ଟରନେଟ ସୂଚନା ଏବଂ ଶିକ୍ଷା ପାଇଁ ଏକ ଅମୋଘ ଅସ୍ତ୍ର, ଏହା ସୂଚନାର ସୁନାଖଣି କହିଲେ ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ, ଏହାର ଅନ୍ୟ ଏକ ଦିଗ ବି ଅଛି ଯାହାର ଲାଭ ପରିବର୍ତ୍ତେ କ୍ଷତି ଅଧିକ । ତେଣୁ, ଇଣ୍ଟରନେଟ ଏବଂ ସୋସିଆଲ ମିଡିଆକୁ ଦାୟିତ୍ୱପୂର୍ଣ୍ଣ ଭାବେ ବ୍ୟବହାର କରିବା ଉଚିତ । ଯେତିକି ସମୟ କମ୍ପ୍ୟୁଟର ବା ମୋବାଇଲ ବ୍ୟବହାର କରୁଛ, ସେଥିରେ ବିଭିନ୍ନ ଆପ୍ଲିକେସନ ଓ ଅନ୍ୟାନ୍ୟ ସ୍କିଲ ମଧ୍ୟ ଜାଣିବା ଉଚିତ୍। କାରଣ ସ୍କିଲ ହିଁ ଆମକୁ ଜୀବନରେ ସାହାଯ୍ୟ କରିବ। ଆଜିକାଲି ଡିଜିଟାଲ ମାଧ୍ୟମରେ ସବୁ ଜିନିଷ ହେଉଛି। ଡିଜିଟାଲ ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ଆଧାର କରେକ୍ସନ କରିବା, ବିଭିନ୍ନ ସରକାରୀ ଯୋଜନାର ସୁବିଧା ନେବା ପାଇଁ ରେଜିଷ୍ଟ୍ରେସନ କରିବା, ଅନ୍‌ଲାଇନ୍ ଜରିଆରେ ବିଭିନ୍ନ ପରୀକ୍ଷା କିମ୍ବା ସ୍କଲାରସିପ୍ ପାଇଁ ଫର୍ମ ଭରିବା, ଏସବୁ ଜିନିଷ ଜାଣିବା ଖୁବ୍ ଭଲ। ଏଗୁଡିକ ମଧ୍ୟ ଗୋଟିଏ ଗୋଟିଏ ଲାଇଫ୍ ସ୍କିଲ୍।ଆଜିକାଲି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପରେ ଖୁବ୍ ଗୁରୁତ୍ବ ଦିଆଯାଉଛି। ଏଥିରେ ଆଗରେ ରହିବା ପାଇଁ ଦେଶ ଦେଶ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଆମ ଦେଶରେ ମଧ୍ୟ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସ ଉପରେ ଖୁବ୍ ଗୁରୁତ୍ବ ଦିଆଯାଉଛି। ଓଡିଶାରେ ଆମେ ନୂଆ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସ ନୀତି କାର୍ଯ୍ୟକାରୀ କରିଛୁ। ତେଣୁ, ତୁମେମାନେ ମଧ୍ୟ ଯେତେ ସ୍କିଲ୍ ଶିଖିପାରିବ, ଶିଖିବା ଆବଶ୍ୟକ। ଏହାଦ୍ବାରା ତୁମେ ଯେଉଁ ଫିଲ୍‌ଡରେ କାମ କରିବ ସେଥିରେ ଅଧିକ ଦକ୍ଷ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।


ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହ-

ସମସ୍ତ ପାଖରେ କିଛି ନା କିଛି ଲୁକ୍କାୟିତ ଗୁଣ ବା ପ୍ରତିଭା ରହିଛି । ତେଣୁ ପାଠ ପଢ଼ା ସହିତ ଏହି ଲୁଚି ରହିଥିବା ପ୍ରତିଭାକୁ ଚିହ୍ନି ପାରିଲେ, ଆମେ ଜୀବନରେ ସଫଳ ହୋଇ ପାରିବା ବୋଲି ତେଲକୋଇ ବ୍ଲକର ସିରିଗିଡ଼ାଠାରେ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏଭଳି ମତବ୍ୟକ୍ତ କରିଛନ୍ତି ।



ସୁବର୍ଣ୍ଣ ଜୟନ୍ତୀ ସମାରୋହ ମୁଖ୍ୟ ଅତିଥି ଭାବେ ମୁଖ୍ୟ ମନ୍ତ୍ରୀ ମାଝୀ ଯୋଗ ଦେଇ କହିଥିଲେ, "ଛାତ୍ରଛାତ୍ରୀଙ୍କ ପ୍ରଥମ କାମ ହେଉଛି ମନଦେଇ ପାଠପଢିବା । କେବଳ ପାଠ ପଢିଲେ ହେବ ନାହିଁ । ବର୍ତ୍ତମାନର ଯୁଗ ହେଉଛି ଟେକ୍ନୋଲୋଜିର ଯୁଗ । ଟେକ୍ନୋଲୋଜି ସହ ତାଳ ଦେଇ ଅପଡେଟ୍ ରହିବା କଥା । ପ୍ରତ୍ୟେକଙ୍କ ନିକଟରେ କିଛି ନା କିଛି ଅନ୍ତନିର୍ହିତ ପ୍ରତିଭା ଏବଂ ଦକ୍ଷତା ଲୁଚି ରହିଛି । ସେହି ଅନ୍ତର୍ନିହିତ ପ୍ରତିଭାର ବିକାଶ କଲେ ସଫଳତା ମିଳିବ ।"

ରାଜ୍ୟ ସରକାର ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ଅନେକ ପଦକ୍ଷେପ ନେଇଛନ୍ତି। ଯାହା ରାଜ୍ୟରେ ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧିରେ ସହାୟକ ହେଉଛି । ଆଦିବାସୀ ପିଲାମାନଙ୍କ ପାଇଁ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା କାର୍ଯ୍ୟକାରୀ ହୋଇଛି। ମାତୃଭାଷାରେ ଶିକ୍ଷା ଦିଆଯାଉଛି। ଏହିସବୁ ପଦକ୍ଷେପ ଗୁଡିକ ଯୋଗୁ ସ୍କୁଲରେ ଡ୍ରପ୍ ଆଉଟ୍ ହାର କମିବା ଆରମ୍ଭ କରିଛି। ନୂତନ ଶିକ୍ଷାନୀତିକୁ ଗ୍ରହଣ କରି ଆମ ସରକାର ରାଜ୍ୟର ୪୫ ହଜାର ବିଦ୍ୟାଳୟରେ ଶିଶୁ ବାଟିକା ଆରମ୍ଭ କରିଛନ୍ତି। ଛୋଟ ପିଲାମାନଙ୍କର ଯତ୍ନ ଏବଂ ପ୍ରାରମ୍ଭିକ ଶିକ୍ଷା ପାଇଁ ଶିଶୁ ସେବିକାଙ୍କୁ ନିଯୁକ୍ତ କରାଯିବ । ଏହାସହିତ, ଶିକ୍ଷାର୍ଥୀମାନଙ୍କୁ ଭବିଷ୍ୟତ ନିମନ୍ତେ ପ୍ରସ୍ତୁତ କରିବା ପାଇଁ ରାଜ୍ୟର ସମସ୍ତ ମାଧ୍ୟମିକ ବିଦ୍ୟାଳୟରେ ଆକାଂକ୍ଷୀ ପାଠ୍ୟକ୍ରମ କାର୍ଯ୍ୟକାରୀ ହେଉଛି । ସେମାନଙ୍କୁ ପ୍ରକଳ୍ପ କାର୍ଯ୍ୟ ଆଇଟି (କୋଡିଂ) ଦକ୍ଷତା, ପୁସ୍ତକ ସମୀକ୍ଷା ଏବଂ କ୍ରୀଡା ଆଧାରିତ ଜୀବନ କୌଶଳ ଶିକ୍ଷା ଦିଆଯାଉଛି ବୋଲି କହିଥିଲେ ।



ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଠାରେ କିଛି ନା କିଛି ଅନ୍ତର୍ନିହିତ ଗୁଣ ଲୁକ୍କାୟିତ ହୋଇ ରହିଛି। ସେସବୁ ପରିସ୍ଫୁଟିତ ହେବା ଦରକାର ଏବଂ ଏଥିପାଇଁ ସେମାନଙ୍କୁ ଯଦି ସଠିକ ଭିତ୍ତିଭୂମି, ସୁବିଧା ସୁଯୋଗ ଏବଂ ପ୍ରୋତ୍ସାହନ ଦିଆଯାଏ, ତେବେ ସେମାନେ ନିଜର ତଥା ସମାଜର ମଙ୍ଗଳ କରିପାରିବେ।ରାଜ୍ୟ ସରକାର ଶିକ୍ଷାକୁ ଅତ୍ୟନ୍ତ ଗୁରୁତ୍ବର ସହିତ ନେଇଛନ୍ତି। ଚଳିତ ବଜେଟରେ ଆମ ସରକାର ରେକର୍ଡ ୪୧ ହଜାର ୨୭୩ କୋଟି ଟଙ୍କା ପ୍ରାବଧାନ କରିଛନ୍ତି । ଆପଣ ଜାଣି ଖୁସି ହେବେ ଯେ, ଚଳିତ ବଜେଟର ୧୪.୨ ପ୍ରତିଶତ ଅର୍ଥାତ୍ ରାଜ୍ୟ ଜିଡ଼ିପିର ୩.୯ ପ୍ରତିଶତ ଅର୍ଥ କେବଳ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ ହେଉଛି । ଯାହାକି ଦେଶରେ ଅଳ୍ପ କିଛି ରାଜ୍ୟ କରିବାରେ ସମର୍ଥ ହୋଇଛନ୍ତି। ଓଡିଶାରେ ମଧ୍ୟ ସବୁ ବିଭାଗରୁ ଶିକ୍ଷା ବିଭାଗରେ ଖର୍ଚ୍ଚ ସବୁଠାରୁ ଅଧିକ, ଏଥିରୁ ପ୍ରାଥମିକ ଶିକ୍ଷା କ୍ଷେତ୍ରର ଖର୍ଚ୍ଚ ହେଉଛି ସିଂହଭାଗ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହା ବି ପଢନ୍ତୁ- ୩ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ, ଏସବୁ କାର୍ଯ୍ୟକ୍ରମରେ ହେବେ ସାମିଲ


ଇଟିଭି ଭାରତ,କେନ୍ଦୁଝର